ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ

ନିବେଦିତା ପଣ୍ଡା

ପୃଷ୍ଠଭୂମି: ତୃଣମୂଳସ୍ତରରୁ ସଂରକ୍ଷଣ

ଓଡ଼ିଶା ଭାରତର ସାମୂହିକ ନେତୃତ୍ୱରେ ଜଙ୍ଗଲ ସଂରକ୍ଷଣର ସବୁଠାରୁ ଜୀବନ୍ତ ପରିଦୃଶ୍ୟ ସୃଷ୍ଟି କରି ପାରିଛି । ଏଭଳି ଏକ ପ୍ରାକୃତିକ ପରିଦୃଶ୍ୟ ଯେଉଁଠି ପାରିସ୍ଥିତିକ (ecosystem) ଜ୍ଞାନ, ସାଂସ୍କୃତିକ ପରିଚୟ ଓ ଗଣତାନ୍ତ୍ରିକ ଅନୁଶାସନର ସୁନ୍ଦର ସଂଯୋଗ ଘଟିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଜଙ୍ଗଲ ପରିଚାଳନାର ବହୁ ପୂର୍ବରୁ, ଜଙ୍ଗଲ ନିର୍ଭରଶୀଳ ସମୁଦାୟ ଅନେକ ପିଢ଼ିରୁ ପ୍ରାକୃତିକ ସମ୍ବଳ ସହିତ ଯୋଡି ହୋଇ ତାର ପରିଚାଳନା, ଜୈବ ବିବିଧତାର ସଂରକ୍ଷଣ, ଜଙ୍ଗଲର ପୁନର୍ଜନନ ଓ ଜୀବିକାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସାମୂହିକ ଶାସନ ପ୍ରଣାଳୀକୁ ବିକଶିତ କରିଥିଲେ ।

ଏଠାରେ ସଂରକ୍ଷଣ କୌଣସି ଲିଖିତ ନୀତିଗତ ଅଭିଲେଖ ଭାବରେ ଆସିନାହିଁ ବରଂ ସମୁଦାୟର ସାମାଜିକ, ଆର୍ôଥକ ଓ ପାରିସ୍ଥିତିକ ସଂଘର୍ଷରୁ ଜନ୍ମ ନେଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜଙ୍ଗଲ ପରିଚାଳନା ସମୁଦାୟର ସାମୂହିକ ନିୟନ୍ତ୍ରଣରୁ ବାହାରି ବନ ବିଭାଗର ବିଭିନ୍ନ ଏଜେଂସି ହାତକୁ ଚାଲିଯାଇଥିଲା । ଏଭଳି ପରିବର୍ତ୍ତନ ଯେଉଁଥିରେ ଜଙ୍ଗଲ ନିୟନ୍ତ୍ରଣ ଓ ପରିଚାଳନାରେ ସଙ୍କଟ ସୃଷ୍ଟି ହୋଇଥିଲା । ଜଙ୍ଗଲ ମାଫିଆମାନଙ୍କ ଦ୍ୱାରା ଅବୈଧ ଗଛକଟା ଓ ଜଙ୍ଗଲର ଅତ୍ୟଧିକ ଦୋହନ ଜଙ୍ଗଲ ବିନାଶର କାରଣ ସାଜିଥିଲା । ଫଳସ୍ୱରୂପ ମୃତ୍ତିକା କ୍ଷୟ, ଜଳଧାରା ଶୁଖିବା ସହିତ ପରିବେଶର ଅବକ୍ଷୟ ଅଧିକ ମାତ୍ରାରେ ହେଲା । ଯେଉଁ ସମୁଦାୟ ଏହି କ୍ଷୟକୁ ଅଧିକ ତଥା ପ୍ରଥମେ ଅନୁଭବ କଲେ, ସେମାନେ ସଂଗଠିତ ଭାବରେ ଏହାର ସୁରକ୍ଷା ପ୍ରୟାସକୁ ଆରମ୍ଭ କଲେ । ଏହା ଗ୍ରାମ ସ୍ତରରୁ ପ୍ରସାରିତ ହୋଇ ଗ୍ରାମ ସମୂହ ଓ ମହାସଂଘ ପର୍ଯ୍ୟନ୍ତ ବ୍ୟାପ୍ତ ହେଲା ।

ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳରେ ପ୍ରାକୃତିକ ଜଙ୍ଗଲର ସମୃଦ୍ଧି ପରିବର୍ତ୍ତନର ଏକ ସୁନ୍ଦର ଉଦାହରଣ  । ଯେଉଁଠାରେ ଅନେକ ଗ୍ରାମର ସମ୍ମିଳିତ ସଂରକ୍ଷଣର ପ୍ରୟାସ ଉଜୁଡ଼ା ଜଙ୍ଗଲ ଓ ପାହାଡକୁ ସବୁଜ ସୁନ୍ଦର କରିଦେଲା । କଳାହାଣ୍ଡିରେ ସାମୁଦାୟିକ ସଂରକ୍ଷଣ ଅନ୍ୟ ଏକ ପଥ ପ୍ରଦର୍ଶନ କରିଛି । ଜଙ୍ଗଲ ଅଧିକାର ଆଇନ ଅଧୀନରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ସ୍ୱୀକୃତି ମିଳିଲା ପରେ ଦୀର୍ଘ ସମୟରୁ ଚାଲି ଆସୁଥିବା ସାମୁଦାୟିକ ଜଙ୍ଗଲ ସଂରକ୍ଷଣକୁ ଦୃଢ଼ତା ମିଳିଛି । ଏଠାରେ ସେମାନେ ସାମୂହିକ ଶକ୍ତିକୁ ଏକ ଅନୁଶାସନ ବ୍ୟବସ୍ଥାର ଢାଞ୍ଚା ମଧ୍ୟରେ ଆଣିପାରିଛନ୍ତି  । ସେମାନଙ୍କର ଏହି ସଂକଳ୍ପ, ସାଙ୍ଗଠନିକ ଅଭିବ୍ୟକ୍ତି “କଳାହାଣ୍ଡି ଗ୍ରାମସଭା ମହାସଂଘ” ରୂପରେ ସାମନାକୁ ଆସିଛି । ଶହେରୁ ଉର୍ଦ୍ଧ୍ୱ ଗାଁର ଗ୍ରାମସଭାର ଏହା ଏକ ମହାସଂଘ ଅଟେ । ଏହାର କାର୍ଯ୍ୟ ଗ୍ରାମ ସ୍ତରର ଜଙ୍ଗଲ ପରିଚାଳନା କମିଟି ଠାରୁ ଆରମ୍ଭ କରି ବ୍ଲକ ସ୍ତରର ଓ ପରିଶେଷରେ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପ୍ରସାରିତ ହୋଇଛି ।

