ସାମୂହିକ ଜଙ୍ଗଲ ସଂରକ୍ଷଣ: ପ୍ରକୃତି ସହିତ ଆତ୍ମୀକ ସମ୍ବନ୍ଧ ଓ ସହବିକାଶ

ବନବାରତା

ଡକ୍ଟର ନୀରା ସିଂଙ୍କ ସହ ଆନ୍ତରିକ ବାର୍ତ୍ତାଳାପ

ପ୍ରଶ୍ନ: ‘ବନବାରତା’ର ଚଳିତ ସଂସ୍କରଣ ଜଙ୍ଗଲର ଗୋଷ୍ଠୀ ସଂରକ୍ଷଣ ପଦକ୍ଷେପକୁ ବିଶେଷ ଗୁରୁତ୍ୱ ଦେଇଛି ।ଆମେ ପ୍ରାରମ୍ଭିକ ସମୟରୁ ଏହାର କ୍ରମବିକାଶ ବିଷୟରେ ଜାଣିବାକୁ ଚାହିଁବୁ  । କାରଣ ଅନେକ ଯୁବ ଗବେଷକ ଓ ପ୍ରୟୋଗକର୍ତ୍ତାମାନେ ମନେ କରନ୍ତି ଯେ ଅଶୀ ଓ ନବେ ଦଶକ ଥିଲା ଓଡ଼ିଶାରେ ଗୋଷ୍ଠୀ ଜଙ୍ଗଲ ପରିଚାଳନା ପାଇଁ ଏକ ଗଠନମୂଳକ ସମୟ । ଆପଣ କଣ ସେହି ପ୍ରାରମ୍ଭିକ ସମୟକୁ ପୁଣି ଥରେ ମନେ ପକାଇ ପାରିବେ, ଯେତେବେଳେ ଜଙ୍ଗଲ ଆନ୍ଦୋଳନ ପାଇଁ ଏକ ବ୍ୟାପକ ବାତାବରଣ ଥିଲା? ସେତେବେଳେ ତୃଣମୂଳ ସ୍ତରରେ କ’ଣ ସବୁ ଘଟୁଥିଲା, ତାହା ମଧ୍ୟ ଆମକୁ ଜଣାଇବେ କି? ଯେତେବେଳେ କୌଣସି ଆନୁଷ୍ଠାନିକ ଆଇନ୍ଗତ ସ୍ୱୀକୃତି ନଥିଲା, ସେହି ସମୟରେ ନିଜର ଜଙ୍ଗଲକୁ ସୁରକ୍ଷା ଦେବା ଓ ସଂରକ୍ଷିତ କରି ରଖିବା ପାଇଁ ଗୋଷ୍ଠୀମାନେ କିଭଳି ଭାବରେ ପ୍ରୋତ୍ସାହିତ ହୋଇ ଏକାଠି ଆଗକୁ ଆସିଥିଲେ?

ନୀରା ସିଂ: ମୁଁ ଏଇ କଥାଟିକୁ ମନେପକାଇ  କହିବାକୁ ଚାହେଁ ଯେ, ଅଶୀ ଦଶକ ଥିଲା ସାମାଜିକ ବନୀକରଣ ପ୍ରକଳ୍ପର ସମୟ । ଜଙ୍ଗଲ ଅବକ୍ଷୟ ସମସ୍ୟାର ମୁକାବିଲା ପାଇଁ ସମ୍ଭବତଃ ଏହା ଆସିଥିଲା । ସାମାଜିକ ବନୀକରଣ ପ୍ରକଳ୍ପଗୁଡ଼ିକ ଗୋଟିଏ ନିର୍ଦ୍ଦିଷ୍ଟ ଧାରଣା ଉପରେ ପର୍ଯ୍ୟବେସିତ ଥିଲା । ତାହା ହେଉଛି ଯଦି ଗ୍ରାମବାସୀଙ୍କୁ ସେମାନଙ୍କ ଗାଁ ନିକଟରେ ଜାଳେଣିକାଠ ଏବଂ ଖାଦ୍ୟଚାରା ଯୋଗାଇ ଦିଆଯାଏ, ତେବେ ସେମାନେ ପ୍ରକୃତିଦତ୍ତ ଜଙ୍ଗଲକୁ ଯାଇ ତାହାର କ୍ଷୟକ୍ଷତି କରିବେ ନାହିଁ । ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସାମାଜିକ ବନୀକରଣ ପ୍ରକଳ୍ପଗୁଡ଼ିକ ଜରିଆରେ ଗ୍ରାମ ଚାରିପାଖ, ରାଜସ୍ୱ ଜମି ଏବଂ ଗ୍ରାମର ସର୍ବସାଧାରଣ ଜମିରେ ନୀଳଗିରି, ଆକାଶିଆ, ଚାକୁଣ୍ଡା  ଗଛର ଚାରାରୋପଣ କରାଯାଉଥିଲା । ଗ୍ରାମବାସୀଙ୍କଠାରୁ ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ଏହା ଉଦ୍ଦିଷ୍ଟ ଥିଲା ।

ସେହି ସମୟରେ ମୁଁ ଓଡ଼ିଶାର ସାମାଜିକ ବନୀକରଣ ପ୍ରକଳ୍ପ ପରିଚାଳନା କରୁଥିବା ଏକ ପରାମର୍ଶକାରୀ ସଂସ୍ଥା ସହିତ କାମ କରୁଥିଲି । ୧୯୯୦ ମସିହାରେ ଯେତେବେଳେ ମୁଁ ଗୋଟିଏ ବାର୍ଷିକ ସମୀକ୍ଷକ ଦଳରେ ଯାଇ ଢେଙ୍କାନାଳର ଗ୍ରାମଗୁଡ଼ିକୁ ପରିଦର୍ଶନ କରୁଥିଲି, ସେତେବେଳେ ବ୍ୟାପକ ମାତ୍ରାରେ କେବଳ ଚାରାରୋପଣର ସ୍ଥିତିକୁ ଦେଖି ମୋତେ ଭୀଷଣ ଅସନ୍ତୋଷ ଲାଗିଲା । ସେହି ସମୟରେ ସେଠାର କେବଳ ବୃକ୍ଷରୋପଣ ପରେ ବୃକ୍ଷରୋପଣର କ୍ଷେତ୍ରଗୁଡିକ ଲକ୍ଷ୍ୟକରି ମୁଁ ପାଖରେ ଥିବା ଗୋଟିଏ ଶାଳବଣକୁ ଚାଲିଯାଇଥିଲି, ଯେଉଁଠି ଗୋଟିଏ ଜଙ୍ଗଲ ଅତି ସୁନ୍ଦର ଭାବେ ଜୀବନ୍ୟାସ ପାଉଥିବା ପରି ମନେ ହେଉଥିଲା । ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରି ଜାଣିଲି ଯେ ସେମାନେ ପ୍ରକୃତରେ ସେହି ଜଙ୍ଗଲକୁ ନିଜେ ସୁରକ୍ଷା ଦେଉଛନ୍ତି । ଗ୍ରାମର ସର୍ବସାଧାରଣ ଜମିରେ ଚାରାରୋପଣ କରି ପ୍ରାକୃତିକ ଜଙ୍ଗଲକୁ ଗ୍ରାମବାସୀଙ୍କଠାରୁ ସୁରକ୍ଷିତ ରଖିବା ଲାଗି ସାମାଜିକ ବନୀକରଣ ପ୍ରକଳ୍ପ ଉଦ୍ଦିଷ୍ଟ ବୋଲି ଦାବି କରାଯାଉଥିଲା । ଚାରାରୋପଣରେ ବିପୁଳ ପରିମାଣର ପାଣ୍ଠି ବ୍ୟୟ କରାଯାଉଥିବାବେଳେ ଏହାର କିନ୍ତୁ କୌଣସି ଯଥାର୍ଥତା  ହିଁ ନଥିଲା । ଅଥଚ ଗ୍ରାମବାସୀମାନେ ପ୍ରାକୃତିକ ଜଙ୍ଗଲକୁ ଯେଉଁ ସୁରକ୍ଷା ଦେଉଥିଲେ, ସେ ବିଷୟରେ କେହି ମଧ୍ୟ କିଛି କହୁନଥିଲେ । ଜାଣିବୁଝି ଅଣଦେଖା କରାଯାଇଥିଲା ।

ସେତେବେଳେ ମୋର ବୟସ ୨୩ ବର୍ଷ ଥିଲା । ସେ ବୟସ ଦୃଷ୍ଟିରୁ ମୁଁ ଅତି ସରଳ ଥିଲି । ମୁଁ ଭାବିଥିଲି ଯେ ହୁଏତ ଲୋକମାନେ ଏହି ଗୋଷ୍ଠୀ ପରିଚାଳିତ ପଦକ୍ଷେପଗୁଡ଼ିକ ବିଷୟରେ କଥା ହେଉନାହାନ୍ତି । କାରଣ ଏହି ବିଷୟରେ କେହି ଜାଣି ହିଁ ନାହାନ୍ତି । ବନଖଣ୍ଡ ଅଧିକାରୀମାନେ ଯେ ଏହି ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରୁ ନାହାନ୍ତି ବା ଆଖି ଆଗରେ ଜୀବନ୍ୟାସ ପାଉଥିବା ଜଙ୍ଗଲକୁ ଦେଖିପାରୁ ନାହାନ୍ତି, ଏହା କହିବା ଅର୍ଥହୀନ । ଏହାପରେ ମୁଁ ଅନୁଭବ କଲି ଯେ ଏହି ନ ଦେଖିବା ପଛରେ ଅନେକ କାରଣ ରହିଛି । ଏହି ନ ଦେଖିବା ପାଇଁ ଅନେକଙ୍କୁ ଅର୍ଥ ମିଳୁଥିଲା । ଏହି ଚାରାରୋପଣରେ ଯେଉଁ ଅର୍ଥ ବ୍ୟୟ ହେଉଥିଲା, ସେହିଥିରୁ ହିଁ ସମସ୍ତେ ଲାଭ ପାଉଥିଲେ । ନିଜ ଉଦ୍ୟମରେ ଗ୍ରାମବାସୀ କରୁଥିବା ପ୍ରୟାସକୁ କୌଣସି ଅର୍ଥ ଆଶା ନରଖି ସମର୍ଥନ ଦେବାରେ କାହାର କୌଣସି ଲାଭ ହେଉନଥିଲା ।

