କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ମହିଳା ନେତୃତ୍ୱାଧୀନ ଗୋଷ୍ଠୀ ସଂରକ୍ଷଣ ଅଭିଯାନ: ଜଙ୍ଗଲ ଉପରେ ନିର୍ଭରଶୀଳ ମହିଳାମାନେ କିପରି ଓଡ଼ିଶାରେ ସଂରକ୍ଷଣ ପରିଚାଳନା ବ୍ୟବସ୍ଥାର ନୂଆ ପରିଭାଷା ଲେଖୁଛନ୍ତି ।
ଓଡ଼ିଶାର ଜଙ୍ଗଲରେ ଗୋଷ୍ଠୀ ସଂରକ୍ଷଣର ଏକ ପରିଚୟ ଅଛି ଏବଂ ସେହି ପରିଚୟ ସାଜିଛନ୍ତି ଅଧିକାଂଶ କ୍ଷେତ୍ରରେ ମହିଳା । ଜଙ୍ଗଲ ଅଧିକାରର ଆଇନଗତ ସ୍ୱୀକୃତି ମିଳିବାର ବହୁ ପୂର୍ବରୁ ତଥା ଗବେଷକମାନେ ଗୋଷ୍ଠୀ ସଂରକ୍ଷଣ ବିଷୟରେ ଅନୁଧ୍ୟାନ କରିବା ପୂର୍ବରୁ ନୟାଗଡ଼, କଳାହାଣ୍ଡି ଓ ଅନ୍ୟ ଜିଲ୍ଲା ଗୁଡିକରେ ଜଙ୍ଗଲ ନିର୍ଭରଶୀଳ ସମ୍ପ୍ରଦାୟର ମହିଳାମାନେ ନିଜ ହାତରେ ଦାୟିତ୍ୱ ନେଇଥିଲେ । ପ୍ରତିଦିନ ଭୋରରୁ ଏକ ଠେଙ୍ଗା ଧରି ଜଙ୍ଗଲକୁ ପହରା ଦେବାକୁ ଯିବା ସେମାନଙ୍କର ନିତିଦିନିଆ କାର୍ଯ୍ୟ ହୋଇଯାଇଥିଲା ।
ଏହି ଲେଖାଟି ଦୁଇଟି ଗୋଷ୍ଠୀ ସଂରକ୍ଷଣ ପଦକ୍ଷେପର କାହାଣୀ ବର୍ଣ୍ଣନା କରୁଛି, ଯେଉଁଥିରେ ମହିଳାମାନେ କେବଳ ଅଂଶଗ୍ରହଣକାରୀ ନୁହନ୍ତି ବରଂ ଜ୍ଞାନର ସଂରକ୍ଷକ ଏବଂ ଅନୁଷ୍ଠାନ ନିର୍ମାଣକାରୀ ଭାବେ ମୁଖ୍ୟ ଭୂମିକା ତୁଲାଇଛନ୍ତି । ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ଜଙ୍ଗଲ ସୁରକ୍ଷା ଗୋଷ୍ଠୀମାନେ ପାଞ୍ଚ ଦଶକରୁ ଅଧିକ ସମୟ ଧରି ଚାଲିଆସୁଥିବା ମହିଳା-ନେତୃତ୍ୱାଧୀନ ଜଙ୍ଗଲ ସୁରକ୍ଷାର ଏକ ଉଲ୍ଲେଖନୀୟ ଉଦାହରଣ । ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାର ଗ୍ରାମସଭା ମହାସଂଘ ଏକ ଅପେକ୍ଷାକୃତ ନୂତନ ସଂଗଠନ ହେଲେ ମଧ୍ୟ ନିଜ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସଂଗଠନର କେନ୍ଦ୍ରବିନ୍ଦୁରେ ମହିଳା ନେତୃତ୍ୱକୁ ସ୍ଥାନ ଦିଆଯାଇଛି ।
ଏହି ଦୁଇଟି ଉଦାହରଣ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟକୁ ସ୍ପଷ୍ଟ କରୁଛି: ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ, ୨୦୦୬ ଜଙ୍ଗଲ ପରିଚାଳନାରେ ମହିଳାମାନଙ୍କ ପାଇଁ ନେତୃତ୍ୱ ସୃଷ୍ଟି କରିନଥିଲା; ବରଂ ଏହା ସେହି ନେତୃତ୍ୱକୁ ସ୍ୱୀକୃତି ଓ ଆଇନଗତ ରୂପ ଦେଇଥିଲା, ଯାହାକୁ ମହିଳାମାନେ ପିଢ଼ି ପିଢ଼ି ଧରି ନିରବ ଭାବରେ, ଧୈର୍ଯ୍ୟ ଓ ନିଷ୍ଠାର ସହିତ ଗଢ଼ି ଆସୁଥିଲେ ।
ନୟାଗଡ଼ – ଯେଉଁଠାରେ ମହିଳାମାନେ ହାତରେ ଠେଙ୍ଗା ଉଠାଇବା ପରେ ଆଉ ଛାଡ଼ି ନାହାନ୍ତି
ନୟାଗଡ଼ ଜିଲ୍ଲାରେ ମୁଖ୍ୟତଃ ଉଷ୍ଣମଣ୍ଡଳୀୟ ଆର୍ଦ୍ର ପର୍ଣ୍ଣମୋଚି ଜଙ୍ଗଲ ଦେଖାଦିଏ । ଏଠାରେ ଶାଳ ଜଙ୍ଗଲର ପ୍ରଧାନତା ରହିଛି । ଅନେକ ପିଢ଼ିରୁ ଏହି ଜଙ୍ଗଲ ସ୍ଥାନୀୟ ସମୁଦାୟ ପାଇଁ ଖାଦ୍ୟ, ଜାଳ, ଚାରା, ଜଡ଼ିବୁଟି, ତଥା ଆୟର ମୁଖ୍ୟ ଆଧାର ଅର୍ଥାତ୍ ସେମାନଙ୍କ ଜୀବନରେଖା । ପରବର୍ତ୍ତୀ ସମୟରେ ବ୍ୟବସାୟିକ ଦୋହନର ଫଳସ୍ୱରୂପ ଏଥିରେ ଅବକ୍ଷୟ ଆସିଛି ।
