୧. ଜୈବ ବିବିଧତା ଓ ଗୋଷ୍ଠୀ ସଂରକ୍ଷଣ
ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା – ଜଙ୍ଗଲ ଅଧିକାର ଆଇନ ଧାରା ୩ (୧) (ଝ) ଅଧୀନରେ ଗ୍ରାମସଭା ଦ୍ୱାରା ଜଙ୍ଗଲ ପରିସଂସ୍ଥାନର ସାମୂହିକ ସୁରକ୍ଷା, ପୁନର୍ଜନନ ଏବଂ ପରିଚାଳନା- ଏହା କେବଳ ମାତ୍ର ଏକ ଆଇନଗତ ଅଧିକାର ଅପେକ୍ଷା ଆହୁରି ଅଧିକ । ଏହା ସଂରକ୍ଷଣର ଏକ ସମୟ-ପରୀକ୍ଷିତ, ସହଭାଗୀ ପ୍ରକ୍ରିୟାର ନମୁନା ଯାହା ପରିବେଶଗତ ପାରମ୍ପରିକ ଜ୍ଞାନ, ଜଙ୍ଗଲ ପରିଚାଳନା ଏବଂ ଦୀର୍ଘକାଳୀନ ଜୀବିକାକୁ ସୁଦୃଢ କରେ । ଯେଉଁ ଅଞ୍ଚଳରେ ଗୋଷ୍ଠୀଗୁଡ଼ିକ ସେମାନଙ୍କର ଜଙ୍ଗଲକୁ ନିଜେ ପରିଚାଳନା କରିଛନ୍ତି, ସେଠାରେ ସକାରାତ୍ମକ ଫଳାଫଳ ସ୍ପଷ୍ଟ ଭାବରେ ଦେଖା ଦେଇଛି: ଜଙ୍ଗଲ ଅଧିକ ଘନ, ଜୈବ ବିବିଧତା ଅଧିକ ସମୃଦ୍ଧ, ଜବରଦଖଲ କମ୍ ଏବଂ ପରିବେଶ ସୁରକ୍ଷା ଅଧିକ ନିର୍ଭରଯୋଗ୍ୟ ଭାବରେ ହୋଇପାରିଛି ।
ଜଙ୍ଗଲ ଅଧିକାର ଆଇନ ୨୦୦୬, ବ୍ୟକ୍ତିଗତ ଜଙ୍ଗଲ ଅଧିକାର, ଗୋଷ୍ଠୀ ଅଧିକାର, ଏବଂ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ୱୀକୃତି ଦେଇ, ଶତାବ୍ଦୀର ଔପନିବେଶିକ ଅନ୍ୟାୟକୁ ପ୍ରତ୍ୟାହାର କରିବା ଏବଂ ଗ୍ରାମସଭାକୁ ଜଙ୍ଗଲ ପରିଚାଳନର ପ୍ରାଥମିକ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଭାବରେ କ୍ଷମତା ନ୍ୟସ୍ତ କରିବାର ସୁଯୋଗ ଦେଇଛି । ତଥାପି ଦୁଇ ଦଶନ୍ଧି ପରେ ମଧ୍ୟ, ଓଡ଼ିଶା, ଯାହାକୁ ପ୍ରାୟତଃ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟାକାରୀରେ ଅଗ୍ରଣୀ ଭାବରେ ବିବେଚନା କରାଯାଏ – ଓଡ଼ିଶାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରତିଶ୍ରୁତି ଏବଂ କାର୍ଯ୍ୟକାରୀତା ମଧ୍ୟରେ ଏକ ସ୍ପଷ୍ଟ ପାର୍ଥକ୍ୟ ଦେଖାଯାଏ । ଓଡ଼ିଶାରେ ସର୍ବନିମ୍ନ ୩୦.୨୬ ଲକ୍ଷ ହେକ୍ଟର ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରର ସମ୍ଭାବନା ଥିବା ସତ୍ତ୍ୱେ, ଆଜି ଯାଏ ମାତ୍ର ପ୍ରାୟ ୨.୦୩ ଲକ୍ଷ ହେକ୍ଟର (ମାତ୍ର ୬.୭%) ସ୍ୱୀକୃତି ପାଇଛି । ଏହି ପ୍ରବନ୍ଧଟିରେ ଏହି ପାର୍ଥକ୍ୟକୁ ବ୍ୟାଖ୍ୟା କରୁଥିବା ଏବଂ ଗୋଷ୍ଠୀ ସଂରକ୍ଷଣକୁ ଅଧିକ ବ୍ୟାପକ ଭାବରେ ଦୁର୍ବଳ କରୁଥିବା ପ୍ରକ୍ରିୟାଗତ, ଆନୁଷ୍ଠାନିକ, ପରିବେଶଗତ ଏବଂ ସାମାଜିକ-ଆର୍ଥିକ ବିପଦଗୁଡ଼ିକୁ ଆଲୋଚନା କରିବାର ଚେଷ୍ଟା କରାଯାଇଛି ।
୨. ଗୋଷ୍ଠୀ ଜଙ୍ଗଲ ଅଧିକାର ଏବଂ ଗ୍ରାମସଭା କ୍ଷମତାର ସୀମିତ ସ୍ୱୀକୃତି
୨.୧ ସୀମିତ ଗୋଷ୍ଠୀ ଜଙ୍ଗଲ ଅଧିକାର ସ୍ୱୀକୃତି
ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋଧିତ ନିୟମାବଳୀ ୨୦୧୨ ଅନୁଯାୟୀ, ଜିଲ୍ଲା ସ୍ତରୀୟ କମିଟିକୁ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ସମସ୍ତ ଗ୍ରାମରେ ଧାରା ୩(୧)(ଝ) ଓ ସଂଶୋଧିତ ନିୟମାବଳୀର ନିୟମ ୧୨ଖ (୩) ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେବା ନିଶ୍ଚିତ କରିବାର ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସ୍ତରୀୟ ତଦାରଖ କମିଟି ଏହାର କାର୍ଯ୍ୟକାରୀତାକୁ ତଦାରଖ କରିବା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କରିବା ପାଇଁ ନିୟମିତ ବୈଠକ କରିବା ଉଚିତ । ଏଗୁଡ଼ିକ କୌଣସି ଇଚ୍ଛାକୃତ ନିର୍ଦ୍ଦେଶାବଳୀ ନୁହେଁ; ଏଗୁଡ଼ିକ ଆଇନଗତ ପ୍ରକ୍ରିୟା ।
ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନରେ ପ୍ରଦତ୍ତ ଏହି ଆଇନଗତ ଦାୟିତ୍ୱଗୁଡିକ କାର୍ଯ୍ୟକାରୀ ହେବାରେ ନିୟମିତ ପାର୍ଥକ୍ୟ ଦେଖା ଦେଇଛିି । କେବଳ ମୟୂରଭଞ୍ଜ ଏବଂ କନ୍ଧମାଳରେ ଗୋଷ୍ଠୀ ଜଙ୍ଗଲ ଅଧିକାରର ମାନ୍ୟତାକୁ ସଂଖ୍ୟାରେ କିଛିକାଂଶରେ ହାସଲ ହୋଇଥିବା ସ୍ଥଳେ କେନ୍ଦୁଝର, ରାୟଗଡ଼ା ଏବଂ ସମ୍ବଲପୁରରେ ଅତି କମ କାର୍ଯ୍ୟକାରୀ ହୋଇଛି । ବାକି ୨୪ କିମ୍ବା ତା‘ଠାରୁ ଅଧିକ ଜିଲ୍ଲାରେ, ଗ୍ରାମସଭା ଦ୍ୱାରା ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହଯୋଗରେ ଦାବି ଦାଖଲ କରାଯିବା ସତ୍ତେ୍ୱ, ଗୋଷ୍ଠୀ ଜଙ୍ଗଲ ଅଧିକାର ମାନ୍ୟତା ପ୍ରକ୍ରିୟା ପ୍ରାୟତଃ ତ୍ୱରାନ୍ୱିତ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ନିଜସ୍ୱ ତଥ୍ୟ ଅନୁଯାୟୀ ରାଜ୍ୟବ୍ୟାପୀ ୧୩,୦୫୫ ରୁ ଅଧିକ ଜଙ୍ଗଲ ଅଧିକାର ଦାବି ବିଚାରାଧୀନ ରହିଛି ।
୨.୨ ଆନୁଷ୍ଠାନିକ ବାଧା
ଏକକ ବୃହତ୍ତମ ଆନୁଷ୍ଠାନିକ ବାଧା ହେଉଛି ରାଜ୍ୟ ବନବିଭାଗ ଦ୍ୱାରା ଅସହଯୋଗ ଏବଂ ସକ୍ରିୟ ଅବରୋଧ । ବନ ଅଧିକାରୀମାନେ ନିୟମିତ ଭାବରେ ଜଙ୍ଗଲ ଅଧିକାର ଆଇନର ଧାରା ଓ ପ୍ରାବଧାନ ସହିତ ପରିଚିତ ନଥିବା କାରଣରୁ ଗୋଷ୍ଠୀ ଜଙ୍ଗଲ ଅଧିକାର ଦାବିର ବିରୋଧ କରନ୍ତି – GPS-ଆଧାରିତ ମ୍ୟାପିଂ ଉପରେ ସେମାନେ ଜୋର ଦିଅନ୍ତି, କିମ୍ବା ଯୁକ୍ତି ଦିଅନ୍ତି ଯେ ବନ ସୁରକ୍ଷା ସମିତି (VSS) ଥିବା ଗାଁଗୁଡିକରେ ଗୋଷ୍ଠୀଗୁଡ଼ିକ ଗୋଷ୍ଠୀ ଜଙ୍ଗଲ ଅଧିକାର ପୂର୍ବରୁ ପାଇଛନ୍ତି, ତେଣୁ ସେମାନେ ଗୋଷ୍ଠୀ ଅଧିକାର ଦାବି କରିବା ଆବଶ୍ୟକ ନାହିଁ । ବାଲେଶ୍ୱରର ନୀଳଗିରି ଉପଖଣ୍ଡରେ, ପ୍ରାୟ ୯୦ ଟି ଗ୍ରାମସଭା ଦାବିକୁ ଉପଖଣ୍ଡ ସ୍ତରୀୟ କମିଟି (SDLC) ରେ ବନ ବିଭାଗ ଆପତ୍ତି ଦ୍ୱାରା ବହୁ ବର୍ଷ ଧରି ନିଷ୍ପତ୍ତି ନ ହୋଇ ରହିଯାଇଛି, ଯାହାର ଆଇନ କିମ୍ବା ନିୟମ ଅନୁଯାୟୀ କୌଣସି ଆଇନଗତ ଆଧାର ନାହିଁ ।
ଏହା ଆହୁରି ଜଟିଳ ହୋଇଛି ସେତେବେଳେ – ଯେତେବେଳେ CAMPA ଏବଂ ଓଡ଼ିଶା ବନକ୍ଷେତ୍ର ଉନ୍ନୟନ ସମିତି (OFSDS) କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ଆମ ଜଙ୍ଗଲ ଯୋଜନା (AJY) ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ସହିତ ସିଧାସଳଖ ତୁଳନା କରି ଯୁଗ୍ମ ବନ ପରିଚାଳନା କମିଟି ଏବଂ ଜଙ୍ଗଲ ସୁରକ୍ଷା ଏବଂ ପୁନରୁତ୍ଥାନ ପାଇଁ ଅଣୁ-ଯୋଜନା ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାର କରାଯାଇଛି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ଏହାର ହସ୍ତକ୍ଷେପ କରି ଆମ ଜଙ୍ଗଲ ଯୋଜନା କାର୍ଯ୍ୟକାରୀତାକୁ ସମୀକ୍ଷା କରିବା ପାଇଁ ଓଡ଼ିଶାକୁ ନିର୍ଦ୍ଦେଶ ଦେବାକୁ ପଡ଼ିଛି – ଏହି ଘଟଣା ଜଙ୍ଗଲ ବିଭାଗ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ଅଧିକାର ମଧ୍ୟରେ ବିରୋଧାଭାସ ସୃଷ୍ଟି କରିଛି ।
୨.୩ ପ୍ରକ୍ରିୟାଗତ ଭ୍ରମ ଏବଂ ତଥ୍ୟ ବିକୃତି