ଏହି ଗ୍ରାମସଭା ଗୁଡିକ ସରକାରୀ ନିଷ୍ପତ୍ତିକୁ ସିଧା ସଳଖ ମାନି ନନେଇ ସକ୍ରିୟ ଭାବରେ ନିଜସ୍ୱ ଶାସନ ବ୍ୟବସ୍ଥାକୁ ପରିଚାଳିତ କରିପାରୁଛନ୍ତି । ଜଙ୍ଗଲର ସୁରକ୍ଷା, ପରିଚାଳନା ସୂଚାରୁରୂପେ କରୁଛନ୍ତି । ଲଘୁ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଧାର୍ଯ୍ୟ କରିବା ସହିତ ବେପାରୀଙ୍କ ସହିତ ସ୍ୱୟଂ ଯୋଗାଯୋଗ କରି ପାରୁଛନ୍ତି । ବନଜାତ ଦ୍ରବ୍ୟ ବ୍ୟବସାୟରୁ ମିଳୁଥିବା ଲାଭକୁ ସେହି ଗ୍ରାମର ସମୂହ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ଏଠାରେ ସୁରକ୍ଷା ଓ ଜୀବିକା ଏକାଧାରରେ ଚାଲିଛି । ଜଙ୍ଗଲ ସମୃଦ୍ଧ ହୋଇପାରିଛି ଯେହେତୁ ସେମାନେ ତାକୁ ପରିଚାଳନା କରୁଛନ୍ତି, ସେମାନେ ତାହାର ପରିଚାଳନା କରୁଛନ୍ତି ଯେହେତୁ ତାହା ସେମାନଙ୍କ ଜୀବିକା ସହିତ ଯୋଡି ହୋଇଛି ।

ମୟୂରଭଞ୍ଜ – ଯେଉଁଠି ରହିଛି ଶିମିଳିପାଳ, ଯାହା ଏସିଆର ସବୁଠାରୁ ବଡ଼ ଜୈବମଣ୍ଡଳର ଗନ୍ତାଘର । ଯେଉଁଠି ଗୋଷ୍ଠୀ ସଂରକ୍ଷଣକୁ ଏହାର ସର୍ବାଧିକ ଆଇନଗତ ଅଭିବ୍ୟକ୍ତି ମିଳିଛି । ୨୦୧୫ ମସିହାରେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭିତରେ ଥିବା ୪୩ଟି ଗାଁ ଗୋଷ୍ଠୀ ଜଙ୍ଗଲ ସମ୍ବଳ (ସିଏଫ୍ଆର) ଅଧିକାର ପାଇଥିଲେ । ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ହିସାବରେ ଏହା ହେଉଛି ଭାରତର ଦ୍ୱିତୀୟ ଜଙ୍ଗଲ ସ୍ଥାନ, ଯେଉଁଠି ଏଭଳି ଅଧିକାର ଦିଆଯାଇଥିଲା । ଜଙ୍ଗଲକୁ ସଂରକ୍ଷିତ ଘୋଷଣା କରାଯିବାର ବହୁ ଆଗରୁ ବାଥୁଡି, କୋହ୍ଲ, ସାନ୍ତାଳ ଓ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ଜଙ୍ଗଲକୁ ସୁରକ୍ଷା ଦେଇଆସୁଥିଲେ । ଏହାର ପ୍ରମାଣ ସେତେବେଳେ ଦେଖିବାକୁ ମିଳିଲା, ଯେତେବେଳେ ଜଙ୍ଗଲରେ ଭୟଙ୍କର ନିଆଁ ଲାଗି ଏହା ସମ୍ପୂର୍ଣ୍ଣ ଶିମିଳିପାଳକୁ ବ୍ୟାପିଯିବାକୁ ବସିଥିଲା; କିନ୍ତୁ ସିଏଫ୍ଆର୍ ପରିଚାଳନା ଅଧୀନରେ ଥିବା ଅଧିକାଂଶ ଜଙ୍ଗଲ ସୁରକ୍ଷିତ ରହିଥିଲା । ଏବେ ଜଙ୍ଗଲର ପରିମାଣ ବଢ଼ିଛି । ପୂର୍ବରୁ ସାରା ବର୍ଷ ଝରଣାରେ ଜଳସ୍ରୋତ ରହୁନଥିବା ବେଳେ ବର୍ତ୍ତମାନ ଝରଣା ଗୁଡିକ ବର୍ଷ ସାରା ପ୍ରବାହିତ ହେଉଛି । ମହିଳା ଉତ୍ପାଦକ ଗୋଷ୍ଠୀଗୁଡ଼ିକ ମହୁ ସଂଗ୍ରହ କରି ବିକ୍ରି କରୁଛନ୍ତି । ଶିଆଳି ପତ୍ରରୁ ଖଲି ଓ ଫୁଲଘାସରୁ ଝାଡ଼ୁ ତିଆରି କରି ଭଲ ଦାମ୍ରେ ବିକ୍ରି କରୁଛନ୍ତି । ଆଦିବାସୀମାନେ ଯାହା ଦୀର୍ଘଦିନ ଧରି କହିଆସୁଥିଲେ, ଅଗ୍ନିକାଣ୍ଡ ତାହା ପ୍ରମାଣ କରିଦେଲା ଯେ ଆଦିବାସୀଙ୍କ ଉପସ୍ଥିତି ଜଙ୍ଗଲକୁ ସୁରକ୍ଷା ଦିଏ, ବିପଦରେ ପକାଏ ନାହିଁ ।

ଏହି ସବୁ କାହାଣୀ ଗୋଟିଏ ଛବିକୁ ହିଁ ଦେଖାଉଛି – ଯେଉଁଠି ଜୀବନ୍ତ ପରିବେଶଗତ ଅନୁଭବ, ସାଂସ୍କୃତିକ ମୂଲ୍ୟବୋଧ ଓ ଅସ୍ତିତ୍ୱର ଅତ୍ୟାବଶ୍ୟକତାରୁ ଓଡ଼ିଶାରେ ଗୋଷ୍ଠୀ ସଂରକ୍ଷଣର ସୃଷ୍ଟି ହୋଇଛି ।

