ଓଡ଼ିଶାରେ ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣ : ବର୍ତ୍ତମାନ ସ୍ଥିତି ଓ ଆହ୍ୱାନ

କାର୍ତ୍ତିକ ମେହେର

ଜଙ୍ଗଲର ସୁରକ୍ଷା କରିବା ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନନିବାସୀମାନଙ୍କର ପାରମ୍ପରିକ ଅଭ୍ୟାସ ଓ ସଂସ୍କୃତିର ଅଂଶ । ଜଙ୍ଗଲ ତଥା ବନଜାତ ଦ୍ରବ୍ୟ ଉପରେ ଆଦିକାଳରୁ ସେମାନେ ନିର୍ଭର ରହି ଆସିଛନ୍ତି  । ଯଦିଓ ଆମଦେଶ ଜଙ୍ଗଲ ସମ୍ପଦରେ ଧନୀ, ତେବେ ମଧ୍ୟ ସମୟାନୁକ୍ରମେ ଜଙ୍ଗଲ ଧ୍ୱଂସ ହେବା ଲୋକମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ରୂପରେ ପ୍ରକଟ ହେଲା । ବ୍ରିଟିଶ ଶାସନର ଶୋଷଣ  ଏବଂ ପରବର୍ତ୍ତୀ ସମୟରେ ବିକାଶ ନାମରେ ଗଛକଟା ଯୋଗୁଁ ଜଙ୍ଗଲ ନଷ୍ଟ ହେଲା । ଜାଳେଣୀ କାଠ ତଥା ଜଙ୍ଗଲଜାତ ଦ୍ରବ୍ୟର ଅଭାବ ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗ୍ରାମବାସୀଙ୍କ ଦ୍ୱାରା  ୧୯୭୦-୮୦ ମସିହା ବେଳକୁ ଜଙ୍ଗଲ ଦେଖାରେଖା କରିବା ଓ ସୁରକ୍ଷା କରିବା ଆରମ୍ଭ ହୋଇଯାଇଥିଲା । ପ୍ରାକୃତିକ ସମ୍ବଳର ସୁରକ୍ଷା ପାଇଁ ସେମାନେ ନିଜର ସମ୍ବଳ ତଥା ସମୟ ଦେଇ ଜଙ୍ଗଲର ରକ୍ଷା ଏବଂ ପରିଚାଳନା କରିବାର ଦୃଷ୍ଟାନ୍ତ  ମଧ୍ୟ ଥିଲା  ।  ସେମାନେ କେବଳ ଜଙ୍ଗଲ ରକ୍ଷା କରୁନଥିଲେ, ବରଂ ଜଙ୍ଗଲ ସହିତ ବନ୍ୟଜନ୍ତୁ, ଔଷଧୀୟ ଗଛଲତା ଓ ଜଳଉତ୍ସର ମଧ୍ୟ ସୁରକ୍ଷା କରୁଥିଲେ । ଗୋଷ୍ଠୀଗତ ସଂରକ୍ଷଣକୁ ସରକାରଙ୍କ ମାନ୍ୟତା ନଥିବା ସତ୍ତ୍ୱେ ଲୋକମାନେ ନିଜର ଭବିଷ୍ୟତ ତଥା ଭାବିପିଢିକୁ  ଆଖିଆଗରେ ରଖି ଜଙ୍ଗଲ ସଂରକ୍ଷଣ କରୁଥିଲେ  । ଜଙ୍ଗଲର ମହତ୍ୱ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନନିବାସୀମାନେ ଭଲଭାବରେ ବୁଝିପାରିଛନ୍ତି ବୋଲି ଏ ଯାଏଁ ଜଙ୍ଗଲର ଅସ୍ତିତ୍ୱ ଅଛି । ଜଙ୍ଗଲଜାତ ଦ୍ରବ୍ୟ ଏବଂ ଜଙ୍ଗଲ ପରିଚାଳନା ଉପରେ ସେମାନଙ୍କ ଦୃଷ୍ଟିଭଙ୍ଗୀ ହିଁ ଭିନ୍ନ । ଗୋଷ୍ଠୀଗତ ସଂରକ୍ଷଣ ସେମାନଙ୍କ ଜୀବନଶୈଳୀ ତଥା ସଂସ୍କୃତିର ଅଭିନ୍ନ ଅଙ୍ଗ  । ଜଙ୍ଗଲ ଅଧିକାର ଆଇନ ଲାଗୁ ହେବା ପରେ ଓ ସେଥିରେ ଗ୍ରାମବାସୀଙ୍କୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ମିଳିବାପରେ ସଂରକ୍ଷଣ କେଉଁ ରୂପନେଉଛି ତାହା ଅଧ୍ୟୟନ କରିବା ନିତାନ୍ତ ଆବଶ୍ୟକ । ଏହି ନିବନ୍ଧରେ ଓଡ଼ିଶାର ମୟୂରଭଞ୍ଜ, ଦେଓଗଡ ଏବଂ କଳାହାଣ୍ଡି ଜିଲ୍ଲାର ଜଙ୍ଗଲକୁ ସାମୂହିକ ଭାବରେ କିପରି ସୁରକ୍ଷା ଓ ପରିଚାଳନା କରାଯାଉଛି , ତା ଉପରେ ସମ୍ୟକ ଦୃଷ୍ଟିପାତ କରିବାର ପ୍ରଚେଷ୍ଟା କରାଯାଇଛି ।