ସଂଶୋଧିତ ନିୟମାବଳୀର ନିୟମ ୧୨ (କ) ରେ ସ୍ପଷ୍ଟ ଭାବେ କେବଳ ବୈଷୟିକ କିମ୍ବା ପ୍ରକ୍ରିୟାଗତ ଆଧାରରେ ଦାବି ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ଜିଲ୍ଲା ସ୍ତରୀୟ କମିଟି କିମ୍ବା ଉପଖଣ୍ଡ ସ୍ତରୀୟ କମିଟି ଗ୍ରାମସଭାର ଦାବି ଓ ପ୍ରସ୍ତାବଗୁଡ଼ିକୁ ପରିବର୍ତ୍ତନ କିମ୍ବା ପ୍ରତ୍ୟାଖ୍ୟାନ କଲେ ତାହାର ବିସ୍ତୃତ ଲିଖିତ କାରଣ ଦାବିଦାର କିମ୍ବା ଗ୍ରାମସଭାକୁ ଜଣାଇବେ । ବାସ୍ତବରେ, ଅନେକ ଦାବି ନାକଚ କୌଣସି ଯୁକ୍ତି ବହନ କରେ ନାହିଁ, ଦାବିଦାର କିମ୍ବା ଗ୍ରାମସଭାକୁ ଲିଖିତ ଭାବରେ ପଠାଯାଏ ନାହିଁ, ଏବଂ ଛୋଟ ଛୋଟ ଡକ୍ୟୁମେଣ୍ଟାରୀ ପ୍ରମାଣ ଦାବି କରାଯାଇ ଦାବି ନାକଚ ହୋଇଥାଏ । କିନ୍ତୁ ବହୁ ସମୟରେ ମୌଖିକ ସାକ୍ଷ୍ୟ, ବଂଶାବଳୀ ତଥ୍ୟ, ଭୌତିକ ପ୍ରମାଣ ଏବଂ ବୟସ୍କ ବ୍ୟକ୍ତିଙ୍କ ବୟାନକୁ ଅଣଦେଖା କରାଯାଇଛି – ଯେଉଁଗୁଡିକ ଜଙ୍ଗଲ ଅଧିକାର ସଂଶୋଧିତ ନିୟମାବଳୀର ନିୟମ ୧୩ ଅନୁଯାୟୀ ଆଇନଗତ ଭାବରେ ବୈଧ ।
ଏହା ସହିତ, ରାଜ୍ୟସ୍ତରୀୟ ମାସିକ ରିପୋର୍ଟଗୁଡ଼ିକରେ ଗୋଷ୍ଠୀ ଅଧିକାର (CR) ଏବଂ ଗୋଷ୍ଠୀଗତ ସମ୍ବଳ ଅଧିକାର (CFR) ତଥ୍ୟକୁ ମିଶେଇ କରି ଉପସ୍ଥାପନ କରାଯାଏ, ଯାହାଦ୍ୱାରା ଗୋଷ୍ଠୀଗତ ସମ୍ବଳ ଅଧିକାର (CFR) ର ନିର୍ଦ୍ଦିଷ୍ଟ ସ୍ଥିତି ମୂଲ୍ୟାଙ୍କନ କରିବା ଅସମ୍ଭବ ହୋଇଥାଏ । କେତେକ ଜିଲ୍ଲାରେ, ଗ୍ରାମସଭା ବଦଳରେ ବନ ସୁରକ୍ଷା ସମିତି (VSS) ଗୁଡିକ ନାମରେ ଗୋଷ୍ଠୀଗତ ଅଧିକାର ସ୍ୱିକୃତିପତ୍ର ଜାରି କରାଯାଇଛି – ଏହା ଜଙ୍ଗଲ ଅଧିକାର ଆଇନର ଏକ ସ୍ପଷ୍ଟ ଉଲ୍ଲଂଘନ, ଯାହାକୁ ପୂର୍ବରୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ ସୂଚିତ କରିଛି ।
୩. ପୁନର୍ବାସ, ଜଙ୍ଗଲ କଟା, ଜବରଦଖଲ, ଏବଂ ପରିବେଶଗତ ବିପଦ
୩.୧ ଜଙ୍ଗଲକୁ ଅଣଜଙ୍ଗଲ ବ୍ୟବହାର ପାଇଁ କିସମ ପରିବର୍ତ୍ତନ
ଜଙ୍ଗଲ ଅଧିକାର ଆଇନର ଧାରା ୫ ରେ ଗ୍ରାମସଭାଗୁଡ଼ିକୁ ଜଙ୍ଗଲ ଏବଂ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ କ୍ଷମତା ପ୍ରଦାନ କରାଯାଇଛି, ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିୟମଗିରି ରାୟ ଓ ଆଦିବାସୀ ମନ୍ତ୍ରାଳୟର ନିର୍ଦ୍ଦେଶବଳୀ ଅନୁସାରେ ବନ୍ୟପ୍ରାଣୀ ବାସସ୍ଥାନ (Critical Wildlife Habitat) ର ପୁନଃସ୍ଥାପନ ପୂର୍ବରୁ ସେମାନଙ୍କର ମୁକ୍ତ, ପୂର୍ବ ଏବଂ ସୂଚିତ ସମ୍ମତି (EPIC) ନେବା ଆବଶ୍ୟକ ରହିଛି । ଏହା ସତ୍ତ୍ୱେ, ସମଗ୍ର ଓଡ଼ିଶାରେ ପ୍ରକୃତ ଗ୍ରାମସଭାର ପରାମର୍ଶ ବିନା ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ, ରାଜପଥ, ଶିଳ୍ପ କରିଡର ଏବଂ କ୍ଷତିପୂରଣ ବନୀକରଣ ପାଇଁ ପରିବର୍ତ୍ତନର ପ୍ରସ୍ତାବିତ କରାଯାଇଛି । କେତେକ ସ୍ଥାନରେ ନକଲି ଗ୍ରାମସଭାର ବିବରଣୀ ପ୍ରସ୍ତୁତ କରାଯାଇଥିବା ମାମଲା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦୃଷ୍ଟିକୁ ଅଣାଯାଇଥିଲା ।
୩.୨ ଅନୈତିକ ଶିକାର ଏବଂ ଜଙ୍ଗଲ ଅବକ୍ଷୟ
ଯେଉଁ ଅଞ୍ଚଳରେ ଗୋଷ୍ଠୀ ଜଙ୍ଗଲ ଅଧିକାର ସ୍ୱୀକୃତି ମିଳିନାହିଁ, ସେଠାରେ ଗୋଷ୍ଠୀଗୁଡ଼ିକର ବାହାର ଲୋକଙ୍କୁ ଜଙ୍ଗଲ କାଟିବାକୁ ବାଧା ଦେବା, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାର ନିୟନ୍ତ୍ରଣ କରିବା କିମ୍ବା ସଂରକ୍ଷଣ ମାନଦଣ୍ଡ ଲାଗୁ କରିବାର ଆଇନଗତ ସ୍ଥିତି ନାହିଁ । ଫଳସ୍ୱରୂପ ଅହେତୁକ ଶିକାର, କାଠ ଏବଂ ଅଣ-କାଠ ଜଙ୍ଗଲ ଉତ୍ପାଦ (NTFP)ର ଅବୈଧ ନିଷ୍କାସନ ଏବଂ ବାହାର ଲୋକଙ୍କ ଦ୍ୱାରା ଜବରଦଖଲ ତ୍ୱରାନ୍ୱିତ ହେଉଛି । ନାଗଐରି (Lantana Camara) ପରି ଦ୍ରୁତ ଗତିରେ ବ୍ୟାପିଯିବା ଗୁଳ୍ମ ପ୍ରଜାତି ଗୁଡିକ ଅପରିଚାଳିତ ଜଙ୍ଗଲ ଅଞ୍ଚଳରେ ବ୍ୟାପି ଯାଇଛ । ଏହା ପରିସଂସ୍ଥାନକୁ ଖରାପ ପ୍ରଭାବ ପକାଇଛି, ସ୍ଥାନୀୟ ପ୍ରଜାତିର ପୁନର୍ଜନନକୁ ଦମନ କରିଛି ଏବଂ ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାରକୁ ବାଧା ପହଞ୍ଚାଇଛି ।
