ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେବା ଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶୀଳ ଗୋଷ୍ଠୀ ସେମାନଙ୍କର ପ୍ରାକୃତିକ ସମ୍ପଦଗୁଡ଼ିକୁ ପରିଚାଳନା ଏବଂ ସ୍ଥାୟୀ ଭାବରେ ବ୍ୟବହାର କରିବା ପାଇଁ ନୂତନ ସୁଯୋଗ ପାଇପାରିଛନ୍ତି । ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ଗ୍ରାମସଭା ଦ୍ୱାରା ଗଠନ ହୋଇଥିବା “ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି” କୁ ଗୋଷ୍ଠୀ ଜଙ୍ଗଲ ସମ୍ବଳର ସୁରକ୍ଷା, ସଂରକ୍ଷଣ, ପୁନଃଜନନ ପରିଚାଳନା କରିବା ପାଇଁ ସକ୍ଷମ କରୁଛି । ଏହି ଅନୁଷ୍ଠାନଗୁଡ଼ିକ ଗୋଷ୍ଠୀ-ଭିତ୍ତିକ ପରିବେଶ ପର୍ଯ୍ୟଟନ ସହିତ ଘଞୠଚ ବିକ୍ରୟ ଭଳି ଜୀବିକା ଗୁଡିକର ବିକାଶ କାର୍ଯ୍ୟରେ ମଧ୍ୟ ସକ୍ରିୟ ହୋଇଛନ୍ତି ।
ଉଦାହରଣ ଭାବରେ ମୟୂରଭଞ୍ଜ ଜିଲ୍ଲା, ଯଶିପୁର ବ୍ଲକ ର କୁଣ୍ଡାଗଡ ଗ୍ରାମସଭାର ଉଦାହରଣ ନିଆଯାଇପାରିବ, ଯେଉଁଠାରେ “ହଦହଦୀ ବିକାଶ କମିଟି” ଓ “ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟୀ” (CFRMC) ର ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣରେ କୁଣ୍ଡାଗଡ଼ ଗ୍ରାମର “ହଦହଦି” ଜଳପ୍ରପାତ ଚାରିପାଖର ପର୍ଯ୍ୟଟନ ବିକାଶ ଏବଂ ପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି । ଯଦିଓ ଗୋଷ୍ଠୀ ବନ ସମ୍ବଳର ବ୍ୟବହାର ଓ ଯୋଜନା ପ୍ରସ୍ତୁତି CFRMCର ଦାୟିତ୍ୱ ଅଟେ କିନ୍ତୁ ଉକ୍ତ ପର୍ଯଟନ ସ୍ଥଳୀର ସୁପରିଚାଳନା ପାଇଁ ଗତ ୨୦୨୪ ମସିହାରେ ସ୍ୱତନ୍ତ୍ର ଭାବେ ଗ୍ରାମସଭା ଦ୍ୱାରା “ହଦହଦି ବିକାଶ କମିଟି” ଗଠନ ହୋଇଛି । ଏହି କମିଟିରେ ଗ୍ରାମର ୧୨ ଜଣ ସଦସ୍ୟ ପ୍ରତିନିଧିତ୍ୱ କରନ୍ତି ଓ ସେଥିରେ ଲିଙ୍ଗଗତ ସମାନତାକୁ ଅଗ୍ରାଧିକାର ଦିଆଯାଇଅଛି ଏବଂ ମୋଟ ସଦସ୍ୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା ଅଟନ୍ତି । ଯାହା ନିଶ୍ଚିତ କରିଛି ଯେ ମହିଳାମାନେ ଇକୋ-ଟୁରିଜିମ୍ କାର୍ଯ୍ୟକଳାପର ନିଷ୍ପତ୍ତି ଗ୍ରହଣ ଏବଂ ପରିଚାଳନାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।