ଗୋଷ୍ଠୀ ସଂରକ୍ଷଣ ପ୍ରଚେଷ୍ଟାର ରୂପ ଓ ବିବିଧତା

ଓଡ଼ିଶାରେ ଗୋଷ୍ଠୀ ସଂରକ୍ଷଣ କେବଳ ଗୋଟିଏ ପ୍ରଣାଳୀ ନୁହେଁ, ଏହା ଅନେକ ପ୍ରକାରର ପ୍ରଚେଷ୍ଟାର ଏକ ସମୃଦ୍ଧ ମିଶ୍ରଣ । ଏହି ପ୍ରଚେଷ୍ଟାଗୁଡ଼ିକ ପରିବେଶଗତ ସ୍ଥିତି, ସାଂସ୍କୃତିକ ପରମ୍ପରା ଓ ସ୍ଥାନୀୟ ଶାସନ ଇତିହାସ ଦ୍ୱାରା ଗଢ଼ିଉଠିଛି, ଯାହା ଜଙ୍ଗଲ, ଆର୍ଦ୍ରଭୂମି, ସମୁଦ୍ରତଟ ଓ ନିର୍ଦ୍ଦିଷ୍ଟ ପ୍ରଜାତି ଆଧାରିତ ବାସସ୍ଥାନକୁ ବ୍ୟାପ୍ତ ହୋଇଛି । ଏଥିରୁ ପ୍ରତିଟି ପ୍ରଚେଷ୍ଟା ସେହି ସମ୍ପ୍ରଦାୟମାନଙ୍କର ବୁଦ୍ଧିମତ୍ତା ଓ ଅନୁକୂଳନ ଶକ୍ତିକୁ ଦର୍ଶାଉଛି, ଯାହା ସେମାନଙ୍କର ସହାବସ୍ଥାନକୁ ବଜାୟ ରଖିଥାଏ ।

ଗୋଷ୍ଠୀ ଜଙ୍ଗଲ ପରିଚାଳନା (ସିଏଫ୍ଏମ୍)

ବହୁ ଦଶନ୍ଧି ଧରି ଚାଲୁଥିବା ଗୋଷ୍ଠୀ ଜଙ୍ଗଲ ପରିଚାଳନା (ସିଏଫ୍ଏମ୍)ର ମହତ୍ତ୍ୱ ପାଇଁ ଓଡ଼ିଶା ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ପାଇଛି । ନୟାଗଡ଼, ବଲାଙ୍ଗିର, କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗାଁଗୁଡ଼ିକରେ ସଙ୍ଗଠିତ ବନ ସୁରକ୍ଷା ସମିତି ରହିଛି, ଯେଉଁ ସମିତି ସାମୂହିକ ନୀତି ପ୍ରଣୟନ, ପାଳିକ୍ରମରେ ପହରା ବ୍ୟବସ୍ଥା ଏବଂ ନିର୍ଦ୍ଦିଷ୍ଟ ଭାବେ ଅବଲମ୍ବନ କରାଯାଇଥିବା ପରିବେଶଗତ ପ୍ରଣାଳୀକୁ ଅନୁସରଣ କରୁଛି । ସିଏଫ୍ଏମ୍ କେବଳ ଜଙ୍ଗଲ ପରିଚାଳନା ନୁହେଁ – ଏହା ଜଙ୍ଗଲ ଉପରେ ଲୋକମାନଙ୍କର ଅଧିକାରର ଦାବି । ଯେଉଁ ଜଙ୍ଗଲକୁ ଭୁଲ୍?କ୍ରମେ ସମସ୍ତଙ୍କ ପାଇଁ ମୁକ୍ତ ସମ୍ପଦ ବୋଲି ଉପସ୍ଥାପନ କରାଯାଉଥିଲା, ସେଥିରେ ଲୋକମାନେ ନିଜର ଅଧିକାରକୁ ପୁନଃସ୍ଥାପିତ  କରିଛନ୍ତି । ଆଦିବାସୀ ସମ୍ପ୍ରଦାୟମାନଙ୍କ ପାଇଁ ପ୍ରକୃତି ସହ ସେମାନଙ୍କର ସେଇ ପୁରୁଣା ସମ୍ପର୍କକୁ ପୁଣିଥରେ ଦୃଢ଼ କରିବ, ଯାହା ପ୍ରାଦେଶିକ ଭାରତ ଗଠନ ହେବା ପୂର୍ବରୁ ମଧ୍ୟ ଉପସ୍ଥିତ ଥିଲା ।

ଗୋଷ୍ଠୀ ସଂରକ୍ଷିତ ଅଞ୍ଚଳ ଓ ପ୍ରଜାତି ଆଧାରିତ ସଂରକ୍ଷଣ

ଓଡ଼ିଶାର ଅନେକ ସଂରକ୍ଷଣ ପଦକ୍ଷେପ ଗୋଷ୍ଠୀ ସଂରକ୍ଷିତ ଅଞ୍ଚଳର ରୂପ ନେଇଛି, ଯେଉଁଥିରେ ଚିଲିକାସ୍ଥିତ ମଙ୍ଗଳାଯୋଡ଼ିର ଆର୍ଦ୍ରଭୂମି, ସମୁଦ୍ରତଟ ଅଞ୍ଚଳ, ହେନ୍ତାଳବଣ ଓ ନିର୍ଦ୍ଦିଷ୍ଟ ପ୍ରଜାତିଙ୍କ ପାଇଁ ସଂରକ୍ଷିତ ଅଭୟାରଣ୍ୟ ସଂଲଗ୍ନ ରହିଛି । ଋଷିକୁଲ୍ୟା ତଟ ସହିତ ସମୁଦ୍ରକୂଳରେ ଧୀବର ସମ୍ପ୍ରଦାୟର ଲୋକେ ପହରା ଦେବା ସହ ସେଠାରେ ଅଣ୍ଡା ଦେବାକୁ ଆସିଥିବା ଅଲିଭ୍ ରିଡ୍?ଲେ କଇଁଛମାନଙ୍କୁ ସୁରକ୍ଷା ଦେଉଛନ୍ତି । ମଙ୍ଗଳାଯୋଡ଼ିଠାରେ ସଂରକ୍ଷଣ ପରିଚାଳନାରେ ଗୋଷ୍ଠୀଗତ ପ୍ରଚେଷ୍ଟା ବିଶ୍ୱସ୍ତରରେ ପ୍ରଶଂସିତ ।

ପବିତ୍ର ବନ : ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଶ୍ୱାସକୁ ନେଇ ସୁରକ୍ଷିତ ବନକ୍ଷେତ୍ର

ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟମାନଙ୍କ ପାଇଁ ଜଙ୍ଗଲ କେବେହେଲେ ପରିଚାଳନାର ଏକ ସମ୍ପଦ ନୁହେଁ । ଏହା ଏକ ଜୀବନ୍ତ ଅସ୍ତିତ୍ୱ – ମଣିଷ, ପ୍ରକୃତି ଓ ପୂର୍ବଜମାନଙ୍କ ମଧ୍ୟରେ ସମ୍ପର୍କର ଗୋଟିଏ ସୂତ୍ର । ସ୍ଥାନୀୟ ଅଞ୍ଚଳରେ ଯାହା ଜାହିରା କିମ୍ବା ଶରନାରେ ଭାବେ ପରିଚିତ ପବିତ୍ର ଉଦ୍ୟାନ ହେଉଛି ସଂରକ୍ଷିତ ଅନୁଷ୍ଠାନ ବା ପୀଠମାନଙ୍କ ମଧ୍ୟରେ ସର୍ବପୁରାତନ । ମୁଣ୍ଡା, ଓରାଙ୍ଗ ଓ ସାନ୍ତାଳ ସମ୍ପ୍ରଦାୟମାନଙ୍କ ମଧ୍ୟରେ ବିଶ୍ୱାସ ଅଛି ଯେ, ଏହି ପବିତ୍ର ଉଦ୍ୟାନରେ ଗ୍ରାମଦେବତା ଏବଂ ପୂର୍ବଜମାନଙ୍କର ଆତ୍ମା ବାସ କରନ୍ତି – ସେମାନେ ହେଉଛନ୍ତି ସେହି ଅଞ୍ଚଳର ସୁରକ୍ଷାକର୍ତ୍ତା । ଏଠାରେ ଥିବା ଗଛମାନେ କେବଳ ମାତ୍ର କାଠଖଣ୍ଡ ନୁହେଁ, ଯାହାକୁ କଟାଯିବ; ବରଂ ସେମାନେ ପରିବାର ସଦସ୍ୟ ପରି, ଯିଏ ଏବେକାର ପିଢ଼ି ଓ ପୂର୍ବଜମାନଙ୍କ ମଧ୍ୟରେ ଯୋଗସୂତ୍ର ହୋଇ ରହିଥାନ୍ତି ।

ଗାଁର ପୂଜାରୀଙ୍କ ଆନୁଷ୍ଠାନିକ ଅନୁମତି ବିନା କୌଣସି ଗଛ କଟାଯାଇ ପାରିବ ନାହିଁ  । ବିଶ୍ୱାସର ଏହି ଦୃଢ଼ତା ଗ୍ରାମବାସୀ ଓ ଜଙ୍ଗଲ ମଧ୍ୟରେ ଥିବା ଏକ ଜୀବନ୍ତ ସମ୍ପର୍କରୁ ଆସିଥାଏ,ନା କି ସରକାରୀ ନିୟମରୁ  । ପରିବେଶ ସମୃଦ୍ଧିରେ ଯୋଗଦାନ କରି, ଏହି ଉଦ୍ୟାନ ଜଙ୍ଗଲର ପୁରାତନ ବୃକ୍ଷସମୂହକୁ ସୁରକ୍ଷା ଦେଇଥାଏ ଏବଂ ପରିବେଶ ନଷ୍ଟ ହୋଇଥିବା ଅଞ୍ଚଳରେ ଜୈବବିବିଧତାର ଏକ ଭଣ୍ଡାର ଭାବେ କାମ କରିଥାଏ । କୋରାପୁଟ, କେନ୍ଦୁଝର, କଳାହାଣ୍ଡି ଓ ମୟୂରଭଞ୍ଜରେ ଏହି ପ୍ରଚଳନ ବିଶେଷ ଭାବେ ଦେଖିବାକୁ ମିଳେ । ଏହା ସମ୍ମାନ, ପାରସ୍ପରିକ ସମ୍ପର୍କ ଓ ପ୍ରକୃତି ସହ ଗଭୀର ଯୋଗାଯୋଗ ଉପରେ ଆଧାରିତ ସଂରକ୍ଷଣକୁ ପ୍ରଦର୍ଶନ କରୁଛି ।

ଗୋଷ୍ଠୀ ପରମ୍ପରା ଓ ପରିଚାଳନା: ପହରା, ନିରୀକ୍ଷଣ ଓ ପ୍ରବର୍ତ୍ତନ

ଗୋଷ୍ଠୀ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ଷେତ୍ରର ମୂଳଭାଗରେ ରହିଛି ଠେଙ୍ଗାପାଳି ପଦ୍ଧତି – ଯାହା ଏକ ଅନ୍ତର୍ଭୁକ୍ତି ଓ ସହଭାଗୀ ଜଙ୍ଗଲ ପହରା ଓ ସୁରକ୍ଷା କୌଶଳ । ଠେଙ୍ଗାପାଳି ଅନୁସାରେ, ପ୍ରତ୍ୟେକ ଦିନ ଗୋଟିଏ ନିର୍ଦ୍ଦିଷ୍ଟ ପରିବାରର ଲୋକେ ପାଳିକ୍ରମରେ ଏବଂ କଡ଼ାକଡ଼ି ଭାବରେ ଗୋଷ୍ଠୀ ଜଙ୍ଗଲ ଅଞ୍ଚଳର ପହରା ଦେବେ । ପ୍ରତ୍ୟେକ ଜଗୁଆଳି ହାତରେ କାଠର ବାଡ଼ି ଧରିବେ, ଯାହାକୁ ଠେଙ୍ଗା କୁହାଯାଏ । ଏହା କର୍ତ୍ତୃତ୍ୱ ଓ କର୍ତ୍ତବ୍ୟର ପ୍ରତୀକ । ପ୍ରତ୍ୟେକ ପାଳି ପରେ ସେହି ଠେଙ୍ଗାକୁ ଅନ୍ୟ ଏକ ପରିବାରକୁ ପାଳି ଅନୁସାରେ  ହସ୍ତାନ୍ତର କରିଦିଆଯାଏ । ଏହା ତଦାରଖ ଓ ଜଗାରଖାର ଏକ ନିରବଚ୍ଛିନ୍ନ ଚକ୍ର ଭାବେ କାମ କରେ । ଏହା ସାମୂହିକ ଚୁକ୍ତିର ଏକ ଦୈନିକ ନିର୍ବାହ – ଯେଉଁ ପ୍ରକୃତି ଉପରେ ସମ୍ପ୍ରଦାୟମାନେ ନିର୍ଭର କରନ୍ତି, ତାହା ସେମାନଙ୍କର ଦାୟିତ୍ୱ ଓ ସମ୍ପର୍କର ଚିହ୍ନ । ଗୁଣ୍ଡୁରିବାଡି (ନୟାଗଡ଼ ଜିଲ୍ଲା)ରେ, ଠେଙ୍ଗା ପାଇଁ ଦୁଇ ପ୍ରକାରର ବାଡ଼ି ବ୍ୟବହୃତ ହୁଏ – ଖେସ୍ରା ଜଙ୍ଗଲ (ଗାଁ ଜଙ୍ଗଲ) ପାଇଁ ବାଉଁଶ ଓ ସଂରକ୍ଷିତ ଜଙ୍ଗଲ ପାଇଁ କାଠ – ଯାହା ପରିସ୍ଥିତି ଅନୁସାରେ ଅବଲମ୍ବନକୁ ଦର୍ଶାଉଛି ।

ଠେଙ୍ଗା କେବଳ ଏକ ବାଡ଼ି ନୁହେଁ । ଜଙ୍ଗଲ ସହିତ ବନବାସୀଙ୍କର ଥିବା ଚୁକ୍ତିର ଏକ ଦୈନନ୍ଦିନ ନବୀକରଣ ।

