ମାର୍ଚ୍ଚ ୩୧ ତାରିଖକୁ ବିଶ୍ୱ ଜଙ୍ଗଲ ଦିବସ ଭାବରେ ପାଳନ କରାଯାଏ । ଏଥିପାଇଁ ଚଳିତ ବର୍ଷର ପ୍ରସଙ୍ଗ ଥିଲା “ଜଙ୍ଗଲ ଓ ଅର୍ଥନୀତି” । ଏହି ପ୍ରସଙ୍ଗଟିର ଗୁରୁତ୍ୱ ଖୁବ୍ ବେଶୀ । ବିଭିନ୍ନ ପ୍ରକାର ଭିତ୍ତିଭୂମି ବିକାଶ ପାଇଁ, ସହର ଓ ଶିଳ୍ପ ପାଇଁ ଅନେକ ସମୟରେ ଜଙ୍ଗଲ ଜମିକୁ ବ୍ୟବହାର କରିବାକୁ ପଡେ । ଏହାଦ୍ୱାରା ଜଙ୍ଗଲର ଆୟତନ କମେ ଏବଂ ବାକି ରହୁଥିବା ଜଙ୍ଗଲର ଗୁଣାତ୍ମକ ମାନ ମଧ୍ୟ ପ୍ରଭାବିତ ହୁଏ । ଏହାର ଅର୍ଥ ହେଉଛି ଅର୍ଥନୈତିକ ଉନ୍ନତି ପାଇଁ କିଛି ପରିମାଣର ଜଙ୍ଗଲକୁ ବଳି ଦେବାକୁ ପଡେ । ଜଙ୍ଗଲ ହରାଇବା ଦ୍ୱାରା କେତେ କ୍ଷତି ହୁଏ ଓ ଜଙ୍ଗଲ ଜମିକୁ ଅନ୍ୟ ବ୍ୟବହାର ପାଇଁ ଉପଯୋଗ କଲେ କେତେ ଲାଭ ମିଳେ ଏହାର ସଠିକ୍ ଅଟକଳ ହୋଇନଥାଏ । ଯେଉଁମାନେ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଚାହାନ୍ତି, ସେମାନେ ଜଙ୍ଗଲକୁ ବେଶୀ ମୂଲ୍ୟ ବା ଗୁରୁତ୍ୱ ଦିଅନ୍ତି ନାହିଁ । ଜଙ୍ଗଲ ଗୁଡିକ ଗାଁ ଗହଳ ଲୋକଙ୍କର ଜୀବିକା ଅର୍ଜନର ଏକ ପରିପୂରକ ମାଧ୍ୟମ ହୋଇପାରେ, ଏବଂ ପରିବେଶ ଓ ଜୈବ ବିବିଧତା ପାଇଁ ଜଙ୍ଗଲର ଆବଶ୍ୟକତା ଖୁବ୍ ବେଶୀ, ଏସବୁ ବିଷୟ ସେମାନେ ଭୁଲି ଯାଆନ୍ତି । ପ୍ରକୃତରେ ଅର୍ଥନୈତିକ ବିକାଶ ପାଇଁ ଜଙ୍ଗଲକୁ ଏକ ସଂପଦ ଭାବରେ ବିବେଚନା କରାଯାଇପାରିବ । ଏହା ବ୍ୟତୀତ ପରିବେଶ, ଜଳଉତ୍ସ ଏବଂ ଜୈବ ବିବିଧତାର ବେପରୁଆ କ୍ଷତି କରି ଚାଲିଲେ ଅର୍ଥନୈତିକ ବିକାଶ ସୁସ୍ଥାୟୀ ହୋଇପାରିବ ନାହିଁ ଏହା ସମସ୍ତେ ହୃଦୟଙ୍ଗମ କରିବା ଜରୁରୀ ।
୧୯୮୦ ମସିହାରେ ଜଙ୍ଗଲ ସଂରକ୍ଷଣ ଆଇନ୍ (କେନ୍ଦ୍ରୀୟ) ପ୍ରଣୟନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଜଙ୍ଗଲ ଜମିକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରିବା ପାଇଁ ହସ୍ତାନ୍ତର କରିବା ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇବା । କଦାପି କୋଣସି ଜଙ୍ଗଲ ଜମି ଯେ ଅନ୍ୟ କାର୍ଯ୍ୟରେ ବ୍ୟବହାର ହୋଇପାରିବ ନାହିଁ ତାହା ନୁହେଁ, କିନ୍ତୁ ଏହା କରିବା ପୂର୍ବରୁ ବିଭିନ୍ନ ସ୍ତରରେ ବିଷଦ ଯାଞ୍ଚର ବ୍ୟବସ୍ଥା ଥିଲା । ଏହି ଆଇନ୍ର ପ୍ରଭାବରେ ସାରା ଦେଶରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ବ୍ୟବହାର କରିବା ପ୍ରକ୍ରିୟାଟି ମନ୍ଥର ହୋଇଯାଇଥିଲା ଏବଂ ଜଙ୍ଗଲର ପରିବର୍ଦ୍ଧନ ଘଟୁଥିଲା । ଏହାମଧ୍ୟରେ ଏହି ଆଇନ୍କୁ କୋହଳ କରିଦିଆଯାଇଛି । ଫଳତଃ ଜଙ୍ଗଲ ଜମିକୁ ଅନ୍ୟ କାର୍ଯ୍ୟ ପାଇଁ ଶୀଘ୍ର ହସ୍ତାନ୍ତର ହୋଇପାରୁଛି ଏବଂ ଜଙ୍ଗଲର ସମୁଦାୟ ଆୟତନ ଅଧିକ ବେଗରେ ହ୍ରାସ ପାଇବାରେ ଲାଗିଛି । ଜାତୀୟ ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟ ଯାହା ତଥ୍ୟ ଦେଉନା କାହିଁକି, ରାଜ୍ୟ ସରକାରମାନେ ଯାହା ବୟାନ ଦିଅନ୍ତୁନା କାହିଁକି, ଆମ ଦେଶରେ ପ୍ରାକୃତିକ ଜଙ୍ଗଲର ଆୟତନ ହ୍ରାସ ପାଇବା ପ୍ରାୟ ନିଶ୍ଚିତ । ଜଙ୍ଗଲ ଜମି ଅଧିଗ୍ରହଣ ବେଳେ ବ୍ୟବହାରକାରୀ ସଂସ୍ଥାମାନଙ୍କ ଠାରୁ ମିଳୁଥିବା ପାଣ୍ଠିର ବ୍ୟବହାରକୁ ନେଇ ଅନେକ ଆଲୋଚନା ହୋଇଛି । କାମ୍ପା ପାଣ୍ଠି କେତେଦୂର ଜଙ୍ଗଲ ସଂପଦ ବୃଦ୍ଧିରେ ସାହାଯ୍ୟ କରିବ ତାହା ଅନିଶ୍ଚିତ ଓ ବିବାଦମାନ । ଏହାଛଡା କାମ୍ପା ପାଣ୍ଠିର ଅସଦ୍ ବ୍ୟବହାର ସଂପର୍କରେ ମଧ୍ୟ ଅନେକ ସମୟରେ ଅଭିଯୋଗ ମିଳେ । ଚାରାରୋପଣ ବା ବନୀକରଣ ଦ୍ୱାରା ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରିବା ଅସମ୍ଭବ ନହେଲେ ମଧ୍ୟ ସହଜସାଧ୍ୟ ନୁହେଁ । ମୂଳ ବିଷୟଟି ହେଉଛି ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଓ ପରିବର୍ଦ୍ଧନ ପାଇଁ ଆବଶ୍ୟକ ପ୍ରତ୍ୟେକ ସ୍ତରରେ ସରକାର ଓ ସାଧାରଣ ଜନତାଙ୍କ ପ୍ରତିବଦ୍ଧତା ।
୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯିବା ପଛରେ ଏକ ମହତ୍ ଉଦ୍ଦେଶ୍ୟ ଥିଲା । ୧୯୮୦ର ଜଙ୍ଗଲ ସୁରକ୍ଷା ଆଇନ୍ର କଡାକଡି ପାଳନ କରାଗଲେ ଜଙ୍ଗଲ ଜମିରେ ପୁରଷାନୁକ୍ରମିକ ଭାବରେ ବସବାସ କରି ଆସୁଥିବା ବହୁ ସଂଖ୍ୟାର ଆଦିବାସୀ ଓ ଅନ୍ୟ ପାରମ୍ପରିକ ଅଧିବାସୀମାନେ ବାସଚ୍ୟୁତ ହେବାର ଓ ଜୀବିକା ହରାଇବା