ପୃଷ୍ଠଭୂମି
ହଦହଦି ଜଳପ୍ରପାତ ହେଉଛି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ବ୍ଲକର କୁଣ୍ଡାଗଡ଼ ଗ୍ରାମର ଗୋଷ୍ଠୀ ବନ ସମ୍ବଳ ପରିସର ଅଞ୍ଚଳରେ ଅବସ୍ଥିତ । ଏହା କୁଣ୍ଡାଗଡ ଗ୍ରାମ ଠାରୁ ପ୍ରାୟ ଅଧ କିଲୋମିଟର ଦୂର ଜଙ୍ଗଲ ଏବଂ ପାହାଡ଼ ଘେରି ରହିଥିବା ଏକ ମନୋରମ ପ୍ରାକୃତିକ ସ୍ଥାନ । ପୂର୍ବରୁ ଜଳପ୍ରପାତ ଅଞ୍ଚଳ କୌଣସି ଉପଯୁକ୍ତ ନିୟମ କିମ୍ବା ପରିଚାଳନା ବ୍ୟବସ୍ଥା ବିନା ପରିଦର୍ଶକଙ୍କ ପାଇଁ ଖୋଲା ଥିଲା । ପର୍ଯ୍ୟଟକମାନେ ଏହି ସ୍ଥାନକୁ ବାରମ୍ବାର ପରିଦର୍ଶନ କରୁଥିଲେ, ବିଶେଷକରି ସପ୍ତାହର ଶେଷ ଦିବସ ଗୁଡିକରେ ଏବଂ ଶୀତ ଋତୁରେ । କିନ୍ତୁ ଉପଯୁକ୍ତ ପରିଚାଳନାର ଅଭାବ ଯୋଗୁଁ, ଏହି ସ୍ଥାନଟି ପ୍ରାୟତଃ ଅପରିଷ୍କାର, ଅବ୍ୟବସ୍ଥିତ ପର୍ଯ୍ୟଟକଙ୍କ ଗତିବିଧି ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲା । ନିୟମିତ ପର୍ଯ୍ୟଟକ ପରିଦର୍ଶନ ସତ୍ତ୍ୱେ, ସ୍ଥାନୀୟ ଲୋକଙ୍କର ଏହି ସ୍ଥାନରୁ ଆର୍ଥିକ ଭାବରେ ଲାଭବାନ ହୋଇ ପାରୁନଥିଲେ । ଜଙ୍ଗଲ ଅଧିକାର ଆଇନ ୨୦୦୬ ର ସଚେତନତା ଓ ଗୋଷ୍ଠୀ ବନ ସମ୍ବଳର ସ୍ୱୀକୃତି ପାଇଁ ବିଭିନ୍ନ ସ୍ତରରେ ବାରମ୍ବାର କାର୍ଯ୍ୟ ପନ୍ଥା ଗ୍ରହଣ ଯୋଗୁଁ ଗ୍ରାମସଭା ସ୍ତରରେ ଗୋଷ୍ଠୀ ବନସମ୍ବଳର ପରିଚାଳନା ପାଇଁ ଚିନ୍ତା କରିବାର ସୁଯୋଗ ଆସିଥିଲା ଓ ପର୍ଯ୍ୟଟନ ଓ ଜୀବିକାର ବିକାଶ କଥା ମଧ୍ୟ ସ୍ଥାନ ପାଇଥିଲା ।
ସାମୂହିକ ପଦକ୍ଷେପ
ଗୋଷ୍ଠୀ ଜଙ୍ଗଲ ସମ୍ପଦ ପରିଚାଳନା କମିଟି (CFRMC) ର ସଦସ୍ୟମାନଙ୍କ ଦ୍ୱାରା ଅନେକ ଥର ଗ୍ରାମ ବୈଠକ ଏବଂ ଆଲୋଚନା ପରେ ଜଳପ୍ରପାତ ଚାରିପାଖରେ ପର୍ଯ୍ୟଟନ କାର୍ଯ୍ୟକଳାପ ପରିଚାଳନା ପାଇଁ ହଦହଦି ବିକାଶ କମିଟି ଗଠନ କରାଯାଇଥିଲା । କମିଟିରେ ସ୍ଥାନୀୟ ଯୁବକ, ବୟସ୍କ ଏବଂ ଅନ୍ୟାନ୍ୟ ସମୁଦାୟ ସଦସ୍ୟମାନେ ସାମିଲ ଅଛନ୍ତି ଯେଉଁମାନେ ସାମୂହିକ ଭାବରେ ସ୍ଥାନର ବିକାଶ ଏବଂ ପରିଚାଳନା ପାଇଁ ଦାୟିତ୍ୱ ନେଇଛନ୍ତି ।