ଲୋକମାନଙ୍କ ପାଖରେ କାର୍ଯ୍ୟଦକ୍ଷତାର ଅଭାବ ନାହିଁ । ସେମାନେ ବହୁତ ସମ୍ବଳଶାଳୀ ଓ ଉପାୟଶୀଳ । କିପରି କାମ କରିବାକୁ ହୁଏ, ତାହା ସେମାନେ ଭଲଭାବେ ଜାଣନ୍ତି । କେବଳ ନିଜସ୍ୱ ପାରମ୍ପରିକ ଜ୍ଞାନ, ଦକ୍ଷତା ଓ ସମ୍ବଳର ସତ୍ ବ୍ୟବହାର ମାଧ୍ୟମରେ ସେମାନେ ନଷ୍ଟ ହେଉଥିବା ଜଙ୍ଗଲକୁ ମଧ୍ୟ ସବୁଜ ସୁନ୍ଦର ଘନ ଜଙ୍ଗଲରେ ପରିଣତ କରିପାରନ୍ତି ।”

ବସୁନ୍ଧରାର ଆରମ୍ଭ ଏହିପରି ଏକ ସ୍ଥିତିରେ ହିଁ ହୋଇଥିଲା । କାରଣ ମୁଁ ଜାଣିଥିଲି ଯେ ଏହି ଗୋଷ୍ଠୀ ପରିଚାଳିତ ଉଦ୍ୟମଗୁଡ଼ିକୁ ସମର୍ଥନ କରିବା ପାଇଁ କୌଣସି ସୁବିଧା ସୁଯୋଗ ନଥିଲା । ଏପରିକି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ବଡ଼ ପାଣ୍ଠି ଥିବା ପ୍ରକଳ୍ପଗୁଡ଼ିକରେ ଆଗ୍ରହୀ ଥିଲେ । ଇଚ୍ଛାଶକ୍ତି, କାଗଜପତ୍ର କାମ ଏବଂ ଆଇନଗତ ଢାଞ୍ଚା ପାଇଁ ସଂଘର୍ଷ ବ୍ୟତୀତ ଯେଉଁଠି କମ୍ ପାଣ୍ଠି ରହୁଥିଲା ସେଥିପ୍ରତି କେହି ଆଗ୍ରହ ଦେଖାଉନଥିଲେ । ସେଭଳି ଉଦ୍ୟମ ପାଇଁ ଇଚ୍ଛାଶକ୍ତିର ଅଭାବ ରହିଥିଲା  । କିନ୍ତୁ ଉଲ୍ଲେଖନୀୟ ଯେ ସେତେବେଳେ ସାଧାରଣ ଲୋକଙ୍କ ଏପରି କିଛି ଅସାଧାରଣ (ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ପ୍ରୟାସ) ପ୍ରୟାସ ଜଙ୍ଗଲ କ୍ଷୟର ଏକ ପ୍ରାକୃତିକ ସମାଧାନ ଭାବରେ ଉଭା ହୋଇଥିଲା । ଗୋଷ୍ଠୀଗୁଡ଼ିକ ଏହା ପ୍ରମାଣ କରି ଦେଖାଇଦେଲେ ଯେ ସର୍ବସାଧାରଣ ସମ୍ପଦର ଅବକ୍ଷୟ ସବୁବେଳେ ହେବନାହିଁ । ଆପଣ କୌଣସି ସମ୍ପଦକୁ ଗୋଷ୍ଠୀମାନଙ୍କ ତତ୍ତ୍ୱାବଧାନକୁ ଆଣିପାରିବେ ଏବଂ ତାହାର ସୁରକ୍ଷା ଓ ଯତ୍ନ ନେଇପାରିବେ । ଲୋକମାନେ ମୂକ ଦର୍ଶକ ନୁହନ୍ତି । ସେମାନଙ୍କର ନିଜସ୍ୱ କାର୍ଯ୍ୟଦକ୍ଷତା  ଓ ନିଷ୍ପତ୍ତି ନେବାର ସାମର୍ଥ୍ୟ ଅଛି । ଗରିବ ଲୋକମାନଙ୍କୁ ଉନ୍ନତ କରିବା ଏବଂ ସେମାନଙ୍କୁ ପରିବେଶପ୍ରେମୀ ହେବାର ପାଠ ପଢ଼ାଇବା ଆବଶ୍ୟକ ବୋଲି ଯେଉଁ ପ୍ରଚଳିତ କାହାଣୀ ସବୁ ରହିଥିଲା, ସେସବୁ ଏବେ ଅତି ଭ୍ରାନ୍ତ ଓ ଅଯୌକ୍ତିକ ଲାଗୁଥିଲା । ଗ୍ରାମବାସୀମାନେ ବିକାଶର ଅପେକ୍ଷାରେ ଥିବା ଗରିବ ଲୋକ ନୁହନ୍ତି; ସେମାନେ ନିଜସ୍ୱ ସମ୍ବଳ ଜ୍ଞାନ, ଉପାୟଶୀଳତା ଓ ସ୍ୱତନ୍ତ୍ର ପଦକ୍ଷେପ ନେବାର ଦକ୍ଷତାରେ ଧନୀ । ଗୋଷ୍ଠୀ ପରିଚାଳିତ ତତ୍ତ୍ୱାବଧାନ ଓ ସଂରକ୍ଷଣ ମାଧ୍ୟମରେ ସେମାନେ ଏହି ସତ୍ୟକୁ ପ୍ରତିପାଦିତ କରିଛନ୍ତି ।

ମହିଳା ଓ ଜଙ୍ଗଲ ସଂରକ୍ଷଣ

ପ୍ରଶ୍ନ: ଆପଣଙ୍କର କାର୍ଯ୍ୟ ନିରନ୍ତର ଭାବରେ ଏହାକୁ ଉଜାଗର କରିଆସିଛି ଯେ ମହିଳାମାନେ ଏହି ପ୍ରକ୍ରିୟାଗୁଡ଼ିକରେ କେବଳ ନିଷ୍କ୍ରିୟ ଅଂଶଗ୍ରହଣକାରୀ ନୁହନ୍ତି; ବରଂ ସେମାନେ ସକ୍ରିୟ ଯୋଗଦାନକାରୀ ଥିଲେ, ଯେଉଁମାନେ ଦୃଶ୍ୟମାନ ଓ ଅଦୃଶ୍ୟ – ଉଭୟ ଉପାୟରେ ସଂରକ୍ଷଣ ସଂସ୍କୃତିକୁ ଗଢ଼ି ତୋଳିଥିଲେ । ସେହି ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଆପଣଙ୍କ ଅନୁଭବ ଅନୁସାରେ, ମହିଳାମାନେ ତୃଣମୂଳ ସ୍ତରରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ ପ୍ରୟାସରେ କିପରି ଯୋଗଦାନ ଦେଉଥିଲେ? ସେହି ସମୟରେ ବୃହତ୍ତର ଗୋଷ୍ଠୀ ଜଙ୍ଗଲ ପରିଚାଳନା (ସିଏଫ୍ଏମ୍) ଚର୍ଚ୍ଚା ଏବଂ ଅନୁଷ୍ଠାନର ଗଠନ ମଧ୍ୟରେ ସେମାନଙ୍କର ଅବଦାନକୁ ଯଥେଷ୍ଟ ସ୍ୱୀକୃତି ମିଳୁଥିଲା କି?

ନୀରା ସିଂ: ସାମୁହୀକ ସଂରକ୍ଷଣର ଚିତ୍ର ବିବିଧତାପୂର୍ଣ୍ଣ ପରିଦୃଶ୍ୟ ହେଉଥିଲା । ଅନେକ ଗ୍ରାମରେ ମହିଳାମାନେ ନିଜେ ପଦକ୍ଷେପ ନେଇଥିଲେ ଏବଂ ଗୋଷ୍ଠୀ ପରିଚାଳିତ ପ୍ରୟାସଗୁଡ଼ିକୁ ନେତୃତ୍ୱ ନେଉଥିଲେ; କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନେ ପ୍ରାୟତଃ ଉପେକ୍ଷିତ ରହୁଥିଲେ । ଅନ୍ୟାନ୍ୟ ସାମୂହିକ ପ୍ରୟାସ ପରି ଗୋଷ୍ଠୀ ଜଙ୍ଗଲ ପରିଚାଳନା ମୁଖ୍ୟତଃ ପୁରୁଷପ୍ରଧାନ ଥିଲା । ଜଙ୍ଗଲ ସଂରକ୍ଷଣକୁ ନେଇ ହେଉଥିବା ଅନେକ ବୈଠକରେ ମହିଳାମାନଙ୍କ ଉପସ୍ଥିତି ନଥିଲା, ଯଦିଓ ସେମାନେ ହିଁ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣରେ ସକ୍ରିୟ ଭୂମିକା ତୁଲାଉଥିଲେ ।

ମୋର ମନେପଡୁଛି, ଡେଙ୍ଗାଝରି ଗାଁ ଗସ୍ତ ସମୟର କଥା । ସେଠାରେ ମହିଳାମାନେ ବନ ସଂରକ୍ଷଣ ଆନ୍ଦୋଳନର ଅଗ୍ରଭାଗରେ ଥିଲେ । ମୁଁ କେତେକ ମହିଳାଙ୍କ ସହ ବସି କଥାବାର୍ତ୍ତା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କହିଲେ ଯେ ଗ୍ରାମରେ ଏକ ବୈଠକ ଚାଲିଛି । ସେ ବିଶାଖା ମାଉସୀ ଥିଲେ  ଯିଏ କହିଲେ, “ଗାଁରେ ଗୋଟିଏ ବୈଠକ ବସିଛି ।” ମୁଁ ପଚାରିଲି, “ତାହେଲେ ଆପଣ ସେଠାକୁ କାହିଁକି ଯାଉନାହାନ୍ତି?” ସେ ଉତ୍ତର ଦେଲେ, “ମୋ ପୁଅ ମଧ୍ୟ ଗ୍ରାମ କମିଟିର ଜଣେ ସଦସ୍ୟ । ମୁଁ ଗଲେ ସେ କହିବ ଯେ ମା’ ଏତେ ଆଧୁନିକ ହୋଇଗଲାଣି ଯେ ଗ୍ରାମ ବୈଠକକୁ ମଧ୍ୟ ଯାଉଛି ।” ଏଥିରୁ ଜଣାପଡ଼ିଲା ଯେ ମହିଳାମାନେ ନିଜେ ପଦକ୍ଷେପ ନେଇ ଜଙ୍ଗଲ ସଂରକ୍ଷଣରେ ଅଗ୍ରଣୀ ଭୂମିକା ନେଉଥିଲେ ମଧ୍ୟ ସାଧାରଣ ପରିଚାଳନା ଓ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନେକ ସାମାଜିକ କଟକଣା ରହିଥିଲା ।