ଗୋଷ୍ଠୀଗୁଡ଼ିକ ନିରୀକ୍ଷଣ ଏବଂ ପ୍ରବର୍ତ୍ତନ ପାଇଁ ବିସ୍ତୁତ କାର୍ଯ୍ୟପନ୍ଥା ତିଆରି କରିଛନ୍ତି । କ’ଣ ସଂଗ୍ରହ କରାଯିବ, କେବେ, ଏବଂ କିଏ ସଂଗ୍ରହ କରିବ – ଏହାସହ ସବୁଜ ଗଛକଟା ଉପରେ କଟକଣା, ଗଣ୍ଡି ଚେର ଖୋଳା ନିଷେଧ, ସମୟ ନିର୍ଘଣ୍ଟରେ ଜାଳେଣିକାଠ ସଂଗ୍ରହ ଏବଂ କାଠକଟା ପୂର୍ବରୁ କମିଟିର ଅନୁମୋଦନ, ଏସବୁ ପରମ୍ପରାଗତ ନିୟମଗୁଡ଼ିକ ନିର୍ଦ୍ଦିଷ୍ଟ କରିଥାଏ । ଅଁଳା, ବଟ, ଅଶ୍ୱତ୍ଥ, ବେଲ, କେନ୍ଦୁ ଓ ନିମ୍ବ ଭଳି ପବିତ୍ର ବୃକ୍ଷଗୁଡ଼ିକ ସାଂସ୍କୃତିକ ସମ୍ମାନ ଜରିଆରେ ସୁରକ୍ଷା କରାଯାଉଛି । ଏହାର ସଂରକ୍ଷଣ ଜୀବନ୍ତ ପରିବେଶ ପ୍ରତି ସମୁଦାୟମାନଙ୍କର ନୈତିକ ଦାୟିତ୍ୱଠାରୁ ଭିନ୍ନ ନୁହେଁ ।

ଜଙ୍ଗଲରେ ନିଆଁ ଲଗାଇଲେ କିମ୍ୱା ଶିକାର କଲେ ୨୦,୦୦୦ ଟଙ୍କା ଜୋରିମାନା ଲାଗେ । ଆର୍ଥିକ ଭାବରେ ଦୁର୍ବଳ ଅଭିଯୁକ୍ତମାନଙ୍କ ପାଇଁ କମିଟି ଜୋରିମାନା ଛାଡ଼ କରିବାର ନିୟମ ରଖିଛି । ଜୋରିମାନାରୁ ଆସୁଥିବା ଆୟକୁ ଜଙ୍ଗଲର ରକ୍ଷଣାବେକ୍ଷଣରେ ବିନିଯୋଗ କରାଯାଏ ।

ଭାଗିଦାରୀ ଓ ନେତୃତ୍ୱ: ମହିଳା, ଯୁବକ ଏବଂ ଜ୍ଞାନ ସଂଚାର

ମହିଳାମାନେ ହେଉଛନ୍ତି ପରିବେଶଜନିତ ଜ୍ଞାନର ସୁରକ୍ଷାକର୍ତ୍ତା ଓ ଜଗୁଆଳି

ଆଦିବାସୀ ସମାଜରେ ମହିଳାମାନଙ୍କର ଜଙ୍ଗଲ ସହିତ ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି  । ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ , ଚିକିତ୍ସା ଜ୍ଞାନ , ପରିବେଶଗତ ଜ୍ଞାନର ବାହକ ଭାବରେ ଗଛର ନାମ , ଋତୁଚକ୍ରରେ ତାର ପରିବର୍ତ୍ତନ ଇତ୍ୟାଦି ମା ଠାରୁ ପିଲାଙ୍କ ନିକଟକୁ ପହଞ୍ଚିବାର ଏକ ମୌଖିକ ପରମ୍ପରା ରହିଛି  । ଏହି ସଂରକ୍ଷଣ ଏକ ଜୀବନ୍ତ ଧାରକ ଓ ନୈତିକ ଦାୟିତ୍ୱ ଅଟେ  । ଯେବେ ବି ଜଙ୍ଗଲରେ କିଛି ସଙ୍କଟ ଆସେ, ତେବେ ମହିଳା ମାନେ ହିଁ ଆତ୍ମୀୟତାର ସହିତ ସେମାନଙ୍କର ଅଛିଣ୍ଡା ସମ୍ପର୍କକୁ ନେଇ ଜଙ୍ଗଲ ସୁରକ୍ଷା ନିମନ୍ତେ ଆଗ ଧାଡିରେ ଛିଡ଼ା ହୁଅନ୍ତି  ।

ଉଦାହରଣ ସ୍ୱରୂପ, ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକରେ ଜଙ୍ଗଲ ପରିଚାଳନା କ୍ଷେତ୍ରକୁ ମହିଳାମାନଙ୍କର ପ୍ରବେଶ ଏକ ସମସ୍ୟାରୁ ହିଁ ଜନ୍ମ ନେଇଥିଲା । ୧୯୮୦ ଏବଂ ୧୯୯୦ ଦଶକରେ ଯେତେବେଳେ ପୁରୁଷ ସଦସ୍ୟମାନେ କାଠ ମାଫିଆଙ୍କ ହିଂସାର ଶିକାର ହେଉଥିଲେ, ସେହି ସମୟରେ ମହିଳାମାନେ ଆଗକୁ ଆସି ପହରା ଦାୟିତ୍ୱ ହାତକୁ ନେଲେ, ବିରୋଧୀମାନଙ୍କର ସାମ୍ନା କଲେ ଏବଂ ସେମାନେ ନିଜ ଅଧିକାରରେ ସୁରକ୍ଷା ବ୍ୟବସ୍ଥାର ପ୍ରବନ୍ଧନ କଲେ ।