ନିଶ୍ଚିତ ଥିଲା । ଏତେ ସଂଖ୍ୟାର ଲୋକଙ୍କୁ ବାସଚ୍ୟୁତ କରିବା ଘୋର ଅନ୍ୟାୟ ଓ ଅମାନବିକ ହୋଇଥାନ୍ତା । ତେଣୁ ବାସଗୃହ ଓ ଚାଷ ପାଇଁ ବ୍ୟବହାର କରୁଥିବା ଜମି ଜଙ୍ଗଲ କିସମର ହୋଇଥିଲେ ମଧ୍ୟ ଦଖଲ କରୁଥିବା ଲୋକଙ୍କୁ ମାଲିକାନା ଦେବା ଥିଲା ଜଙ୍ଗଲ ସୁରକ୍ଷା ଆଇନ୍ର ମୁଖ୍ୟ ଉଦ୍ଦେଶ୍ୟ । ବ୍ୟକ୍ତିଗତ ମାଲିକାନା ସହ ଜଙ୍ଗଲ ସମ୍ପଦର ଗୋଷ୍ଠୀଗତ ଅଧିକାର ପାଇଁ ଆଇନ୍ରେ ବ୍ୟବସ୍ଥା କରାଯାଇଛି । ବିଶେଷ ଦୁର୍ବଳ ଆଦିବାସୀ ସଂପ୍ରଦାୟ (ପି.ଭି.ଟି.ଜି) ଗୁଡିକ ପାଇଁ ଆଞ୍ଚଳିକ (ହାବିଟାଟ୍) ଅଧିକାର ବିଷୟ ମଧ୍ୟ ଆଇନ୍ରେ ଉଲ୍ଲେଖ ଅଛି ।
ଆଇନ୍ ଅନୁସାରେ ଯୋଗ୍ୟ ବିବେଚିତ ହେଉଥିବା କେତେ ପରିବାରକୁ ଜଙ୍ଗଲ ଜମି ଅଧିକାର ଓ କେତେ ଗାଁକୁ ଗୋଷ୍ଠୀ ଜଙ୍ଗଲ ଅଧିକାର ଦିଆଯାଇଛି ସେ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ପାରିବ । ଏ ପ୍ରବନ୍ଧରେ ପରିସଂଖ୍ୟାନକୁ ଗୁରୁତ୍ୱ ଦିଆଯାଇ ନାହିଁ । ମୂଳରୁ ହିଁ ଓଡିଶାରେ ସଂଖ୍ୟା ଦୃଷ୍ଟିରୁ ଅଧିକ ଲୋକଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ମିଳିଥିବା ଦାବୀ କରାଯାଇଛି । ଗୋଷ୍ଠୀ ଜଙ୍ଗଲ ଅଧିକାର ଦେବାରେ ସେତିକି ସଫଳତା ଦାବି କରାଯାଇନାହିଁ । ଆଇନ୍ ଓ ନିୟମ ପ୍ରଣୟନ ହେବା ପରେ ଅଧିକାର ଦେବାର ପ୍ରକ୍ରିୟା, ସେଥିରେ ଥିବା ପ୍ରତିବନ୍ଧକ ଓ ଫଳାଫଳ ଉପରେ ଏକାଧିକ ଗବେଷଣାମୂଳକ ସନ୍ଦର୍ଭ ପ୍ରକାଶିତ ହୋଇଛି । ଆଇନ୍କୁ ଓଡିଶାରେ କିପରି କାର୍ଯ୍ୟକାରୀ କରାଯାଇଛି ତାହାର ଗୁଣାତ୍ମକ ଦିଗଟି ଉପରେ କିଛି ମନ୍ତବ୍ୟ ଦେବା ଏହି ନିବନ୍ଧର ଉଦ୍ଦେଶ୍ୟ ।
ଜଙ୍ଗଲ ଜମିରେ ବାସ କରୁଥିବା ବହୁ ସଂଖ୍ୟାର ଆଦିବାସୀ ଓ ପାରମ୍ପରିକ ଭାବରେ ବାସ କରୁଥିବା ଅଣଆଦିବାସୀ ମାନଙ୍କୁ ବ୍ୟକ୍ତିଗତ ମାଲିକାନା ଦିଆଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ସେଗୁଡିକର ଚିହ୍ନଟରେ ସମସ୍ୟା ଥିବା ଜଣାପଡେ । ରାଜସ୍ୱ ରେକର୍ଡରେ ଏହି ଅଧିକାର ଦାଖିଲ ହେବାର ବ୍ୟବସ୍ଥା ଥିଲେ ମଧ୍ୟ କାର୍ଯ୍ୟକାରୀ ହେବାରେ ସମସ୍ୟା ଥିବା ମଧ୍ୟ ଜଣାପଡେ । କେଉଁ ପରିବାର କେତେ ଜମି ଉପରେ ଅଧିକାର ପାଇବେ ସେ ସଂପର୍କରେ ଆଇନ୍ରେ ବ୍ୟବସ୍ଥା ରହିଛି । ଏହାସତ୍ୱେ ଏଥିରେ ଅନେକ ତ୍ରୁଟି ରହିଥିବା ଜଣାପଡେ ।