ଧୀରେଧୀରେ ସ୍ଥିତିରେ ପରିବର୍ତ୍ତନ ଆସିଲା । ଉଦାହରଣ ସ୍ୱରୂପ, ରଣପୁର ଅଞ୍ଚଳରେ ବହୁତ କିଛି ବଦଳିଲା, ଯେତେବେଳେ ମହିଳାମାନେ ମାମଣିନାଗ ଜଙ୍ଗଲ ସୁରକ୍ଷା ସମିତିର ମାସିକ ବୈଠକରେ ଏକାଠି ହେବା ଆରମ୍ଭ କଲେ ଏବଂ ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଲାଗିଲେ । ସେହି ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଲା ଏବଂ ଶେଷରେ ସେମାନେ ନିଜ ଗ୍ରାମରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଭାଗ ନେବା ଓ ନିଜ ମତ ସ୍ପଷ୍ଟ ଭାବରେ ଉପସ୍ଥାପନ କରିବାର ସାହସ ଜୁଟାଇପାରିଲେ; କିନ୍ତୁ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ, ବିଶେଷକରି ପ୍ରାରମ୍ଭିକ ଦିନଗୁଡ଼ିକରେ ମହିଳାମାନେ ହିଁ ପଦକ୍ଷେପ ନେଉଥିଲେ ଏବଂ ପ୍ରକୃତ କାମ କରୁଥିଲେ । ଅନ୍ୟପକ୍ଷରେ ପୁରୁଷମାନେ ପ୍ରାୟତଃ ସେହି କାର୍ଯ୍ୟର ଶ୍ରେୟ ନେଉଥିଲେ ଏବଂ ନିଷ୍ପତ୍ତି ଗ୍ରହଣର ଔପଚାରିକ ଭୂମିକା ତୁଲାଉଥିଲେ ।

ମହିଳାମାନଙ୍କ ସହ ମୋର ଆଲୋଚନାରୁ ମୁଁ ଅନୁଭବ କରିଛି ଯେ, ଜଙ୍ଗଲ ପହରା ଦେବା ଓ ଜଙ୍ଗଲ ସୁରକ୍ଷା କରିବାରେ ସେମାନଙ୍କୁ ଆନନ୍ଦ ମିଳୁଥିଲା । ସେମାନେ ଜଙ୍ଗଲର ସୌନ୍ଦର୍ଯ୍ୟ ଓ ନୈସର୍ଗିକ ଆକର୍ଷଣକୁ ହୃଦୟରୁ ଭଲ ପାଉଥିଲେ । ତେଣୁ ଏହାର ଯତ୍ନ ଓ ସଂରକ୍ଷଣ ସହ ଜଡ଼ିତ ଆନନ୍ଦର ଦିଗଟି ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେବା ଉଚିତ ।”

ମହିଳାମାନେ ହିଁ ନିୟମିତ ଭାବେ ଜଙ୍ଗଲକୁ ଯାଆନ୍ତି । ବନଜାତ ଦ୍ରବ୍ୟ ସଂଗ୍ରହ କରିବାର ଦାୟିତ୍ୱ ବହନ କରୁଥିବାରୁ ସେମାନେ ପ୍ରକୃତରେ ଜଙ୍ଗଲର ପହରା ଓ ସୁରକ୍ଷା କାର୍ଯ୍ୟ ମଧ୍ୟ କରୁଥାନ୍ତି, ଯଦିଓ ଏହି ଭୂମିକାକୁ ଔପଚାରିକ ଭାବରେ ସେମାନଙ୍କ ନାମରେ ସ୍ୱୀକୃତି ଦିଆଯାଇ ନଥାଏ । ସାମାଜିକ ଭୂମିକା ଅନୁସାରେ ବନଜାତ ଦ୍ରବ୍ୟ ଓ ପାଣି ସଂଗ୍ରହ କରିବାର ଦାୟିତ୍ୱ ସାଧାରଣତଃ ମହିଳାମାନଙ୍କ ଉପରେ ଥାଏ । ଫଳସ୍ୱରୂପ, ସେମାନେ ଜଙ୍ଗଲରେ ଅଧିକ ସମୟ ବିତାଇଥାନ୍ତି ଏବଂ ଜଙ୍ଗଲ ସହ ସେମାନଙ୍କର ଏକ ଅତ୍ୟନ୍ତ ଘନିଷ୍ଠ ଓ ଆତ୍ମୀୟ ସମ୍ପର୍କ ଗଢ଼ିଉଠେ । ସେହି କାରଣରୁ ହିଁ ଜଙ୍ଗଲର ଅବକ୍ଷୟ ହେଲେ ସେମାନେ ତାହାର ଯନ୍ତ୍ରଣାକୁ ଗଭୀର ଭାବରେ ଅନୁଭବ କରନ୍ତି ଏବଂ ଏହାର ସୁରକ୍ଷା ପାଇଁ ସ୍ୱତଃପ୍ରବୃତ୍ତ ହୋଇ ପଦକ୍ଷେପ ନିଅନ୍ତି ।

ଆଉ ଗୋଟିଏ କଥା ମୁଁ କହିବାକୁ ଚାହେଁ । ଯେତେବେଳେ ଆମେ ଜଙ୍ଗଲ ସୁରକ୍ଷା ବିଷୟରେ ଚିନ୍ତା କରୁ, ସେତେବେଳେ ଆମେ ପ୍ରାୟତଃ ଏହାକୁ ଏକ ଭାର କିମ୍ୱା କରିବାକୁ ଥିବା ଦାୟିତ୍ୱ ଭାବରେ ଦେଖୁ; କିନ୍ତୁ ପ୍ରକୃତରେ ଏହା  ସେମାନଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦଦାୟକ କାର୍ଯ୍ୟ । ଡେଙ୍ଗାଝରିର ମହିଳାମାନେ କହୁଥିଲେ, “ଯେତେବେଳେ ଆମେ ଜଙ୍ଗଲ ପହରାକୁ ଯାଉ, ବେଳେବେଳେ ସେହି କାମକୁ ଅନେକ ସମୟରେ ଗୋଟିଏ ବଣଭୋଜିର ରୂପ ଦେଇଥାଉ । କେହି ଚାଉଳ , ପରିବା, ଲୁଣ ଆଣନ୍ତି, କେହି ଅନ୍ୟ କିଛି ଆଣନ୍ତି, ଏବଂ ସମସ୍ତେ ମିଶି ରୋଷେଇ କରି ଭୋଜନର ଆନନ୍ଦ ନେଉ ।” ଏଭଳି ଭାବରେ ଜଙ୍ଗଲ କେବଳ ସଂରକ୍ଷଣର ଏକ ସ୍ଥାନ ହୋଇ ରହେନାହିଁ; ବରଂ ଏହା ସାମାଜିକ ମିଳନ, ପରସ୍ପର ସମ୍ପର୍କ ଗଢ଼ି ତୋଳିବାର ଏକ କ୍ଷେତ୍ରରେ ପରିଣତ ହୁଏ, ଯେଉଁଠାରେ ମହିଳାମାନେ ପରସ୍ପର ସହ ଏବଂ ମାନବତାର ଜୀବଜଗତ ସହ ମଧ୍ୟ ସମ୍ପର୍କ ସ୍ଥାପନ କରନ୍ତି । ଏହି ସମ୍ପର୍କଗୁଡ଼ିକ ଅତ୍ୟନ୍ତ ଗଭୀର ଓ ମହତ୍ତ୍ୱପୂର୍ଣ୍ଣ; କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ବିଷୟରେ ଖୁବ୍ କମ୍ ଆଲୋଚନା ହେଉଛି ।

ଶିକ୍ଷା ଏବଂ ମୋଡ଼ ପରିବର୍ତ୍ତନକାରୀ ବିନ୍ଦୁ

ପ୍ରଶ୍ନ: ଅତୀତର ସେହି ସମୟକୁ ଫେରି ଦେଖିଲେ- ବିଭିନ୍ନ ଗ୍ରାମକୁ ଯାତ୍ରା କରିବା, ଜଙ୍ଗଲଗୁଡ଼ିକର ପୁନଃର୍ଜନନକୁ  ପାଖରୁ ଦେଖିବା ଏବଂ ଗୋଷ୍ଠୀ, ବନ ବିଭାଗ ଓ ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଚାଲିଥିବା ନିରନ୍ତର ଆଲୋଚନା ଓ ସମନ୍ୱୟ ପ୍ରକ୍ରିୟାକୁ ଦେଖିବା – ଏହି ସବୁ ଅନୁଭବରୁ କେଉଁ ଶିକ୍ଷାଗୁଡ଼ିକ ଆପଣଙ୍କର ସଂରକ୍ଷଣ ଓ ପରିଚାଳନ ବ୍ୟବସ୍ଥା ସମ୍ୱନ୍ଧୀୟ ବୁଝାମଣାକୁ ସର୍ବାଧିକ ଓ ଗଭୀର ଭାବରେ ପ୍ରଭାବିତ କରିଥିଲା? କୌଣସି ଏପରି ଘଟଣା, ଅପ୍ରତ୍ୟାଶିତ ଅନୁଭବ କିମ୍ୱା ବିଫଳତାର ମୁହୂର୍ତ୍ତ ଥିଲା କି, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ ଚିନ୍ତାଧାରା ଓ କାର୍ଯ୍ୟ ଦୃଷ୍ଟିକୋଣରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଦେଇଥିଲା?

ନୀରା ସିଂ: ଏପରି ଅନେକ ମୁହୂର୍ତ୍ତ ଥିଲା; କିନ୍ତୁ ମୋ’ ମତରେ ପ୍ରଥମ ବଡ଼ ପରିବର୍ତ୍ତନ ଆସିଥିଲା ଏହା ଦେଖି ଯେ ଗ୍ରାମଗୁଡ଼ିକ ନିଜେ ନିଜେ ଜଙ୍ଗଲର ସୁରକ୍ଷା କରୁଥିଲେ । ବିଶେଷକରି ଏମିତି ଏକ କ୍ଷେତ୍ରରେ, ଯେଉଁଠାରେ ଆମକୁ ସବୁବେଳେ ଏହି ଶିକ୍ଷା ଦିଆଯାଇଥିଲା ଯେ ସୁଯୋଗ ମିଳିଲେ ଲୋକମାନେ ସମ୍ପଦର ଅତ୍ୟଧିକ ଶୋଷଣ କରିବେ ଏବଂ ତାହାକୁ ରୋକିବା ପାଇଁ ବାହ୍ୟ ନିୟନ୍ତ୍ରଣ ଓ ନିୟମାବଳୀ ଆବଶ୍ୟକ ହେବ; କିନ୍ତୁ ଲୋକମାନେ ନିଜ କାର୍ଯ୍ୟ ମାଧ୍ୟମରେ ପ୍ରମାଣ କରିଦେଲେ ଯେ ଗୋଷ୍ଠୀ ନେତୃତ୍ୱାଧୀନ ପରିଚାଳନା ବ୍ୟବସ୍ଥା କେବଳ ସମ୍ଭବ ନୁହେଁ; ବରଂ ଏହା ସଫଳତାର ସହ ବିକଶିତ ହୋଇପାରେ ଏବଂ ଦୀର୍ଘସ୍ଥାୟୀ ମଧ୍ୟ ହୋଇପାରେ । ବନବିଦ୍ୟାଳୟରେ ମୁଁ ଯାହା ଶିଖିଥିଲି, ସେହି ଧାରଣାରୁ ଏହା ମୋର ମୌଳିକ ଚିନ୍ତାଧାରାରେ ପ୍ରଥମ ଓ ଗଭୀର  ରେଖାପାତ କରିଥିଲା ।

ଦ୍ୱିତୀୟ ଶିକ୍ଷା ଏହା ଥିଲା ଯେ, ମୁଁ ଯେତେ ଅଧିକ ଗୋଷ୍ଠୀଗୁଡ଼ିକ ସହ ମିଶିଲି ଓ କଥାବାର୍ତ୍ତା କଲି, ସେତେ ଅଧିକ ବୁଝିପାରିଲି ଯେ ଏହି ସମ୍ପର୍କଗୁଡ଼ିକ ପାରସ୍ପରିକ ଓ ପରସ୍ପର ନିର୍ଭରଶୀଳ । ପ୍ରଚଳିତ ବିଚାରଧାରାରେ ଆମେ ଜଙ୍ଗଲକୁ ଏକ ‘ସମ୍ପଦ’ ଭାବରେ ଦେଖୁ; କିନ୍ତୁ ସେମାନେ ଜଙ୍ଗଲକୁ କେବଳ ଏକ ସମ୍ପଦ ଭାବରେ ଦେଖନ୍ତି ନାହିଁ; ସେମାନେ ଜଙ୍ଗଲକୁ ନିଜର ‘ମା’ ଭାବରେ ଦେଖନ୍ତି । ଏହା କୌଣସି ରୂପକ କିମ୍ୱା ଉପମା ନୁହେଁ – ଏହା ଏକ ପ୍ରକୃତ, ଜୀବନ୍ତ ସମ୍ପର୍କ । ଆମେ ପରସ୍ପର ପ୍ରତି ଦୃଷ୍ଟି ଦେବା, ଯତ୍ନ ନେବା, ସମୟ ବିତାଇବା ଦ୍ୱାରା ହିଁ ଗୋଟିଏ ସାମାଜିକ ସମ୍ପର୍କ ବିକଶିତ ହୁଏ । ଠିକ୍ ସେହିପରି ମଣିଷ ଯେତେବେଳେ ଜଙ୍ଗଲ ସହ ଘନିଷ୍ଠ ହୁଏ, ଉପେରୋକ୍ତ ସମାନ କଥା ଏଠି ମଧ୍ୟ ପ୍ରତିଫଳିତ ହୁଏ । ଏଠିକାର ଲୋକମାନେ ମଧ୍ୟ ଜଙ୍ଗଲ ସହ ସମୟ ବିତାନ୍ତି, ତାହାର ଯତ୍ନ ନିଅନ୍ତି, ପୁଣି ଜଙ୍ଗଲରୁ ପୋଷଣ ଓ ଜୀବନଧାରଣର ସାଧନ ପାଆନ୍ତି । ଏହି ପାରସ୍ପରିକ ଆଦାନ-ପ୍ରଦାନ ମାଧ୍ୟମରେ ଜଙ୍ଗଲ ସହ ସେମାନଙ୍କର ଏକ ଗଭୀର ଓ ଆତ୍ମୀୟ ସମ୍ପର୍କ ବିକଶିତ ହୁଏ । ଏପରି ଏକ ଅନ୍ତରଙ୍ଗ ଓ ଜୀବନ୍ତ ସମ୍ପର୍କ କିପରି ଗଢ଼ିଉଠେ, ତାହାକୁ ବୁଝିବା ମୋ’ ପାଇଁ ଦ୍ୱିତୀୟ ବଡ଼ ଶିକ୍ଷା ଥିଲା ।

କେବଳ ମାଲିକାନା ଥିଲେ ସେଭଳି ସମ୍ପର୍କ ଗଢ଼ିଉଠେ ନାହିଁ । ପ୍ରକୃତରେ ଆପଣ ଯେଉଁ ଶ୍ରମ, ଯତ୍ନ ଓ ସମୟ ଦିଅନ୍ତି, ନିଜ ହାତକୁ ମାଟିରେ ଲଗାଇ କାମ କରନ୍ତି, ସେହି ପ୍ରୟାସ ହିଁ ଆପଣଙ୍କୁ ସେହି ଗଭୀର ସମ୍ପର୍କ ସହ ଯୋଡ଼ିଥାଏ ।”

ତୃତୀୟ ଶିକ୍ଷା ଏହା ଥିଲା କି, ଓଡ଼ିଶାର ଗୋଷ୍ଠୀଗୁଡ଼ିକ ସହ ମୋର ସମ୍ପର୍କ ଓ ଅନୁଭବ ମୋତେ ଶିଖାଇଲା ଯେ ସଂରକ୍ଷଣ କେବଳ ଏକ ଭାର କିମ୍ୱା ବୋଝ  ନୁହେଁ; ଏହା ଏକ ଆନନ୍ଦଦାୟକ କାର୍ଯ୍ୟ ମଧ୍ୟ । ଏହି ବୁଝାମଣା ପରିବେଶୀୟ ସେବା ପାଇଁ ପାଣ୍ଠି ପ୍ରଦାନ ସମ୍ୱନ୍ଧୀୟ ପ୍ରଚଳିତ ଧାରଣାର ସମ୍ପୂର୍ଣ୍ଣ ବିପରୀତ । ଏହି ଧାରଣା ଅନୁସାରେ ସଂରକ୍ଷଣକୁ ଏକ ବୋଝ ବା ଭାର ଭାବରେ ଦେଖାଯାଏ, ଯାହା ପାଇଁ ଲୋକମାନଙ୍କୁ ଆର୍ଥିକ କ୍ଷତିପୂରଣ ଦେବା ଆବଶ୍ୟକ; କିନ୍ତୁ ମୁଁ ଯାହା ଦେଖିଛି ଓ ଅନୁଭବ କରିଛି, ତାହା ଏକ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ କହେ ।

କିଛି ବର୍ଷ ଧରି ମୁଁ ଦୀର୍ଘ ଅସୁସ୍ଥତା ଭୋଗି ଆସୁଥିଲି । ଓଡ଼ିଶାର ମହିଳାମାନଙ୍କୁ ନିଜ ଜଙ୍ଗଲର ଯତ୍ନ ନେଉଥିବାର ଯେଭଳି ଚିତ୍ର ମୁଁ ଦେଖିଥିଲି, ଠିକ୍ ସେହିପରି ମୁଁ ମୋ’ ବଗିଚାର ଯତ୍ନ ନେବାବେଳେ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲି । ମୁଁ ଯେତେବେଳେ ନିଜ ନୂଆଘରକୁ ଆସିଥିଲି, ସେତେବେଳେ ମୋତେ ଲାଗୁନଥିଲା ଯେ ବଗିଚାଟି ମୋର । ଏହାକୁ ପୂର୍ବତନ ଘରମାଲିକ ଯତ୍ନର ସହିତ ଗଢ଼ି ତୋଳିଥିଲେ; କିନ୍ତୁ ଧୀରେଧୀରେ ଯେତେବେଳେ ମୁଁ ନିଜ ହାତରେ ମାଟିକୁ ସ୍ପର୍ଶ କଲି, କାମ କଲି, ଯତ୍ନ ନେଲି, ସେତେବେଳେ ହିଁ ସେହି ସ୍ଥାନ ସହ ମୋର ସମ୍ପର୍କ ଗଢ଼ିଉଠିଲା ଏବଂ ଅପଣାପଣ ସୃଷ୍ଟି ହେଲା । କେବଳ ମାଲିକାନା ଆପଣଙ୍କୁ କୌଣସି ସ୍ଥାନ ସହ ଯୋଡ଼ି ଦେଇପାରେ ନାହିଁ । ସେହି ସଂଯୋଗ ସୃଷ୍ଟି କରେ ଆପଣଙ୍କର ଶ୍ରମ, ଯତ୍ନ ଓ ସମୟ । ଏହି ଶିକ୍ଷା ମଧ୍ୟ ମୁଁ ଓଡ଼ିଶାର ଗୋଷ୍ଠୀମାନଙ୍କଠାରୁ ପାଇଛି ।

ପ୍ରଶ୍ନ: ଜଙ୍ଗଲ ଅଧିକାର ଆଇନ ଆସିବା ପରେ ସମୟ କ୍ରମେ ଆମେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇଲୁ । ଅନେକଙ୍କ ପାଇଁ ଏହି ଆଇନ ଏକ ଐତିହାସିକ ପଦକ୍ଷେପ ଥିଲା । ଜଙ୍ଗଲ ଉପରେ ନିର୍ଭରଶୀଳ ସମ୍ପ୍ରଦାୟମାନେ ଦୀର୍ଘ ଦଶନ୍ଧି ଧରି ଯେଉଁ ଗୋଷ୍ଠୀ ପରିଚାଳନା ଓ ସଂରକ୍ଷଣ ବ୍ୟବସ୍ଥାକୁ ଅଭ୍ୟାସରେ ପରିଣତ କରି ସାରିଥିଲେ, ତାହାକୁ କୌଣସି ଔପଚାରିକ ସ୍ୱୀକୃତି ମିଳିନଥିଲା; ତାହାକୁ ଏହି ଆଇନ ତାକୁ  ବିଧିବଦ୍ଧ ସ୍ୱୀକୃତି ପ୍ରଦାନ କଲା । ଗୋଷ୍ଠୀ ପରିଚାଳିତ ଜଙ୍ଗଲ ସଂରକ୍ଷଣରେ ଏକ ଅନୌପଚାରିକ ବ୍ୟବସ୍ଥାରୁ ଆଇନଗତ ଅଧିକାରର ଔପଚାରିକ ସ୍ୱୀକୃତି ପର୍ଯ୍ୟନ୍ତ ଏହି ପରିବର୍ତ୍ତନକୁ ଆପଣ କିପରି ଅନୁଭବ କରିଥିଲେ?