ଅନ୍ୟ ପକ୍ଷରେ, ସ୍ୱୀକୃତିପ୍ରାପ୍ତ ଗୋଷ୍ଠୀ ଜଙ୍ଗଲ ଅଧିକାର ଥିବା ଗୋଷ୍ଠୀଗୁଡ଼ିକ – ଯେପରି ନୟାଗଡ ଏବଂ କନ୍ଧମାଳର କିଛି ଅଞ୍ଚଳରେ ପ୍ରମାଣିତ – ଏକ ସାମଗ୍ରିକ ଅଞ୍ଚଳରେ ଜଙ୍ଗଲ ପରିଚାଳନା ସମ୍ଭବ କରିବା, ଗୋଚାରଣକୁ ସୂଚାରୁ ରୂପେ ପରିଚାଳନା କରିବା, ଜଙ୍ଗଲକୁ ଜଗାରଖାରେ ସଂଗଠିତ କରିବା ଏବଂ ଜୈବ ବିବିଧତାର ଉତ୍ସକୁ ଦସ୍ତାବିଜ କରିବାରେ ସକ୍ଷମ ହୋଇଛନ୍ତି । ଗୋଷ୍ଠୀ ଜଙ୍ଗଲ ଅଧିକାରର ସ୍ୱୀକୃତି ଓ କ୍ଷେତ୍ର ସ୍ତରରେ ସିଧାସଳଖ ଜଙ୍ଗଲ ପରିଚାଳନା ଓ ସଂରକ୍ଷଣ ଏହି ପାର୍ଥକ୍ୟକୁ ପ୍ରତିଫଳିତ କରିଛି ।
୪. ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତାର ଅବକ୍ଷୟ ଏବଂ ଜଙ୍ଗଲ ପାରିସଂସ୍ଥାନର କ୍ଷୀଣତା
ଜଙ୍ଗଲ ପରିଚାଳନାର ବିଫଳତା ଉତ୍ତାରୁ ଜଳବାୟୁ ପରିବର୍ତ୍ତନ ଏକ ବିପଦ ଭାବରେ ଉଭା ହେଉଛି । ବର୍ଦ୍ଧିତ ତାପମାତ୍ରା, ଅନିୟମିତ ମୌସୁମୀ ଏବଂ ଅସମୟ ବର୍ଷାର ବର୍ଦ୍ଧିତ ପୁନରାବୃତ୍ତି ଭାରତର ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲରେ ଅଗ୍ନି ସଂଯୋଗର ସମ୍ଭାବନାକୁ ବଢାଇ ଦେଉଛି । ଓଡ଼ିଶାର ଜଙ୍ଗଲରେ ଗ୍ରାମସଭାର ସଦସ୍ୟମାନେ ଏବଂ ବନ ଅଧିକାରୀମାନେ ଜଙ୍ଗଲ ନିଆଁର ପୁନରାବୃତ୍ତି ଏବଂ ତୀବ୍ରତାରେ ବୃଦ୍ଧି ହେଉଥିବା ସୂଚନା ଦିଅନ୍ତି । ଗୋଷ୍ଠୀ ଆଧାରିତ ଅଗ୍ନି ପରିଚାଳନା ତଥା ଅଗ୍ନି ରେଖା, ଋତୁକାଳୀନ ପବନକୁ ନିୟନ୍ତ୍ରଣ କରିବା ଏବଂ ଶୁଖିଲା କାଠ ସଂଗ୍ରହ ପଦ୍ଧତିର ପାରମ୍ପରିକ ସ୍ଥାନୀୟ ଜ୍ଞାନ ସହିତ ବନାଗ୍ନିକୁ ହ୍ରାସ କରିବା ପାଇଁ ଗୋଷ୍ଠୀ ପାଖରେ ଅନନ୍ୟ ଉପାୟ ରହିଛି । ତଥାପି, ଗୋଷ୍ଠୀଗତ ଜଙ୍ଗଲ ଅଧିକାରର ସ୍ୱୀକୃତି ବିନା ଗୋଷ୍ଠୀଗୁଡ଼ିକ ଆଇନଗତ ଭାବରେ ନିୟନ୍ତ୍ରିତ ଜଙ୍ଗଲ ନିଆଁର ନିୟନ୍ତ୍ରଣ ଉପାୟକୁ ଅବଲମ୍ବନ କରିପାରିବା କିମ୍ବା ନିଆଁ ଲାଗିଥିବା ଅଞ୍ଚଳକୁ ପରିଚାଳନା କରିପାରିବା ହୁଏତ ସମ୍ଭବ ହୋଇ ନପାରେ । ତେଣୁ ଗୋଷ୍ଠୀ ଜଙ୍ଗଲ ପରିଚାଳନାର ଅଧିକାରକୁ ସ୍ୱୀକୃତିର ଅଭାବ ଜଙ୍ଗଲର ଜୈବ ବିବିଧତାକୁ ଅଧିକ ଦୁର୍ବଳ କରିଦେଉଛି ।
ଜଳବାୟୁ ପରିବର୍ତ୍ତନ ହେତୁ ଭାରତୀୟ ଜଙ୍ଗଲରେ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ପରିବର୍ତ୍ତନ ସ୍ପଷ୍ଟ ଦେଖାଗଲାଣି । ଆର୍ଥିକ ଏବଂ ପରିବେଶଗତ ଗୁରୁତ୍ୱ ବହନ କରୁଥିବା ପ୍ରଜାତି ତଥା ଶାଳ (ଶୋରିଆ ରୋବଷ୍ଟା), ମହୁଲ (ମଧୁକା ଲଙ୍ଗିଫୋଲିଆ) ଏବଂ କେନ୍ଦୁ (ଡାୟୋସ୍ପାଇରୋସ୍ ମେଲାନୋକ୍ସିଲନ୍), ଇତ୍ୟାଦିର ଫୁଲ ଧରିବା ସମୟ ପରିବର୍ତ୍ତିତ ହେଉଛି ଏବଂ ଫଳ ଧରିବାର ପରିମାଣ ହ୍ରାସ ପାଉଥିବାର ପରିଲକ୍ଷିତ ହେଲାଣି । ଜଙ୍ଗଲ ଉପରେ ନିର୍ଭରଶୀଳ ଗୋଷ୍ଠୀ ପାଇଁ ଏହା ସିଧାସଳଖ ଖାଦ୍ୟ ଏବଂ ଆୟ ସୁରକ୍ଷାରେ ପ୍ରଭାବ ପକାଏ । ଜୈବ ବିବିଧତା ଓ ପରିସଂସ୍ଥାନ ପାଇଁ ଏହା ଜଙ୍ଗଲ ପୁନର୍ଜନନକୁ ବଜାୟ ରଖୁଥିବା ପରାଗ ଏବଂ ବିହନ ବିସ୍ତାର ପ୍ରକ୍ରିୟାକୁ ବିପଦରେ ପକାଇଥାଏ ।