୧୯୬୦ ଦଶକ ପରେ ଓଡ଼ିଶା ବନ ବିକାଶ ନିଗମ (OFDC) ଦ୍ୱାରା କାଠ ବ୍ୟବସାୟକୁ ବନ ବିଭାଗର ନିୟନ୍ତ୍ରଣ ପରିସରକୁ ଆସିଲା । କାଠ ମାଫିଆ ଓ ବନ ଅଧିକାରୀଙ୍କ ମିଳିତ ସହଯୋଗରେ ସୁନିୟୋଜିତ ଢଙ୍ଗରେ ଜଙ୍ଗଲ କାଟିବା ଆରମ୍ଭ ହୋଇଗଲା । ଜଳଧାରା ଶୁଖିଲା । ଜୈବବିବିଧତା ନଷ୍ଟ ହେଲା । ଗ୍ରାମୀଣ ଅଧିବାସୀ ରୋଜଗାରର ଅନ୍ୱେଷଣରେ ସହରାଭିମୁଖୀ ହେଲେ । ଏହାର ଅଧିକ ପ୍ରଭାବ ମହିଳାମାନଙ୍କ ଉପରେ ପଡିଲା । ଜଙ୍ଗଲ ପରିସୀମା ସୀମିତ ହେବା ଦ୍ୱାରା ଚାରା ସଂଗ୍ରହ, ଜାଳେଣୀ କାଠ, ତଥା ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ସେମାନେ ଅଧିକ ଦୂର ଜଙ୍ଗଲକୁ ଯିବାକୁ ବାଧ୍ୟ ହେଲେ । ଏହି ପରିସ୍ଥିତି ଏପରି ଏକ ମୋଡ଼ରେ ପହଞ୍ଚିଲା ଯେ, ଆଜି ମଧ୍ୟ ସେ ସମୟକୁ ମନେ ପକାଇ ସେମାନେ ଦୁଃଖର ସହ କୁହନ୍ତି, ଏମିତି ସମୟ ଆସିଥିଲା ଯେତେବେଳେ ଆତ୍ମୀୟଙ୍କ ମୃତ୍ୟୁରେ ଅନ୍ତିମ ସଂସ୍କାର କରିବା ପାଇଁ ମଧ୍ୟ ଯଥେଷ୍ଟ କାଠ ଉପଲବ୍ଧ ହେଲା ନାହିଁ । ବିନାଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ, ମହିଳାମାନେ ଦୃଢ ସଂକଳ୍ପ ନେଲେ ଯେ ଜଙ୍ଗଲକୁ ଆଉ ନଷ୍ଟ ହେବାକୁ ଦେବେ ନାହିଁ ଏବଂ ଜଙ୍ଗଲ ସୁରକ୍ଷା କରିବେ ।
ଠେଙ୍ଗାପାଳି – ମହିଳାମାନଙ୍କ ଦ୍ୱାରା ପ୍ରଚଳିତ ଏକ ଅଭିନବ ଜଙ୍ଗଲ ସଂରକ୍ଷଣ ବ୍ୟବସ୍ଥା:
ସତୁରୀ ଦଶକର ମଧ୍ୟଭାଗରେ ଦଶମୌଜା ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ ଗ୍ରାମବାସୀଙ୍କୁ ସଂଗଠିତ କରି ଜଙ୍ଗଲ ସୁରକ୍ଷା ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ଉଦ୍ଦେଶ୍ୟରେ ସେମାନେ ‘ଆଞ୍ଚଳିକ ଜନ କଲ୍ୟାଣ ସମିତି’ ୧୯୮୨ ମସିହାରେ ଗଠନ କରିଥିଲେ, ଯାହା ଏହି ଅଞ୍ଚଳର ପ୍ରଥମ ଗୋଷ୍ଠୀ ପରିଚାଳିତ ଜଙ୍ଗଲ ସଂରକ୍ଷଣର ସଂଗଠନ ଥିଲା । ତେବେ ଏହି ଆଦ୍ୟ ପ୍ରୟାସକୁ ଏକ ସ୍ଥାୟୀ, ଆତ୍ମନିର୍ଭର ଏବଂ ଐତିହାସିକ ରୂପ ଦେଇଥିଲେ ସ୍ଥାନୀୟ ମହିଳା । ସେମାନେ ଆରମ୍ଭ କରିଥିଲେ ‘ଠେଙ୍ଗାପାଳି’ ବ୍ୟବସ୍ଥା ।
ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ୪ଟି ପରିବାରର ଚାରିଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଦଳ ହାତରେ ଗୋଟିଏ ଠେଙ୍ଗା ଧରି ଜଙ୍ଗଲ ପହରାକୁ ଯାଆନ୍ତି । ଦିନର ପହରା ଶେଷ ହେଲେ ସେହି ଠେଙ୍ଗା ଆଉ ଗୋଟିଏ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଏ । ଏହି ପାଳି କ୍ରମାନୁସାରେ ଓ ନିରବଚ୍ଛିନ୍ନ ଭାବେ ଚାଲିଥାଏ । ଏହି ବ୍ୟବସ୍ଥା ପାଇଁ କୌଣସି ବାହ୍ୟ ଅର୍ଥସାହାଯ୍ୟ ନାହିଁ, ବେତନଭୋଗୀ କର୍ମଚାରୀ ନାହାନ୍ତି କିମ୍ୱା କୌଣସି ଜଟିଳ ପ୍ରଶାସନିକ ଢାଞ୍ଚା ମଧ୍ୟ ନାହିଁ । ଏହା କେବଳ ମହିଳାମାନଙ୍କର ଏକ ଅବିଚ୍ଛିନ୍ନ ଉଦ୍ୟମ, ଯେଉଁମାନେ ଦିନ ପରେ ଦିନ, ବର୍ଷ ପରେ ବର୍ଷ, ଦଶନ୍ଧି ପରେ ଦଶନ୍ଧି ପଦାତିକ ଭାବେ ନିଜ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି ।
“ଆମେ ରାତି ୩ଟା କିମ୍ୱା ୪ଟାରେ ଉଠିଯାଉ । ଜଙ୍ଗଲକୁ ଯିବା ପୂର୍ବରୁ ଘରର ସମସ୍ତ କାମ ସାରିଦେଉ ଏବଂ ଫେରି ଆସି ଠିକ୍ ସମୟରେ ରାତ୍ରଭୋଜନ ପ୍ରସ୍ତୁତ କରୁ ।” – ପ୍ରମିଳା ପ୍ରଧାନ, କୋଦାଳପାଲି ଗ୍ରାମ, ନୟାଗଡ଼
୧୯୮୫ ସୁଦ୍ଧା ଠେଙ୍ଗାପାଳି ବ୍ୟବସ୍ଥା ୧୩ଟି ଗ୍ରାମ ପଞ୍ଚାୟତର ୮୦ରୁ ଅଧିକ ଗ୍ରାମକୁ ବ୍ୟାପିଯାଇଥିଲା । କୋଦାଳପାଲି ପରି ଗ୍ରାମଗୁଡ଼ିକରେ ଗୋଷ୍ଠୀଜଙ୍ଗଲ ସୁରକ୍ଷା ସମିତି ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଗୁଣ୍ଡୁରିବାଡି ଭଳି ଗ୍ରାମରେ ମହିଳା ନେତୃତ୍ୱାଧୀନ ସମିତି ପ୍ରାୟ ୫୦୦ ଏକର ଜଙ୍ଗଲ ଜମିକୁ ଜୀବନ୍ୟାସ ଦେଇଥିଲା ଏବଂ କାଠ ଚୋରା ଚାଲାଣକୁ ପ୍ରାୟ ନିୟନ୍ତ୍ରଣ କରିପାରିଥିଲା । କେତେକ ମହିଳା ୩୦ ବର୍ଷରୁ ଅଧିକ ସମୟ ଧରି ଜଙ୍ଗଲ ପହରା ଦେବାର ଅନୁଭବ ହାସଲ କରିଛନ୍ତି । ଆଜି ସେମାନଙ୍କ ଝିଅ ଓ ବୋହୂମାନେ ମଧ୍ୟ ସେହି ପରମ୍ପରାକୁ ଆଗେଇ ନେଇ ଜଙ୍ଗଲ ସୁରକ୍ଷାରେ ସାମିଲ ହୋଇଛନ୍ତି ।