ଜଙ୍ଗଲ ଉପରେ ଗୋଷ୍ଠୀ ଅଧିକାର ଦେବା ଓଡିଶା ପରି ରାଜ୍ୟରେ ଏକ ଅପେକ୍ଷାକୃତ ସରଳ ଓ ସହଜ ବ୍ୟାପାର ହେବା କଥା । ଏହାର କାରଣ ହେଉଛି ଜଙ୍ଗଲ ଅଧିକାର ଆଇନ୍ ପ୍ରଣୟନର ବହୁ ପୂର୍ବରୁ ଅନେକ ବର୍ଷ ଧରି, ବିଭିନ୍ନ ଜିଲ୍ଲାର ଜଙ୍ଗଲ ସମୀପ ଗାଁ ଲୋକେ ନିକଟସ୍ଥ ଜଙ୍ଗଲକୁ ସୁରକ୍ଷା ଦେବାର ପ୍ରକ୍ରିୟା ଏକ ପରମ୍ପରାରେ ପରିଣତ ହୋଇସାରିଥିଲା । ଓଡିଶାରେ ଗୋଷ୍ଠୀ ଜଙ୍ଗଲ ପରିଚାଳନାରେ ଏପରି ଉଦାହରଣ ମାନ ମଧ୍ୟ ରହିଛି ଯେଉଁଠି କେବଳ ମହିଳାମାନେ ସଂଘବଦ୍ଧ ଭାବରେ ନିକଟବର୍ତ୍ତୀ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି । ଏହା କହିବା ବାହୁଲ୍ୟ ଯେ ମହିଳାମାନେ ହିଁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ୧୯୮୮ର ଜଙ୍ଗଲ ନୀତି ପ୍ରଣୟନ ପରେ ଯୁଗ୍ମ ଜଙ୍ଗଲ ପରିଚାଳନାର ଯେଉଁ ନୂତନ ଧାରାଟି ଆରମ୍ଭ ହେଲା ସେଥିରେ ମଧ୍ୟ ଓଡିଶାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏ ଲେଖକର ମତରେ ଅନ୍ତତଃ କୋଡିଏ ହଜାର ଗୋଷ୍ଠୀ ଜଙ୍ଗଲ ସୁରକ୍ଷା କମିଟି ଓ ଯୁଗ୍ମ ଜଙ୍ଗଲ ପରିଚାଳନା କମିଟି ସପକ୍ଷରେ ଆଇନାନୁମୋଦିତ ଗୋଷ୍ଠୀ ଜଙ୍ଗଲ ଅଧିକାର ଦିଆଯାଇ ପାରନ୍ତା । ଜଙ୍ଗଲ ସୁରକ୍ଷା ଦିଗରେ ବାସ୍ତବରେ ଯେଉଁ ପ୍ରୟୋଗ ଆରମ୍ଭ ହୋଇଥିଲା ଏବେ ସେହି ପ୍ରୟୋଗ ଗୁଡିକ ଜଙ୍ଗଲ ଅଧିକାର ଆଇନ୍ ଅନୁସାରେ ଅଧିକ ସଶକ୍ତ ହୋଇପାରନ୍ତେ ।ଯୁଗ୍ମ ଜଙ୍ଗଲ ପରିଚାଳନାରେ ଉଲ୍ଲେଖନୀୟ ସଫଳତା ମିଳିଥିଲେ ମଧ୍ୟ ଜଙ୍ଗଲ ଅଧିକାର ଆଇନ୍ ପ୍ରବର୍ତ୍ତନ ପରେ ଯୁଗ୍ମ ଜଙ୍ଗଲ ପରିଚାଳନା ନୀତିରେ ପରିବର୍ତ୍ତନର ଆବଶ୍ୟକତା ଅଛି । ଜଙ୍ଗଲ ଅଧିକାର ଆଇନ୍ରେ ଗ୍ରାମସଭାକୁ ଖୁବ୍ ବେଶୀ ଗୁରୁତ୍ୱ ଦିଆଯାଇଛି । ଏହି କାରଣରୁ, ପରିବର୍ତ୍ତିତ ପରିସ୍ଥିତିରେ ସ୍ଥାନୀୟ ଜଙ୍ଗଲ ପରିଚାଳନା କମିଟିରେ ଜଙ୍ଗଲ ବିଭାଗର କୌଣସି କର୍ମଚାରୀ ସଂପାଦକ ରହିବାର ଆବଶ୍ୟକତା ନାହିଁ । ଏହାର ଅର୍ଥ ନୁହେଁ ଯେ ଜଙ୍ଗଲ ବିଭାଗର କୌଣସି ଭୂମିକା ରହିବ ନାହିଁ । ଏହି ବିଭାଗ ନିକଟରେ ଥିବା ବୈଷୟିକ ଜ୍ଞାନକୌଶଳକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିତରଣ କରିବା ଦାୟିତ୍ୱ ଜଙ୍ଗଲ ବିଭାଗର । ସ୍ଥାନୀୟ ଜନଗୋଷ୍ଠୀଟି ଯଦି ଜଙ୍ଗଲ ସୁରକ୍ଷାରେ କୌଣସି ଖିଲାପ କରନ୍ତି ତାଙ୍କୁ ତାଗିଦ୍ କରିବା ଦାୟିତ୍ୱ ମଧ୍ୟ ରହିବ ଜଙ୍ଗଲ ବିଭାଗ ନିକଟରେ । ସେ ଯାହା ହେଉନା କାହିଁକି ବର୍ତ୍ତମାନ ଯୁଗ୍ମ ପରିଚାଳନା ନାମ ବଦଳରେ ଗୋଷ୍ଠୀ ଜଙ୍ଗଲ ପରିଚାଳନା ନାମ ଅଧିକ ଯୁକ୍ତିସଂଗତ ହେବ ବୋଲି ଏ ଲେଖକର ମତ ।
ତଥ୍ୟଭିତ୍ତିକ ଗବେଷଣାରୁ ଜଣାପଡେ ଯେ ୨୦୦୮ ଜାନୁଆରୀ ଠାରୁ ଓଡିଶାରେ ଜଙ୍ଗଲ ଅଧିକାର ଆଇନ୍କୁ କାର୍ଯ୍ୟକାରୀ କରାଗଲା । ଏଥିରେ ସଂପୃକ୍ତ ଥିଲେ ଆଦିବାସୀ ଉନ୍ନୟନ, ରାଜସ୍ୱ, ଜଙ୍ଗଲ ଓ ପଂଚାୟତିରାଜ ବିଭାଗ । ଏହି ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ସ୍ଥାପନ କରାଯାଇଥିଲା । ଆଇନ୍ର କାର୍ଯ୍ୟକାରୀତାକୁ ଆଗେଇ ନେବାର ମୁଖ୍ୟ ଦାୟିତ୍ୱ ଥିଲା ଆଦିବାସୀ ବିଭାଗର । ଆଇନ୍ କାର୍ଯ୍ୟକାରୀ କରିବାରେ ଅଧିକ ସଂଖ୍ୟା ପ୍ରଦର୍ଶନ ପାଇଁ ଆବଶ୍ୟକ ପ୍ରସ୍ତୁତିର ଅଭାବ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିଥିଲା, ଯେଉଁସବୁ ସମସ୍ୟାର ଯଥୋଚିତ ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଆଇନ୍ ସଂପର୍କରେ ଯେତିକି ସଚେତନତା ସୃଷ୍ଟି କରିବା ଆବଶ୍ୟକ ଥିଲା ତାହା ହୋଇ ନଥିବାରୁ ଯେଉଁମାନେ ଏଥିରୁ ଉପକାର ପାଇଥାନ୍ତେ ସେମାନଙ୍କ ମଧ୍ୟରୁ ଅନେକ ସେଥିରୁ ବଂଚିତ ହୋଇଥିଲେ । ଗ୍ରାମସଭା ଓ ପଲ୍ଲୀ ସଭା ବୈଠକଗୁଡିକୁ ତରବରିଆ ଭାବରେ ଡକାଯାଇଥିଲା । ଅଳ୍ପ ସମୟ ମଧ୍ୟରେ ସାରା ରାଜ୍ୟରେ ଗ୍ରାମ ସଭା ଓ ପଲ୍ଲୀସଭା ବୈଠକ କରିବା ଦ୍ୱାରା ବିଷୟଟିକୁ ଯେପରି ସମୟ ଓ ଗୁରୁତ୍ୱ ଦେବା କଥା ତାହା ନହୋଇ ପାରିବା ସ୍ୱାଭାବିକ । ଇ.ପି.