ଜୈବ ବିବିଧତାର ସୁରକ୍ଷା ଓ ଜଙ୍ଗଲର ସୁପରିଚାଳନା ଦୁଇଟି ଯାକ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଓଡ଼ିଶାରେ ବାସ୍ତବ ଗୋଷ୍ଠୀଗତ ସୁରକ୍ଷା ଓ ପରିଚାଳନା ଅଧୀନରେ ଥିବା ଜଙ୍ଗଲ – କଳାହାଣ୍ଡିର ଜାମୁଗୁଡ଼ା ସମେତ ଅନେକ ଗ୍ରାମ ଗୋଷ୍ଠୀ ଏବଂ ନୟାଗଡର ଡେଙ୍ଗାଝରୀ ଭଳି ଗ୍ରାମ ସମେତ – ଜଙ୍ଗଲରେ ଘନତା, ପଶୁପକ୍ଷୀର ବିବିଧତା ଏବଂ ବନଜାତ ଦ୍ରବ୍ୟ ଉତ୍ପାଦକତାରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଦେଇଛି । ଅନ୍ୟ ପକ୍ଷରେ କେବଳ ଆନୁଷ୍ଠାନିକ ରାଜ୍ୟ ପରିଚାଳନା ଅଧୀନରେ ଥିବା ଜଙ୍ଗଲଗୁଡ଼ିକ ଅବକ୍ଷୟ ହେବାରେ ଲାଗିଛି । ତେଣୁ ଗୋଷ୍ଠୀ ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଏବଂ ସମର୍ଥନ କରିବା ଉଭୟ ଜଳବାୟୁ ଅନୁକୂଳନ ଏବଂ ପ୍ରଶମନ ରଣନୀତି ତିଆରି କରେ, କାରଣ ଗୋଷ୍ଠୀ ସଂରକ୍ଷଣ ପ୍ରୟାସ ନୂଆ ଜଙ୍ଗଲ ସୃଷ୍ଟି କରିବା ସହିତ ପରିବେଶର ସୁରକ୍ଷାକୁ ବଜାୟ ରଖିଥାଏ ।
୫. ଆନୁଷ୍ଠାନିକ ଓ ପରିଚାଳନାଗତ ଦ୍ୱନ୍ଦ୍ୱ
୫.୧ ସାଙ୍ଗଠନିକ କ୍ଷମତାର ଅସମାନତା
ଜଙ୍ଗଲ ଅଧିକାର ଆଇନ ଅଧୀନରେ ଯେଉଁ ଅନୁଷ୍ଠାନ ଗୁଡିକ ଅଛି ତାହାର ଗଠନ ଏହି ପ୍ରକାର- ଗ୍ରାମ ସ୍ତରରେ ଗ୍ରାମସଭା ଏବଂ ଗ୍ରାମସଭାକୁ ସହଯୋଗ କରିବା ପାଇଁ ଜଙ୍ଗଲ ଅଧିକାର କମିଟି- ଉପଖଣ୍ଡ ସ୍ତରରେ ଉପଖଣ୍ଡ ସ୍ତରୀୟ କମିଟି ଏବଂ ତା’ ଉପରେ ଜିଲ୍ଲା ସ୍ତରରେ ଜିଲ୍ଲା ସ୍ତରୀୟ କମିଟି । ଏହି କମିଟି ଗୁଡିକ ଏପରି ଗଠନ କରାଯାଇଛି ଯେ ଯେପରି ଗୋଷ୍ଠୀର ଭାଗିଦାରୀ ସବୁଠି ଠିକ ଭାବରେ ରହିବ ଏବଂ ଜଙ୍ଗଲ ଅଧିକାର ଦାବିର ଯାଞ୍ଚ ସମୟରେ ଗୋଷ୍ଠୀର କର୍ତ୍ତୃତ୍ୱ ସଠିକ ଭାବରେ କେନ୍ଦ୍ରିତ ହୋଇପାରିବ । ୨୦୧୨ ସଂଶୋଧିତ ନିୟମାବଳୀରେ ଗ୍ରାମସଭାର ବହୁମତ (ନିୟମ ୪ (୨)) ଆବଶ୍ୟକତା, ମହିଳା ଅଂଶଗ୍ରହଣକୁ ବାଧ୍ୟତାମୂଳକ (ସର୍ବନିମ୍ନ ଏକ ତୃତୀୟାଂଶ) ଏବଂ ଗ୍ରାମସଭାରୁ ଉପଖଣ୍ଡ ସ୍ତରୀୟ କମିଟି ମଧ୍ୟରେ ଅନ୍ୟ କେହି ଅଧିକାରୀ ବା କମିଟି ଦାବି ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିପାରିବ ନାହିଁ ବୋଲି ନିଶ୍ଚିତ କରାଯାଇଛି । ଏହି ବ୍ୟବସ୍ଥାଗୁଡ଼ିକ ସାମୂହିକ ଭାବରେ ସ୍ଥାନୀୟ ଗୋଷ୍ଠୀର ଜ୍ଞାନକୌଶଳ ଏବଂ ପରିଚାଳନା ଅଧିକାରର ଏକ ଆନୁଷ୍ଠାନିକ ସ୍ୱୀକୃତି ଦେଇଛି । ଓଡ଼ିଶାର ଅନେକ ସ୍ଥାନରେ ଜଙ୍ଗଲ ଅଧିକାର କମିଟି ସଦସ୍ୟମାନେ କମିଟିରେ ସେମାନଙ୍କର ନିଜସ୍ୱ ସଦସ୍ୟତା ବିଷୟରେ ଅଜ୍ଞ – ଏହା ସମୁଦାୟଗୁଡ଼ିକୁ ପ୍ରଶାସନିକ ଭାବରେ ଉପେକ୍ଷା କରିବାର ଏକ ଲକ୍ଷଣ ।
ଅନ୍ୟ ଦିଗରେ, ଆଇନର କାର୍ଯ୍ୟାକାରିତାକୁ ପ୍ରକୃତରେ ଜଙ୍ଗଲ ଏବଂ ରାଜସ୍ୱ ବିଭାଗ ଦ୍ୱାରା ପରିଚାଳନା କରାଯାଇଛି । ଅନେକ ଜିଲ୍ଲାରେ, ନିୟମକୁ ଉଲ୍ଲଂଘନ କରି ଜିଲ୍ଲା ସ୍ତରୀୟ କମିଟିରେ ଏକାଧିକ ବନଖଣ୍ଡ ଅଧିକାରୀଙ୍କୁ ସ୍ଥାନ ଦିଆଯାଇଛି । କ୍ଷେତ୍ର ସ୍ତରରେ ମିଳିତ ଯାଞ୍ଚକୁ ବାଧା ପହଞ୍ଚାଉଥିବା ବନ ଅଧିକାରୀମାନେ (ନିୟମ ୧୨କ(୧) ଅନୁସାରେ ଯାଞ୍ଚ ପ୍ରକ୍ରିୟାରେ ଉପସ୍ଥିତ ରହିବା ଏବଂ ଯାଞ୍ଚ ବିବରଣୀରେ ସ୍ୱାକ୍ଷର କରିବା ଆବଶ୍ୟକତାର ବିପରୀତରେ କାର୍ଯ୍ୟ କରିବା) ପରବର୍ତ୍ତୀ ସମୟରେ ଦାବି ଗୁଡିକ ଉପରେ ଆପତ୍ତି ଉଠାଇଥାନ୍ତି, ଯାହା ଫଳରେ ଦାବିଗୁଡ଼ିକୁ ପୁନର୍ବାର ଗ୍ରାମସଭାକୁ ପଠା ଯାଇଥାଏ ଏବଂ ଏହାର ପରିଣାମ ସ୍ୱରୂପ ଦାବିଗୁଡିକ ବିଚାର ହୋଇ ନପାରି ବର୍ଷ ବର୍ଷ ଧରି ପଡି ରହିଥାଏ । ଆଇନକୁ ଉଚିତ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ବିନା ଏହି ପ୍ରକ୍ରିୟାଗତ ଅସନ୍ତୁଳନକୁ ଦୂର କରିବା କଠିନ ।
୫.୨ ଯୁଗ୍ମ ବନ ପରିଚାଳନା (JFM) ବନାମ ଗୋଷ୍ଠୀ ଜଙ୍ଗଲ ଅଧିକାର (CFR): ପ୍ରତିଯୋଗିତାମୂଳକ ଦୌଡ