ନୀରା ସିଂ: ଏକ ଦୀର୍ଘ ସଂଘର୍ଷର ପରିଣାମ ସ୍ୱରୂପ ଜନ୍ମ ନେଇଥିଲା ଜଙ୍ଗଲ ଅଧିକାର ଆଇନ । ଉପନିବେଶୀ ଶାସନ କାଳରେ ଜଙ୍ଗଲକୁ ସାଧାରଣ ଲୋକଙ୍କଠାରୁ ଛଡାଇନେଇ ତାହାକୁ ସରକାରୀ ସମ୍ପତ୍ତିରେ ପରିଣତ କରାଯାଇଥିଲା । ଏହି ଐତିହାସିକ ଅନ୍ୟାୟର ପ୍ରତିକାର ପାଇଁ ହୋଇଥିବା ଦେଶବ୍ୟାପୀ ଆନ୍ଦୋଳନର ଫଳ ଥିଲା ଜଙ୍ଗଲ ଅଧିକାର ଆଇନ । ନବେ ଦଶକରୁ ଆରମ୍ଭ କରି ଏହି ଆଇନ ପ୍ରଣୟନ ପର୍ଯ୍ୟନ୍ତ ଚାଲିଥିବା ସଂଘର୍ଷର ମୂଳ ଉଦ୍ଦେଶ୍ୟ ଥିଲା ଗୋଷ୍ଠୀ ପରିଚାଳିତ ଜଙ୍ଗଲ ପରିଚାଳନା ଓ ସଂରକ୍ଷଣ ପଦକ୍ଷେପଗୁଡ଼ିକୁ ଆଇନଗତ ସ୍ୱୀକୃତି ଦେବା । ଓଡ଼ିଶାରେ, ବିଶେଷକରି ବସୁନ୍ଧରାର କାର୍ଯ୍ୟ ମାଧ୍ୟମରେ ଗ୍ରାମବାସୀମାନେ ପ୍ରମାଣ କରିଥିଲେ ଯେ ସେମାନେ ଜଙ୍ଗଲର ନିଷ୍ଠାପର ସୁରକ୍ଷାକର୍ତ୍ତା ହୋଇପାରିବେ । ଯଦି ସେମାନେ ଜଙ୍ଗଲକୁ ସଫଳତାର ସହ ପରିଚାଳନା ଓ ସଂରକ୍ଷଣ କରିପାରୁଥିଲେ, ତେବେ ସେମାନେ ଯେଉଁ ଜଙ୍ଗଲକୁ ସୁରକ୍ଷା ଦେଇଆସିଛନ୍ତି, ତାଉପରେ ସେମାନଙ୍କର ଔପଚାରିକ ଆଇନଗତ ଅଧିକାର ରହିବ ନାହିଁ କାହିଁକି ।

ଏହା ପ୍ରାକୃତିକ ସମ୍ପଦ ଉତ୍ତୋଳନକାରୀ ଶିଳ୍ପଗୁଡିକ ବିପକ୍ଷରେ ସୁରକ୍ଷା ଦିଏ, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଗୋଷ୍ଠୀମାନଙ୍କୁ ନିଜ ଜଙ୍ଗଲ ସମ୍ବଳର ପରିଚାଳନା କାର୍ଯ୍ୟକୁ ପ୍ରକୃତ ଅର୍ଥରେ ନିଜ ତତ୍ତ୍ୱାବଧାନରେ କରିବାର ଏକ ସୁଯୋଗ ଦେଇଥାଏ ।”

ଏହି କଥାକୁ ହୃଦୟଙ୍ଗମ କରିବା ଏକ ଦୀର୍ଘ ସଂଘର୍ଷର ପରିଣତି ଥିଲା । ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରର ବ୍ୟବସ୍ଥା ପ୍ରତ୍ୟକ୍ଷ ଭାବରେ ଓଡ଼ିଶା ଉଦାହରଣରୁ ଆସିଥିଲା, ଯେଉଁଠି ଲୋକମାନେ ପ୍ରମାଣ କରିଥିଲେ ଯେ ଗୋଷ୍ଠୀଗୁଡିକ ନିଜ ସମ୍ବଳକୁ ପ୍ରଭାବଶାଳୀ ଉପାୟରେ ପରିଚାଳନା କରିପାରନ୍ତି । ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ପାରିତ ହେବାବେଳେ ଆମେ ବହୁତ ଖୁସି ହୋଇଥିଲୁ । ଗୋଷ୍ଠୀ ଜଙ୍ଗଲ ସମ୍ପଦ ଅଧିକାରକୁ ଆଇନଗତ ସ୍ୱୀକୃତି ମିଳିବାର ଏକ ସୁଯୋଗ ସୃଷ୍ଟି ହୋଇଥିବାରୁ ଆମ ଖୁସିର ସୀମା ନଥିଲା; କିନ୍ତୁ ଅନ୍ୟପକ୍ଷରେ ଏହା ଏକ ନିରାଶାର କଥା ଥିଲା ଯେ, ବର୍ଷ ବର୍ଷ ଧରି ଏହି ଅଧିକାରଗୁଡ଼ିକର ବାସ୍ତବ ସ୍ୱୀକୃତି ଏତେ ଧୀର ଗତିରେ ଚାଲିଆସୁଛି । ଆଇନ ଯେଉଁ ସମ୍ଭାବନା ଓ ପ୍ରତିଶୃତି ଦେଇଥିଲା, ତାହାର ପୂର୍ଣ୍ଣ କ୍ଷମତାକୁ ଏପର୍ଯ୍ୟନ୍ତ ଆମେ ଅନୁଭବ କରିବାର ପାଖାପାଖି ସ୍ତରକୁ ମଧ୍ୟ ଯାଇ ପାରିନାହୁଁ ।

ପ୍ରଶ୍ନ: ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରର ଧାରଣା ବିଶେଷ ଗୁରୁତ୍ୱ ବହନ କରେ । କାରଣ ଏହା କେବଳ ଜଙ୍ଗଲ ସମ୍ବଳର ବ୍ୟବହାର ଓ ପହଞ୍ଚରେ ସୀମିତ ନୁହେଁ; ବରଂ ଏହା ସାମୂହିକ ପରିଚାଳନା ଏବଂ ନିଷ୍ପତ୍ତି ଗ୍ରହଣର ଅଧିକାର ବିଷୟରେ ମଧ୍ୟ କହେ । ଗୋଷ୍ଠୀ ଜଙ୍ଗଲ ସମ୍ବଳ କ୍ଷେତ୍ର ଓ ପୂର୍ବରୁ ପ୍ରଚଳିତ ଗୋଷ୍ଠୀ ଜଙ୍ଗଲ ପରିଚାଳନା ବ୍ୟବସ୍ଥା ମଧ୍ୟରେ ସମ୍ପର୍କକୁ ଆପଣ କିପରି ଦେଖନ୍ତି? ଏହା ପୂର୍ବରୁ ଚାଲିଆସୁଥିବା ପ୍ରଥାର ଏକ ପୁନଃ ପ୍ରଚଳନ ନା ମୌଳିକ ଭାବେ ଏକ ଭିନ୍ନ ଓ ନୂତନ ବ୍ୟବସ୍ଥା?

ନୀରା ସିଂ: ମୁଁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ସଂରକ୍ଷଣ ପ୍ରଚଳନ ଦେଖିପାରୁଛି; କିନ୍ତୁ ତାସହିତ ଏହା ବିସ୍ତାରିତ ହେବାର ସମ୍ଭାବନାକୁ ମଧ୍ୟ ଦେଖୁଛି । ସବୁ ସ୍ଥାନରେ ଗୋଷ୍ଠୀମାନେ ଜଙ୍ଗଲ ସଂରକ୍ଷଣ କରିନାହାନ୍ତି । ଓଡ଼ିଶାରେ ଯାହା ଘଟିଥିଲା, ତାହା ସମଗ୍ର ଦେଶରେ ସମାନ ଭାବରେ ଘଟିନଥିଲା । ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ସେହି ଗୋଷ୍ଠୀମାନଙ୍କୁ ଏକ ସୁଯୋଗ ଦେଉଛି, ଯେଉଁମାନେ ପୂର୍ବରୁ ଜଙ୍ଗଲ ପରିଚାଳନା କିମ୍ବା ସଂରକ୍ଷଣରେ ସକ୍ରିୟ ଭାବେ ଜଡ଼ିତ ନଥିଲେ । ବର୍ତ୍ତମାନ ସେମାନେ ଜଙ୍ଗଲ ଉପରେ ନିଜ ଅଧିକାର ଦାବି କରିପାରିବେ ଏବଂ ନିଜସ୍ୱ ସଂରକ୍ଷଣ ଓ ପରିଚାଳନା ନୀତିକୁ ବିକଶିତ କରିପାରିବେ । ଏହା ଏକ ବିସ୍ତୃତ ଢାଞ୍ଚା, ଯାହା କେବଳ ପୂର୍ବରୁ ସଂରକ୍ଷଣ କାର୍ଯ୍ୟ କରୁଥିବା ଗୋଷ୍ଠୀଙ୍କୁ ନୁହେଁ, ବରଂ ଯେଉଁ ଗୋଷ୍ଠୀମାନେ ଏପରି କାର୍ଯ୍ୟ ପୂର୍ବରୁ କରିନଥିଲେ, ସେମାନଙ୍କୁ ମଧ୍ୟ ଜଙ୍ଗଲ ସମ୍ପଦର ସଂରକ୍ଷଣ ଓ ପରିଚାଳନା ବ୍ୟବସ୍ଥାରେ ସକ୍ରିୟ ଭୂମିକା ନେବାର ସୁଯୋଗ ଦେଇଥାଏ ।

