ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ

ନୀମା ପାଠକ, କଳ୍ପବୃକ୍ଷ

ଉପକ୍ରମ

ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର (କମ୍ୟୁନିଟି କନ୍ଜରଭଡ୍ ଏରିଆ-CCA) – ଏହି ଶବ୍ଦର ବ୍ୟବହାର କିଛି ଦଶକ ପୁରୁଣା ହୋଇପାରେ; କିନ୍ତୁ ଭାରତରେ ଏହାର ପ୍ରଚଳନ ମନୁଷ୍ୟର ଇତିହାସ ପରି ପୁରୁଣା ଅଟେ । ପାରମ୍ପରିକ ସଂରକ୍ଷଣ ପଦ୍ଧତି ଓ କୌଶଳ ବିକାଶ ଲାଭ କରିବାର ଅନେକ ପୂର୍ବରୁ ସିସିଏର ଅସ୍ତିତ୍ୱ ଥିଲା ଏବଂ ତାହା ଉପରୋକ୍ତ ପଦ୍ଧତିଗୁଡ଼ିକ ସହ ଯୋଡ଼ିହୋଇ ଥିଲା; କିନ୍ତୁ ଦେଶର ସଂରକ୍ଷଣ ଛବିର ପ୍ରଚ୍ଛଦପଟରେ ଏହା ରହିଥିଲା । ଏସବୁ ନିରନ୍ତର ବିକାଶଶୀଳ ଓ ସହନଶୀଳ ପରିଚାଳନା ପଦ୍ଧତିକୁ ପ୍ରତିନିଧିତ୍ୱ କରେ, ଯାହା ମାଧ୍ୟମରେ ଗୋଷ୍ଠୀଗୁଡ଼ିକ ପିଢ଼ି ପିଢ଼ି ଧରି ନିଜର ସାମୂହିକ ସମ୍ବଳକୁ ନିଜସ୍ୱ ଅଧିକାରର ପରିଷରରେ ତାର ପରିଚାଳନା ବ୍ୟବହାର ଓ ସୁରକ୍ଷିତ ରଖିଛନ୍ତି । ଏହା ସତ୍ତ୍ୱେ ସାଧାରଣ ନୀତି ଓ ସଂରକ୍ଷଣ ଆଲୋଚନାରେ ଏହାର ପରିଚୟ ଖୁବ୍ ସ୍ୱଳ୍ପ, ବିଷମ, ବହୁ ସମୟରେ ବିଳମ୍ୱିତ ଓ ପ୍ରାୟତଃ ଅପୂର୍ଣ୍ଣ ରହିଛି ।

ଏହି ଆଲେଖ୍ୟଟି ଭାରତରେ ସିସିଏର ବିକାଶକୁ ତାହାର ଗଭୀର ଐତିହାସିକ ଉତ୍ସରୁ ଆରମ୍ଭ କରି ଆଜିର ଜାତୀୟ ଆଇନ ଏବଂ ବିଶ୍ୱ ଜୈବ ବିବିଧତା ଢାଞ୍ଚାଗୁଡ଼ିକ ମଧ୍ୟରେ ସେଗୁଡ଼ିକର ଅବସ୍ଥିତି ପର୍ଯ୍ୟନ୍ତ କ୍ରମିକ ଭାବରେ ଅନୁଧ୍ୟାନ କରୁଛି । ଏହାର ଯୁକ୍ତି ହେଉଛି, ସିସିଏ କ୍ରମଶଃ ସ୍ୱୀକୃତି ପାଉଥିବା ସତ୍ତ୍ୱେ ଏହା ସୀମିତ ରହିଛି । ଅଧିକାଂଶ ସମୟରେ ରାଜ୍ୟ-କୈନ୍ଦ୍ରିକ ସଂରକ୍ଷଣ ମଡେଲ୍, ଗୋଷ୍ଠୀ ସାମୂହିକ ସମ୍ବଳ ଉପରେ ବଡ଼ ପ୍ରକଳ୍ପଗୁଡ଼ିକ ଏବଂ ମାଲିକାନା, ଅଧିକାର ଓ ପରିଚାଳନା ସମ୍ପର୍କିତ ସମସ୍ୟାଗୁଡ଼ିକ ଦ୍ୱାରା ସଙ୍କଟଗ୍ରସ୍ତ ହେଉଛି । ଯାହା ଉପନିବେଶ ସମୟରୁ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ସିସିଏ, ମୂଳନିବାସୀ ଓ ପାରମ୍ପରିକ କ୍ଷେତ୍ର (ଇଣ୍ଡିଜେନସ ଟ୍ରେଡିସନାଲ ଟେରିଟୋରି) ଏବଂ କୁନ୍ମିଂ-ମଣ୍ଟ୍ରିଲ୍ ଗ୍ଲୋବାଲ ବାୟୋ ଡାଇଭରସିଟି ଫ୍ରେମୱର୍କ (କେ. ଏମ୍. ଜି. ବି. ଏଫ୍) ଅଧିନରେ ବୈଶ୍ୱିକ ସଙ୍କଳ୍ପଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଆଧାର କରି ଏହି ଆଲେଖ୍ୟ ସିସିଏକୁ ସଂରକ୍ଷଣରେ ଅଧିକାର-ଆଧାରିତ ଦୃଷ୍ଟିକୋଣରୁ ଅତିରିକ୍ତ ଭାବେ ନୁହେଁ, ବରଂ ଅଧିକ କେନ୍ଦ୍ରିତ ତଥା ଗୁରୁତ୍ୱ ପ୍ରଦାନ କରୁଛି ।

ଐତିହାସିକ ଗଭୀରତା: ଅନ୍ତର୍ନିହିତ ପ୍ରଥା ଭାବରେ ସଂରକ୍ଷଣ

ସାରା ଭାରତରେ ଗୋଷ୍ଠୀ ପରିଚାଳିତ ବିଭିନ୍ନ ସଂରକ୍ଷଣ ପଦ୍ଧତି ଦୀର୍ଘଦିନ ଧରି ତିଷ୍ଠି ରହିଛି, ଯେଉଁଗୁଡ଼ିକ ପୃଥକ୍ ଓ ସାଂସ୍କୃତିକ ଭାବେ ବିଚ୍ଛିନ୍ନ ‘ସଂରକ୍ଷଣ ପଦକ୍ଷେପ କିମ୍ୱା ସଂରକ୍ଷିତ କ୍ଷେତ୍ର’ ଭାବରେ ନୁହେଁ, ବରଂ ଜୀବନ୍ତ ସାମାଜିକ-ପରିବେଶଗତ ପଦ୍ଧତିର ଅଂଶ ଭାବେ ରହିଆସିଛନ୍ତି । ପବିତ୍ର ଉଦ୍ୟାନ (ଦେବରାଇ, ଓରାନ୍, ଶରନା, କାଭୁ), ଓଡ଼ିଶାରେ ଗୋଷ୍ଠୀଭିତ୍ତିକ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପଦ୍ଧତି; ହିମାଚଳ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟର ଜଙ୍ଗଲ ଓ ଘାସଜମିରେ ପଶୁଚାରଣ ସମ୍ପର୍କିତ ସାମୂହିକ ସମ୍ପଦ ଏବଂ ସମୁଦ୍ରତଟ ସମ୍ପଦ ପଦ୍ଧତି, ସମ୍ପ୍ରଦାୟ ଓ ସେମାନଙ୍କର ଭୂଭାଗ ମଧ୍ୟରେ ଗଭୀର ଭାବେ ଗଢ଼ିଥିବା ସମ୍ପର୍କକୁ ପ୍ରତିଫଳିତ କରୁଛି ।

ଏହି ପଦ୍ଧତିଗୁଡ଼ିକୁ ପାରମ୍ପରିକ ସଂସ୍ଥା, ସାଂସ୍କୃତିକ ମାନଦଣ୍ଡ ଏବଂ ସ୍ଥାନୀୟ ଭାବେ ଉନ୍ନତ ନିୟମଗୁଡ଼ିକ ଜରିଆରେ ପରିଚାଳିତ କରାଯାଉଥିଲା, ଯେଉଁମାନେ ପ୍ରବେଶ, ବ୍ୟବହାର ଏବଂ ସୁରକ୍ଷାକୁ ନିୟନ୍ତ୍ରଣ କରୁଥିଲେ । ସଂରକ୍ଷଣର ଫଳାଫଳଗୁଡ଼ିକୁ କୌଣସି ଅଣବ୍ୟାବହାରିକ ଲକ୍ଷ୍ୟ ଭାବେ ଅବଲମ୍ବନ କରାଯାଇ ନଥିଲା, ବରଂ ଭୂମି ଓ ପ୍ରକୃତି ସହିତ ନୀତିଗତ, ଆଧ୍ୟାତ୍ମିକ ଏବଂ ଜୀବିକାମୂଳକ ସମ୍ପର୍କରୁ ସ୍ୱାଭାବିକ ଭାବେ ଉତ୍ପନ୍ନ ହୋଇଥିଲା । ଏହି ପରିପ୍ରେକ୍ଷୀରେ, ଆମେ ବର୍ତ୍ତମାନ ଯାହାକୁ ସିସିଏ ବୋଲି ବର୍ଣ୍ଣନା କରୁଛୁ, ସେଗୁଡ଼ିକ ପୂର୍ବରୁ ମଧ୍ୟ ଥିଲା ଏବଂ ଅନେକ ସ୍ଥାନରେ ଏବେ ମଧ୍ୟ ରହିଛି । ଏସବୁ ସମୁଦାୟ ପରିଚୟ ଓ ସହାବସ୍ଥାନ ପାଇଁ ଅତ୍ୟାବଶ୍ୟକ ହେବା ସହ ସେମାନଙ୍କର ଜଳ ଓ ଭୂଭାଗ ସହିତ ସମ୍ପର୍କର ଅଂଶ ଅଟେ ।

ଗୁରୁତ୍ୱପୂର୍ଣ୍ଣ ଭାବରେ, ଏହି ପଦ୍ଧତିଗୁଡ଼ିକ ସାମୂହିକ ଅଧିକାର ଓ ଦାୟିତ୍ୱ ଉପରେ ଆଧାରିତ ଥିଲା । ସାଧାରଣତଃ ଜଟିଳ ଓ ଗ୍ରହଣଶୀଳ ଶାସନ ଢାଞ୍ଚା, ପରିଚାଳନା ଓ ତଦାରଖ ପ୍ରଣାଳୀ, ଏବଂ ବିବାଦ ସମାଧାନ କୌଶଳ ଜରିଆରେ ନିଷ୍ପତ୍ତି ନେବାର ଅଧିକାର ସମ୍ପ୍ରଦାୟମାନଙ୍କ ପାଖରେ ଥିଲା । ଏହି ଐତିହାସିକ ଆଧାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସିସିଏ କେବଳ ସଂରକ୍ଷଣ ମୂଲ୍ୟର ଏକ ସାମାନ୍ୟ କ୍ଷେତ୍ର ନୁହେଁ, ବରଂ ସେଗୁଡ଼ିକ ସ୍ୱ-ନିର୍ଦ୍ଧାରିତ ପରିଚାଳନାର ପ୍ରକାଶ, ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ, ମୂଲ୍ୟବୋଧ, ନୀତି ଓ ସମ୍ପର୍କରେ ରହିଛି ।

ଐତିହାସିକ ଗଭୀରତା: ଅନ୍ତର୍ନିହିତ ପ୍ରଥା ଭାବରେ ସଂରକ୍ଷଣ

ସାରା ଭାରତରେ ଗୋଷ୍ଠୀ ପରିଚାଳିତ ବିଭିନ୍ନ ସଂରକ୍ଷଣ ପଦ୍ଧତି ଦୀର୍ଘଦିନ ଧରି ତିଷ୍ଠି ରହିଛି, ଯେଉଁଗୁଡ଼ିକ ପୃଥକ୍ ଓ ସାଂସ୍କୃତିକ ଭାବେ ବିଚ୍ଛିନ୍ନ ‘ସଂରକ୍ଷଣ ପଦକ୍ଷେପ କିମ୍ୱା ସଂରକ୍ଷିତ କ୍ଷେତ୍ର’ ଭାବରେ ନୁହେଁ, ବରଂ ଜୀବନ୍ତ ସାମାଜିକ-ପରିବେଶଗତ ପଦ୍ଧତିର ଅଂଶ ଭାବେ ରହିଆସିଛନ୍ତି । ପବିତ୍ର ଉଦ୍ୟାନ (ଦେବରାଇ, ଓରାନ୍, ଶରନା, କାଭୁ), ଓଡ଼ିଶାରେ ଗୋଷ୍ଠୀଭିତ୍ତିକ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପଦ୍ଧତି; ହିମାଚଳ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟର ଜଙ୍ଗଲ ଓ ଘାସଜମିରେ ପଶୁଚାରଣ ସମ୍ପର୍କିତ ସାମୂହିକ ସମ୍ପଦ ଏବଂ ସମୁଦ୍ରତଟ ସମ୍ପଦ ପଦ୍ଧତି, ସମ୍ପ୍ରଦାୟ ଓ ସେମାନଙ୍କର ଭୂଭାଗ ମଧ୍ୟରେ ଗଭୀର ଭାବେ ଗଢ଼ିଥିବା ସମ୍ପର୍କକୁ ପ୍ରତିଫଳିତ କରୁଛି ।