ନୟାଗଡ଼ ଜିଲ୍ଲାର ଡେଙ୍ଗାଝରି ଗ୍ରାମରେ ବୁଧେଇ ବେୱା, ଜଣେ ବିଧବା ବୃଦ୍ଧା ଓ ଅନ୍ୟ ମହିଳାମାନେ ମିଶି ୨୦୦ ଜଣ ବେଆଇନ କାଠକଟାଳିଙ୍କ ପ୍ରତିରୋଧ କରିବା ସହ ସେମାନଙ୍କୁ ରୋକିଲେ ଏବଂ କଟା ହୋଇଥିବା କାଠସବୁକୁ ଉଦ୍ଧାର କରିବାର ସାହସ ଓ ନୈତିକ ଅଧିକାର ଦେଖାଇପାରିଲେ । ସେହି ମୁହୂର୍ତ୍ତରୁ ଡେଙ୍ଗାଝରୀ ଏବଂ ଗୁଣ୍ଡୁରିବାଡି ଗ୍ରାମର ମହିଳା ଓ ପରେ ନୟାଗଡ଼ ଜିଲ୍ଲାର ଅନ୍ୟ ଗ୍ରାମର ମହିଳାମାନେ ମଧ୍ୟ ଠେଙ୍ଗାପାଳି ପନ୍ଥା ଆପଣେଇଲେ, ଯେଉଁଥିରେ ପ୍ରତିଦିନ ଚାରି ଜଣ ମହିଳା ଜଗୁଆଳି ଭାବରେ ପହରା ଦେଉଥିଲେ । ଏହା ସହିତ ସେମାନେ ନିଜ ପାଇଁ ସାମୂହିକ ସାଧନ ନୀତି ତିଆରି କରୁଥିଲେ: କେବଳ ଜାଳେଣି ପାଇଁ ଶୁଖିଲା ଓ ଝଡ଼ି ପଡ଼ିଥିବା କାଠ, କୃଷିକାମ ପାଇଁ କାଠକୁ ବାଦ ଦେଲେ ବ୍ୟାବସାୟିକ କାଠକଟା ଓ ଶିକାରକୁ ସମ୍ପୂର୍ଣ୍ଣ ପ୍ରତିବନ୍ଧ କରାଗଲା । ଗୋଟିଏ ସମସ୍ୟାର ସାମ୍ନା କରିବା ଯାଇ ସମାଧାନ ପନ୍ଥା ଖୋଜିବାର ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ତାହା ଦୀର୍ଘକାଳୀନ ଆନୁଷ୍ଠାନିକ ଢାଞ୍ଚାରେ ପରିଣତ ହୋଇଗଲା ।

ଗୋଷ୍ଠୀ ଜଙ୍ଗଲ ପରିଚାଳନା (ସିଏଫ୍ଏମ୍) ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ସମିତି (ସିଏଫ୍ଆରଏମ୍‌ସି)ରେ ଭାଗିଦାରୀ

ମା’ ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ (ଏମ୍. ଏମ୍. ଜେ. ଏସ୍. ପି) ର ୧୯୯୮ ମସିହାରେ ଗଠନ କରାଗଲା, ଯାହା ରଣପୁରର ୨୦୭ଟି ଗ୍ରାମକୁ ଯୋଡ଼ିଥିଲା । ଏହି କ୍ରମରେ ଏକ ମହିଳା ସମିତି ମଧ୍ୟ ଗଠନ କରାଗଲା । ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ଉଚିତ୍ ଦର ଲାଗି ମୂଲଚାଲ ନିମନ୍ତେ ମହିଳାମାନଙ୍କୁ ସଂଗଠିତ କରିବା ଏବଂ ଜଙ୍ଗଲ ପରିଚାଳନା ଲାଗି ମହିଳାମାନଙ୍କ ସ୍ୱରକୁ ଶାଣିତ କରିବାରେ ଏହା ସହାୟକ ହେଲା । ଏବେ ୨୦୭ଟି ଗ୍ରାମରୁ ୯୫ଟି ଗ୍ରାମରେ ମହିଳାମାନେ ଜଙ୍ଗଲ ସୁରକ୍ଷାର ନେତୃତ୍ୱ ନେଉଛନ୍ତି । ରଣପୁରରେ ଥିବା ଗୋଷ୍ଠୀ ଜଙ୍ଗଲ ସମ୍ପଦ ପରିଚାଳନା ସମିତିଗୁଡ଼ିକରେ ଏ ଅଞ୍ଚଳର ୫୦ରୁ ୬୦ ପ୍ରତିଶତ ମହିଳାଙ୍କ ସଦସ୍ୟତା ରହିଲା । ଜଙ୍ଗଲ ଅଧିକାର ଆଇନର ସଂଶୋଧିତ ନିୟମାବଳୀ ୨୦୧୨ ଅଧୀନରେ ନିୟମ ୪(୧) (ଙ) ଅନୁସାରେ ଗଠିତ CFRMCରେ ଅତି କମରେ ଏକ ତୃତୀୟାଂଶ ମହିଳା ସଦସ୍ୟା ରହିବା ବାଧ୍ୟତାମୂଳକ, ତେବେ ଅଧ୍ୟୟନରୁ ଜଣାପଡ଼ିଛି ଯେ CFRMC ମହିଳାଙ୍କ ଅଂଶଗ୍ରହଣ ପଞ୍ଚାଶ ପ୍ରତିଶତରୁ ମଧ୍ୟ ଅଧିକ ଅଛି ଯାହା ଉତ୍ସାହଜନକ ।  ଯେଉଁ ମହିଳାମାନେ କେବେ ଗାଁ ଛାଡ଼ି କୁଆଡ଼େ ଯାଇନଥିଲେ, ସେମାନେ ଏବେ ଏମ୍.ଏମ୍.ଜେ.ଏସ୍.ପି.ରେ ଗୋଷ୍ଠୀକୁ ପ୍ରତିନିଧିତ୍ୱ କରୁଛନ୍ତି । ଗୋଷ୍ଠୀ ଅନ୍ତର୍ଭୁକ୍ତିରୁ ଆରମ୍ଭକରି ସେମାନେ ଏବେ ନିଷ୍ପତ୍ତି ନିର୍ଦ୍ଧାରଣକାରୀ ଭାବେ ପରିଚିତ ହେଉଛନ୍ତି । ମୟୂରଭଞ୍ଜର ଶିମିଳିପାଳରେ ସିଏଫ୍ଆର୍ ପରିଚାଳନା ସମିତି ଯେଉଁଥିରେ ଅତିକମ୍ରେ ୫୦ ପ୍ରତିଶତ ମହିଳା ଅଛନ୍ତି, ସେମାନେ ଏବେ ନିଜର ଗ୍ରାମସଭାର ଅନୁମୋଦନ କ୍ରମେ ପାରମ୍ପରିକ ପରିଚାଳନା ପଦ୍ଧତିକୁ ସମନ୍ୱିତ କରି ସଂରକ୍ଷଣ ଓ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । କଳାହାଣ୍ଡିରେ ସି.ଏଫ୍.ଆର.ଏମ୍.ସି.ରେ ମହିଳାମାନଙ୍କ ସକ୍ରିୟ ଭାଗିଦାରୀ ଜଙ୍ଗଲ ପରିଚାଳନାକୁ ଅଧିକ ଗଭୀର ଓ ସୁଦୃଢ଼ କରିପାରିଛି । ବାଉଁଶ ଓ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହର ତଦାରଖ ପାଇଁ ପରିଚାଳନା ପନ୍ଥା ପ୍ରସ୍ତୁତିଠାରୁ ଆରମ୍ଭ କରି ବେଆଇନ କାଠକଟାରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଠେଙ୍ଗାପାଳି ପହରା ପର୍ଯ୍ୟନ୍ତ ଦାୟିତ୍ୱ ସେମାନେ ସମ୍ପାଦନ କରୁଛନ୍ତି ।