ଡବ୍ଲ୍ୟ ପତ୍ରିକାରେ ୨୦୧୩ ସେପ୍ଟେମ୍ବର ୭ରେ ପ୍ରକାଶିତ ଗବେଷଣାମୂଳକ ପ୍ରବନ୍ଧରୁ ଜଣାପଡେ ଯେ ବିଭିନ୍ନ ବିଭାଗର କ୍ଷମତାପ୍ରାପ୍ତ ସ୍ଥାନୀୟ ଅଧିକାରୀମାନେ ପ୍ରକ୍ରିୟାଟିକୁ ଯେତିକି ସକ୍ରିୟ ଭାବରେ ଅନୁପାଳନ କରିବା କଥା ତାହା କରିନଥିଲେ । ମାମୁଲି କାରଣରୁ ଅନେକ ଦାବୀକୁ ନାକଚ କରାଯାଇଥିଲା । ଗ୍ରାମସଭା ଗଠନ କରି ତା’ର ବୈଠକ ଡାକିବା, ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପାଇଁ କାଗଜପତ୍ର ପ୍ରସ୍ତୁତ କରିବା ଇତ୍ୟାଦି ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଏକ ବିଶେଷ ଭୂମିକା ଥିବା କଥା ବିଷୟ ଉପରୋକ୍ତ ପ୍ରବନ୍ଧରୁ ଜାଣିବାକୁ ମିଳେ । ପ୍ରକୃତରେ ଏହି ଅନୁଷ୍ଠାନଗୁଡିକର ସକ୍ରିୟ ଯୋଗଦାନ ନଥିଲେ ଜଙ୍ଗଲ ଅଧିକାର ଆଇନ୍ କାର୍ଯ୍ୟକାରୀ କରିବା ଆହୁରି ଶିଥିଳ ହୋଇଥାନ୍ତା ।
ଉଭୟ ଜଙ୍ଗଲ ଓ ରାଜସ୍ୱ ବିଭାଗର ଆଇନ୍ର କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧତାର ଅଭାବ ଥିବା ଲକ୍ଷ୍ୟ କରାଯାଏ । ଏଥିପାଇଁ ଆବଶ୍ୟକ ଅର୍ଥର ମଧ୍ୟ ଅଭାବ ଥିବା ଜଣାପଡେ । ପ୍ରଥମରୁ ହିଁ ଏହି ଜଙ୍ଗଲ ଅଧିକାର ଆଇନ୍କୁ ଜଙ୍ଗଲ ବିଭାଗର ଅଧିକାରୀମାନେ ସହଜ ଭାବରେ ଗ୍ରହଣ କରିପାରି ନଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କ ମତରେ ଜଙ୍ଗଲ ଅଧିକାର ଆଇନ୍ ଦ୍ୱାରା ଜଙ୍ଗଲ, ବନ୍ୟପ୍ରାଣୀ ଓ ପରିବେଶର କ୍ଷତିସାଧନ ହେବା ସୁନିଶ୍ଚିତ । ଜଙ୍ଗଲ ସଂପଦର ସୁରକ୍ଷା ଓ ମାନବିକ ଅଧିକାର ପରସ୍ପର ବିରୋଧୀ ବା ପରସ୍ପରର ପରିପୂରକ ଏହାକୁ ନେଇ ଚାଲିଥିବା ବିତର୍କ ବହୁ ଦିନର । ସାଧାରଣ ଲୋକ ଓ ଜଙ୍ଗଲ ବିଭାଗ ମଧ୍ୟରେ ପାରସ୍ପରିକ ସନ୍ଦେହ ସବୁବେଳେ ରହିଥାଏ ଏହାକୁ ଅସ୍ୱୀକାର କରିହେବ ନାହିଁ । ଉଭୟ ପରିବେଶ ଓ ମଣିଷଙ୍କୁ ଭଲପାଉଥିବା ଅନେକ ପରିବେଶ ବିଶେଷଜ୍ଞ ଦୁଇଟି ଲକ୍ଷ୍ୟ ପରସ୍ପର ବିରୋଧୀ ହେବାର କୌଣସି କାରଣ ନାହିଁ ବୋଲି ଯୁକ୍ତି କରନ୍ତି । ଜଙ୍ଗଲ ବା ଜଙ୍ଗଲ ସମୀପ ଅଂଚଳରେ ରହୁଥିବା ଅଧିବାସୀମାନେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାରେ ବିଶେଷ ଭୂମିକା ଗ୍ରହଣ କରନ୍ତି ବୋଲି ସେମାନଙ୍କର ମତ । କିନ୍ତୁ ଜଙ୍ଗଲ ବିଭାଗର ମୁଖ୍ୟ ସ୍ରୋତ ଯେ ଏଥିରେ ବିଶ୍ୱାସ କରେ ନାହିଁ, ଏହା କହିବା ବାହୁଲ୍ୟ ମାତ୍ର । ଜଙ୍ଗଲ ସଂପଦର ଅବକ୍ଷୟ ପାଇଁ ସ୍ଥାନୀୟ ଅଧିବାସୀ ଯେ ମୂଳତଃ ଦାୟୀ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ । ଅନେକ ଚିନ୍ତାଶୀଳ ମାନବ ଅଧିକାର ସଚେତନ ପରିବେଶ ବିଜ୍ଞାନୀଙ୍କ ମତରେ ଜଙ୍ଗଲ ଓ ବନ୍ୟଜୀବ ସଂରକ୍ଷଣ ପାଇଁ ଜଙ୍ଗଲ ବିଭାଗର ପ୍ରତିବଦ୍ଧତାକୁ ପ୍ରଶ୍ନ କରାଯାଇ ପାରିବ । ବାସ୍ତବରେ ଅନେକ ଜଙ୍ଗଲ ବିଭାଗ କର୍ମଚାରୀ ଅଛନ୍ତି ଯେଉଁମାନେ ସ୍ୱଭାବରେ ସ୍ଥାନୀୟ ଲୋକଙ୍କୁ ବିଶ୍ୱାସକୁ ନିଅନ୍ତି ଓ ଜଙ୍ଗଲ ସୁରକ୍ଷାରେ ସେମାନଙ୍କ ଭୂମିକାକୁ ସ୍ୱୀକୃତି ଦେବାକୁ ଚାହାନ୍ତି । ସେମାନଙ୍କ ସଂଖ୍ୟା ବିଭାଗର ସବୁ ସ୍ତରରେ ବୃଦ୍ଧି ପାଇଲେ ପାରସ୍ପରିକ ସନ୍ଦେହ ବଦଳରେ ବିଶ୍ୱାସ ସୃଷ୍ଟି ହୁଅନ୍ତା । ଏ ଲେଖକର ମତରେ କୋଣସି ପରିସ୍ଥିତିରେ ଜଙ୍ଗଲର ଅବକ୍ଷୟକୁ ଉତ୍ସାହିତ କରିବା ଅନୁଚିତ । କିନ୍ତୁ ଜଙ୍ଗଲ ସଂପଦର ସୁରକ୍ଷା ଓ ସଂରକ୍ଷଣ ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ଓ ସକ୍ରିୟ ଭୂମିକା ବିନା ସମ୍ଭବ ନୁହେଁ ।
ଅନ୍ୟ ପକ୍ଷରେ ଜଙ୍ଗଲ ଜମିର ମାଲିକାନା ଦେବା ଯେ ଭୂମିହୀନଙ୍କ ମଧ୍ୟରେ ଜମି ଆବଣ୍ଟନ କରିବା ଆଇନ୍ ବା ଯୋଜନା ନୁହେଁ, ଏ ବିଷୟରେ ସମସ୍ତ ସଂପୃକ୍ତ ପକ୍ଷଙ୍କ ମଧ୍ୟରେ ଏକ ସ୍ପଷ୍ଟ ବୁଝାମଣା ରହିବା ଦରକାର । କେବଳ ସେହିମାନଙ୍କୁ ଅଧିକାର ମିଳିବା କଥା ଯେଉଁମାନେ ଆଇନ୍ ଅନୁସାରେ ମାଲିକାନା ପାଇବା ପାଇଁ ଯୋଗ୍ୟ । ଏଥିରେ ବ୍ୟତିକ୍ରମ ପରିବେଶ ସୁରକ୍ଷାର ପରିପନ୍ଥୀ ହେବ । ଜଳବାୟୁ ପରିବର୍ତ୍ତର୍ନ ପରିପ୍ରେକ୍ଷୀରେ ଜଙ୍ଗଲ ସଂରକ୍ଷଣ ଓ ସମ୍ବର୍ଦ୍ଧନକୁ ପ୍ରାଥମିକତା ଦେବାକୁ ପଡିବ । ଅର୍ଥନୈତିକ ବିକାଶକୁ ପରିବେଶଠାରୁ ଅଧିକ ପ୍ରାଥମିକତା ଦେବାର ସମୟ ଅତିକ୍ରାନ୍ତ ହୋଇଯାଇଛି । ଏବେ ପରିବେଶର ସୁରକ୍ଷା ପାଇଁ ହୁଏତ ତଥାକଥିତ ‘ବିକାଶ’ର ଯୋଜନାକୁ ସୀମିତ କରିବାକୁ ପଡିବ ବା ପରିବେଶର କୌଣସି କ୍ଷତି କରୁନଥିବା ବିକାଶର ଯୋଜନା ପ୍ରସ୍ତୁତ କରିବାକୁ ପଡିବ । ଏ ସଂପର୍କରେ ବିଭିନ୍ନ ସରକାରୀ ବିଭାଗ, ନାଗରିକ ଅନୁଷ୍ଠାନ ଓ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଜନଗୋଷ୍ଠୀମାନଙ୍କ ମଧ୍ୟରେ ଏକ ସ୍ପଷ୍ଟ ବୁଝାମଣାର ଆବଶ୍ୟକତା ରହିଛି ।
ଜଙ୍ଗଲ ଅଧିକାର ଆଇନ୍ର ଆଦିବାସୀଙ୍କର ଜୀବିକା ଉପରେ ଏକ ସକାରାତ୍ମକ ପ୍ରଭାବ ରହିବାର ଏକାଧିକ କାରଣ ଅଛି । ପ୍ରଥମଟି ହେଉଛି ଅଧିକୃତ ଜମିର ମାଲିକାନା ମିଳିଲେ, ଏ ବିଷୟରେ ଅନିଶ୍ଚିତତା ରହିବ ନାହିଁ ଏବଂ ଅଧିବାସୀମାନେ ଅଧିକ ପରିଶ୍ରମ କରି ଜମିର ଉନ୍ନତି କରିବେ । ଦ୍ୱିତୀୟରେ ମାଲିକାନା ନଥିଲେ କୌଣସି କାରଣରୁ ଯଦି ସେମାନଙ୍କୁ ବିସ୍ଥାପିତ ହେବାକୁ ପଡେ ସେଥିପାଇଁ ସେମାନେ କ୍ଷତିପୂରଣ ବା ପୁନର୍ବାସ ଦାବୀ କରି ପାରିବେ ନାହିଁ । ନିଜସ୍ୱ ଜମି ଥିଲେ ଏସବୁ ଅଧିକାର ସେମାନେ ପାଇବେ । ଏହାଛଡା ଜଙ୍ଗଲ ଓ ଜଙ୍ଗଲ ଜମିର ବ୍ୟବହାରରେ ପରିବର୍ତ୍ତନ ପାଇଁ ଗ୍ରାମ ସଭାର ଅନୁମୋଦନ ଆବଶ୍ୟକ ହେବ । ଏସବୁ ପ୍ରକ୍ରିୟା ସ୍ଥାନୀୟ ଗଣତନ୍ତ୍ରକୁ ଦୃଢତର କରିବ । ତୃତୀୟରେ ଜଙ୍ଗଲରୁ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ଓ ତା’ର ପ୍ରକ୍ରିୟାକରଣ ସେମାନଙ୍କ ଜୀବିକା ଅର୍ଜନର ଏକ ଅତିରିକ୍ତ ମାଧ୍ୟମ ହୋଇପାରିବ । ଲଘୁ ବନଜାତର ସଂଗ୍ରହ ଓ ବିକ୍ରି ଉପରେ ପୂର୍ବରୁ ଥିବା ସରକାରୀ ନିୟନ୍ତ୍ରଣକୁ ଉଠାଇ ଦିଆଯାଇଛି ସତ, କିନ୍ତୁ ଏସବୁର ସଂଗ୍ରହ ଓ ବ୍ୟବସାୟରୁ ବିଭିନ୍ନ ଅଂଚଳର ଲୋକେ କେତେ ଲାଭବାନ ହେଉଛନ୍ତି ତା’ର ଏକ ହିସାବ ମଧ୍ୟ ରହିବା ଦରକାର । ଏସବୁ ପାଇଁ ସରକାରଙ୍କ ସହଯୋଗ ଆବଶ୍ୟକ । ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗରେ ଆଗ୍ରୋ ଫରେଷ୍ଟ୍ରି ପରି ପ୍ରକଳ୍ପ ଜଙ୍ଗଲ ଅଧିକାର ଦିଆଯାଇଥିବା ଅଂଚଳରେ କାର୍ଯ୍ୟକାରୀ କରିବା ସହଜ ହେବ ଯଦି ଏଥିପାଇଁ ସରକାରୀ ପ୍ରୋତ୍ସାହନ ମିଳିବ ।