ଗୋଷ୍ଠୀଗତ ସଂରକ୍ଷଣର ଗତିଶୀଳତା

୨୦୦୦ ମସିହା ବେଳକୁ ଓଡ଼ିଶା ଜଙ୍ଗଲ ମଞ୍ଚ ଓଡ଼ିଶାର ୨୪ଟି ଜିଲ୍ଲାରେ ସକ୍ରିୟ ଭାବରେ କାମ କରୁଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜଙ୍ଗଲ ସୁରକ୍ଷା ମଞ୍ଚ ରହିବା ଯୋଗୁଁ ଗ୍ରାମସଭାମାନଙ୍କୁ ସଶକ୍ତିକରଣ କରିବାରେ ସାହାଯ୍ୟ ମିଳି ପାରିଛି । ବିଭିନ୍ନ ନାଗରିକ ସମାଜ, ସଂଗଠନ ଏବଂ ବେସରକାରୀ ସଂଗଠନମାନଙ୍କ ଦ୍ୱାରା ଗ୍ରାମସଭା ସୁଦୃଢ ହେବା ସହିତ ଜଙ୍ଗଲ ସୁରକ୍ଷା ଏବଂ ଏହାର ପରିଚାଳନା ଓଡ଼ିଶାର ଭିନ୍ନ ଭିନ୍ନ ଜାଗାରେ ସମ୍ଭବପର ହୋଇପାରିଛି । ଓଡ଼ିଶା ଜଙ୍ଗଲ ମଞ୍ଚର ଅଧ୍ୟୟନରୁ ଜଣାଯାଏ ଯେ ଓଡ଼ିଶାରେ ପାଖାପାଖି ୧୨ ହଜାର ଗାଁ ନିଜ ନିଜ ଜଙ୍ଗଲର ସୁରକ୍ଷା ଏବଂ ପରିଚାଳନା କରୁଛନ୍ତି ।

ଗୋଷ୍ଠୀଗତ ସଂରକ୍ଷଣ ଆଦିବାସୀ ଏବଂ ବନବାସୀଙ୍କ ଜଙ୍ଗଲ ଉପରେ ନିର୍ଭରଶୀଳତା ଓ ସମ୍ପର୍କକୁ ଆହୁରି ମଧ୍ୟ ସୁଦୃଢ କରିଛି । ମୟୂରଭଞ୍ଜର ବୁଢ଼ିଖମରୀ ଓ ଦୁଭିଆ, ନୟାଗଡର କୋଦାଳପଲ୍ଲୀ,ଡେଙ୍ଗାଝରୀ,ଗୁଣ୍ଡୁରିବାରି ଓ ଦଶମୌଜା, ଦେଓଗଡର ଚନ୍ଦନଖୁଣ୍ଟି ,ରୁଗୁଡ଼ାପଦର ଓ ରେଙ୍ଗାଳପାଲି, କଳାହାଣ୍ଡିର ପାଳକୀ, ଜାମୁଗୁଡା, ପିପାଡୀ,ନାଗଝରୀ, ଲାମେର, ଜଗନ୍ନାଥପୁର ଓ କେଳିଆ , ବଲାଙ୍ଗିରର କଣ୍ଟାପାଲି , ବଡ଼ଟିକା ଓ ଡୁଡୁମଢୋର ଇତ୍ୟାଦି ଗ୍ରାମରେ ଗୋଷ୍ଠୀଗତ ସଂରକ୍ଷଣର ସଫଳ କାହାଣୀ ପରିଦୃଷ୍ଟ ହୁଏ । ଉଭୟ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଅଧିକାର ମିଳିବା ପୂର୍ବରୁ ଏବଂ ପରେ ମଧ୍ୟ ଗ୍ରାମଗୁଡିକ ଗୋଷ୍ଠୀଗତ ସଂରକ୍ଷଣ ପାଇଁ କାମ କରିଆସୁଛନ୍ତି  । ତେବେ ମଧ୍ୟ ବିଭିନ୍ନ କାରଣରୁ ଗୋଷ୍ଠୀଗତ ସଂରକ୍ଷଣରେ ସମସ୍ୟା ରହିଛି, ଯାହା ସ୍ଥାନୀୟ କ୍ଷେତ୍ରରେ ତିନୋଟି ଜିଲ୍ଲାର ଅଧ୍ୟୟନରୁ ପ୍ରାପ୍ତ ହୋଇଛି  ।