ହଦହଦି ଡେଭଲପମେଣ୍ଟ କମିଟିର ସଭାପତି ଶ୍ରୀଯୁକ୍ତ ତୁରାମ ବାର୍ଜଙ୍କ କହିବା ଅନୁଯାୟୀ, କମିଟି ଦ୍ୱାରା ସ୍ଥାନୀୟ ଜଳପ୍ରପାତକୁ ଏକ ପରିବେଶ ପର୍ଯ୍ୟଟନସ୍ଥଳ ଭାବରେ ବିକଶିତ କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ ସମ୍ଭାବନାକୁ ସ୍ୱୀକାର କରି, କମିଟିର ସଦସ୍ୟମାନେ ସ୍ଥାୟୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବରେ କାମ କରିବା ଆରମ୍ଭ କରିଛନ୍ତି ଯାହା ସ୍ଥାନୀୟ ସମୁଦାୟର ଜୀବିକା ନିର୍ବାହରେ ମଧ୍ୟ ସହାୟକ ହୋଇପାରିବ ।
ଏହି ସମ୍ପର୍କରେ, କମିଟି, ବ୍ଲକ୍ ଉନ୍ନୟନ ଅଧିକାରୀ (BDO) ଏବଂ ଅଞ୍ଚଳର ଜିଲ୍ଲା କଲେକ୍ଟରଙ୍କ ସହିତ ଆଲୋଚନା କରିସାରିଛି । ଏହି ଆଲୋଚନା ସମୟରେ, ସେମାନେ ଜଳପ୍ରପାତ ଅଞ୍ଚଳର ଆକର୍ଷଣ ବୃଦ୍ଧି କରିବା ଏବଂ ପରିବେଶଗତ ସନ୍ତୁଳନ ବଜାୟ ରଖିବା ସହିତ ଏହାକୁ ଅଧିକ ପରିଦର୍ଶକ-ଅନୁକୂଳ କରିବା ପାଇଁ ଓ ଜଳପ୍ରପାତ ଅଞ୍ଚଳର ଚାରିପାଖରେ ଶୋଭା ବଢାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
ଏହା ବ୍ୟତୀତ, କମିଟି ପର୍ଯ୍ୟଟକଙ୍କ ପାଇଁ ହୋମଷ୍ଟେ ପାଇଁ ଆଲୋଚନା କରିଛନ୍ତି । ଏହି ପଦକ୍ଷେପର ଦ୍ୱାରା ସ୍ଥାନୀୟ ପରିବାର ପାଇଁ ଆୟର ସୁଯୋଗ ସୃଷ୍ଟି କରିବା ସହିତ ପରିଦର୍ଶକଙ୍କ ପାଇଁ ରହିବା ସୁବିଧା ଯୋଗାଇବା । ହୋମଷ୍ଟେ ସୁବିଧା ମାଧ୍ୟମରେ, ପର୍ଯ୍ୟଟକମାନେ ସ୍ଥାନୀୟ ସଂସ୍କୃତି, ଖାଦ୍ୟ ଏବଂ ସ୍ଥାନୀୟ ଗୋଷ୍ଠୀର ଜୀବନଶୈଳୀ ସହିତ ପ୍ରତ୍ୟକ୍ଷ ହୋଇପାରିବେ ।
ଜଳପ୍ରପାତଟି ଗୋଷ୍ଠୀ ବନ ସମ୍ବଳ ପରିସର ମଧ୍ୟରେ ଅବସ୍ଥିତ ହୋଇଥିବାରୁ, ଏହି ପ୍ରୟାସ ପରିବେଶ ଅନୁକୂଳ ଭିତ୍ତିଭୂମି, ଗୋଷ୍ଠୀ ଅଂଶଗ୍ରହଣ ଏବଂ ସଂରକ୍ଷଣ-ଭିତ୍ତିକ ପର୍ଯ୍ୟଟନ ଉପରେ ଗୁରୁତ୍ୱାରୋପ କରେ, ଯାହା ନିଶ୍ଚିତ କରେ ଯେ ବିକାଶ କାର୍ଯ୍ୟକଳାପ ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ସହିତ ସମନ୍ୱିତ ରହିବ ।