ରାଜ୍ୟ ବନ ବିଭାଗ ତତ୍ତ୍ୱାବଧାନରେ ବନ ସଂରକ୍ଷଣ ସମିତି (VSS) ମାଧ୍ୟମରେ ପରିଚାଳିତ ଯୁଗ୍ମ ବନ ପରିଚାଳନା (JFM) କାର୍ଯ୍ୟକ୍ରମକୁ ଗୋଷ୍ଠୀ ସହିତ ମିଶି ତଥାକଥିତ ସହ-ପରିଚାଳନାର ଏକ ଉଦାହରଣ ଦିଆଯାଏ, ଯେଉଁଥିରେ ଗୋଷ୍ଠୀମାନେ ସହାୟତା କରନ୍ତି କିନ୍ତୁ କୌଣସି ନିଷ୍ପତ୍ତି ନେଇପାରନ୍ତି ନାହିଁ । କିନ୍ତୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଗୋଷ୍ଠୀ ଜଙ୍ଗଲ ଅଧିକାର ବ୍ୟବସ୍ଥା ଗୋଷ୍ଠୀ ସାର୍ବଭୌମତ୍ୱର ଏକ ସ୍ୱତନ୍ତ୍ର ଉଦାହରଣକୁ ପ୍ରତିନିଧିତ୍ୱ କରେ । CAMPA ପାଣ୍ଠି ଏବଂ ଆମ ଜଙ୍ଗଲ ଯୋଜନା (AJY) ମାଧ୍ୟମରେ ଗଠିତ ହୋଇଥିବା ଅନେକ ଜିଲ୍ଲାରେ କାର୍ଯ୍ୟକ୍ଷମ ଯୁଗ୍ମ ବନ ପରିଚାଳନା (JFM) ଗୋଷ୍ଠୀ ଭାଗିଦାରୀର ଦ୍ୱାହି ଦେଇ ବିଭାଗର ନିୟନ୍ତ୍ରଣରେ ଜଙ୍ଗଲ ପରିଚାଳନାକୁ ରଖି ଗୋଷ୍ଠୀ ଜଙ୍ଗଲ ଅଧିକାରକୁ ଉଦ୍ଦେଶ୍ୟମୂଳକ ଭାବରେ ଅଣଦେଖା କରାଯାଇଛି ।
୫.୩ ସଂରକ୍ଷିତ ଅଞ୍ଚଳ ଏବଂ ବିସ୍ଥାପନ
ଓଡ଼ିଶାରେ ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ, ଦୁଇଟି ବ୍ୟାଘ୍ର ସଂରକ୍ଷଣ ଏବଂ ଦୁଇଟି ଜାତୀୟ ଉଦ୍ୟାନ ରହିଛି । ଏହିସବୁ ଅଞ୍ଚଳରେ ବିଶେଷ ଭାବରେ ଜଙ୍ଗଲ ଅଧିକାର ସ୍ୱୀକୃତି ଏଯାଏ ହୋଇନାହିଁ । ସଂରକ୍ଷିତ ଅଞ୍ଚଳ ମଧ୍ୟରେ ଜଙ୍ଗଲ ଅଧିକାର ଆଇନ ପ୍ରଯୁଜ୍ୟ ହୁଏ ନାହିଁ ବୋଲି ଏକ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇ ହେଉ କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ହେଉ- ଏହି ଅଞ୍ଚଳରେ ଜଙ୍ଗଲ ଅଧିକାରର ସ୍ୱୀକୃତିକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ କେତେକ ସ୍ଥାନରେ ବିଳମ୍ବ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ, ଜଙ୍ଗଲ ଅଧିକାର ସ୍ୱୀକୃତିପତ୍ର ପାଇବା ପରେ ମଧ୍ୟ ଗାଁଗୁଡ଼ିକୁ ବିସ୍ଥାପିତ କରାଯାଇଛି । ନିୟମଗିରି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ (OMC Ltd. Vs MoEF) – ଉଭୟ ଜଙ୍ଗଲ ଅଧିକାର ଆଇନ ଏବଂ ପେସା ଆଇନ ଅଧୀନରେ ଗ୍ରାମସଭାର ନିଷ୍ପତ୍ତି ଓ କ୍ଷମତାକୁ ସମର୍ଥନ କରିବା – ଏକ ସାମ୍ବିଧାନିକ ଉଦାହରଣ ପ୍ରଦାନ କରିଥାଏ ଯାହା ଅନ୍ୟ ସମସ୍ତ ଅଞ୍ଚଳରେ ଅଭ୍ୟାସ କରିବା ଉଚିତ । କିନ୍ତୁ ପ୍ରକୃତରେ ଏହାକୁ କୌଣସି କାରଣ ବଶତଃ କ୍ଷେତ୍ର ସ୍ତରରେ ଲଗାତର ଭାବରେ ଅଣଦେଖା କରାଯାଉଛି ।
୬. ଆଧୁନିକୀକରଣର ଚାପ ଏବଂ ଜଙ୍ଗଲ ସମ୍ପର୍କିତ ପରମ୍ପରାର ଅବକ୍ଷୟ
ଜଙ୍ଗଲରେ ବାସ କରୁଥିବା ସମୁଦାୟଗୁଡ଼ିକର ଜଙ୍ଗଲ ଉପରେ ନିରୀକ୍ଷଣ, ଜଗାରଖା, ଜଙ୍ଗଲଜାତ ଦ୍ରବ୍ୟ ଅମଳର ନିୟନ୍ତ୍ରଣ ଏବଂ ପରିବେଶଗତ ଜ୍ଞାନ ସଂପ୍ରସାରଣରେ ସକ୍ରିୟ ଅଂଶଗ୍ରହଣ ଉପରେ ନିର୍ଭର କରେ ଜଙ୍ଗଲର ଗୋଷ୍ଠୀ ସଂରକ୍ଷଣ । ଏହି ଅଂଶଗ୍ରହଣ ବହୁବିଧ ଆଧୁନିକୀକରଣର ପ୍ରୟୋଗ ଦ୍ୱାରା ଦିନକୁ ଦିନ ଅବକ୍ଷୟ ହେଉଛି । ଗ୍ରାମାଞ୍ଚଳରୁ ବିଶେଷକରି ଯୁବକ ଏବଂ ମହିଳାମାନଙ୍କ ସହରାଞ୍ଚଳକୁ ସ୍ଥାନାନ୍ତର, ଜଙ୍ଗଲ ଉପରେ ନିର୍ଭରଶୀଳ ଗ୍ରାମଗୁଡ଼ିକରେ ଜନସଂଖ୍ୟାକୁ ହ୍ରାସ କରୁଛି ।