ମୟୂରଭଞ୍ଜ ଜିଲ୍ଲାରେ ଗୋଷ୍ଠୀଗତ ସଂରକ୍ଷଣ ପଦକ୍ଷେପ ଓ ଆହ୍ୱାନ

ଗୋଷ୍ଠୀଗତ ଜଙ୍ଗଲ ସୁରକ୍ଷା କରିବାରେ ମୟୂରଭଞ୍ଜ ଓଡ଼ିଶାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ୧୯୮୩ ମସିହାରୁ ସ୍ଥାନୀୟ ଅଧିବାସୀମାନେ ନେତୃତ୍ୱ ନେଇ ଗୋଷ୍ଠୀଗତ ଜଙ୍ଗଲ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ ଏବଂ ଏକତ୍ରିତ କରି ଆସିଛନ୍ତି । ଆଜି ବାରିପଦାର ଆଖପାଖ ଅଞ୍ଚଳ ତଥା ଅନ୍ୟାନ୍ୟ ବ୍ଲକ ଗୁଡିକରେ ଧ୍ୱଂସ ହୋଇଯାଇଥିବା ଜଙ୍ଗଲ ପୁନଃର୍ଜିବିତ ହୋଇଅଛି । ମୟୂରଭଞ୍ଜ ଜଙ୍ଗଲ ମଞ୍ଚ ଜିଲ୍ଲାର ୨୬ଟି ବ୍ଲକରେ ୯୫ଟି ଗ୍ରାମସଭାର ୧୦୦୦୦ ହେକ୍ଟର ଜଙ୍ଗଲକୁ ସୁରକ୍ଷା ଏବଂ ପରିଚାଳନା କରୁଛି  । ଜିଲ୍ଲାରେ ପ୍ରାୟତଃ ୩୯୫୦ ଟି ଗ୍ରାମରୁ  ୩୯୨ ଟି ଗ୍ରାମକୁ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ମିଳିଛି  । ମୟୂରଭଞ୍ଜ ଜଙ୍ଗଲ ମଞ୍ଚ ୧୯୮୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ଘରୁ ସ୍ୱଳ୍ପ ପଇସା ଆଦାୟ କରି ୨୫ ବର୍ଷ ଧରି ସ୍ୱତଃପ୍ରବୃତ୍ତ ଭାବରେ ଜଙ୍ଗଲ ସୁରକ୍ଷା କରୁଥିଲେ । ବାରିପଦା ଆଖପାଖ ଅଞ୍ଚଳର ଶାଳ ଜଙ୍ଗଲ ନଷ୍ଟ ହେବାର ଦେଖି, ମୟୂରଭଞ୍ଜ ଜଙ୍ଗଲମଞ୍ଚ ନିଜ ଉଦ୍ୟମରେ ଶାଳ ଜଙ୍ଗଲ ପୁନଃର୍ଜନନ କରିଥିଲେ । ବୁଢୀଖମାରୀ ସୁରକ୍ଷିତ ଜଙ୍ଗଲ , ହାତିକୋଟ, ମଚାବନ୍ଧ, ଭଗବତ ଚନ୍ଦ୍ରପୁର , କୃଷ୍ଣଚନ୍ଦ୍ରପୁର , ଜାମଷୋଡ , ଗାଣ୍ଢୀଗଧା, ଚିତ୍ରଡ଼ା, ଆଦି ଜଙ୍ଗଲଗୁଡିକୁ ମୟୂରଭଞ୍ଜ ଜଙ୍ଗଲମଞ୍ଚ ଆରମ୍ଭରୁ ସଂରକ୍ଷଣ କରିଆସିଛି । କିଛି ଲୋକ ଜଙ୍ଗଲ କାଟି କରି ଜୀବିକା ପାଇଁ ବହୁତ ପରିମାଣରେ ସବାଇ ଘାସ ରୋପିବା ଆରମ୍ଭ କରୁଥିଲେ,ମାତ୍ର ମୟୂରଭଞ୍ଜ ଜଙ୍ଗଲମଞ୍ଚ ତରଫରୁ ଏହାର ତୀବ୍ର ବିରୋଧ କରାଯାଇଥିଲା । ଯଦିଓ ସବାଇ ଘାସ ଉପରେ ଆଦିବାସୀ ଓ ଅନ୍ୟାନ୍ୟ ବନବାସୀ ପ୍ରାକୃତିକ ଭାବରେ ନିର୍ଭର କରୁଥିଲେ, ତଥାପି ଜୀବିକା ଆହରଣ ପାଇଁ ଜଙ୍ଗଲ କାଟିବା ଉଚିତ ପଦକ୍ଷେପ ନୁହେଁ  । ଜଙ୍ଗଲ ସୁରକ୍ଷା ନିମନ୍ତେ ମୟୂରଭଞ୍ଜ ଜଙ୍ଗଲ ମଞ୍ଚ ବାଲି, ଖଣି, ମୁରୁମ୍, ମାଟି, ଆଦିର ବେଆଇନ ଭାବରେ ବିକ୍ରିବଟା ଏବଂ ବ୍ୟବସାୟକୁ  ତୀବ୍ର ବିରୋଧ କରି ଆସିଛନ୍ତି ଓ ସମୟ ସମୟରେ ପ୍ରଶାସନକୁ ଅବଗତ ମଧ୍ୟ କରାଇଛନ୍ତି । ନିକଟରେ ନଭେମ୍ବର ୨୦୨୫ରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଜଣାଇଥିଲେ । ଫଳସୁରୂପ, ଜିଲ୍ଲାପାଳ ମୟୂରଭଞ୍ଜ ଜଙ୍ଗଲମଞ୍ଚ ସପକ୍ଷରେ ବନବିଭାଗ, ସମସ୍ତ ଉପ-ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଆଧାର କରି ବର୍ତ୍ତମାନ ବୁଢାବଳଙ୍ଗ, କାତରା, ଜମ୍ଭୀରା, ଆଦି ନଦୀଗୁଡିକରେ ବେଆଇନ ଭାବରେ ବାଲି ବିକ୍ରିକରିବାକୁ ମୟୂରଭଞ୍ଜ ଜଙ୍ଗଲମଞ୍ଚ ନିୟନ୍ତ୍ରଣ କରିପାରିବ  । ନଦୀବାଲି ସହ ଖଣି, ମୁରୁମ ଏବଂ ମାଟିର ସଂରକ୍ଷଣ କରିବାର ଭାର ନିଜ ହାତକୁ ଆସିବା ଦ୍ୱାରା ଜଙ୍ଗଲ ସଂରକ୍ଷଣ ହୋଇପାରିବ ।