ଯେଉଁ ରାତିରେ ମହିଳାମାନେ ଜଙ୍ଗଲକୁ ପୁଣିଥରେ ନିଜ ହାତକୁ ନେଇଥିଲେ:
ଏହି ଆନ୍ଦୋଳନର ସବୁଠାରୁ ନିର୍ଣ୍ଣାୟକ ମୁହୂର୍ତ୍ତ ଆସିଥିଲା ୧୯୯୯ ମସିହାରେ । ସେହି ସମୟରେ ବାହାର ଅଞ୍ଚଳର ପ୍ରାୟ ୨୦୦ ଜଣ ଲୋକ ୭୦ଟି ବଳଦ ଗାଡ଼ି ସହ ଡେଙ୍ଗାଝରି ଗ୍ରାମର ଜଙ୍ଗଲରୁ ବେଆଇନ ଭାବେ କାଠ କାଟିବା ପାଇଁ ଆସିଥିଲେ; କିନ୍ତୁ ଗ୍ରାମର ମହିଳାମାନେ ସେମାନଙ୍କ ଆଗରେ ଦୃଢ଼ ଭାବେ ଛିଡ଼ା ହୋଇଥିଲେ । ସେମାନେ ଜଙ୍ଗଲକୁ ପ୍ରବେଶ କରିବାର ସମସ୍ତ ରାସ୍ତା ଅବରୋଧ କରିବା ସହ ଅନୁପ୍ରବେଶକାରୀଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କଲେ । ବେଆଇନ ଭାବେ କଟାଯାଇଥିବା କାଠକୁ ସେମାନେ ଜବତ କରିବା ସହ ସେଥିରୁ ମିଳିଥିବା ଆୟକୁ ଗ୍ରାମ ପାଣ୍ଠିରେ ଜମା କରିଥିଲେ । ଏହି ଘଟଣାର ଆଉ ଏକ ସୁଦୂରପ୍ରସାରୀ ପରିଣାମ ମିଳିଥିଲା । ଏହା ପରେ ଗଠିତ ହୋଇଥିଲା ‘ମା ଘୋଡ଼ାଦେଈ ମହିଳା ସମିତି’, ଯାହା ଏକ ସମ୍ପୂର୍ଣ୍ଣ ମହିଳା ପରିଚାଳିତ ଜଙ୍ଗଲ ସୁରକ୍ଷା ସଂଗଠନ । ଏହି ସମିତି ପ୍ରଥମଥର ପାଇଁ ଗ୍ରାମର ପ୍ରଚଳିତ ପରିଚାଳନା ବ୍ୟବସ୍ଥାରେ ମହିଳାଙ୍କ ନେତୃତ୍ୱକୁ ଆନୁଷ୍ଠାନିକ ରୂପ ଦେଇଥିଲା ଏବଂ ଜଙ୍ଗଲ ପରିଚାଳନାରେ ମହିଳାଙ୍କ ଭୂମିକାକୁ ଏକ ନୂତନ ଶୀର୍ଷକୁ ନେଇଯାଇଥିଲା ।
ଆଜି ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ୬୦ଟି ଗ୍ରାମରେ ଜଙ୍ଗଲ ପହରା ଓ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ମହିଳାମାନେ ବହନ କରୁଛନ୍ତି ।
ମହାସଂଘ ଗଠନ – ମା ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦର ନେତୃତ୍ୱରେ ମହିଳାଗଣ:
୧୯୮୮ ମସିହାରେ ୮୦ଟି ଗ୍ରାମର ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ସମିତି ଏକତ୍ରିତ ହୋଇ ‘ମା ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ (ଏମଏମଜେଏସପି) ଗଠନ କରିଥିଲେ । ସ୍ଥାନୀୟ ଦେବୀ ମା’ ମଣିନାଗଙ୍କ ନାମରେ ଏହି ମହାସଂଘର ନାମକରଣ କରାଯାଇଥିଲା । କ୍ରମେ ଏହାର ପରିସର ବୃଦ୍ଧି ପାଇ ବର୍ତ୍ତମାନ ୨୧୭ଟି ଗ୍ରାମକୁ ସଦସ୍ୟ ଭାବେ ସାମିଲ କରିଛି । ୧୯୯୯ ମସିହାରେ ବ୍ଲକ ସ୍ତରରେ ଏକ କେନ୍ଦ୍ରୀୟ ମହିଳା ସମିତି (ସିଡବ୍ଲ୍ୟୁସି) ଗଠନ କରାଯାଇଥିଲା । ଗ୍ରାମସ୍ତରୀୟ ମହିଳା ନେତ୍ରୀମାନେ ପ୍ରତି ମାସର ୧୮ ତାରିଖରେ ଏକତ୍ରିତ ହୋଇ ବୈଠକ କରନ୍ତି ଏବଂ ଜଙ୍ଗଲ ସୁରକ୍ଷା, ପରିଚାଳନା ଓ ଗୋଷ୍ଠୀ ପ୍ରସଙ୍ଗ ଉପରେ ଆଲୋଚନା କରନ୍ତି ।
ବର୍ତ୍ତମାନ ଏହି ମହାସଂଘର ସଭାପତି ଭାବେ ପ୍ରତିମା ଜେନା ନେତୃତ୍ୱ ନେଉଛନ୍ତି । ଅନ୍ୟପକ୍ଷରେ, ନିଶାମଣି ପ୍ରଧାନଙ୍କ ନେତୃତ୍ୱରେ ଗଠିତ ୨୨ ସଦସ୍ୟ ବିଶିଷ୍ଟ ମହିଳା ସମିତି ୨୧୭ଟି ଗ୍ରାମରେ ପ୍ରତିନିଧିତ୍ୱ, ଅଣକାଠ ବନଜାତ ଉତ୍ପାଦ (ଏନଟିଏଫପି)ର ବିପଣନ, ଓ ପରିଚାଳନାଗତ ନେତୃତ୍ୱ ସମନ୍ୱୟର କାମ କରୁଛି । ମହିଳାମାନେ ଏଥିରେ କେବଳ ଗ୍ରାମ ସ୍ତରରେ ନୁହେଁ, ବରଂ ସମଗ୍ର ମହାସଂଘ ସ୍ତରର ନେତୃତ୍ୱ ଓ ନିଷ୍ପତ୍ତି ଗ୍ରହଣର କ୍ଷମତା ହାସଲ କରିଛନ୍ତି ।