ଏହି ପଦ୍ଧତିଗୁଡ଼ିକୁ ପାରମ୍ପରିକ ସଂସ୍ଥା, ସାଂସ୍କୃତିକ ମାନଦଣ୍ଡ ଏବଂ ସ୍ଥାନୀୟ ଭାବେ ଉନ୍ନତ ନିୟମଗୁଡ଼ିକ ଜରିଆରେ ପରିଚାଳିତ କରାଯାଉଥିଲା, ଯେଉଁମାନେ ପ୍ରବେଶ, ବ୍ୟବହାର ଏବଂ ସୁରକ୍ଷାକୁ ନିୟନ୍ତ୍ରଣ କରୁଥିଲେ । ସଂରକ୍ଷଣର ଫଳାଫଳଗୁଡ଼ିକୁ କୌଣସି ଅଣବ୍ୟାବହାରିକ ଲକ୍ଷ୍ୟ ଭାବେ ଅବଲମ୍ବନ କରାଯାଇ ନଥିଲା, ବରଂ ଭୂମି ଓ ପ୍ରକୃତି ସହିତ ନୀତିଗତ, ଆଧ୍ୟାତ୍ମିକ ଏବଂ ଜୀବିକାମୂଳକ ସମ୍ପର୍କରୁ ସ୍ୱାଭାବିକ ଭାବେ ଉତ୍ପନ୍ନ ହୋଇଥିଲା । ଏହି ପରିପ୍ରେକ୍ଷୀରେ, ଆମେ ବର୍ତ୍ତମାନ ଯାହାକୁ ସିସିଏ ବୋଲି ବର୍ଣ୍ଣନା କରୁଛୁ, ସେଗୁଡ଼ିକ ପୂର୍ବରୁ ମଧ୍ୟ ଥିଲା ଏବଂ ଅନେକ ସ୍ଥାନରେ ଏବେ ମଧ୍ୟ ରହିଛି । ଏସବୁ ସମୁଦାୟ ପରିଚୟ ଓ ସହାବସ୍ଥାନ ପାଇଁ ଅତ୍ୟାବଶ୍ୟକ ହେବା ସହ ସେମାନଙ୍କର ଜଳ ଓ ଭୂଭାଗ ସହିତ ସମ୍ପର୍କର ଅଂଶ ଅଟେ ।

ଗୁରୁତ୍ୱପୂର୍ଣ୍ଣ ଭାବରେ, ଏହି ପଦ୍ଧତିଗୁଡ଼ିକ ସାମୂହିକ ଅଧିକାର ଓ ଦାୟିତ୍ୱ ଉପରେ ଆଧାରିତ ଥିଲା । ସାଧାରଣତଃ ଜଟିଳ ଓ ଗ୍ରହଣଶୀଳ ଶାସନ ଢାଞ୍ଚା, ପରିଚାଳନା ଓ ତଦାରଖ ପ୍ରଣାଳୀ, ଏବଂ ବିବାଦ ସମାଧାନ କୌଶଳ ଜରିଆରେ ନିଷ୍ପତ୍ତି ନେବାର ଅଧିକାର ସମ୍ପ୍ରଦାୟମାନଙ୍କ ପାଖରେ ଥିଲା । ଏହି ଐତିହାସିକ ଆଧାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସିସିଏ କେବଳ ସଂରକ୍ଷଣ ମୂଲ୍ୟର ଏକ ସାମାନ୍ୟ କ୍ଷେତ୍ର ନୁହେଁ, ବରଂ ସେଗୁଡ଼ିକ ସ୍ୱ-ନିର୍ଦ୍ଧାରିତ ପରିଚାଳନାର ପ୍ରକାଶ, ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ, ମୂଲ୍ୟବୋଧ, ନୀତି ଓ ସମ୍ପର୍କରେ ରହିଛି ।

ଉପନିବେଶୀୟ ପ୍ରତିବନ୍ଧକ ଓ ସାମୂହିକ ସମ୍ପଦର ସଂଚାଳନ

ଉପନିବେଶ କାଳରେ ଏହି ପାରମ୍ପରିକ ଓ ପ୍ରଥାଗତ ପଦ୍ଧତିରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହୋଇଥିବା ବିଭିନ୍ନ ଜଙ୍ଗଲ ଆଇନ ମାଧ୍ୟମରେ, ବ୍ରିଟିଶ ସାମ୍ରାଜ୍ୟ ବିଶାଳ ଜଙ୍ଗଲ ଅଞ୍ଚଳରେ ନିଜର କର୍ତ୍ତୃତ୍ୱ ଜାହିର କଲେ । ସେଗୁଡ଼ିକୁ ରାଜ୍ୟ ସମ୍ପଦ ଭାବେ ପୁନର୍ବର୍ଗୀକୃତ କରି ସଂରକ୍ଷିତ ଜଙ୍ଗଲ, ସୁରକ୍ଷାଧୀନ ଜଙ୍ଗଲ ଓ କ୍ରୀଡ଼ା ଜଙ୍ଗଲ (ଗେମ୍ ଫରେଷ୍ଟ) ଆଦି ଭାବରେ ବାଣ୍ଟି ଦିଆଗଲା, ଯାହା ପାରମ୍ପରିକ ପରିଚାଳନା ପଦ୍ଧତିକୁ ତଳସ୍ତରରେ ରଖିଦେଲା ଏବଂ ଜମି, ଜଳ ଓ ଭୂଭାଗ ସହିତ ପବିତ୍ର, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ପର୍କକୁ ନଷ୍ଟ କରିଦେଲା ।

ଏହି ସମୟ ଗୋଷ୍ଠୀଭିତ୍ତିକ ସଂରକ୍ଷଣ ପ୍ରଥାଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିପାରିଲାନି, ଯଦିଓ ଏହା ସେମାନଙ୍କର ପରିବେଶକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପରିବର୍ତ୍ତିତ କଲା ଏବଂ ସେମାନଙ୍କର ସମୟୋପଯୋଗୀ ପଦକ୍ଷେପକୁ ଅବହେଳା କରିଦେଲା । ଅନେକ ପଦ୍ଧତି ବଜାୟ ରହିଥିଲା, ଯେପରି ରାଜସ୍ଥାନର ଓରାନ୍ସ, ଉତ୍ତରାଖଣ୍ଡର ବନ ପଞ୍ଚାୟତ, ଓଡ଼ିଶାର ଗୋଷ୍ଠୀ ଜଙ୍ଗଲ, ଉତ୍ତରପୂର୍ବ ରାଜ୍ୟର ଆଦିବାସୀ ସମ୍ପ୍ରଦାୟଙ୍କର ସାଂସ୍କୃତିକ କଟକଣା ଇତ୍ୟାଦି । କିନ୍ତୁ ବହୁତ ସମୟରେ ଏଗୁଡ଼ିକ ନିଷ୍କ୍ରିୟ କିମ୍ୱା ବିବାଦ ହେଇ ରହିଥିଲେ । ଉପନିବେଶୀୟ କାଳର କେନ୍ଦ୍ରୀକୃତ ନିୟନ୍ତ୍ରଣ, ପରିଚାଳନା ଏବଂ ପ୍ରାକୃତିକ ସମ୍ପଦର ପ୍ରବନ୍ଧନ ସ୍ୱାଧୀନତା ପରେ ମଧ୍ୟ ଚାଲୁ ରହିଥିଲା ଏବଂ ପ୍ରକୃତରେ ଏହା ତୀବ୍ରରୂପ ନେଇ ଭାରତରେ ଆଜିର ସଂରକ୍ଷଣ ପରିଚାଳନାକୁ ସାକାର କରିଛି  ।

ସ୍ୱାଧୀନତା ପରେ ସଂରକ୍ଷଣ: ନିରନ୍ତରତା ଓ ବିବାଦ

ସ୍ୱାଧୀନତା ପରେ ଭାରତ ମୁଖ୍ୟତଃ ଜଙ୍ଗଲ ପରିଚାଳନାର ଉପନିବେଶୀୟ ଢାଞ୍ଚାକୁ ବଜାର ରଖିଲା । ବିଶେଷକରି ୧୯୭୦ ଦଶକ ପରେ ସଂରକ୍ଷଣ ନୀତି ଏକ ସୁରକ୍ଷାମୂଳକ ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରଭାବିତ ହୋଇଥିଲା, ଯାହା ରାଜ୍ୟ ପରିଚାଳିତ ପଦକ୍ଷେପକୁ ପ୍ରାଥମିକତା ଦେଇଥିଲା ।

ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ଏବଂ ଜଙ୍ଗଲ (ସଂରକ୍ଷଣ) ଆଇନ, ୧୯୮୦ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କଲେ, କିନ୍ତୁ ପ୍ରାୟ ସମୟରେ ସେଗୁଡ଼ିକ ବିସ୍ତୃତ ଢାଞ୍ଚା ଦ୍ୱାରା କରାଯାଉଥିଲା । ଜାତୀୟ ଉଦ୍ୟାନ, ବନ୍ୟଜନ୍ତୁ ଅଭୟାରଣ୍ୟ ଭଳି ସୁରକ୍ଷିତ ଅଞ୍ଚଳଗୁଡ଼ିକର ବିସ୍ତାର ଅଧିକାଂଶ ସମୟରେ ପାରମ୍ପରିକ ବ୍ୟବହାରରେ ପ୍ରତିବନ୍ଧକ ସାଜୁଥିଲା । ଅନେକ ସମୟରେ ଏହା ସମ୍ପ୍ରଦାୟମାନଙ୍କର ବିସ୍ଥାପନର କାରଣ ହେଉଥିଲା ଏବଂ ତାହା ଏବେ ମଧ୍ୟ ହେଉଛି । ଏହି କଠୋର ‘ଘେରାବନ୍ଦୀ ସଂରକ୍ଷଣ’ ଦୃଷ୍ଟିଭଙ୍ଗୀ ଦୀର୍ଘକାଳୀନ ସଂଘର୍ଷ ସୃଷ୍ଟି କଲା ଏବଂ ପାରମ୍ପରିକ ସଂରକ୍ଷଣ ପଦ୍ଧତିଗୁଡ଼ିକର ସମତା ଏବଂ କାର୍ଯ୍ୟକ୍ଷମତା ସମ୍ପର୍କରେ ମୌଳିକ ପ୍ରଶ୍ନ ଉଠାଇଲା ।

ଆଦିବାସୀ ଓ ଜଙ୍ଗଲ ନିର୍ଭରଶୀଳ ଅଧିବାସୀମାନେ ଏହି ଆଇନ, ନୀତି, କଟକଣା, ପ୍ରତିବନ୍ଧକ ଓ ବିସ୍ଥାପନ ଦ୍ୱାରା ପ୍ରଭାବିତ ହେଲେ । ସେମାନେ ଦୀର୍ଘଦିନରୁ ଏବଂ ବିଭିନ୍ନ ଭାବରେ ଏହାର ନିରନ୍ତର ପ୍ରତିରୋଧ କରିଆସୁଛନ୍ତି । ଏହି ପ୍ରତିରୋଧ କ୍ରମାଗତ ଭାବରେ ବିଧିର ଅନୁପାଳନ ନକରିବା ଓ ପରମ୍ପରାଗତ ଅଧିକାରର ଉପଯୋଗକୁ ଜାରି ରହିବା ଠାରୁ ଆରମ୍ଭ କରି ସଙ୍ଗଠିତ ବିଦ୍ରୋହ ଓ ଆଞ୍ଚଳିକ ଅଧିକାରର ଦାବି ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା । ଏହି ପ୍ରତିରୋଧ ଆନ୍ଦୋଳନ ଓ ବିଦ୍ରୋହ, ସ୍ୱାଧୀନତା ସହିତ ସମାପ୍ତ ହୋଇନଥିଲା; କାରଣ ସ୍ୱାଧୀନତା ପରେ ଉପନିବେଶୀୟ ନୀତି ଏବଂ ସଂରକ୍ଷଣ ପ୍ରଣାଳୀ ଅନୀତିକାରୀ ଏବଂ ବିସ୍ତାରକାରୀ ଦୃଷ୍ଟିଭଙ୍ଗୀକୁ ଚାଲୁ ରଖୁଥିଲା । ଲୋକମାନେ ସାମାଜିକ ଆନ୍ଦୋଳନ, ଆଇନ ଆଧାରିତ ପ୍ରଚେଷ୍ଟା ଏବଂ ପାରମ୍ପରିକ ସଂସ୍ଥାଗୁଡ଼ିକର ପୁନଃର୍ରୁତ୍ଥାନ ମାଧ୍ୟମରେ ଏହି ଢାଞ୍ଚାକୁ ନିରନ୍ତର ପ୍ରତିବାଦ କରୁଥିଲେ, ଜମି ଏବଂ ସମ୍ପଦ ଉପରେ ସେମାନଙ୍କର ଅଧିକାରକୁ ଦାବି କରୁଥିଲେ ଏବଂ ଗୋଷ୍ଠୀ ନେତୃତ୍ୱରେ ଚାଲୁଥିବା ବିକଳ୍ପ ସଂରକ୍ଷଣ ପ୍ରଥା ଓ ସେମାନଙ୍କର ପ୍ରତିଫଳନକୁ ଦେଖାଉଥିଲେ ।

ନିରନ୍ତର ଲାଗି ରହିଥିବା ସଂଘର୍ଷ ଏବଂ ତୃଣମୂଳ ସ୍ତରର ହେଉଥିବା କଡ଼ା ପ୍ରତିରୋଧର ଜବାବରେ, ୧୯୯୦ ଦଶକରେ ଜଙ୍ଗଲ ପରିଚାଳନାରେ ଗୋଷ୍ଠୀ ଭାଗିଦାରୀକୁ ଯୋଡ଼ିବା ଏବଂ ସେମାନଙ୍କ ସହିତ କିଛି ଲାଭ ବାଣ୍ଟିବାର ଉଦ୍ୟମ ଆରମ୍ଭ ହେଲା । ଏଥିରେ ସବୁଠୁ ଉଲ୍ଲେଖନୀୟ ଥିଲା ଜଙ୍ଗଲ ଅଞ୍ଚଳଗୁଡ଼ିକରେ ଯୁଗ୍ମ ଜଙ୍ଗଲ ପରିଚାଳନା (ଜଏଣ୍ଟ ଫରେଷ୍ଟ ମେନେଜମେଣ୍ଟ – ଜେଏଫ୍ଏମ୍) ଏବଂ ସଂରକ୍ଷିତ ଅଞ୍ଚଳଗୁଡ଼ିକରେ ଗ୍ରାମ୍ୟ ଡେଭେଲପମେଣ୍ଟ କମିଟି (ଭିଡିସି) । କିନ୍ତୁ, ଏହି ଦୁଇଟି କେବଳ ମାତ୍ର ଥିଲା ଯୋଜନା  । ଏହାର କୌଣସି ମୌଳିକ ଆଇନଗତ ମାନ୍ୟତା ନଥିଲା, ବରଂ କେବଳ ଏକ ଯୋଜନା ମାତ୍ର ଥିଲା । ତେଣୁ ଗୋଷ୍ଠୀମାନଙ୍କୁ ଅଧିକାରର ହିତାଧିକାରୀ ଭାବେ ସ୍ୱୀକୃତି ଦେବାରୁ ବଞ୍ଚିତ ହେବାକୁ ପଡ଼ିଲା । ତାହା ପରିବର୍ତ୍ତେ ସେମାନଙ୍କୁ ରାଜ୍ୟ ନିୟନ୍ତ୍ରିତ ଢାଞ୍ଚା ଭିତରେ ସହଭାଗୀ କିମ୍ୱା କେବଳ ଲାଭାର୍ଥୀ ଭାବେ ଉପସ୍ଥାପନ କରାଗଲା । ଜେଏଫ୍ଏମ୍ ଓ ଭିଡିସି ଅନୁସାରେ ଅଧିକାରଗୁଡ଼ିକର ସୀମିତ ହସ୍ତାନ୍ତରଣ ବିଷୟକୁ  ନେଇକି ବ୍ୟାପକ ଆଲୋଚନା ହେଲା । ଏହା ଭାଗିଦାରୀ ତଥା ବାସ୍ତବିକ ଭାବେ ନ୍ୟାୟସଙ୍ଗତ ପରିଚାଳନା ଓ ଲାଭ ବିନିମୟ ଭିତରେ ଥିବା ବ୍ୟବଧାନକୁ ଦର୍ଶାଉଛି ।

୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ପ୍ରବର୍ତ୍ତନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପରିବର୍ତ୍ତନ ଆସିଲା । ଗୋଷ୍ଠୀ ଜଙ୍ଗଲ ସମ୍ପଦ (ସିଏଫ୍ଆର) ଅଧିକାରକୁ ସ୍ୱୀକାର କରି ଜଙ୍ଗଲ ଅଧିକାର ଆଇନ ସମ୍ପ୍ରଦାୟମାନଙ୍କୁ ତାଙ୍କର ପାରମ୍ପରିକ ଜଙ୍ଗଲ ଉପରେ ଅଧିକାର ଦାବି କରିବା ସହିତ ସେଗୁଡିକୁ ସୁରକ୍ଷା, ସଂରକ୍ଷଣ ଓ ପରିଚାଳନା କରିବା ପାଇଁ ଏକ ଢାଞ୍ଚା ପ୍ରଦାନ କଲା । ସେମାନେ ନିଜସ୍ୱ ପାରମ୍ପରିକ କିମ୍ୱା ପରିବର୍ତ୍ତିତ ପରିଚାଳନା ଓ ଶାସନ ବ୍ୟବସ୍ଥା ସହିତ ପାରମ୍ପରିକ ଜ୍ଞାନକୁ ବ୍ୟବହାର କରିପାରିବେ । ପୂର୍ବବର୍ତ୍ତୀ ପଦ୍ଧତିଗୁଡ଼ିକ ତୁଳନାରେ ଏହା ସ୍ପଷ୍ଟ ଭାବରେ ସମ୍ପ୍ରଦାୟମାନଙ୍କୁ ଶାସନ ଅଧିକାର ସହିତ ଅଧିକାର ଧାରକ ଭାବେ ସ୍ୱୀକୃତି ଦେଇଛି ।

ଅନ୍ୟାନ୍ୟ ଆଇନଗତ ଢାଞ୍ଚାଗୁଡ଼ିକ ଯଥା ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସଂପ୍ରସାରଣ) ଆଇନ (ପେସା), ୧୯୯୬ ଏବଂ ଜୈବବିବିଧତା ଆଇନ, ୨୦୦୨ ମଧ୍ୟ ଗୋଷ୍ଠୀ ପରିଚାଳନା ପାଇଁ ସୁବିଧାଜନକ ପରିସର ସୃଷ୍ଟି କରୁଛି । ଯଦିଓ ସେମାନଙ୍କର କାର୍ଯ୍ୟାନ୍ୱୟନ ସମାନ ଭାବରେ ହୋଇନାହିଁ । ଏହି ସମସ୍ତ ଆଇନଗୁଡ଼ିକ ମିଶିକରି, ଜଙ୍ଗଲ ଏବଂ ସଂରକ୍ଷଣ ଶାସନ ଓ ପରିଚାଳନା ଯଦିଓ ଅପୂର୍ଣ୍ଣ ତେବେ ମଧ୍ୟ କେବଳ ରାଜ୍ୟକୈନ୍ଦ୍ରିକ ମଡେଲ୍‌ ଗୁଡ଼ିକୁ ଛାଡ଼ି ଏକ ଗୁରୁତ୍ୱପୂର୍ଣ୍ଣ, ଯଦିଓ ଅପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରୁଛି ।