କ୍ଷଣସ୍ଥାୟୀ ଆର୍ଥିକ ଚାପ ଗୋଷ୍ଠୀର ପାରମ୍ପରିକ ଜୀବନଜୀବିକା ଅଭ୍ୟାସକୁ ଆହୁରି ବିକୃତ କରୁଛି । ଗୋଷ୍ଠୀ ଜଙ୍ଗଲ ଅଧିକାର ସ୍ୱୀକୃତିପତ୍ର ଗ୍ରାମସଭାକୁ ସ୍ପଷ୍ଟ ଭାବରେ ମାଲିକାନା ପ୍ରଦାନ କରିବା ସତ୍ତେ୍ୱ କେନ୍ଦୁ ପତ୍ର ଏବଂ ବାଉଁଶ ଭଳି ଉଚ୍ଚ-ମୂଲ୍ୟର ବନଜାତ ଦ୍ରବ୍ୟ ଉପରେ ରାଜ୍ୟର ଏକଚାଟିଆ ନିୟନ୍ତ୍ରଣ ବଜାୟ ରହିଛି – ଏହା ଦ୍ୱାରା ସମୁଦାୟଗୁଡ଼ିକ ଜଙ୍ଗଲ ସଂରକ୍ଷଣ ଓ ପରିଚାଳନାରୁ କମ୍ ଆର୍ଥିକ ଲାଭ ପାଇ ପାରୁଛନ୍ତି । କଳାହାଣ୍ଡି ଏବଂ ନୟାଗଡର କିଛି ଗ୍ରାମସଭା ବାଣିଜ୍ୟିକ ଭାବରେ ବାଉଁଶ ଅଧିକାର ବ୍ୟବହାର କରିବାକୁ ସମର୍ଥ ହୋଇଛନ୍ତି, ଯାହା ଫଳରେ ସେଠାରେ ଜୀବିକା ଏବଂ ଜଙ୍ଗଲ ପରିଚାଳନା ଉଭୟ ପାଇଁ ସକାରାତ୍ମକ ହୋଇଛି । କିନ୍ତୁ ପର୍ଯ୍ୟାପ୍ତ ସରକାରୀ ବଜାର ସମର୍ଥନର ଅଭାବରେ, ନିୟନ୍ତ୍ରଣମୁକ୍ତ ପ୍ରୟାସ (ଯେପରି ମାଲକାନଗିରି ଏବଂ ନବରଙ୍ଗପୁରରେ) ବିଫଳ ହୋଇଛି ।
ଏବେ ବଡ ଆହ୍ୱାନ ହେଉଛି ଗୋଷ୍ଠୀ ସଂରକ୍ଷଣ ପାଇଁ ନିରନ୍ତର ପ୍ରୟାସ, ଆନୁଷ୍ଠାନିକ ନିରନ୍ତରତା ଏବଂ ଆନ୍ତଃପିଢ଼ିଗତ ଜ୍ଞାନ ସ୍ଥାନାନ୍ତର କରିବା । ଏଥିପାଇଁ ଗୋଷ୍ଠୀର ଉଚିତ ତାଲିମ ଆବଶ୍ୟକ ରହିଛି । କିନ୍ତୁ ଓଡ଼ିଶାରେ ତାଲିମ କାର୍ଯ୍ୟକ୍ରମଗୁଡ଼ିକ ଜଙ୍ଗଲ ଅଧିକାର କମିଟି ସଦସ୍ୟ ଏବଂ ଗ୍ରାମସଭା ନେତୃତ୍ୱ ଅପେକ୍ଷା ମୁଖ୍ୟତଃ ସରକାରୀ ଅଧିକାରୀଙ୍କ ସ୍ତରରେ ତଥା ରାଜସ୍ୱ, ଜଙ୍ଗଲ ଓ ଉନ୍ନୟନ ସମ୍ପ୍ରସାରଣ ଅଧିକାରୀଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରେ ।
୭. ଗୋଷ୍ଠୀ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା: କିଛି ମତାମତ
ଗୋଷ୍ଠୀ ସଂରକ୍ଷଣ କେବଳ ଏକ ଅଧିକାରର ପ୍ରସଙ୍ଗ ନୁହେଁ ବରଂ ଜୈବ ବିବିଧତା, ଜଳବାୟୁ ଏବଂ ଜୀବିକା ସୁରକ୍ଷା ପାଇଁ ଏକ ଅନିବାର୍ଯ୍ୟ ଆବଶ୍ୟକତା ବୋଲି ଅନୁଭବ କରି, ନିମ୍ନଲିଖିତ ପ୍ରୟାସ କରିବା ଜରୁରୀ ମନେହୁଏ:
ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସ୍ୱୀକୃତିର ପ୍ରାବଧାନକୁ ସଠିକ କାର୍ଯ୍ୟକାରୀ: ୨୦୧୨ ସଂଶୋଧିତ ନିମୟମାବଳୀର ନିୟମ ୧୦ (ଗ) ଅନୁଯାୟୀ ରାଜ୍ୟ ସ୍ତରୀୟ ତଦାରଖ କମିଟିର ନିୟମିତ ତ୍ରୈମାସିକ ସମୀକ୍ଷା ସହିତ ନିୟମ ୧୨ ଖ (୩) ଅନୁସାରେ ସମସ୍ତ ସମ୍ଭାବ୍ୟ ଗ୍ରାମରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସ୍ୱୀକୃତି ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟିଗୁଡ଼ିକୁ ସତତ ପ୍ରୟାସ କରିବାକୁ ପଡିବ ।
ଜଙ୍ଗଲ ବିଭାଗର ସଚେତନତା ବୃଦ୍ଧି: ଜିଲ୍ଲା ସ୍ତରୀୟ କମିଟି ଗଠନ କରିବାରେ ଜଙ୍ଗଲ ଅଧିକାର ନିୟମାବଳୀକୁ ଦୃଢ ଭାବରେ କିପରି ପାଳନ ହୋଇପାରିବ, ଗୋଷ୍ଠୀ ଜଙ୍ଗଲ ଅଧିକାର ଦାବିର ମିଳିତ ଯାଞ୍ଚ ପ୍ରକ୍ରିୟାରେ ଜଙ୍ଗଲ ବିଭାଗ କିପରି ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବ ଓ ଗୋଷ୍ଠୀ ବା ଗ୍ରାମସଭାମାନଙ୍କର ଆପତ୍ତିଗୁଡ଼ିକୁ ଆଇନଗତ ଭାବରେ ସମ୍ପୂର୍ଣ୍ଣ ସୁଯୋଗ ଦେଇ କିପରି ବିଚାର କରାଯିବ, ତାହାର ସଚେତନତା ବୃଦ୍ଧି କରିବାକୁ ହେବ । ଜଙ୍ଗଲ ବିଭାଗ ଆମ ଜଙ୍ଗଲ ଯୋଜନା ଓ ଯୁଗ୍ମ ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ଜଙ୍ଗଲ ଅଧିକାର ଅଧୀନରେ ଥିବା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସହିତ ପ୍ରତିଯୋଗିତା କରିବା ପରିବର୍ତ୍ତେ ସେମାନେ ଗୋଷ୍ଠୀଗତ ଅଧିକାରକୁ କିପରି ନିଶ୍ଚିତ କରିବେ ତାହା ଉପରେ ସେମାନଙ୍କର ସଚେତନତା ମଧ୍ୟ ବୃଦ୍ଧି କରିବାକୁ ହେବ ।