ଶଶୀ ମାଉସୀ ଓ ଜଙ୍ଗଲ କୁଟୀର – ମହିଳାମାନେ ଜ୍ଞାନର ସଂରକ୍ଷକ:
ଯାହା କିଛି ଅଛି, କେବଳ ତାହାର ସୁରକ୍ଷା କରିବା ସଂରକ୍ଷଣ ନୁହେଁ । ବରଂ ସେହି ସଂରକ୍ଷଣ ସମ୍ପର୍କିତ ଜ୍ଞାନ ଓ ଅନୁଭବ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚିବାକୁ ସୁନିଶ୍ଚିତ କରିବା ମଧ୍ୟ ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ । ଏହି ଚିନ୍ତାଧାରାକୁ ଆଧାର କରି ୨୦୧୭ ମସିହାରେ ଡେଙ୍ଗାଝରି ଗ୍ରାମର ମହିଳାମାନେ ‘ଜଙ୍ଗଲ କୁଟୀର’ ସ୍ଥାପନ କରିଥିଲେ । କାର୍ଯ୍ୟ ଓ ରୋଜଗାର ଅନ୍ୱେଷଣରେ ସ୍ଥାନାନ୍ତରଣ ଏବଂ ଜୀବିକାରେ ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ସହିତ ସମ୍ପର୍କରୁ ବିଚ୍ଛିନ୍ନ ହେଉଥିଲେ ତରୁଣ ଯୁବପିଢ଼ି । ଏହି ସମସ୍ୟାଟିରୁ ହିଁ ‘ଜଙ୍ଗଲ କୁଟୀର’ ଭଳି ଏକ ଗୋଷ୍ଠୀ ଶିକ୍ଷାକେନ୍ଦ୍ରର ସୂତ୍ରପାତ ହୋଇଥିଲା ।
ଏକ ସାଧାରଣ ଛପର ଘରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ଆଜି ପ୍ରତିମାସରେ ଆୟୋଜିତ ହେଉଥିବା ଜଙ୍ଗଲ ଓ ପରିବେଶ ଶିକ୍ଷା ଏକ ପ୍ରମୁଖ ସ୍ଥାନ ପାଲଟିଛି । ଏହାର ମୁଖ୍ୟ ପୁରୋଧା ହେଉଛନ୍ତି ଶଶୀ ପ୍ରଧାନ, ଯିଏ ସମସ୍ତଙ୍କ ଗହଣରେ ‘ଶଶୀ ମାଉସୀ’ ନାମରେ ପରିଚିତ । ୮୦ ବର୍ଷ ବୟସର ଏହି ବୟୋଜ୍ୟେଷ୍ଠ ମହିଳା ଦଶନ୍ଧି ଧରି ଜଙ୍ଗଲ ସୁରକ୍ଷାର ନେତୃତ୍ୱ ନେଇଆସୁଛନ୍ତି । ଜଙ୍ଗଲ ସମ୍ବଳର ମାତ୍ରାଧିକ ଶୋଷଣ କିପରି ଜଙ୍ଗଲକୁ ସଙ୍କୁଚିତ କରିଦେଇଥିଲା ଓ ମହିଳାମାନଙ୍କର ସାମୂହିକ ପ୍ରୟାସ କିପରି ସେହି ଜଙ୍ଗଲକୁ ପୁନର୍ଜୀବିତ କରିଥିଲା – ତାହା ପ୍ରତ୍ୟେକ ଅଧିବେଶନରେ କାହାଣୀ, ଗୀତ ଏବଂ ହାସ୍ୟରସ ମାଧ୍ୟମରେ ଶିଶୁ ଓ ଯୁବପିଢ଼ିଙ୍କୁ କହିଥାନ୍ତି ଶଶୀ ମାଉସୀ ।
ଜଙ୍ଗଲ କୁଟୀର କେବଳ ଜଙ୍ଗଲ ଓ ପରିବେଶ ଶିକ୍ଷାର କେନ୍ଦ୍ର ନୁହେଁ; ଏହା ଆଇନଗତ ସଚେତନତାର ଏକ ମଞ୍ଚରେ ମଧ୍ୟ ପରିଣତ ହୋଇଛି । ଏଠାରେ ମହିଳାମାନେ ଶିଶୁ ଓ ଯୁବପିଢ଼ିଙ୍କୁ ଜଙ୍ଗଲ ଅଧିକାର ଆଇନ, ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଏବଂ ସଂରକ୍ଷଣ ସମ୍ପର୍କିତ ଦାୟିତ୍ୱ ବିଷୟରେ ଅବଗତ କରାନ୍ତି । ବୃହତ୍ତର ଗୋଷ୍ଠୀ ଆଲୋଚନାସଭାଗୁଡ଼ିକରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଜଙ୍ଗଲ ଅଧିକାର ଆଇନ ସମ୍ୱନ୍ଧୀୟ ଅଦାଲତଙ୍କ ରାୟଗୁଡ଼ିକୁ ସାମୂହିକ ଭାବରେ ଆଲୋଚନା ଓ ସମୀକ୍ଷା କରନ୍ତି । ଏହା ପ୍ରମାଣ କରେ ଯେ, ଗୋଷ୍ଠୀଗୁଡ଼ିକ ନିଜ ଅନୁଭବ ଓ ଆବଶ୍ୟକତା ଅନୁଯାୟୀ ଜଟିଳ ଆଇନଗତ ଢାଞ୍ଚାକୁ ବୁଝିବା ଏବଂ ସେଥିରେ ସକ୍ରିୟ ଭାଗ ନେବାର କ୍ଷମତା ରଖନ୍ତି । ଜଙ୍ଗଲ କୁଟୀର ମହିଳା-ନେତୃତ୍ୱାଧୀନ ସଂରକ୍ଷଣର ଏକ କ୍ଷୁଦ୍ର; କିନ୍ତୁ ସ୍ୱୟଂସମ୍ପୂର୍ଣ୍ଣ ଉଦାହରଣ । ଏଠାରେ ପରିବେଶଗତ ଜ୍ଞାନ, ସାଂସ୍କୃତିକ ସମୃଦ୍ଧି, ଆଇନଗତ ସାକ୍ଷରତା ଓ ପରିଚାଳନ ବ୍ୟବସ୍ଥା – ସବୁକିଛି ମହିଳାମାନଙ୍କ ଦ୍ୱାରା, ମହିଳାମାନଙ୍କ ନିର୍ମିତ ଏକ ସ୍ଥାନରେ, ପିଢ଼ିରୁ ପିଢ଼ିକୁ ସଂଚାରିତ ହେଉଛି ।
ସିଏଫ୍ଆର୍ ସ୍ୱୀକୃତି – ମହିଳାମାନଙ୍କର ଶ୍ରମକୁ ଶେଷରେ ଆଇନଗତ ମାନ୍ୟତା:
ଜଙ୍ଗଲ ଅଧିକାର ଆଇନ, ୨୦୦୬ ଔପଚାରିକ ଭାବରେ ସେହି କାର୍ଯ୍ୟକୁ ସ୍ୱୀକୃତି ଦେଇଥିଲା, ଯାହା ନୟାଗଡ଼ର ମହିଳାମାନେ ବହୁ ଦଶନ୍ଧି ଧରି କରିଆସୁଥିଲେ । ୨୦୧୦ ମସିହାରେ ଡିମିରିବାଡ଼ି ଓ ବ୍ରାହ୍ମଣକୁହ୍ମେଇ ଓଡ଼ିଶାର ପ୍ରଥମ ଗ୍ରାମ ଭାବେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପତ୍ର ହାସଲ କରିଥିଲେ । ୨୦୨୫ ସୁଦ୍ଧା ରଣପୁର ବ୍ଲକରେ ୩୬ଟି ସିଏଫ୍ଆର୍ ଅଧିକାର ପତ୍ର ପ୍ରଦାନ କରାଯାଇଛି, ଯାହା ମୋଟ ୪,୪୪୫.୬୦୫ ହେକ୍ଟର ଜଙ୍ଗଲଜମିରେ ରହିଛି । ଯେଉଁ ମହିଳାମାନଙ୍କର ଅବିରତ ପହରା, ସଚେତନତା ଏବଂ କାଠ ଚୋରା ଚାଲାଣକାରୀଙ୍କ ସହ ସାହସିକ ମୁକାବିଲା ଏହି ଜଙ୍ଗଲଗୁଡ଼ିକୁ ସୁରକ୍ଷିତ କରିଥିଲା, ସେମାନଙ୍କ ପାଇଁ ଏହି ଅଧିକାର ପତ୍ର କେବଳ ଏକ ଉପହାର ନଥିଲା । ବରଂ ଏହା ସେହି ଶ୍ରମ, ତ୍ୟାଗ ଓ ନିଷ୍ଠାର ବହୁ ପ୍ରତୀକ୍ଷିତ ସ୍ୱୀକୃତି ଥିଲା, ଯାହାକୁ ବର୍ଷ ବର୍ଷ ଧରି କେହି ଆଡ଼ ଆଖିରେ ଚାହୁଁ ନଥିଲେ ।
କଳାହାଣ୍ଡି ଗ୍ରାମସଭା ମହାସଂଘ – ଏପରି ଏକ ମହାସଂଘର ଗଠନ, ଯେଉଁଠି ନେତୃତ୍ୱ ନିଅନ୍ତି ମହିଳା
ଉତ୍ପତ୍ତି ଓ ଅଭିବୃଦ୍ଧି
କଳାହାଣ୍ଡି ଗ୍ରାମସଭା ମହାସଂଘ ୨୦୧୮ ମସିହାରେ ଗଠିତ ହୋଇଥିଲା । ଏହା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼, ମଦନପୁର ରାମପୁର ଏବଂ ଗୋଲାମୁଣ୍ଡା ବ୍ଲକର ୩୮ଟି ଗ୍ରାମସଭାକୁ ଏକତ୍ର କରିଥିଲା । ଓଡ଼ିଶାର ସବୁଠାରୁ ବଞ୍ଚିତ ଓ ପଛୁଆ ଜିଲ୍ଲାଗୁଡ଼ିକ ମଧ୍ୟରୁ କଳାହାଣ୍ଡି ଏକ ପ୍ରମୁଖ ଜିଲ୍ଲା ହୋଇଥିବାରୁ ଏହି ମହାସଂଘର ଗଠନ ଗୋଷ୍ଠୀ ପରିଚାଳନା ଓ ଜଙ୍ଗଲ ଅଧିକାର ଆନ୍ଦୋଳନ ପାଇଁ ଏକ ଐତିହାସିକ ପଦକ୍ଷେପ ଥିଲା । ୨୦୨୫ ସୁଦ୍ଧା ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇ ୭ଟି ବ୍ଲକର ୧୨୦ରୁ ଅଧିକ ଗ୍ରାମସଭା ପର୍ଯ୍ୟନ୍ତ ପହଞ୍ଚିଛି । ବର୍ତ୍ତମାନ ଏହି ମହାସଂଘ ୪୦,୦୦୦ ଏକରରୁ ଅଧିକ ଜଙ୍ଗଲଜମି ଉପରେ ଗୋଷ୍ଠୀ ପରିଚାଳନାକୁ ସୁଦୃଢ଼ କରିବା ସହିତ ଜିଲ୍ଲା ସ୍ତରରେ ଏକ ସଂଗଠିତ ମଞ୍ଚ ଗଢ଼ି ତୋଳିଛି । ଏହି ମଞ୍ଚ ମାଧ୍ୟମରେ ଗ୍ରାମସଭାଗୁଡ଼ିକ ସାମୂହିକ ଭାବରେ ଅଣକାଠ ବନଜାତ ଉତ୍ପାଦ (ଏନଟିଏଫ୍ସି) ସଂଗ୍ରହ ଓ ପରିଚାଳନା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର (ସିଏଫଆରଆର) ପାଇଁ ପ୍ରତିନିଧିତ୍ୱ ଓ ଦାବି, ଏବଂ ଗୋଷ୍ଠୀ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଭଳି କାର୍ଯ୍ୟଗୁଡ଼ିକୁ ସମନ୍ୱିତ ଭାବରେ ଆଗେଇ ନେଉଛନ୍ତି ।
ମହିଳା ନେତୃତ୍ୱ – ଜଙ୍ଗଲ ସଂରକ୍ଷଣର ମୂଳଦୂଆ:
ଅନେକ ଜଙ୍ଗଲ ପରିଚାଳନା ବ୍ୟବସ୍ଥାରେ ମହିଳାମାନଙ୍କର ଅନ୍ତର୍ଭୁକ୍ତିକୁ ପରବର୍ତ୍ତୀ ସମୟରେ ସାମିଲ କରାଯାଇଥାଏ ମାତ୍ର ମଧ୍ୟ କଳାହାଣ୍ଡି ଗ୍ରାମସଭା ମହାସଂଘ ଆରମ୍ଭରୁ ହିଁ ମହିଳା ନେତୃତ୍ୱକୁ ନିଜର ଏକ ମୂଳଭିତ୍ତିକ ନୀତି ଭାବେ ଗ୍ରହଣ କରିଥିଲା । ମହାସଂଘ ଗଠନର ପ୍ରଥମ ଦିନରୁ ହିଁ ସମସ୍ତ ପରିଚାଳନା ଢାଞ୍ଚାରେ ଅନ୍ୟୁନ ୫୦ ପ୍ରତିଶତ ମହିଳା ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ଏହା ପ୍ରତିବଦ୍ଧ ଥିଲା । ଏହା କେବଳ କାଗଜକଲମରେ ଲେଖା ଏକ ଲକ୍ଷ୍ୟ ନଥିଲା, ବରଂ ଏହା ଏକ ଦୃଢ଼ ସଂସ୍ଥାଗତ ବିଶ୍ୱାସ ଥିଲା । ମହିଳାଙ୍କ ନେତୃତ୍ୱ ବିନା ଜଙ୍ଗଲ ପରିଚାଳନା ବ୍ୟବସ୍ଥା କେବେ ବି ସମ୍ପୂର୍ଣ୍ଣ ହୋଇପାରିବ ନାହିଁ , ତାହା ସେମାନେ ପ୍ରମାଣିତ କରିଛନ୍ତି ।