ଅନ୍ତର୍ଜାତୀୟ ଆଲୋଚନାରେ ଏକ ପ୍ରମୁଖ ଶ୍ରେଣୀ ଭାବରେ ଆଇସିସିଏର ଆବିର୍ଭାବ

୧୯୯୦ ଦଶକ ପାଖାପାଖି, ସଂରକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ପଥ ଭାବେ ଆଇସିସିଏର ଧାରଣା ସୃଷ୍ଟି ହେବା ଆରମ୍ଭ କଲା । ଏହା ମୁଖ୍ୟତଃ ଅନ୍ତର୍ଜାତୀୟ ସଂରକ୍ଷଣ ନୀତି ମଞ୍ଚଗୁଡ଼ିକରେ ଉନ୍ମୋଚିତ ହୋଇଥିଲା, ଯେଉଁଥିରେ ନାଗରିକ ସମାଜ, ଗବେଷକ ଏବଂ ବିଭିନ୍ନ ଦେଶର ଗୋଷ୍ଠୀ ନେଟୱର୍କଗୁଡ଼ିକର ନିରନ୍ତର ପ୍ରୟାସ ଥିଲା । ସେମାନେ ସମାନ ଭାବରେ ବହିଷ୍କାରମୂଳକ ସଂରକ୍ଷଣ ଏବଂ ଜଙ୍ଗଲ ଆଇନ ଓ ନୀତିଗୁଡ଼ିକ ସମ୍ମୁଖୀନ ହୋଇ, ନିଜସ୍ୱ ମୂଲ୍ୟବୋଧ, ସିଦ୍ଧାନ୍ତ ଓ ପ୍ରଣାଳୀଗୁଡ଼ିକୁ ଲିପିବଦ୍ଧ କରିବା, ଦୃଶ୍ୟମାନ କରିବା(ଲୋକଲୋଚନକୁ ଆଣିବା) ଏବଂ ବୈଧତା ଦେବାକୁ ଚେଷ୍ଟା କରୁଥିଲେ, ଯାହା ସଂରକ୍ଷଣର ମୂଳ ଆଦର୍ଶକୁ ପ୍ରତିବିମ୍ୱିତ କରେ । ଏହା କେବଳ ଏକ ଶ୍ରେଣୀବିଭାଗ ମୂଳକ ଅଭ୍ୟାସ ମାତ୍ର ନୁହେଁ, ବରଂ ଏକ ରାଜନୈତିକ ଓ ଧାରଣାଗତ ହସ୍ତକ୍ଷେପ ଥିଲା – ଯାହାର ଉଦ୍ଦେଶ୍ୟ ସଂରକ୍ଷଣ ସମ୍ୱନ୍ଧୀୟ ଆଲୋଚନାକୁ ଗୋଷ୍ଠୀ ଅଧିକାର ଓ ପରିଚାଳନାର ସ୍ୱୀକୃତି ଦିଗକୁ ପରିବର୍ତ୍ତନ କରିବା ଥିଲା । ଏହି ପ୍ରସଙ୍ଗରେ, ଗତ କିଛି ଦଶକରେ ଆଇସିସିଏ କନସୋର୍ଟିୟମ ଭଳି ନେଟୱର୍କଗୁଡ଼ିକର ନିରନ୍ତର ପ୍ରୟାସ ମାଧ୍ୟମରେ, ଲୋକମାନେ ଏବଂ ସେମାନଙ୍କର ଅଞ୍ଚଳ ସୀମା ମଧ୍ୟରେ ସମ୍ପର୍କକୁ ଆଧୁନିକ ସଂରକ୍ଷଣ କଥାଚିତ୍ରରେ ସମ୍ମିଳିତ କରିବା ଏବଂ ବୁଝିବା ପ୍ରୟାସ କରାଯାଇଛି । ଫଳସ୍ୱରୂପ, ସେମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଇସିସିଏ ଅର୍ଥାତ୍ ‘ଆଦିବାସୀ ଲୋକ ଏବଂ ସ୍ଥାନୀୟ ସମ୍ପ୍ରଦାୟମାନଙ୍କ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଏବଂ ଭୂଭାଗ’ ଭାବେ ମାନ୍ୟତା ପାଇଛନ୍ତି । ଆଇସିସିଏକୁ ଅନ୍ତର୍ଜାତୀୟ ମିଳିତ ସଂରକ୍ଷଣ ସଂଘ (ଆଇୟୁସିଏନ୍) ଏବଂ ଜୈବବିବିଧତା ସମ୍ମିଳନୀ ଦ୍ୱାରା ‘ପ୍ରାକୃତିକ କିମ୍ବା ପରିବର୍ତ୍ତିତ ପରିସଂସ୍ଥା’ ରୂପରେ ପରିଭାଷିତ କରାଯାଇଛି, ଯେଉଁଥିରେ ମହତ୍ତ୍ୱପୂର୍ଣ୍ଣ ଜୈବବିବିଧତା, ପରିସଂସ୍ଥାଗତ ଲାଭ ଏବଂ ସାଂସ୍କୃତିକ ମୂଲ୍ୟବୋଧ ରହିଛି । ଏହାର ସଂରକ୍ଷଣ ସ୍ୱେଚ୍ଛାକୃତ ଭାବେ ଆଦିବାସୀ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟ, ସେମାନେ ଗୋଟିଏ ଜାଗାରେ ବସବାସ କରୁଥିବା ହୁଅନ୍ତୁ କିମ୍ବା ଯାଯାବର – ସେମାନଙ୍କ ଦ୍ୱାରା ପାରମ୍ପରିକ ଆଇନ କିମ୍ବା ଅନ୍ୟ ପ୍ରଭାବୀ ମାଧ୍ୟମ ଜରିଆରେ କରାଯାଉଛି । କିନ୍ତୁ, ଆଦିବାସୀ ଲୋକ ଏବଂ ସ୍ଥାନୀୟ ସମୁଦାୟଙ୍କ ନେଟୱର୍କ ଏବଂ ସଂଗଠନମାନଙ୍କ ମଧ୍ୟରେ ଆଧୁନିକ ସଂରକ୍ଷଣ କାର୍ଯ୍ୟସୂଚୀ ଏବଂ ଆଲୋଚନାରେ ସାମିଲ ହେବାକୁ ନେଇ ଏକପ୍ରକାର କୁଣ୍ଠା ରହିଛି । ସେମାନେ ସେପର୍ଯ୍ୟନ୍ତ ଏଥିରେ ସାମିଲ ହେବାକୁ ଚାହାନ୍ତି ନାହିଁ, ଯେ ପର୍ଯ୍ୟନ୍ତ ସେମାନଙ୍କର ଅନନ୍ୟ ଦୃଷ୍ଟିଭଙ୍ଗୀ ଓ ଦାର୍ଶନିକ ଚିନ୍ତାଧାରାକୁ ସ୍ୱୀକୃତି ନ ମିଳିଛି, ଯାହା ସେମାନଙ୍କର ଜୀବନଶୈଳୀର ଆଧାର ଅଟେ । ଯାହା ମାଧ୍ୟମରେ ଅନ୍ୟ ବିଷୟଗୁଡ଼ିକ ସହିତ ସଂରକ୍ଷଣର ଲକ୍ଷ୍ୟକୁ ବି ହାସଲ କରାଯାଇପାରିବ ।

ଭାରତରେ ସିସିଏ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ପ୍ରଣାଳୀଗୁଡ଼ିକର ବ୍ୟାପକ ବିବିଧତା ସାମିଲ ରହଛି, ଯେଉଁଥିରେ ବନ ପଞ୍ଚାୟତ, ଓରାନ୍, କଚ୍ଛ ର ବାନୀ ଚାରଣଭୂମି ଅନ୍ତର୍ଭୁକ୍ତ । ନାଗାଲାଣ୍ଡରେ ଗ୍ରାମ ପରିଷଦ ଦ୍ୱାରା ସଂରକ୍ଷିତ ସିସିଏ, ଲଦାଖର ତାର ଗ୍ରାମରେ ସାଂସ୍କୃତିକ ସମ୍ପର୍କ ଓ ଧଳାବାଘର ସୁରକ୍ଷା ପାଇଁ ସିସିଏ, ଏବଂ ଏଇ ନିକଟରେ ଯେଉଁ ଗ୍ରାମଗୁଡ଼ିକ ଜଙ୍ଗଲ ଅଧିକାର ଆଇନ ଅନୁସାରେ ନିଜର ପାରମ୍ପରିକ ସାମୂହିକ ସମ୍ପଦକୁ ସିଏଫ୍ଆର୍ ରୂପରେ ଦାବି କରିଛନ୍ତି ଏବଂ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଏହାର ବ୍ୟବହାର, ପରିଚାଳନା ଓ ସଂରକ୍ଷଣ କରାଯାଉଛି । ଏହିସବୁକୁ ଯୋଡୁଥିବା ବିଷୟର କୌଣସି ଗୋଟିଏ ଆନୁଷ୍ଠାନିକ ରୂପ ନାହିଁ, ବରଂ ଏହା ଗୋଷ୍ଠୀ ନିଷ୍ପତ୍ତି ନିର୍ଦ୍ଧାରଣ ଓ ସୁରକ୍ଷାକାରୀ ଉଭୟର ଏକ ସମନ୍ୱିତ ମୂଳଦୁଆ ଅଟେ ।