ଜଙ୍ଗଲ ସଂରକ୍ଷଣରେ ମହିଳା ନେତୃତ୍ୱର ଅଭ୍ୟୁଦୟ ଓ ଯୁବଗୋଷ୍ଠୀର ପ୍ରାରମ୍ଭିକ ପ୍ରୟାସ

ପିଢ଼ି ପରେ ପିଢ଼ି ସଂରକ୍ଷଣର ସ୍ଥପତି ହେଉଛନ୍ତି ମହିଳା – ତାହାର ଏକ ଉଦାହରଣ ହେଉଛି ଡେଙ୍ଗାଝରିର ଜଙ୍ଗଲ କୁଟୀର । ୨୦୧୭ ମସିହାରେ ଗଠିତ ଏହି ଗୋଷ୍ଠୀ ପରିଚାଳିତ ଶିକ୍ଷାକେନ୍ଦ୍ର କୌଣସି କାଗଜପତ୍ରରେ ନୁହେଁ, ବରଂ କାହାଣୀ, ଗୀତ ମାଧ୍ୟମରେ ପରିବେଶଗତ ଜ୍ଞାନ ଓ ଧାରଣାର ପ୍ରସାର କରୁଥିଲା, ଯାହା ଆଦିବାସୀ ସମାଜରେ ପ୍ରଚଳିତ ଥିଲା । ୮୦ ବର୍ଷୀୟା ବୃଦ୍ଧା ଶଶୀ ପ୍ରଧାନ (ଶଶୀ ମାଉସୀ) ଜଙ୍ଗଲ ଧ୍ୱଂସ ହେବା ଓ ଏହାର ପୁନରୁଦ୍ଧାର କାହାଣୀ କୁହନ୍ତି, ଯେଉଁଥିରେ ପିଲାମାନେ ଗଛ, ଔଷଧୀୟ ଚାରା ଓ ପଶୁପକ୍ଷୀଙ୍କ ବ୍ୟବହାର ଶିକ୍ଷା କରନ୍ତି । ଅଧିକାର ସମ୍ପର୍କିତ ଧାରଣା ଓ ଶିକ୍ଷା ସହ ଜଙ୍ଗଲ ଅଧିକାର ଆଇନ ଓ ଜଙ୍ଗଲ ପରିଚାଳନା ସମ୍ପର୍କରେ ଗୋଷ୍ଠୀ ଆଲୋଚନା ଆୟୋଜନ କରି ଜଙ୍ଗଲ କୁଟୀର ଆହୁରି ବ୍ୟାପକ ଓ ସୁଦୂରପ୍ରସାରୀ ହୋଇପାରିଛି ।

ଯୁବ ସଚେତନତାର ଚେର ବହୁ ଗଭୀରକୁ ଛୁଏଁ । ଦଶମୌଜାର ରାମଚଣ୍ଡୀ ଯୁବକ ସଂଘ ୧୯୭୦ ଦଶକର ମଧ୍ୟଭାଗରେ ପହରା ଆରମ୍ଭ କରିଥିଲେ । ତାହା ଏକ ଉଦାହରଣ ପାଲଟିଗଲା । ୧୯୮୫ ବେଳକୁ ଏହି ସୁରକ୍ଷା ପହରା ୮୦ଟି ଗ୍ରାମକୁ ସଂପ୍ରସାରିତ ହୋଇଥିଲା । ସାଂସ୍କୃତିକ ପ୍ରଥାଗୁଡ଼ିକ ପିଢ଼ି-ପିଢି ଧରି ସଂରକ୍ଷଣ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦିଅନ୍ତି । ଯେମିତି ଶିଆଳି ପର୍ବ – ଯେଉଁଠାରେ ମହିଳାମାନେ ଶିଆଳି (ବାଉହିନିଆ ଭାହଲି) ଗଛକୁ ପୂଜା କରନ୍ତି । ଏହିସବୁ ଗ୍ରାମ୍ୟ ଜୀବନର ପର୍ବପର୍ବାଣି ପଞ୍ଜିକାରେ ସଂରକ୍ଷଣର ମୂଲ୍ୟବୋଧକୁ ଗୁନ୍ଥି ରଖିଥାଏ । ସମ୍ପ୍ରଦାୟ ଓ ଜଙ୍ଗଲ ମଧ୍ୟରେ ସମ୍ପର୍କକୁ କେବଳ ଆନୁଷ୍ଠାନିକ ବ୍ୟବସ୍ଥା ନୁହେଁ, ବରଂ ଜୀବନ୍ତ ପରମ୍ପରା ଭାବରେ ଏହା ପ୍ରତିଷ୍ଠା କରିଥାଏ ।

ଉପସଂହାର

ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ ହେଉଛି ଜଙ୍ଗଲର ଲୋକତାନ୍ତ୍ରିକ ପ୍ରବନ୍ଧନର କାହାଣୀ, ଯାହା ସ୍ୱୟଂକୃତ, ସ୍ଥାନୀୟ ଓ ତୃଣମୂଳସ୍ତରୀୟ, ପରିବେଶଗତ ଭାବରେ ପ୍ରଭାବଶାଳୀ ଏବଂ ସାଂସ୍କୃତିକ ଭାବରେ ଦୀର୍ଘସ୍ଥାୟୀ । ଏହା ସେଇ କାହାଣୀ ଯେଉଁଠାରେ ସବୁଠାରୁ ଅସୁରକ୍ଷିତ ବର୍ଗ ଭାବେ ବନବାସୀ ସମୁଦାୟ, ମହିଳା, ଯୁବ ଏବଂ ଆଦିବାସୀ ସମୁଦାୟ ଲୋକେ ସଂରକ୍ଷଣ ନୀତିର ଲାଭାର୍ଥୀ ଭାବରେ ନୁହେଁ, ବରଂ ତାହାର ପ୍ରଧାନ ନିର୍ମାତା ଓ ରକ୍ଷକ ଭାବରେ ଉଭା ହୁଅନ୍ତି । ଏହାର ମୁଖ୍ୟରେ ଏକ ଦୃଷ୍ଟିକୋଣ ରହିଛି, ଯାହାକୁ ପ୍ରଚଳିତ ପରିଚାଳନା ଏବେମାତ୍ର ସ୍ୱୀକାର କରିବା ଆରମ୍ଭ କରିଛି ଯେ ଜଙ୍ଗଲ କେବଳ ଦୂରରେ ଥିବା କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହେବାର ସାଧନ ନୁହେଁ, ବରଂ ଏକ ଜୀବନ୍ତ ପୃଥିବୀ, ଯାହା ଗୋଷ୍ଠୀ ଦ୍ୱାରା ସୁରକ୍ଷିତ ରହେ, ଯାହାର ପରିଚୟ, ଅସ୍ତିତ୍ୱ ଓ ନୈତିକ ଜୀବନ ସେମାନଙ୍କଠାରୁ ଅବିଚ୍ଛିନ୍ନ ।