କଳାହାଣ୍ଡି ଗ୍ରାମସଭା ମହାସଂଘ ଏକ ଗୋଷ୍ଠୀ ସଂରକ୍ଷଣ ଅଭିଯାନ ଅଟେ, କାରଣ ଏହା:
- ଗଣତାନ୍ତ୍ରିକ ଭିତ୍ତି ଉପରେ ପ୍ରତିଷ୍ଠିତ: ସମସ୍ତ ନିଷ୍ପତ୍ତି ଗ୍ରାମସଭାରୁ ନିଆଯାଏ । ମହାସଂଘ ଗୋଷ୍ଠୀ ଅଧିକାରକୁ ପରିବର୍ତ୍ତନ କରେ ନାହିଁ; ବରଂ ତାହାକୁ ଅଧିକ ସଶକ୍ତ ଏବଂ ପ୍ରଭାବଶାଳୀ କରିଥାଏ ।
- ଢାଞ୍ଚାଗତ ଭାବରେ ମହିଳା-କୈନ୍ଦ୍ରିକ: ସମସ୍ତ ପ୍ରତିନିଧିତ୍ୱରେ ଅନ୍ୟୁନ ୫୦ ପ୍ରତିଶତ ମହିଳାଙ୍କ ଅଂଶଗ୍ରହଣ ବାଧ୍ୟତାମୂଳକ । ତାହା ସହିତ ଆଗାମୀ ପିଢ଼ିର ମହିଳା ନେତୃତ୍ୱ ଗଢ଼ିବା ପାଇଁ ଏକ ସଂଗଠିତ ପରାମର୍ଶ ଓ ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି ।
- ପରିବେଶ ସଂରକ୍ଷଣ ଉଦ୍ଦେଶ୍ୟ ରଖି କାର୍ଯ୍ୟ: ଗୋଷ୍ଠୀ ଜଙ୍ଗଲ ସମ୍ବଳ (ସିଏଫଆର) ପରିଚାଳନା ଯୋଜନା ପ୍ରସ୍ତୁତି, ଜଙ୍ଗଲ ସୁରକ୍ଷା, ଜଙ୍ଗଲରେ ଅଗ୍ନି ନିର୍ବାପନ ଏବଂ ଜଙ୍ଗଲକୁ ଜୀବନ୍ୟାସ ଦେବାର ଏହାର ପ୍ରମୁଖ କାର୍ଯ୍ୟକ୍ଷେତ୍ର ।
- ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହନ: ଅଣକାଠ ବନଜାତ ଉତ୍ପାଦ (ଏନଟିଏଫପି)ର ସାମୂହିକ ବ୍ୟବସାୟ ମାଧ୍ୟମରେ ଆୟକୁ ସିଧାସଳଖ ଭାବରେ ମହିଳା-ନେତୃତ୍ୱାଧୀନ ପରିବାରମାନଙ୍କ ପାଖରେ ପହଞ୍ଚାଇଥାଏ । ଏହା ଦଲାଲ ଏବଂ ଶୋଷଣକାରୀ ମଧ୍ୟସ୍ଥମାନଙ୍କ ପ୍ରଭାବକୁ ଚ୍ୟାଲେଞ୍ଜ କରି ଗ୍ରାମୀଣ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ୱନକୁ ସୁଦୃଢ଼ କରେ ।
କଳାହାଣ୍ଡି ଗ୍ରାମସଭା ମହାସଂଘର ସ୍ୱପ୍ନ: ଭବିଷ୍ୟତରେ ସବୁରି ମୂଳେ ମହିଳା ନେତୃତ୍ୱ
୨୦୨୫ ମସିହାର ପ୍ରାରମ୍ଭରେ କଳାହାଣ୍ଡି ଗ୍ରାମସଭା ମହାସଂଘ ଏକ ବ୍ୟାପକ ଓ ଗଭୀର ଦୃଷ୍ଟିକୋଣ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି ପ୍ରକ୍ରିୟାରେ ବିଭିନ୍ନ ବ୍ଲକ ସ୍ତରରେ ପରାମର୍ଶ ବୈଠକ, ଏବଂ ୨୦୦ରୁ ଅଧିକ ବ୍ୟକ୍ତିଙ୍କ ସହ ସାକ୍ଷାତକାର ସାମିଲ ଥିଲା । ଏହାର ଫଳସ୍ୱରୂପ ‘ଭିଜନ ଡକ୍ୟୁମେଣ୍ଟ ୨୦୨୫–୨୦୩୫’ ପ୍ରସ୍ତୁତ ହୋଇଥିଲା ।
“ଏକ ଏପରି ଭବିଷ୍ୟତ, ଯେଉଁଠାରେ କଳାହାଣ୍ଡିର ସଶକ୍ତ ଗ୍ରାମସଭାଗୁଡ଼ିକ ଜଙ୍ଗଲ ଓ ଗୋଷ୍ଠୀ ସମ୍ପଦର ଗଣତାନ୍ତ୍ରିକ ପରିଚାଳନାର ନେତୃତ୍ୱ ନେବେ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ସମ୍ପ୍ରଦାୟମାନଙ୍କ ପାଇଁ ପରିବେଶଗତ ସ୍ଥାୟିତ୍ୱ, ସମ୍ମାନଜନକ ଜୀବିକା ଓ ସମାବେଶୀ ସ୍ଥାନୀୟ ପରିଚାଳନା ବ୍ୟବସ୍ଥାକୁ ସୁନିଶ୍ଚିତ କରିବେ ।” – କଳାହାଣ୍ଡି ଗ୍ରାମସଭା ମହାସଂଘର ଭିଜନ୍ ୨୦୩୫
ଆଗାମୀ ଦଶନ୍ଧି ପାଇଁ ପାଞ୍ଚଟି କୌଶଳଗତ ପ୍ରାଥମିକତା, ଯାହାର ପ୍ରତି କଥାରେ ମହିଳା ନେତୃତ୍ୱ ସାମିଲ ରହିଛି:
- ଗୋଷ୍ଠୀ ଜଙ୍ଗଲ ସଂରକ୍ଷଣ: ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରାପ୍ତ କରିଥିବା ସମସ୍ତ ଯୋଗ୍ୟ ଗ୍ରାମସଭାକୁ ପର୍ଯ୍ୟାୟକ୍ରମେ ମହାସଂଘରେ ସାମିଲ କରାଯିବ । ସେଥିସହିତ ଗୋଷ୍ଠୀ ଜଙ୍ଗଲ ସମ୍ପଦ ପରିଚାଳନା ଯୋଜନା, ଜୈବ ବିବିଧତା ସଂରକ୍ଷଣ ଏବଂ ଆର୍ôଥକ ପରିଚାଳନା କ୍ଷେତ୍ରରେ କ୍ଷମତା ବିକାଶକୁ ପ୍ରାଧାନ୍ୟ ଦିଆଯିବ ।