ଯେଉଁ ଗୋଷ୍ଠୀମାନେ ପୂର୍ବରୁ ଏହି କାର୍ଯ୍ୟ କରିଆସୁଛନ୍ତି, ସେମାନଙ୍କ ପାଇଁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି, ଯାହା ସେମାନେ ସଂରକ୍ଷଣ କରିଥିବା ଜଙ୍ଗଲ ଉପରେ ସେମାନଙ୍କର ଅଧିକାରକୁ ସ୍ୱୀକୃତି ଦିଏ । ଏହା ଅନେକ କାରଣରୁ ଗୁରୁତ୍ୱପୂର୍ଣ୍ଣ । ଗୋଷ୍ଠୀମାନଙ୍କୁ ନିଜ ଅଧିକାର ଓ କର୍ତ୍ତୃତ୍ୱ ସହିତ ଜଙ୍ଗଲର ପରିଚାଳନା ଏବଂ ନିୟନ୍ତ୍ରଣ କରିବାରେ ଏହା ସୁଯୋଗ ଦିଏ, ଯେଉଁଠାରେ ବାହ୍ୟ ଶକ୍ତିମାନେ ସେମାନଙ୍କର ଅଧିକାରକୁ ସହଜରେ ବିରୋଧ କରିପାରିବେ ନାହିଁ । ବିଶେଷକରି ଯେତେବେଳେ କୌଣସି ଉନ୍ନୟନ ପ୍ରକଳ୍ପ କିମ୍ବା ସମ୍ପଦ ଉତ୍ତୋଳନକାରୀ ପ୍ରକଳ୍ପ ସେମାନଙ୍କ ଜଙ୍ଗଲ ପାଇଁ ବିପଦ ଆଶଙ୍କା ସୃଷ୍ଟି କରେ, ସେତେବେଳେ ଗୋଷ୍ଠୀ ଜଙ୍ଗଲ ସମ୍ପଦ ଅଧିକାରର ଗୁରୁତ୍ୱ ଅଧିକ ବଢ଼ିଯାଏ । କେବଳ ଅନୌପଚାରିକ ଗୋଷ୍ଠୀ ସଂରକ୍ଷଣ ବ୍ୟବସ୍ଥା ଥିଲେ, କୌଣସି ଶିଳ୍ପ କିମ୍ବା ପ୍ରକଳ୍ପ ସେହି ଅଞ୍ଚଳକୁ ଆସିବାକୁ ଟାଳିବା ସୁନିଶ୍ଚିତ କରିହେବ ନାହିଁ; କିନ୍ତୁ ଗୋଷ୍ଠୀ ଜଙ୍ଗଲ ସମ୍ପଦ ଅଧିକାର ଗୋଷ୍ଠୀମାନଙ୍କୁ ଏହି ଆଇନଗତ ସୁରକ୍ଷା ପ୍ରଦାନ କରିଥାଏ ।

ତେଣୁ, ଗୋଷ୍ଠୀ ଜଙ୍ଗଲ ସମ୍ପଦ ପୂର୍ବରୁ ପ୍ରଚଳିତ ଗୋଷ୍ଠୀ ଜଙ୍ଗଲ  ସଂରକ୍ଷଣ ଓ ପରିଚାଳନା ନୀତିକୁ ଅଧିକ ସୁଦୃଢ଼ କରୁଛି । ଯେଉଁ ଗୋଷ୍ଠୀମାନେ ଏପର୍ଯ୍ୟନ୍ତ ଏପରି କାର୍ଯ୍ୟ ଆରମ୍ଭ କରିନଥିଲେ, ସେମାନଙ୍କ ପାଇଁ ମଧ୍ୟ ଏହି ସୁଯୋଗକୁ ବିସ୍ତାର କରୁଛି । ସମ୍ପଦ ଶୋଷଣକାରୀ ପ୍ରକଳ୍ପ ବିରୋଧରେ ସୁରକ୍ଷା ଦେଉଛି । ଗୋଟିଏ ଦୃଷ୍ଟିରୁ ଦେଖିଲେ, ଏହା ଏକ ବୈପ୍ଳବିକ ପଦକ୍ଷେପ; ସେହି ଅଧିକାରଗୁଡ଼ିକର ଦୀର୍ଘଦିନର ବିଳମ୍ବିତ ସ୍ୱୀକୃତି ବୋଲି କୁହାଯାଇପାରେ, ଯେଉଁ ଅଧିକାର କେବେ ବି ଗୋଷ୍ଠୀମାନଙ୍କଠାରୁ ଛଡ଼ାଇ ନିଆଯିବା ଉଚିତ ନଥିଲା ।

ଯତ୍ନ, ସମ୍ବେଦନା ଓ ବଞ୍ଚିବାର ଏକ ଭିନ୍ନ ଦୃଷ୍ଟିକୋଣ

ପ୍ରଶ୍ନ: ଆପଣଙ୍କ ଗବେଷଣାର ଏକ ବିଶେଷତା ହେଉଛି ଯେ, ଏହା କେବଳ ସଂସ୍ଥାଗତ କିମ୍ବା ନୀତିଗତ ଢାଞ୍ଚା ମଧ୍ୟରେ ସୀମିତ ରହିନଥାଏ; ବରଂ ଯତ୍ନ, ଭାବନା ଏବଂ ପାରସ୍ପରିକ ସହାବସ୍ଥାନ ଭଳି ଧାରଣାଗୁଡ଼ିକୁ ମଧ୍ୟ ସାମ୍ନାକୁ ଆଣିଥାଏ । ଅର୍ଥାତ୍, ଲୋକମାନେ କିପରି ଭାବନା ଓ ସମ୍ପର୍କ ଦୃଷ୍ଟିରୁ ଜଙ୍ଗଲ ସହିତ ଯୋଡ଼ି ହୁଅନ୍ତି, ଏହି ଧାରଣାଗୁଡିକ ତାହାକୁ ବୁଝିବାର ସୁଯୋଗ ଦିଏ । ତେବେ ଏହି ଧାରଣାଗୁଡ଼ିକ  ଗୋଷ୍ଠୀ ସଂରକ୍ଷଣକୁ ବୁଝିବାରେ ଆମର ଚିନ୍ତାଶକ୍ତିକୁ କିପରି ଅଧିକ ଗଭୀର କରେ, ଯାହା ଔପଚାରିକ ଢାଞ୍ଚା ସାଧାରଣତଃ ଧରିପାରେ ନାହିଁ?

ନୀରା ସିଂ: ପ୍ରଗତିଶୀଳ ରାଜନୀତିର ଏକ ମୁଖ୍ୟ ସୀମାବଦ୍ଧତା ହେଉଛି ଭାବନାତ୍ମକ ଏବଂ ପାରମ୍ପରିକ ଭୂମିକାକୁ ଏହା ଯଥେଷ୍ଟ ଗୁରୁତ୍ୱ ଦିଏ ନାହିଁ । ଭାରତର ପ୍ରଗତିଶୀଳ ରାଜନୈତିକ ଦଳ ଏହି ଦିଗଗୁଡ଼ିକ ପ୍ରତି ଯଥେଷ୍ଟ ଧ୍ୟାନ ଦେଇନାହାନ୍ତି । ଏଯାବତ ଯାହା ଆମେ କରୁଛୁ, ତାହା କେବଳ ଯୁକ୍ତିସଙ୍ଗତ ଆର୍ଥିକ ସ୍ୱାର୍ଥ ଦ୍ୱାରା ପ୍ରେରିତ ହୁଏ ନାହିଁ; ବରଂ ଅନେକ ପ୍ରକାରର ଅନ୍ୟ ପ୍ରେରଣା ଓ ଦାୟିତ୍ୱବୋଧ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ । ଆମେ ଅନ୍ୟ ଜୀବମାନଙ୍କର ଯତ୍ନ ନେବାକୁ ଚାହୁଁ; ଅନ୍ୟମାନଙ୍କର ଯନ୍ତ୍ରଣା ଦେଖିଲେ ଆମ ଭିତରେ ପରିବର୍ତ୍ତନ ଆସେ ଏବଂ ସେହି ଅନ୍ୟମାନେକେବଳ ମଣିଷ ନୁହେଁ, ଅଣ-ମାନବୀୟ ଜୀବଜନ୍ତୁ ଓ ଅନ୍ୟ ପ୍ରାଣୀମାନେ ମଧ୍ୟ ହୋଇପାରନ୍ତି । ଏହି ପ୍ରକାରର ଭାବନା, ପ୍ରେରଣା ଓ ନୈତିକ ଆବେଗଗୁଡ଼ିକ ହିଁ ଆମେ କେଉଁ କାର୍ଯ୍ୟ କରିବୁ ଓ କିପରି କରିବୁ, ତାହାକୁ ଗଭୀର ଭାବରେ ପ୍ରଭାବିତ କରିଥାଏ ।

ତେଣୁ ଭାବନାତ୍ମକ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଯଦି ଆମେ ଏଥିରେ ଅବହେଳା କରୁ, ତେବେ ମାନବୀୟ ଅନୁଭବର ଏକ ବିଶାଳ ଦିଗକୁ ବୁଝିବାରୁ ଆମେ ବଞ୍ଚିତ ହୋଇଯାଉ । ଜଙ୍ଗଲ ପରିଚାଳନାର ଔପଚାରିକ ଢାଞ୍ଚାଗୁଡ଼ିକରେ ଭାବନା ଏବଂ ପ୍ରକୃତି ସହ ମଣିଷର ସମ୍ପର୍କ ଗଢ଼ିବାରେ ଏହାର ଭୂମିକା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇନାହିଁ । ଅନ୍ୟପକ୍ଷରେ ସମ୍ବେଦନା –  ଭାବନାଠାରୁ ଅଧିକ ବ୍ୟାପକ ଏକ ଧାରଣା । ଏହା ଆମର ସେହି ପ୍ରବୃତ୍ତି ଓ ପ୍ରେରଣାଗୁଡ଼ିକୁ ମଧ୍ୟ ଯୋଡ଼ିଥାଏ, ଯାହା ବିଷୟରେ ଆମେ ନିଜେ ସଚେତନ ନଥାଉ । ବାସ୍ତବରେ, ଆମର ଅଧିକାଂଶ କାର୍ଯ୍ୟ ଅବଚେତନ ମନ ଦ୍ୱାରା ପ୍ରଭାବିତ ହୁଏ । ଏହି ଅବଚେତନ ମନ ହିଁ ଆମକୁ ପ୍ରେରିତ କରେ, କାରଣ ଆମେ ଯେଉଁ ଧାରଣା, ଅନୁଭବ, ମୂଲ୍ୟବୋଧ ଏବଂ ମାନସିକ ଢାଞ୍ଚା ମାଧ୍ୟମରେ ପୃଥିବୀକୁ ଦେଖୁ ଓ ବୁଝୁ, ସେଗୁଡ଼ିକ ଆମର ଚିନ୍ତା ଓ କାର୍ଯ୍ୟକୁ ଗଭୀର ଭାବରେ ପ୍ରଭାବିତ କରିଥାଏ ।