ସମକାଳୀନ ସମସ୍ୟା

ସିସିଏ ବର୍ତ୍ତମାନ ମଧ୍ୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ସମସ୍ୟାମାନଙ୍କ ସହିତ ସଂଘର୍ଷ କରୁଛନ୍ତି । ଏହି ବୃଦ୍ଧିଶୀଳ ସ୍ୱୀକୃତି ସତ୍ତ୍ୱେ ଆଇନଗତ ପରିଦୃଶ୍ୟ ଏବେ ଏକ ମିଶ୍ରିତ ଅବସ୍ଥାରେ ରହିଛି, ଯେଉଁଠାରେ ଅନେକ ଆଇନ ସିସିଏକୁ ଆଂଶିକ ସ୍ୱୀକୃତି ଦେଇଛନ୍ତି, କିନ୍ତୁ ସିସିଏ ପାଇଁ କୌଣସି ସୁସଙ୍ଗଠିତ ଢାଞ୍ଚା ମିଳୁନାହିଁ । ଯେଉଁଠାରେ ପ୍ରଗତିଶୀଳ ପ୍ରସ୍ତାବନା ରହିଛି- ଯଥା ଜଙ୍ଗଲ ଅଧିକାର ଆଇନ ଅଧୀନରେ ତାହାର କାର୍ଯ୍ୟାନ୍ୱୟନ ପ୍ରାୟତଃ ଅସମାନ ଏବଂ ଅସଙ୍ଗତ, ଯାହା ଅଧିକାରର ସାର୍ଥକ ପ୍ରଚଳନ ପାଇଁ ଆବଶ୍ୟକ ସୁବିଧା ଦେବା ଉଦ୍ଦେଶ୍ୟ ଉପରେ କେନ୍ଦ୍ରିତ ନୁହେଁ । ଏହା ସହିତ, ଢାଞ୍ଚାଗତ ଉନ୍ନତି, ଅର୍ଥନୈତିକ ସଂସାଧନ ଶିଳ୍ପ ଏବଂ ବ୍ୟାପକ ଜମି ବ୍ୟବହାର ପରିବର୍ତ୍ତନରୁ ବୃଦ୍ଧି ପାଉଥିବା ଚାପ ଗୋଷ୍ଠୀ ଦ୍ୱାରା ଧରାଯାଇଥିବା ଭୂଭାଗକୁ ବିପଦଗ୍ରସ୍ତ କରୁଛି । ଏହା ସହିତ, ବୈଶ୍ୱିକ ନୀତିଗତ ମଞ୍ଚରେ ସିସିଏର ବଢୁଥିବା ଦୃଶ୍ୟତାରୁ କିଛି ବୈଚାରିକ ସଙ୍କଟ ମଧ୍ୟ ସୃଷ୍ଟି ହେଉଛି । କାରଣ ସେମାନଙ୍କୁ ଅଧିକାର ଆଧାରିତ ଓ ଗୋଷ୍ଠୀ ପରିଚାଳିତ ଶାସନ ପ୍ରଣାଳୀ ରୂପରେ ସ୍ୱୀକୃତି ଦେବା ପରିବର୍ତ୍ତେ ସେମାନଙ୍କର ଭୁଲ୍ ଚିତ୍ରଣ କରାଯାଇପାରେ କିମ୍ବା ସେମାନଙ୍କୁ କେବଳ ସଂରକ୍ଷଣ ଲକ୍ଷ୍ୟ ପ୍ରାପ୍ତି ପାଇଁ କେବଳ ଏକ ସାଧନ ଭାବେ ଗ୍ରହଣ କରିନିଆଯାଇପାରେ ।

ସିସିଏ ସମ୍ମୁଖୀନ ହେଉଥିବା ଆଭ୍ୟନ୍ତରୀଣ ସମସ୍ୟାଗୁଡ଼ିକ ପ୍ରାୟ ସଂପୂର୍ଣ୍ଣ ଦୃଶ୍ୟମାନ ନୁହେଁ, କିନ୍ତୁ ଗଭୀର ପ୍ରଭାବଶାଳୀ । ଏହା ମଧ୍ୟରେ ଗୋଷ୍ଠୀ ଏକତାରେ ପରିବର୍ତ୍ତନ, ମୂଲ୍ୟ ପ୍ରଣାଳୀର ପରିବର୍ତ୍ତନ, ଏବଂ ଗୋଷ୍ଠୀ ମଧ୍ୟରେ ଉଭୟାନ୍ତର ଅସମାନତା ସୃ୍ଷ୍ଟି ହେବା ରହିଛି । ବୈଶ୍ୱିକରଣ ପ୍ରକ୍ରିୟା – ବଜାର ଏକତ୍ରୀକରଣ, ଉପଭୋକ୍ତା ଜୀବନଶୈଳୀର ସମ୍ପର୍କ, ଅନ୍ୟ ସ୍ଥାନକୁ ଅନ୍ତର୍ଗତ ପ୍ରବାସ ଏବଂ ବୃଦ୍ଧିଶୀଳ ସଂଯୋଗ ଯୁବପିଢ଼ି ମଧ୍ୟରେ ବିକାଶଶୀଳ ଆକାଂକ୍ଷାରେ ଯୋଗଦାନ ଦେଇଛି, ଯାହା ପାରମ୍ପରିକ ସାମୂହିକ ନିୟମ ଏବଂ ସଂରକ୍ଷଣ ଭିତ୍ତିକ ସମ୍ପଦ ବ୍ୟବହାର ସହ ସମନ୍ୱୟ ରଖି ନପାରେ । ଯେଉଁଠାରେ ଜୀବିକା ବିବିଧ ହେଉଛି ଏବଂ କୌଣସି କାରଣ ପାଇଁ ସ୍ଥାନୀୟ ପରିସଂସ୍ଥା ଉପରେ ନିର୍ଭରଶୀଳତା କମିଯାଉଛି, ସେଠାରେ ପାରମ୍ପରିକ ସଂସ୍ଥା ଏବଂ ପ୍ରଥା ରକ୍ଷା କରିବାର ପ୍ରେରଣା ଦୁର୍ବଳ ହେବା ସମ୍ଭାବନା ରହିଛି । ସମୟ ସହିତ ନୂତନ ସୁଯୋଗଗୁଡ଼ିକର ପାର୍ଥକ୍ୟ ଗୋଷ୍ଠୀ ମଧ୍ୟରେ ସାମାଜିକ ଏବଂ ଅର୍ଥନୈତିକ ଅସମାନତାକୁ ତୀବ୍ର କରିପାରେ, କେବେ କେବେ ଏହା କ୍ଷେତ୍ରରେ ଅଧିକାର, ଲାଭ ବଣ୍ଟନ ଏବଂ ନିଷ୍ପତ୍ତି ନେବା ପାଇଁ ବିବାଦ ସୃଷ୍ଟି କରେ । ଯଦିଓ ଅନେକ ଗୋଷ୍ଠୀ ସାମୂହିକ ସଂସ୍ଥାଗୁଡ଼ିକୁ ଶକ୍ତିଶାଳୀ କରିବା କିମ୍ୱା ପୁନଃଗଠନ କରିବା ମାଧ୍ୟମରେ ସକ୍ରିୟ ଭାବେ ପ୍ରତିକ୍ରିୟା ରଖୁଛନ୍ତି, କିନ୍ତୁ ସେହି ପ୍ରୟାସଗୁଡ଼ିକ ପାର୍ଟି ରାଜନୀତିର ପ୍ରଭାବ ଦ୍ୱାରା ବଢ଼ିଥିବା ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, ଯାହା ସ୍ଥାନୀୟ ଶାସନ ପ୍ରକ୍ରିୟାକୁ ବିକ୍ଷିପ୍ତ କରିପାରେ ଏବଂ ଗୋଷ୍ଠୀ ନେତୃତ୍ୱକୁ ଅନ୍ତର୍ଭୁକ୍ତ କରିପାରେ, ଯାହା ସିସିଏର କାର୍ଯ୍ୟକ୍ଷମତା ଏବଂ ସହନଶୀଳତାକୁ ଅଧିକ ଜଟିଳ କରିବ ।

ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ କେବଳ ପ୍ରତୀକାତ୍ମକ ସ୍ୱୀକୃତିରୁ ବାହାରି ଗୋଷ୍ଠୀ ପରିଚାଳନା ପ୍ରଣାଳୀଗୁଡ଼ିକୁ ସମର୍ଥନ ଦେବା ଆବଶ୍ୟକ ।

ଉପସଂହାର: ଗୋଷ୍ଠୀ ପରିଚାଳନାର ପୁନଃକେନ୍ଦ୍ରୀକରଣ

ଭାରତରେ ସିସିଏର ବିକାଶ ସହନଶୀଳତା ଏବଂ ବିବାଦର ଉଦାହରଣ ପ୍ରଦର୍ଶନ କରେ । ଯଦିଓ ଏହି ପ୍ରଣାଳୀଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି, ତଥାପି ଔପଚାରିକ ସଂରକ୍ଷଣ ଢାଞ୍ଚା ଭିତରେ ସେମାନଙ୍କର ପରିଚୟ ଆଂଶିକ, ଅପର୍ଯ୍ୟାପ୍ତ ଏବଂ ସବୁବେଳେ ସର୍ତ୍ତ ଭିତରେ ରହିଆସୁଛି । କ୍ରମଶଃ ବୈଶ୍ୱିକ ଜୈବ ବିବିଧତା ନୀତିରେ ମୂଳ ନିବାସୀ ଓ ସ୍ଥାନୀୟ ଗୋଷ୍ଠୀଙ୍କ ଭୂମିକାକୁ ଯେତେ ଅଧିକ ସ୍ୱୀକୃତି ମିଳୁଛି, ସେହି ଭାବରେ ଏକ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ସିସିଏକୁ ସାମୂହିକ ଅଧିକାର ଓ ଶାସନର ଅଭିବ୍ୟକ୍ତି ଭାବରେ ସଫଳ ଭାବେ ସ୍ୱୀକୃତି ଦିଆଯାଇପାରିବ କିମ୍ବା ସେମାନଙ୍କୁ ଲକ୍ଷ୍ୟ ଆଧାରିତ ଦୃଷ୍ଟିକୋଣରୁ କେବଳ ଏକ ସାଧନ ଭାବରେ ବ୍ୟବହାର କରାଯାଇପାରିବ । ସଂରକ୍ଷଣ ପାଇଁ ଅଧିକାର ଆଧାରିତ ଦୃଷ୍ଟିକୋଣ ଗ୍ରହଣ କରିବା ଏବଂ ସିସିଏକୁ ଏହି ପରିଦୃଶ୍ୟର ଭିତରେ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତାପୂର୍ଣ୍ଣ ସ୍ୱ-ନିର୍ଦ୍ଧାରିତ ସ୍ଥାନ ଭାବେ ସ୍ଥାପନ କରିବା ଆବଶ୍ୟକ ଅଟେ । ଭାରତ ପରିପ୍ରେକ୍ଷୀରେ, ଏହାର ଅର୍ଥ ହେଉଛି ଜଙ୍ଗଲ ଅଧିକାର ଆଇନ ଓ ପେସା ଭଳି ପ୍ରଚଳିତ ଆଇନର ପ୍ରାବଧାନକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା, ଗୋଷ୍ଠୀଗତ ସଂସ୍ଥାକୁ ସୁଦୃଢ଼ କରିବା ଏବଂ ବିବିଧ ଗୋଷ୍ଠୀ କ୍ଷେତ୍ରକୁ ଏକ ସମାନ ଭାବେ ସଂରକ୍ଷଣ ଶ୍ରେଣୀରେ ସାମିଲ କରିନେବା ଭଳି ପ୍ରବୃତ୍ତିକୁ ବିରୋଧ କରିବା । ଶେଷରେ ସିସିଏ କେବଳ ଏମିତି ଏକ କ୍ଷେତ୍ର ନୁହେଁ, ଯାହା ସଂରକ୍ଷଣରେ ଯୋଗଦାନ ଦିଏ, ବରଂ ଏହା ଏଭଳି ପରିଚାଳନା ପଦ୍ଧତି ଅଟେ ଯାହା ସଂରକ୍ଷଣର ଧାରଣାକୁ ହିଁ ଆହ୍ୱାନ ଦିଏ ଏବଂ ତାହାକୁ ସମୃଦ୍ଧ କରିଥାଏ ।

ନୀମା ପାଠକ, କଳ୍ପବୃକ୍ଷ
+ posts

ଭଲ ଲାଗି ପାରେ

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ: ଏହାର ପ୍ରକୃତ ଅର୍ଥ କ’ଣ ? ଏହାର ଅର୍ଥ ସୁନିଶ୍ଚିତ କରିବା ନୁହେଁ ଯେ , ଜଙ୍ଗଲରେ ଯାହାର ସଂରକ୍ଷଣ କରାଯିବ ତାହାର ଭୌତିକ...

read more

ସାମୂହିକ ଜଙ୍ଗଲ ସଂରକ୍ଷଣ: ପ୍ରକୃତି ସହିତ ଆତ୍ମୀକ ସମ୍ବନ୍ଧ ଓ ସହବିକାଶ

ଡକ୍ଟର ନୀରା ସିଂଙ୍କ ସହ ଆନ୍ତରିକ ବାର୍ତ୍ତାଳାପ ପ୍ରଶ୍ନ: ‘ବନବାରତା’ର ଚଳିତ ସଂସ୍କରଣ ଜଙ୍ଗଲର ଗୋଷ୍ଠୀ ସଂରକ୍ଷଣ ପଦକ୍ଷେପକୁ ବିଶେଷ ଗୁରୁତ୍ୱ...

read more
ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ

ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ

ପୃଷ୍ଠଭୂମି: ତୃଣମୂଳସ୍ତରରୁ ସଂରକ୍ଷଣ ଓଡ଼ିଶା ଭାରତର ସାମୂହିକ ନେତୃତ୍ୱରେ ଜଙ୍ଗଲ ସଂରକ୍ଷଣର ସବୁଠାରୁ ଜୀବନ୍ତ ପରିଦୃଶ୍ୟ ସୃଷ୍ଟି କରି ପାରିଛି...

read more
ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ମହିଳା ନେତୃତ୍ୱାଧୀନ ଗୋଷ୍ଠୀ ସଂରକ୍ଷଣ ଅଭିଯାନ: ଜଙ୍ଗଲ ଉପରେ ନିର୍ଭରଶୀଳ ମହିଳାମାନେ କିପରି ଓଡ଼ିଶାରେ...

read more
ଗୋଷ୍ଠୀ ଜଙ୍ଗଲ ସଂରକ୍ଷଣ: ପ୍ରମୁଖ ଆହ୍ୱାନ ଏବଂ ଆଗକୁ ବଢ଼ିବାର ରାସ୍ତା

ଗୋଷ୍ଠୀ ଜଙ୍ଗଲ ସଂରକ୍ଷଣ: ପ୍ରମୁଖ ଆହ୍ୱାନ ଏବଂ ଆଗକୁ ବଢ଼ିବାର ରାସ୍ତା

୧. ଜୈବ ବିବିଧତା ଓ ଗୋଷ୍ଠୀ ସଂରକ୍ଷଣ                 ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା - ଜଙ୍ଗଲ ଅଧିକାର ଆଇନ ଧାରା ୩ (୧) (ଝ) ଅଧୀନରେ...

read more