- ପରିବେଶଗତ ପୁନରୁଦ୍ଧାର: ଜଙ୍ଗଲ ପରିଚାଳନାକୁ ଅଧିକ ସୁଦୃଢ଼ କରିବା, ଜଳାଶୟ ଓ ଚାରଣଭୂମିକୁ ଜଙ୍ଗଲ ପରିଚାଳନା ସହିତ ଏକୀକୃତ କରିବା ଏବଂ ମହିଳାମାନଙ୍କ ପାଖରେ ସଂରକ୍ଷିତ ଥିବା ପାରମ୍ପରିକ ପରିବେଶଗତ ଜ୍ଞାନକୁ ପୁନର୍ଜୀବିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ହେବ ।
- ଦୀର୍ଘସ୍ଥାୟୀ ଜୀବିକାର ବିକାଶ: ଅଣକାଠ ବନଜାତ ଦ୍ରବ୍ୟର ସାମୂହିକ ସଂଗ୍ରହ, ମୂଲ୍ୟଯୁକ୍ତ ପଦକ୍ଷେପ, ଏବଂ ସ୍ୱଚ୍ଛ ସାମୂହିକ ଦର ନିର୍ଦ୍ଧାରଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଏହା ମାଧ୍ୟମରେ ବିଶେଷ ଭାବରେ ବନଜାତ ଦ୍ରବ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣରେ ନିୟୋଜିତ ମହିଳାମାନେ ସିଧାସଳଖ ଲାଭାନ୍ୱିତ ହେବେ ।
- ସ୍ଥାନୀୟ ଗଣତନ୍ତ୍ର: ମହିଳା-ନେତୃତ୍ୱାଧୀନ ଗ୍ରାମସଭାମାନଙ୍କୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ଓ କଲ୍ୟାଣମୂଳକ ବିଷୟରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଅବଦାନ ରଖିବାକୁ ଉତ୍ସାହିତ କରାଯିବ ।
- ମହିଳା ଓ ଯୁବ ନେତୃତ୍ୱ: ମହିଳାମାନଙ୍କୁ ମହାସଂଘର ଉଚ୍ଚସ୍ତରୀୟ ନେତୃତ୍ୱ ଭୂମିକାକୁ ଆଗେଇନେବା ଏବଂ ଆଗାମୀ ପିଢ଼ିର ମହିଳା ନେତୃତ୍ୱାଧୀନ ପରିଚାଳନା ବ୍ୟବସ୍ଥା ଗଢ଼ିବା ପାଇଁ ଏକ ସଂଗଠିତ ପରାମର୍ଶ ଓ ନେତୃତ୍ୱ ବିକାଶ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।
ମହିଳା ନେତୃତ୍ୱାଧୀନ ସଂରକ୍ଷଣ ଆମକୁ କ’ଣ ଶିଖାଏ
କଳାହାଣ୍ଡି ଗ୍ରାମସଭା ମହାସଂଘ ଏବଂ ନୟାଗଡ଼ର ମହିଳା ନେତୃତ୍ୱାଧୀନ ଜଙ୍ଗଲ ସଂରକ୍ଷଣ ଆନ୍ଦୋଳନର କାହାଣୀ ଆମକୁ ପାଞ୍ଚଟି ଦୀର୍ଘସ୍ଥାୟୀ ଶିକ୍ଷା ଦେଇଥାଏ ଯାହା ଦର୍ଶାଉଛି- ଯେତେବେଳେ ମହିଳାମାନେ ସଂରକ୍ଷଣର କେନ୍ଦ୍ରରେ ରହନ୍ତି, ସେତେବେଳେ ଗୋଷ୍ଠୀ ସଂରକ୍ଷଣ କିପରି ଦିଶେ ।
୧. ମହିଳାମାନେ ଜଙ୍ଗଲକୁ ସୁରକ୍ଷା ଦିଅନ୍ତି, କାରଣ ସେମାନଙ୍କର ଜୀବନ ଏହା ଉପରେ ନିର୍ଭରଶୀଳ ଏବଂ ଏହି ନିର୍ଭରଶୀଳତା ଦୁର୍ବଳତା ନୁହେଁ, ଏକ ଶକ୍ତି । ମହିଳାମାନଙ୍କର ଜଙ୍ଗଲ ସହିତ ଦୈନନ୍ଦିନ ଏବଂ ଅନ୍ତରଙ୍ଗ ସମ୍ପର୍କ ସେମାନଙ୍କୁ ଏପରି ପରିବେଶଗତ ଜ୍ଞାନ ଓ ସଂରକ୍ଷଣ ପ୍ରେରଣା ଦେଇଥାଏ, କୌଣସି ବାହ୍ୟ କାର୍ଯ୍ୟକ୍ରମ ଯାହାର କେବେ ବି ସ୍ଥାନ ନେଇପାରିବ ନାହିଁ । ଠେଙ୍ଗାପାଳି କୌଣସି ସରକାରୀ ନୀତିର ଫଳ ନୁହେଁ; ଏହା ଜୀବନର ଆବଶ୍ୟକତା ଏବଂ ଅସ୍ତିତ୍ୱ ରକ୍ଷାର ପ୍ରବୃତ୍ତିରୁ ଜନ୍ମ ନେଇଥିଲା । ଏହି ଭିତ୍ତି ଉପରେ ଗଢ଼ା ସଂରକ୍ଷଣ ଦୀର୍ଘସ୍ଥାୟୀ ଓ ସ୍ଥିର ହୋଇଥାଏ ।
୨. ମହିଳାମାନଙ୍କ ଦ୍ୱାରା ସଂରକ୍ଷଣ ଆଇନଗତ ସ୍ୱୀକୃତିର ବହୁ ପୂର୍ବରୁ ରହିଥିଲା । କୋଦାଳପାଲିରେ ସମ୍ପୂର୍ଣ୍ଣ ମହିଳା ନେତୃତ୍ୱାଧୀନ ଠେଙ୍ଗାପାଳି ବ୍ୟବସ୍ଥା ସିଏଫଆର୍ ଅଧିକାର ପତ୍ର ମିଳିବାର ପ୍ରାୟ ଚାରି ଦଶନ୍ଧି ପୂର୍ବରୁ କାର୍ଯ୍ୟକାରୀ ରହିଥିଲା । ଜଙ୍ଗଲ ଅଧିକାର ସ୍ୱୀକୃତି ମିଳିବାର ପୂର୍ବରୁ ମଧ୍ୟ ଡେଙ୍ଗାଝରିର ଜଙ୍ଗଲ କୁଟୀର ବହୁ ବର୍ଷ ଧରି ପରିବେଶଗତ ଜ୍ଞାନ ପ୍ରସାର କରୁଥିଲା । ଜଙ୍ଗଲ ଅଧିକାର ଆଇନ ଏହି ମହିଳା ନିର୍ମିତ ସଙ୍ଗଠନଗୁଡ଼ିକୁ ଆଇନଗତ ସ୍ୱୀକୃତି ଦେଇଥିଲା; କିନ୍ତୁ ମହିଳାମାନେ ତାହା ବିନା ମଧ୍ୟ ସେଗୁଡ଼ିକୁ ଗଢ଼ିଥିଲେ ଏବଂ ଚଳାଇଥିଲେ ।