ଏହି ପ୍ରୟାସଗୁଡ଼ିକର ଆନୁଷ୍ଠାନିକ ସୂକ୍ଷ୍ମତା ଯେପରି ପବିତ୍ର ଉଦ୍ୟାନ, ସିଏଫ୍ଏମ୍ ସମିତି, ସଂଗଠିତ ପରିଚାଳନା ମଣ୍ଡଳୀ, ମହିଳାଙ୍କ ନେତୃତ୍ୱରେ ପହରା, ପାରମ୍ପରିକ ଜ୍ଞାନର ସ୍ଥଳୀ – ଏହା ସେହି କଥନିକାଗୁଡ଼ିକୁ ଆହ୍ୱାନ ଦେଉଛି ଯାହା ସ୍ଥାନୀୟ ସମ୍ପ୍ରଦାୟମାନଙ୍କର ପରିସ୍ଥିତିଜନିତ ପତନର କାରଣ ରୂପେ ଦେଖାଯାଏ । ଓଡ଼ିଶାର ପ୍ରମାଣ ସ୍ପଷ୍ଟ, ଯେଉଁଠାରେ ସମ୍ପ୍ରଦାୟକୁ ସଶକ୍ତ କରାଯାଏ, ସେଠି ଜଙ୍ଗଲର ପୁନର୍ଜନନ ହୁଏ, ଜୈବବିବିଧତା ଫେରିଆସେ, ଜୀବିକାରେ ଉନ୍ନତି ହୁଏ ଓ ସାମାଜିକ ଅନୁଷ୍ଠାନ ଆହୁରି ଗଭୀର ଓ ଦୃଢ଼ତର ହୁଏ ।

ସଂରକ୍ଷଣ ନୀତି ପାଇଁ ଶିକ୍ଷା ସ୍ପଷ୍ଟ: ମୌଳିକ ସମୁଦାୟଗୁଡ଼ିକ ନେତୃତ୍ୱରେ ସଂରକ୍ଷଣ ଉପର ସ୍ତରରୁ ତିଆରି ହୋଇପାରିବ ନାହିଁ । ଗ୍ରାମବାସୀଙ୍କୁ କିମ୍ବା ସମୁଦାୟକୁ ପ୍ରଶାସନ, ମାଲିକାନା ଓ ଲାଭର କେନ୍ଦ୍ରରେ ରଖି ଏହାକୁ ସ୍ୱୀକୃତି ଦିଆଯିବା, ସମର୍ଥନ କରାଯିବା, ଓ ଆଇନଗତ ଭାବେ ସୁରକ୍ଷିତ କରାଯିବା ଦରକାର । ଆଦିବାସୀ ସମୁଦାୟ ପାଇଁ ଏହି ମାନ୍ୟତା କେବଳ ଏକ ଦାନ ନୁହେଁ, ଏହା ହେଉଛି ସେଇ ସମ୍ପର୍କର ପୁନଃସ୍ଥାପନା, ପ୍ରକୃତି ଓ ଜୀବନ୍ତ ପୃଥିବୀ ସହିତ, ଯାହାକୁ ଉପନିବେଶୀ ଓ ଉତ୍ତର-ଉପନିବେଶୀ ପ୍ରଶାସନ ପଦ୍ଧତି ଢାଞ୍ଚାଗତ ଭାବରେ ନଷ୍ଟ କରିଦେଇଥିଲା ।

Nivedita Panda
ନିବେଦିତା ପଣ୍ଡା
Team Leader, Research and Documentation Team at  |  + posts

ନିବେଦିତା ପଣ୍ଡା ଜଣେ ଗବେଷିକା। ସେ ବସୁନ୍ଧରାରେ ଜଙ୍ଗଲ ଅଧିକାର, ଜଙ୍ଗଲ ଶାସନ, ଜୈବ ବିବିଧତା ସଂରକ୍ଷଣ, ପରିବେଶଗତ ନ୍ୟାୟ ଏବଂ ସମ୍ପ୍ରଦାୟ-ଭିତ୍ତିକ ପ୍ରାକୃତିକ ସମ୍ପଦ ପରିଚାଳନା ଉପରେ କାର୍ଯ୍ୟ କରନ୍ତି।

ଭଲ ଲାଗି ପାରେ

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ: ଏହାର ପ୍ରକୃତ ଅର୍ଥ କ’ଣ ? ଏହାର ଅର୍ଥ ସୁନିଶ୍ଚିତ କରିବା ନୁହେଁ ଯେ , ଜଙ୍ଗଲରେ ଯାହାର ସଂରକ୍ଷଣ କରାଯିବ ତାହାର ଭୌତିକ...

read more

ସାମୂହିକ ଜଙ୍ଗଲ ସଂରକ୍ଷଣ: ପ୍ରକୃତି ସହିତ ଆତ୍ମୀକ ସମ୍ବନ୍ଧ ଓ ସହବିକାଶ

ଡକ୍ଟର ନୀରା ସିଂଙ୍କ ସହ ଆନ୍ତରିକ ବାର୍ତ୍ତାଳାପ ପ୍ରଶ୍ନ: ‘ବନବାରତା’ର ଚଳିତ ସଂସ୍କରଣ ଜଙ୍ଗଲର ଗୋଷ୍ଠୀ ସଂରକ୍ଷଣ ପଦକ୍ଷେପକୁ ବିଶେଷ ଗୁରୁତ୍ୱ...

read more
ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ

ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ

ଉପକ୍ରମ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର (କମ୍ୟୁନିଟି କନ୍ଜରଭଡ୍ ଏରିଆ-CCA) – ଏହି ଶବ୍ଦର ବ୍ୟବହାର କିଛି ଦଶକ ପୁରୁଣା ହୋଇପାରେ; କିନ୍ତୁ...

read more
ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ମହିଳା ନେତୃତ୍ୱାଧୀନ ଗୋଷ୍ଠୀ ସଂରକ୍ଷଣ ଅଭିଯାନ: ଜଙ୍ଗଲ ଉପରେ ନିର୍ଭରଶୀଳ ମହିଳାମାନେ କିପରି ଓଡ଼ିଶାରେ...

read more
ଗୋଷ୍ଠୀ ଜଙ୍ଗଲ ସଂରକ୍ଷଣ: ପ୍ରମୁଖ ଆହ୍ୱାନ ଏବଂ ଆଗକୁ ବଢ଼ିବାର ରାସ୍ତା

ଗୋଷ୍ଠୀ ଜଙ୍ଗଲ ସଂରକ୍ଷଣ: ପ୍ରମୁଖ ଆହ୍ୱାନ ଏବଂ ଆଗକୁ ବଢ଼ିବାର ରାସ୍ତା

୧. ଜୈବ ବିବିଧତା ଓ ଗୋଷ୍ଠୀ ସଂରକ୍ଷଣ                 ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା - ଜଙ୍ଗଲ ଅଧିକାର ଆଇନ ଧାରା ୩ (୧) (ଝ) ଅଧୀନରେ...

read more