ଗୋଷ୍ଠୀ ଦ୍ୱାରା ନିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ପର୍ଯ୍ୟଟନସ୍ଥଳୀର ପରିସୀମାର ବିକାଶ ପଦକ୍ଷେପ:
ପର୍ଯ୍ୟଟକଙ୍କ ପ୍ରବେଶକୁ ନିୟନ୍ତ୍ରଣ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମୁଦାୟ ମିଳିତ ଭାବରେ ଜଳପ୍ରପାତର ପ୍ରବେଶ କ୍ଷେତ୍ର ଚାରିପାଖର ପରିସୀମା ନିର୍ଦ୍ଧାରଣ ଓ ନିର୍ମାଣ କରିଛନ୍ତି ।
ଯାନବାହାନ ପ୍ରବେଶ ଶୁଳ୍କ ବ୍ୟବସ୍ଥା:
ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପରିଦର୍ଶକଙ୍କ ପାଇଁ ଏକ ଯାନ ପ୍ରବେଶ ଟିକେଟ୍ ପ୍ରଚଳନ କରାଯାଇଛି । ସ୍ଥାନ ନିକଟରେ ପାର୍କିଂ ଏବଂ ପର୍ଯ୍ୟଟକଙ୍କ ଗତିବିଧି ତଦାରଖ ପାଇଁ ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ପରିଦର୍ଶକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ସ୍ଥାନ ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ସୃଷ୍ଟି କରେ ।
ସ୍ଥାନୀୟ ନିଯୁକ୍ତି:
ଗ୍ରାମର ସ୍ଥାନୀୟ ଯୁବକମାନେ ପ୍ରବେଶ ଦ୍ୱାରର ପରିଚାଳନା, ଟିକେଟ୍ ସଂଗ୍ରହ ଏବଂ ଅଞ୍ଚଳର ସାମଗ୍ରିକ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାରେ ନିୟୋଜିତ ଅଛନ୍ତି । ଦାଦନ ଯୁଗରେ ଏହା ସ୍ଥାନୀୟ ଯୁବକମାନଙ୍କୁ ଗାଁରେ ରୋଜଗାର ଓ ନିଜ ଅଞ୍ଚଳରେ ବାନ୍ଧି ରଖିବା ପାଇଁ ସକ୍ଷମ ହୋଇଛି ।
ପରିବେଶ ଅନୁକୂଳ ସ୍ୱଚ୍ଛତା ପଦକ୍ଷେପ:
ପର୍ଯ୍ୟଟନ ସ୍ଥଳର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ, ଗୋଷ୍ଠୀର ସଦସ୍ୟମାନେ ବାଉଁଶ ବ୍ୟବହାର କରି ପରିବେଶ ଅନୁକୂଳ ଡଷ୍ଟବିନ୍ ପ୍ରସ୍ତୁତ କରିଛନ୍ତି । ଏହି ବାଉଁଶ ଡଷ୍ଟବିନ୍ ଜଳପ୍ରପାତ ନିକଟରେ ବିଭିନ୍ନ ସ୍ଥାନରେ ରଖାଯାଇଛି ଯାହା ଦ୍ୱାରା ପରିଦର୍ଶକମାନେ ସଠିକ୍ ଭାବରେ ଅଳିଆ ନିଷ୍କାସନ କରିପାରିବେ । ଏହି ପଦକ୍ଷେପ କେବଳ ସ୍ଥାନକୁ ସଫା ରଖିବାରେ ସାହାଯ୍ୟ କରିବ ନାହିଁ ବରଂ ସ୍ଥାନୀୟ ଭାବରେ ଉପଲବ୍ଧ ପ୍ରାକୃତିକ ସାମଗ୍ରୀର ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହିତ କରେ ।
ନିୟମିତ ପରିଷ୍କାର କରିବା ଅଭିଯାନ:
ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସଂରକ୍ଷଣ କରିବା ଏବଂ ଅଳିଆ ଅପସାରଣ କରିବା ପାଇଁ ଗ୍ରାମବାସୀମାନେ ମାସିକ ସଫେଇ ଯୋଜନା ତିଆରି କରିଛନ୍ତି । ଯେଉଁଥିରେ ଗ୍ରାମ ଗୋଷ୍ଠୀ ସଫେଇ କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରନ୍ତି ।
ଜଙ୍ଗଲ ଅଧିକାର ଆଇନ ଏବଂ CFRMCର ଭୂମିକା
- ଏହି ପଦକ୍ଷେପ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଗ୍ରାମସଭା ସଦସ୍ୟମାନଙ୍କ ମଧ୍ୟରେ ସେମାନଙ୍କର ଅଧିକାର ଏବଂ ଦାୟିତ୍ୱ ବିଷୟରେ ବଢ଼ୁଥିବା ସଚେତନତାକୁ ପ୍ରତିଫଳିତ କରେ ।
- ଜଙ୍ଗଲ ସମ୍ପଦର ସ୍ଥାୟୀ ପରିଚାଳନା ଏବଂ ପର୍ଯ୍ୟଟନ କାର୍ଯ୍ୟକଳାପ ପରିବେଶଗତ ଭାବରେ ଉତ୍ତରଦାୟୀ ରହିବାକୁ ସୁନିଶ୍ଚିତ କରିବାରେ ସମୁଦାୟକୁ ମାର୍ଗଦର୍ଶନ କରିବାରେ CFRMC ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି ।
- ସାମୂହିକ ଯୋଜନା ଏବଂ ଅଂଶଗ୍ରହଣ ମାଧ୍ୟମରେ, ସମ୍ପ୍ରଦାୟ ପ୍ରଦର୍ଶିତ କରିପାରିଛି ଯେ କିପରି ଜଙ୍ଗଲ ଅଧିକାରକୁ କେବଳ ସଂରକ୍ଷଣ ପାଇଁ ନୁହେଁ ବରଂ ପରିବେଶ ପର୍ଯ୍ୟଟନ ମାଧ୍ୟମରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।
- ସମ୍ପ୍ରଦାୟ ଉପରେ ପ୍ରଭାବ
- ହଦହଦି ଜଳପ୍ରପାତରେ ସମ୍ପ୍ରଦାୟ-ନେତୃତ୍ୱାଧିନ ପରିବେଶ ପର୍ଯ୍ୟଟନ ପଦକ୍ଷେପ ଅନେକ ସକାରାତ୍ମକ ଫଳାଫଳ ଆଣିଛି:
- ପ୍ରବେଶ ଏବଂ ଯାନବାହାନ ଟିକେଟ ସଂଗ୍ରହ ମାଧ୍ୟମରେ ଆୟ ସୃଷ୍ଟି
- ପର୍ଯ୍ୟଟନ ପରିଚାଳନାରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ
- ବାଉଁଶ ଡଷ୍ଟବିନ ଏବଂ ନିୟମିତ ସଫା ଅଭିଯାନ କରିବା ମାଧ୍ୟମରେ ଉନ୍ନତ ପରିଷ୍କାର ପରିଚ୍ଛନ୍ନତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରିବା
- ଜଙ୍ଗଲ ସମ୍ପଦ ସୁରକ୍ଷାରେ ସମ୍ପ୍ରଦାୟ ଦୃଢ ମାଲିକାନା
- ଜଙ୍ଗଲ ଅଧିକାର ଆଇନର ବ୍ୟବସ୍ଥା ବିଷୟରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ।
ଉପସଂହାର
କୁଣ୍ଡାଗଡ଼ ଗ୍ରାମର ହଦହଦି ଜଳପ୍ରପାତ ପରିଶେଷ ପର୍ଯ୍ୟଟନ ପଦକ୍ଷେପ, ସମ୍ପ୍ରଦାୟ-ଚାଳିତ ପ୍ରାକୃତିକ ସମ୍ପଦ ପରିଚାଳନାର ଏକ ଦୃଢ଼ ଉଦାହରଣ ଭାବରେ ଠିଆ ହୋଇଛି । ହଦହଦି ବିକାଶ କମିଟି ଏବଂ CFRMCର ସକ୍ରିୟ ଅଂଶଗ୍ରହଣ ସହିତ, ଗ୍ରାମବାସୀମାନେ ସଫଳତାର ସହିତ ଏହି ସ୍ଥାନକୁ ଏକ ସାମୂହିକ-ପରିଚାଳିତ ପରିଶେଷ ପର୍ଯ୍ୟଟନସ୍ଥଳ ଭାବେ ପରିଣତ କରିଛନ୍ତି ଯାହା ପରିବେଶ ସଂରକ୍ଷଣ ଏବଂ ଗ୍ରାମୀଣ ଜୀବିକା ବିକାଶ ଉଭୟକୁ ପ୍ରୋତ୍ସାହିତ କରେ ।
ଏହି ପଦକ୍ଷେପଟି ଆଲୋକପାତ କରେ ଯେ କିପରି ଜଙ୍ଗଲ ଅଧିକାର ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସମୁଦାୟଗୁଡ଼ିକୁ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି କରିବା ସହିତ ସେମାନଙ୍କର ଜଙ୍ଗଲକୁ ସ୍ଥାୟୀ ଭାବରେ ପରିଚାଳନା କରିବାକୁ ସଶକ୍ତ କରିପାରିବ ।
ଦେଶରେ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ଓ ଆଧୁନିକ ବିଧି-ବ୍ୟବସ୍ଥା ପରିବେଶକୁ ସୁରକ୍ଷିତ ରଖିବା ବଦଳରେ ହାନିକାରକ ପ୍ରଭାବ ପକାଉଥିବା ସମୟରେ କୁଣ୍ଡାଗଡ ଗ୍ରାମବାସୀ ଏକ ଆଦର୍ଶ ପର୍ଯ୍ୟଟନସ୍ଥଳ ପରିଚାଳନାର ଦୃଷ୍ଟାନ୍ତ ଦେଇ ପାରିଛନ୍ତି । ସ୍ଥାନୀୟ ଅଧିବାସୀ ପରିଚାଳନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ନିଜର ଅଧିକାରକୁ ପରିବେଶ ସୁରକ୍ଷାର ଏକ ସକରାତ୍ମକ ନମୁନା ଭାବରେ ଗଢ଼ିତୋଳିବା ଅନ୍ୟମାନଙ୍କ ପାଇଁ ମଧ୍ୟ ଶିକ୍ଷଣୀୟ ତଥା ଅନୁକରଣୀୟ ।