୩. ମହାସଂଘଗୁଡ଼ିକ ତୃଣମୂଳ ସ୍ତରରେ ମହିଳାମାନଙ୍କର ଶକ୍ତିକୁ ସୁଦୃଢ଼ କରିଥାଏ । ଏମଏମଜେଏସପିର କେନ୍ଦ୍ରୀୟ ମହିଳା ସମିତି, ଯାହା ୧୦୦ରୁ ଅଧିକ ଗ୍ରାମକୁ ଯୋଡୁଛି ଏବଂ ପ୍ରତିମାସରେ ବୈଠକ କରୁଛି । ଏହା ପ୍ରମାଣ କରୁଛି ଯେ ମୂଳ ସ୍ୱରୂପକୁ ଦୁର୍ବଳ ନକରି ମହିଳାମାନଙ୍କର ସଂରକ୍ଷଣ ନେତୃତ୍ୱକୁ ସଂଘବଦ୍ଧ କରାଯାଇପାରେ । ସେହିପରି କେଜିଏସଏମ୍ର ୫୦ ପ୍ରତିଶତ ମହିଳା ପ୍ରତିନିଧିତ୍ୱର ପ୍ରତିବଦ୍ଧତା ଜିଲ୍ଲା ସ୍ତରରେ ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ।
୪. ମହିଳାମାନେ କେବଳ ବର୍ତ୍ତମାନ ଜଙ୍ଗଲକୁ ସୁରକ୍ଷା କରୁନାହାନ୍ତି; ତା ସହିତ ସେମାନେ ଆଗାମୀ ସଂରକ୍ଷକମାନଙ୍କୁ ମଧ୍ୟ ଗଢ଼ୁଛନ୍ତି । ଡେଙ୍ଗାଝରିର ଜଙ୍ଗଲ କୁଟୀର, ଜଣେ ୮୦ ବର୍ଷୀୟା ମହିଳା, ଗୋଟିଏ ଛପର ଘର ଏବଂ ଗଛର ନାମ ଶିଖୁଥିବା ଶିଶୁମାନେ – ଏମାନେ ସଂରକ୍ଷଣର ସବୁଠୁ ମୌଳିକ ରୂପକୁ ପ୍ରତିନିଧିତ୍ୱ କରନ୍ତି । ଯେଉଁ ସଂରକ୍ଷଣ ପରବର୍ତ୍ତୀ ପିଢ଼ି ପାଖକୁ ପହଞ୍ଚି ନଥାଏ, ତାହା ବର୍ତ୍ତମାନ ପିଢ଼ି ସହିତ ଶେଷ ହୋଇଯାଏ । ନୟାଗଡ଼ ଓ କଳାହାଣ୍ଡିର ମହିଳାମାନେ ସେହି ଅବସ୍ଥା ହେବାକୁ ଦେଉନାହାନ୍ତି ।
ଉପସଂହାର:
ରଣପୁରର ଠେଙ୍ଗାପାଳିର ମହିଳା, ଡେଙ୍ଗାଝରିର ଜଙ୍ଗଲ କୁଟୀରର ପରିଣତ ବୟସ୍କ ମହିଳା, ରଣପୁରର ଶତାଧିକ ଗ୍ରାମରେ ବନ ସୁରକ୍ଷାର ନେତୃତ୍ୱ ନେଉଥିବା ମହିଳା ଏବଂ କଳାହାଣ୍ଡି ଗ୍ରାମସଭା ମହାସଂଘ ପ୍ରତିଷ୍ଠାକାଳୀନ ୫୦ ପ୍ରତିଶତ ମହିଳା ପ୍ରତିନିଧିତ୍ୱର ପ୍ରତିବଦ୍ଧତା – ଏସବୁ କୌଣସି ବ୍ୟତିକ୍ରମୀ କାହାଣୀ ନୁହେଁ । ବରଂ ଗୋଷ୍ଠୀ ସଶକ୍ତ ହେଲେ ଏବଂ ମହିଳାମାନେ କେନ୍ଦ୍ରରେ ରହିଲେ, ଜଙ୍ଗଲ ସଂରକ୍ଷଣ ପ୍ରକୃତରେ କିପରି କାର୍ଯ୍ୟ କରେ, ତାହାର ଏହା ଏକ ସ୍ୱାଭାବିକ ଚିତ୍ର ।
ଏହି ନମୂନାକୁ ବ୍ୟାପକ ଭାବେ ପ୍ରସାର କରିବା ପାଇଁ ଆବଶ୍ୟକ ଉପାଦାନଗୁଡ଼ିକ ସ୍ପଷ୍ଟ, ସେଗୁଡ଼ିକ ହେଲା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରର ଆଇନଗତ ସ୍ୱୀକୃତି, ଗ୍ରାମସଭା ପରିଚାଳନା ବ୍ୟବସ୍ଥା ପାଇଁ ସଂସ୍ଥାଗତ ସମର୍ଥନ, ମହିଳା ନେତୃତ୍ୱ ବିକାଶ ପାଇଁ ଦୀର୍ଘମିଆଦୀ ନିବେଶ ଏବଂ ସରକାରୀ ଯୋଜନାଗୁଡ଼ିକୁ ଗୋଷ୍ଠୀ ଜଙ୍ଗଲ ପରିଚାଳନା ଯୋଜନା ସହିତ ସମନ୍ୱିତ କରିବା । ବାକି ଯାହା ରହିଲା, ତାହା ହେଉଛି ସେହି ପ୍ରମାଣକୁ ସ୍ୱୀକାର କରିବାର ରାଜନୈତିକ ଇଚ୍ଛାଶକ୍ତି ଯାହା ଆଗରୁ ଉପସ୍ଥିତ ଅଛି । ସେହି ଦୀର୍ଘଦିନର ଅବହେଳିତ ସତ୍ୟକୁ ମାନିନେବାକୁ ହେବ ଯେ, ଭାରତର ଜଙ୍ଗଲରେ ସବୁଠାରୁ ପ୍ରଭାବଶାଳୀ ସଂରକ୍ଷକ ସର୍ବଦା ସେହି ମହିଳାମାନେ ହିଁ ଥିଲେ, ଯେଉଁମାନେ ନିଜର ପାଦ ଓ ପହରାକୁ କେବେ ଅଟକିବାକୁ ଦେଇନଥିଲେ ।
ଏହି ନମୁନା ଗୁଡିକର ପୁନରାବୃତ୍ତି ପାଇଁ ନୂତନ ଯୋଜନାର ଆବଶ୍ୟକତା ନାହିଁ; ବରଂ ପୂର୍ବରୁ ଥିବା ଗୋଷ୍ଠୀ ସଂଗଠନଗୁଡ଼ିକୁ ସ୍ୱୀକୃତି ଦେବା ଓ ସୁଦୃଢ଼ କରିବା ଆବଶ୍ୟକ, ଯାହାର କେନ୍ଦ୍ରରେ ମହିଳା ନେତୃତ୍ୱ ରହିବ । ଉପଯୁକ୍ତ ନୀତିଗତ ସମର୍ଥନ ମିଳିଲେ, ଏପରି ସ୍ଥାନୀୟ ଭିତ୍ତିରେ ଗଢ଼ା ବ୍ୟବସ୍ଥାଗୁଡ଼ିକ ବିକେନ୍ଦ୍ରୀକୃତ, ଗଣତାନ୍ତ୍ରିକ ଏବଂ ପ୍ରଭାବଶାଳୀ ଜଙ୍ଗଲ ପରିଚାଳନା ପାଇଁ ଏକ ବ୍ୟାପକ ଓ ସ୍ଥାୟୀ ପଥ ପ୍ରଦର୍ଶନ କରିପାରିବ ।