ଜଙ୍ଗଲ ସୁରକ୍ଷାକାରୀର ପରିଚୟ କେବଳ ଜଣେ ବ୍ୟକ୍ତିର ପରିଚୟରେ ସୀମିତ ନୁହେଁ । ଏହା ଏକ ସାମୂହିକ ପରିଚୟ, ଯାହା ସାମୂହିକ କାର୍ଯ୍ୟ ଓ ଭାଗିଦାରୀ ମାଧ୍ୟମରେ ଗଢ଼ିଉଠେ । ଆମର ବ୍ୟକ୍ତିସତ୍ତା ମଧ୍ୟ ମୌଳିକ ଭାବରେ ସାମୂହିକ ।”

ସାଧାରଣତଃ ଲୋକେ ଭାବନା, ସମ୍ବେଦନା ଏବଂ ଆତ୍ମସତ୍ତାକୁ କେବଳ ବ୍ୟକ୍ତିବିଶେଷ ସହ ଜଡ଼ିତ ବୋଲି ଭାବନ୍ତି; କିନ୍ତୁ ଓଡ଼ିଶାର ଲୋକମାନେ ମୋତେ ଶିଖାଇଛନ୍ତି ଯେ ଆମର ଆତ୍ମସତ୍ତା ମୌଳିକ ଭାବରେ ସାମୂହିକ । ନିଜକୁ ‘ଜଙ୍ଗଲ ସୁରକ୍ଷାକାରୀ’ ଭାବରେ ଚିହ୍ନଟ କରିବା କୌଣସି ବ୍ୟକ୍ତିଗତ ପରିଚୟ ନୁହେଁ; ଏହା ଏକ ସାମୂହିକ ପରିଚୟ । ଏହା ସାମୂହିକ କାର୍ଯ୍ୟ ଓ ସଂଘବଦ୍ଧ ପ୍ରୟାସ ମାଧ୍ୟମରେ ଗଢ଼ିଉଠେ । ଭାବନା ଏବଂ ଆତ୍ମସତ୍ତାକୁ କେବଳ ବ୍ୟକ୍ତିଗତ ସୀମାରେ ବାନ୍ଧି ଦେଖିବା ଆମର ଚିନ୍ତାଶକ୍ତିକୁ ସଂକୁଚିତ କରିଦିଏ । ଏହାକୁ ଆମେ ସାମୂହିକ ଦୃଷ୍ଟିକୋଣରୁ ମଧ୍ୟ ବୁଝିବା ଆବଶ୍ୟକ । ମୋର ଗବେଷଣା ପୂର୍ବରୁ ସାହିତ୍ୟରେ ଏହାର ସେତେଟା ଆଲୋଚନା ହିଁ ନଥିଲା । ମୁଁ କହିବି, ଓଡ଼ିଶାର ଲୋକମାନେ ହିଁ ମୋତେ ଏହି କଥା ବୁଝିବାରେ ସାହାଯ୍ୟ କରିଛନ୍ତି ।

ପ୍ରଶ୍ନ: ଓଡ଼ିଶା ବାହାରେ ଭାରତର ଅନ୍ୟାନ୍ୟ ଅଞ୍ଚଳ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆପଣଙ୍କର ଅନୁଭବ ଓ ସମ୍ପୃକ୍ତିରୁ ମିଳିଥିବା କେଉଁ ଶିକ୍ଷା ଓ ଅନ୍ତର୍ଦୃଷ୍ଟିଗୁଡ଼ିକ ଗୋଷ୍ଠୀ ଜଙ୍ଗଲ ପରିଚାଳନା ବ୍ୟବସ୍ଥାକୁ ବୁଝିବା ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ମନେ କରନ୍ତି?

ନୀରା ସିଂ: ବିଶ୍ୱର ସମ୍ପ୍ରତିକ ପାରିବେଶିକ ସମସ୍ୟା, ଆମେ କି ଧରଣର ମଣିଷ? ଏହି ପ୍ରଶ୍ନର ଉତ୍ତର ଉପରେ ପୁନର୍ବିଚାର କରିବା ପାଇଁ ଆମକୁ ବାଧ୍ୟ କରୁଛି । ଆମେ କଣ ପ୍ରତିଯୋଗୀତା ଦ୍ୱାରା ପରିଚାଳିତ ଅର୍ଥନୀତିରେ ଭୂମିକା ନିର୍ବାହ କରୁଥିବା ଚିନ୍ତାଶୀଳ ଅଭିନେତା ନା ସମ୍ବେଦନଶୀଳ ବ୍ୟକ୍ତି ଯେଉଁମାନେ ପରିସ୍ପରର ଓ ପ୍ରକୃତିର ଯତ୍ନ ରଖିପାରିବେ? ବିଶ୍ୱର ଚତୁର୍ପାଶ୍ୱର୍ରେ ସାମୁଦାୟୀକ ବନ ସଂରକ୍ଷଣ ପଦକ୍ଷେପ ଓ ପରିଚାଳନା ପଦ୍ଧତି ସୂଚାଇ ଦିଏ ଯେ ପୃଥିବୀ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇ ଏଭଳି ଜୀବନ ସମ୍ଭବ ।

ମୌଳିକ ଭାବରେ ଏହି ପଦକ୍ଷେପଗୁଡ଼ିକ ଆମକୁ ଯାହା ଦେଖାଉଛି, ତାହା ହେଲା ମଣିଷ ଏକ ଯତ୍ନଶୀଳ ସତ୍ତା, ଯିଏ ଦେବାକୁ ହିଁ ଗୁରୁତ୍ୱ ଦିଏ । ଆମେ ଅନ୍ୟମାନଙ୍କୁ କିଛି ଦେବାକୁ ଭଲପାଉ ଏବଂ ଜଣେ ଦାତା ଭାବେ ପ୍ରଶଂସା ପାଇବାକୁ ମଧ୍ୟ ପସନ୍ଦ କରୁ । ମଣିଷକୁ ଏଭଳି ଭାବରେ ବୁଝିବା, ସେହି ‘ଯୁକ୍ତିନିର୍ଭର ଆର୍ôଥକ ସତ୍ତା’ ଧାରଣାଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯାହା ଅନୁସାରେ ମଣିଷ ସବୁବେଳେ କେବଳ ନିଜ ସ୍ୱାର୍ଥ ଓ ପ୍ରତିଯୋଗିତା ଦ୍ୱାରା ପରିଚାଳିତ ହୁଏ । ଯଦି ମଣିଷ କେବଳ ପ୍ରତିଯୋଗୀ ପ୍ରବୃତ୍ତି ଦ୍ୱାରା ପରିଚାଳିତ ହୋଇଥାନ୍ତା, ତେବେ ମାନବ ସମାଜ କେବେ ବି ତିଷ୍ଠି ରହିପାରିନଥାନ୍ତା । ଆମେ ଆଜି ବଞ୍ଚି ରହିଛୁ କାରଣ ଆମେ ପରସ୍ପରକୁ ସହଯୋଗ କରିବା ଜାଣୁ । ତେଣୁ ଏହା କେବଳ ଜଙ୍ଗଲ ପରିଚାଳନାର ପ୍ରସଙ୍ଗ ନୁହେଁ; ବରଂ ଏହା ଆମକୁ ଏହି ପୃଥିବୀରେ ବଞ୍ଚିବା, ସମ୍ପର୍କ ଗଢ଼ିବା ଏବଂ ନିଜ ଅସ୍ତିତ୍ୱକୁ ବୁଝିବାର ଏକ ଭିନ୍ନ ପଥ ଦେଖାଏ ।

ଆଗାମୀ ଭବିଷ୍ୟତ

ପ୍ରଶ୍ନ: ଜଙ୍ଗଲ ଅଧିକାର ଆଇନର କୋଡ଼ିଏ ବର୍ଷର ଯାତ୍ରା ଏବଂ ଏହାଠାରୁ ମଧ୍ୟ ଦୀର୍ଘ ଗୋଷ୍ଠୀ ଜଙ୍ଗଲ ପରିଚାଳନାର ଇତିହାସକୁ ଦୃଷ୍ଟିରେ ରଖି, ଭବିଷ୍ୟତ ପାଇଁ ଆପଣଙ୍କର ଆଶା ଓ ସୁପାରିସଗୁଡିକ କ’ଣ କ’ଣ ? କେବଳ ନୀତିଗତ କିମ୍ବା ଆଇନଗତ ସ୍ୱୀକୃତିରେ ସୀମିତ ନ ରହି ବାସ୍ତବରେ ସଂସ୍ଥାଗତ ସ୍ଥାୟିତ୍ୱ ଏବଂ ସାମୂହିକ ସ୍ୱାୟତ୍ତତାକୁ ସୁଦୃଢ଼ କରିବା ଦୃଷ୍ଟିରୁ ଗୋଷ୍ଠୀ ଜଙ୍ଗଲ ପରିଚାଳନା ବ୍ୟବସ୍ଥାକୁ ପ୍ରକୃତ ଅର୍ଥରେ ଶକ୍ତିଶାଳୀ କରିବା ପାଇଁ କ’ଣ କରିବା ଆବଶ୍ୟକ ବୋଲି ଆପଣ ମନେ କରନ୍ତି?

ନୀରା ସିଂ: ଗୋଷ୍ଠୀ ଜଙ୍ଗଲ ପରିଚାଳନାର ସୀମା ବାହାରକୁ ଯାଇ ମୁଁ ଗୋଟିଏ ଦିଗ ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ । ତାହା ହେଉଛି ଯତ୍ନର ସହ କାର୍ଯ୍ୟର ଗୁରୁତ୍ୱ, ବିଶେଷକରି ପ୍ରକୃତିର ଯତ୍ନ ନେବା ସମ୍ବନ୍ଧୀୟ କାର୍ଯ୍ୟ । କୃତ୍ରିମ ବୁଦ୍ଧିମତା (ଇଓ) ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳଭିତ୍ତିକ ହସ୍ତକ୍ଷେପ ରୋଜଗାରର ସୁଯୋଗକୁ ସଂକୁଚିତ କରୁଥିବା ବେଳେ, ଆନ୍ତରିକ ଯତ୍ନମୂଳକ କାର୍ଯ୍ୟ ଏକ ଏପରି କ୍ଷେତ୍ର ଯାହାକୁ ଇଓ କିମ୍ବା ରୋବଟ୍ ଦ୍ୱାରା ପୂରାପୂରି ପ୍ରତିସ୍ଥାପିତ କରାଯାଇପାରିବ ନାହିଁ । ଏଥିପାଇଁ ମଣିଷର ପ୍ରତ୍ୟକ୍ଷ ଉପସ୍ଥିତି, ସମ୍ବେଦନଶୀଳତା ଏବଂ ନିବିଡ଼ ସମ୍ପୃକ୍ତି ଆବଶ୍ୟକ । ପରିବେଶର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଏକ ପ୍ରକାରର ପ୍ରଯତ୍ନଶୀଳ କାର୍ଯ୍ୟ । ଏହାକୁ କୌଣସି ଜ୍ଞାନକୌଶଳଭିତ୍ତିକ ହସ୍ତକ୍ଷେପ ସମ୍ପୂର୍ଣ୍ଣ ଭାବରେ ବଦଳାଇ ପାରିବ ନାହିଁ । ଏହି ପ୍ରକାରର କାର୍ଯ୍ୟ ହିଁ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ସୃଜନଶୀଳ ଶକ୍ତି, ଉତ୍ସାହ ଓ ପ୍ରତିଭାକୁ ସକାରାତ୍ମକ ଭାବରେ ନିୟୋଜିତ କରିପାରିବ ।

ଭାରତରେ ବିଶ୍ୱର ସବୁଠାରୁ ବୃହତ୍ ଯୁବ ଜନସଂଖ୍ୟା ରହିଛି, ଯାହାଙ୍କର ହାରାହାରି ବୟସ ପ୍ରାୟ ଅଣତିରିଶ ବର୍ଷ । ଏହି ବିଶାଳ ଯୁବ ଜନସଂଖ୍ୟା ଭବିଷ୍ୟତରେ କ’ଣ କରିବେ, ତାହା ଆଜିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟରୁ ଅନ୍ୟତମ । ଗୋଷ୍ଠୀ ଜଙ୍ଗଲ ପରିଚାଳନା ଏବଂ ପରିବେଶର ପୁନରୁଦ୍ଧାର କାର୍ଯ୍ୟ ଏହି ପ୍ରଶ୍ନର ଥିବା ଉତ୍ତରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ । ପ୍ରାକୃତିକ ସମ୍ପଦର ପରିଚାଳନା ପ୍ରକ୍ରିୟା ଏବଂ ପରିବେଶ ପୁନରୁଦ୍ଧାର କାର୍ଯ୍ୟରେ ଆମେ କିପରି ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ସୃଜନଶୀଳ ଶକ୍ତି, ନୂତନ ଚିନ୍ତାଧାରା ଓ ଉଦ୍ୟମକୁ ସକ୍ରିୟ ଭାବରେ ନିୟୋଜିତ କରିପାରିବା, ସେ ଉପରେ ଗମ୍ଭୀର ଭାବେ ଚିନ୍ତା କରିବାର ସମୟ ଆସିଛି ।

ଦ୍ୱିତୀୟତଃ, ଏହି ସବୁ କାହାଣୀ, ଅନୁଭବ ଓ ଇତିହାସକୁ ଆମେ ନିଶ୍ଚିତ ଭାବରେ ଲିପିବଦ୍ଧ କରିବା ଆବଶ୍ୟକ । ଯୁବପିଢ଼ି ଏବଂ ଆଗାମୀ ପିଢ଼ି ନିଜ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ପ୍ରତି ଗର୍ବ ଅନୁଭବ କରିବା ଅତ୍ୟନ୍ତ ଜରୁରୀ । ଆମେ ଏହା ଆଗରୁ ଦେଖିଛୁ ଯେ, ଗାଁଗହଳିରେ ପ୍ରକ୍ରିୟାକୃତ ଖାଦ୍ୟର ବ୍ୟବହାର ବଢ଼ୁଛି ଏବଂ ଲୋକେ ଶିଳ୍ପ ଉତ୍ପାଦିତ ସାମଗ୍ରୀ କିଣିବାରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି; କିନ୍ତୁ ଏହା ପରିବର୍ତ୍ତେ ସ୍ଥାନୀୟ ଅର୍ଥନୀତି ଭିତରେ ସମ୍ପଦକୁ ପୁନଃ ନିବେଶ କରୁଥିବା “ସାର୍କୁଲାର ଇକୋନୋମି” ଗ୍ରାମୀଣ ଜୀବନକୁ ଅଧିକ ସ୍ଥାୟୀ ଓ ସଶକ୍ତ କରିପାରିବ । ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ, ଲୋକମାନଙ୍କ ମନରେ ନିଜ ଗ୍ରାମ, ସଂସ୍କୃତି ଓ ଇତିହାସ ପ୍ରତି ଗର୍ବବୋଧ ସୃଷ୍ଟି କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଏହା ଗ୍ରାମର ଜୀବନୀ ଲେଖିବା, ଗ୍ରାମର ବୟୋଜ୍ୟେଷ୍ଠମାନଙ୍କ ସାକ୍ଷାତକାର ରେକର୍ଡ କରିବା ଏବଂ ସ୍ଥାନୀୟ ଇତିହାସ ଓ ଜ୍ଞାନକୁ ଲିପିବଦ୍ଧ କରିବା ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ । ଏହା ଅତ୍ୟନ୍ତ ଜରୁରୀ, କାରଣ ଏହି ବୟୋଜ୍ୟେଷ୍ଠମାନେ ଆମ ଗହଣରେ ଆଉ ବେଶୀ ଦିନ ରହିବେ ନାହିଁ । ସେମାନଙ୍କ ସହିତ ଯଦି ସେମାନଙ୍କର ଜ୍ଞାନ, ଅନୁଭବ ମଧ୍ୟ ଲୋପ ପାଇଯାଏ, ତେବେ ଆମେ ଏକ ଅମୂଲ୍ୟ ସାଂସ୍କୃତିକ ଓ ବୌଦ୍ଧିକ ସମ୍ପଦକୁ ଚିରଦିନ ପାଇଁ ହରାଇବା ।

ଆମେ କିପରି ପୂର୍ବ ସଂସ୍କୃତିକୁ ଆଗକୁ ନେଇପାରିବା, ଯଦ୍ୱାରା ଆଦିବାସୀ ଓ ଦଳିତମାନଙ୍କ ମନରେ ନିଜ ସାଂସ୍କୃତିକ ପରମ୍ପରା ଓ ମୂଳ ସତ୍ତା ପ୍ରତି ଗର୍ବବୋଧ ସୃଷ୍ଟି ହୋଇପାରିବ? ଏହା କାହାଣୀ କହିବା ଓ ଅନୁଭବ ବାଣ୍ଟିବାର ପ୍ରକ୍ରିୟା ମାଧ୍ୟମରେ ସମ୍ଭବ ହୋଇପାରେ । ଏହି କାହାଣୀଗୁଡ଼ିକୁ ବିଶ୍ୱବ୍ୟାପୀ ଦେଶୀୟ ସମୁଦାୟମାନଙ୍କ ପୁନର୍ଜାଗରଣ ଆନ୍ଦୋଳନ ସହିତ ଯୋଡ଼ିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯଦି ଗ୍ରାମର ଯୁବପିଢ଼ି ଦେଖିବେ ଯେ ପୃଥିବୀର ବିଭିନ୍ନ ସ୍ଥାନରେ ଦେଶୀୟ ସମୁଦାୟମାନେ ନିଜ ପରିଚୟ ଓ ସଂସ୍କୃତି ପ୍ରତି ଗର୍ବ ଅନୁଭବ କରୁଛନ୍ତି, ତେବେ ସେମାନେ ମଧ୍ୟ ଅନୁଭବ କରିବେ ଯେ ସେମାନଙ୍କ ନିଜ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଏମିତି କିଛି ମୂଲ୍ୟବାନ ଜିନିଷ ରହିଛି, ଯାହାକୁ ପୁନରୁଦ୍ଧାର କରି ଉତ୍ସବ ଭାବେ ପାଳନ କରାଯାଇପାରିବ ।

ବନବାରତା
 |  + posts

Quarterly published magazine

ଭଲ ଲାଗି ପାରେ

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ: ଏହାର ପ୍ରକୃତ ଅର୍ଥ କ’ଣ ? ଏହାର ଅର୍ଥ ସୁନିଶ୍ଚିତ କରିବା ନୁହେଁ ଯେ , ଜଙ୍ଗଲରେ ଯାହାର ସଂରକ୍ଷଣ କରାଯିବ ତାହାର ଭୌତିକ...

read more
ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ

ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ

ପୃଷ୍ଠଭୂମି: ତୃଣମୂଳସ୍ତରରୁ ସଂରକ୍ଷଣ ଓଡ଼ିଶା ଭାରତର ସାମୂହିକ ନେତୃତ୍ୱରେ ଜଙ୍ଗଲ ସଂରକ୍ଷଣର ସବୁଠାରୁ ଜୀବନ୍ତ ପରିଦୃଶ୍ୟ ସୃଷ୍ଟି କରି ପାରିଛି...

read more
ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ

ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ

ଉପକ୍ରମ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର (କମ୍ୟୁନିଟି କନ୍ଜରଭଡ୍ ଏରିଆ-CCA) – ଏହି ଶବ୍ଦର ବ୍ୟବହାର କିଛି ଦଶକ ପୁରୁଣା ହୋଇପାରେ; କିନ୍ତୁ...

read more
ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ମହିଳା ନେତୃତ୍ୱାଧୀନ ଗୋଷ୍ଠୀ ସଂରକ୍ଷଣ ଅଭିଯାନ: ଜଙ୍ଗଲ ଉପରେ ନିର୍ଭରଶୀଳ ମହିଳାମାନେ କିପରି ଓଡ଼ିଶାରେ...

read more
ଗୋଷ୍ଠୀ ଜଙ୍ଗଲ ସଂରକ୍ଷଣ: ପ୍ରମୁଖ ଆହ୍ୱାନ ଏବଂ ଆଗକୁ ବଢ଼ିବାର ରାସ୍ତା

ଗୋଷ୍ଠୀ ଜଙ୍ଗଲ ସଂରକ୍ଷଣ: ପ୍ରମୁଖ ଆହ୍ୱାନ ଏବଂ ଆଗକୁ ବଢ଼ିବାର ରାସ୍ତା

୧. ଜୈବ ବିବିଧତା ଓ ଗୋଷ୍ଠୀ ସଂରକ୍ଷଣ                 ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା - ଜଙ୍ଗଲ ଅଧିକାର ଆଇନ ଧାରା ୩ (୧) (ଝ) ଅଧୀନରେ...

read more