ଗୋଷ୍ଠୀଗତ ଅଧିକାର ଧାରକଙ୍କ ଆର୍ଥିକ ସଶକ୍ତିକରଣ: ବନଜାତ ଦ୍ରବ୍ୟ ଉପରେ ରାଜ୍ୟର ଏକଚାଟିଆ ନିୟନ୍ତ୍ରଣକୁ ଦୂର କରିବା ଆବଶ୍ୟକ ଓ ଲଘୁ ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ନିୟମିତ ସ୍ଥିର କରିବା ଆବଶ୍ୟକ; ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାରର ପୁନରୁଦ୍ଧାର ପାଇଁ ଗଏଘଜଋଏଇ ପାଣ୍ଠିକୁ ଗ୍ରାମସଭା ମାଧ୍ୟମରେ ସିଧାସଳଖ ପରିଚାଳିତ କରାଯିବା ସହିତ ରାଜ୍ୟ ସରକାର ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟିକୁ ଅଧିକ ଆର୍ଥିକ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିବା ମଧ୍ୟ ଆବଶ୍ୟକ ।
ଗ୍ରାମସଭା ସ୍ତରରେ ଦକ୍ଷତା ନିର୍ମାଣ: ତଳ ସ୍ତରରେ ଦକ୍ଷତା ବୃଦ୍ଧି ପାଇଁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସମ୍ବନ୍ଧୀୟ ତାଲିମ ଜଙ୍ଗଲ ଅଧିକାର କମିଟି ସଦସ୍ୟ, ଗ୍ରାମସଭାର ବୟୋଜ୍ୟେଷ୍ଠ ଓ ମୁଖିଆମାନେ ଏବଂ ବିଶେଷକରି ମହିଳାମାନଙ୍କ ପାଖରେ ପହଞ୍ଚିବା ଆବଶ୍ୟକ – କେବଳ ସରକାରୀ ଅଧିକାରୀଙ୍କ ପାଖରେ ନୁହେଁ । ବିଭାଗଗୁଡ଼ିକ ଅପେକ୍ଷା ଜଙ୍ଗଲ ଅଧିକାର ଆଇନର ପ୍ରାବଧାନ, ଜଙ୍ଗଲ ଅଧିକାରର ଆକଳନ ବା ମ୍ୟାପିଂର ଦକ୍ଷତା ଏବଂ ଗୋଷ୍ଠୀ ସମ୍ବଳ ପରିଚାଳନା ଯୋଜନା ଉପରେ ଆଇନଗତ ସାକ୍ଷରତା ଗୋଷ୍ଠୀମନଙ୍କ ପାଖରେ ସନ୍ନିବେଶିତ ହେବା ଅଧିକ ଆବଶ୍ୟକ ।
ଅରବିନ୍ଦ ରାଉତ
ଅରବିନ୍ଦ ରାଉତ ଜଣେ ଉତ୍ସର୍ଗୀକୃତ ବୃତ୍ତିଗତ କର୍ମୀ ଯାହାଙ୍କର ଜଙ୍ଗଲ ଅଧିକାର ଏବଂ ପ୍ରାକୃତିକ ସମ୍ପଦ ପରିଚାଳନା କ୍ଷେତ୍ରରେ ଆଇନ ଓ ନୀତି କାର୍ଯ୍ୟାନ୍ୱୟନ ଏବଂ ଦକ୍ଷତା ନିର୍ମାଣରେ ୧୯ ବର୍ଷରୁ ଅଧିକ ଅଭିଜ୍ଞତା ଅଛି। ଦର୍ଶନରେ ଏକ ଦୃଢ଼ ଭିତ୍ତିଭୂମି ଏବଂ ପଛୁଆ ଓ ବିଛିନ୍ନ ଗୋଷ୍ଠୀମାନଙ୍କୁ ସଶକ୍ତ କରିବା ପାଇଁ ଆଗ୍ରହ ସହିତ, ସେ ଓଡ଼ିଶାରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ସ୍ଵାର୍ଥରେ ଜଙ୍ଗଲ ଅଧିକାର ଆଇନ ୨୦୦୬ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ ବସୁନ୍ଧରାରେ ଟେନ୍ୟୁର ଏବଂ ଟେନ୍ୟୁରିଆଲ୍ ସୁରକ୍ଷା ଟିମର ଦଳପତି ତଥା ବସୁନ୍ଧରା ଅନୁଷ୍ଠାନର କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ଅରବିନ୍ଦ ରାଉତ ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବା, ଗବେଷଣା କରିବା ଏବଂ ସରକାରୀ ସଂସ୍ଥା, ସ୍ଵେଚ୍ଛାସେବୀ ସଂଗଠନ ଏବଂ ସ୍ଥାନୀୟ ଗୋଷ୍ଠୀମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବାରେ ଉତ୍କର୍ଷତା ହାସଲ କରିଛନ୍ତି। ତାଙ୍କ ବିଶେଷଜ୍ଞତାରେ ଭୂମି ଅଧିକାର ପାଇଁ ଲୋକମାନଙ୍କୁ ତଥା ସରକାରୀ ବିଭାଗକୁ ବୌଦ୍ଧିକ ଜ୍ଞାନ ଯୋଗାଇବା ସମେତ ଜଙ୍ଗଲ ସୁରକ୍ଷାଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ। ଅରବିନ୍ଦ ରାଉତ ପ୍ରମୁଖ ଦୈନିକ ପତ୍ରିକାରେ ନିୟମିତ ସ୍ତମ୍ଭକାର, ଜଙ୍ଗଲ-ନିବାସୀ ସମ୍ପ୍ରଦାୟର ଅଧିକାର ଉପରେ ଲେଖନ, ଏବଂ ‘ବିଦ୍ୟା ହିଁ ବିମୁକ୍ତି’ ପୁସ୍ତକ ରଚନା କରିଛନ୍ତି, ଯାହା ମାନବ ଜୀବନର ବିଭିନ୍ନ ଦିଗକୁ ଆଲୋକିତ କରେ। ସେ ଜଣେ ସ୍ପଷ୍ଟବାଦୀ ଏବଂ ପ୍ରତିଷ୍ଠିତ ଲେଖକ- ସେ ବିଶ୍ଳେଷଣାତ୍ମକ ଚିନ୍ତାଧାରା, ଦଳଗତ ନେତୃତ୍ୱ ଏବଂ ସାମାଜିକ ନ୍ୟାୟ ପ୍ରତି ଏକ ଗଭୀର ପ୍ରତିବଦ୍ଧତାକୁ ସ୍ଥାୟୀ ବିକାଶ ଏବଂ ସମୃଦ୍ଧିକୁ ଆଗେଇ ନେବା ସତତ ଚେଷ୍ଟା କରନ୍ତି।
Email: aurobindo@vasundharaorissa.org
Phone: ୯୪୩୭୧୦୭୪୦୭