ମୟୂରଭଞ୍ଜ ଜିଲ୍ଲାରେ ଗୋଷ୍ଠୀଗତ ସଂରକ୍ଷଣ ପାଇଁ ପ୍ରତ୍ୟେକ ସ୍ତରରେ ଉଚିତ ନେତୃତ୍ୱର ଆବଶ୍ୟକତା ରହିଛି । ଜିଲ୍ଲାରେ ଗ୍ରାମସଭାର ସଶକ୍ତିକରଣ ତଥା ଗୋଷ୍ଠୀଗତ ସଂରକ୍ଷଣ ପାଇଁ ସ୍ଥାନୀୟ ନେତୃତ୍ୱର ଅଭାବ ପରିଲକ୍ଷିତ ହୁଏ । ଆତ୍ମୀୟତାର ଅଭାବଯୋଗୁଁ କିଛି ଅଞ୍ଚଳରେ ଗ୍ରାମବାସୀ ଗ୍ରାମସଭାକୁ ସମର୍ଥନ ଦେଉନାହାନ୍ତି । ବନବିଭାଗର ମାତ୍ରାଧିକ କଟକଣା ସହିତ ଗୋଷ୍ଠୀଗତ ସଂରକ୍ଷଣରେ ବାଧା ସୃଷ୍ଟି କରୁଛି । ମୟୂରଭଞ୍ଜ ଜଙ୍ଗଲମଞ୍ଚ  ଗ୍ରାମସଭାମାନଙ୍କୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଏବଂ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ବିଷୟରେ ଉଚିତ ମାତ୍ରାରେ ସଚେତନ କରିବାର ପଦକ୍ଷେପ ନେଇପାରୁ ନାହିଁ । ଯଦିଓ ଜଙ୍ଗଲର ସୁରକ୍ଷା, ସଂରକ୍ଷଣ, ପରିଚାଳନା ଏବଂ ପୁନର୍ଜନନ କରିବା ପାଇଁ ମାଲିକାନା ଅଧିକାର ଗ୍ରାମସଭା ପାଖରେ ରହିଛି, କିନ୍ତୁ ତାର ସଠିକ ଉପଯୋଗ ତୃଣମୂଳ ସ୍ତରରେ ହେଇପାରୁନାହିଁ ।

ଗୋଷ୍ଠୀଗତ ସଂରକ୍ଷଣରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଚାରା ରୋପଣ, ବନାଗ୍ନି ନିୟନ୍ତ୍ରଣ, ଜଙ୍ଗଲ ପୁନର୍ଜନନ, ଅବୈଧ କାଠ କଟା ରୋକିବା, ଖଣି, ବାଲି, ମାଟି, ମୁରୁମ ଆଦି ଦୋହନରେ ସେମାନେ ବିଶେଷ ଭୂମିକା ନେଇଥାନ୍ତି । ସେମାନଙ୍କ ଯୋଗଦାନ ନ ହେଲେ ଗୋଷ୍ଠୀଗତ ସଂରକ୍ଷଣ ସାମାନ୍ୟ ପରିକଳ୍ପନା ଭାବରେ ରହିଯିବ । ନିଜ କ୍ଷେତ୍ରୀୟ ଗସ୍ତରେ ଡୁଭିଆ ଗାଁ ଆଖପାଖ ବୁଢୀଖମାରୀ ସଂରକ୍ଷିତ ଜଙ୍ଗଲ ଦେଖି ମହିଳାମାନଙ୍କ ଯୋଗଦାନ ଜଣା ପଡୁଛି । ଜଙ୍ଗଲ ଉପରେ ଦୈନନ୍ଦିନ ଜୀବନଜୀବିକା ପାଇଁ ନିର୍ଭରଶୀଳ ଥିବାରୁ ସେମାନେ ଏହାର ସୁରକ୍ଷା ଏବଂ ସଂରକ୍ଷଣ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭବ ରଖନ୍ତି । ଯଦିଓ ଗୋଷ୍ଠୀଗତ ସମ୍ବଳ ପରିଚାଳନା କମିଟିରେ ଅଧିକାଂଶ ସଦସ୍ୟ ମହିଳା ଅଛନ୍ତି, ତଥାପି ସଚେତନତାର ଅଭାବ, ନେତୃତ୍ୱ ନେବାର ସୁଯୋଗ ଓ ଗ୍ରାମସଭାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ପୂର୍ଣ୍ଣ ଅଂଶଗ୍ରହଣ ନ ଥିବାରୁ ସେମାନଙ୍କ ଭୂମିକା ଅନେକ ସମୟରେ ଅବହେଳିତ ରହିଯାଉଛି । ସେମାନଙ୍କ ଉପସ୍ଥିତି ନ ହେବା ଜଙ୍ଗଲ ସୁରକ୍ଷାକୁ ପ୍ରଭାବିତ କରୁଛି । ମୟୂରଭଞ୍ଜ ଜଙ୍ଗଲ ମଞ୍ଚ ସେମାନଙ୍କ ଅଂଶଗ୍ରହଣ ଏବଂ ସହଯୋଗିତାକୁ ଗ୍ରାମସଭା ଏବଂ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ପରିଚାଳନା କମିଟିରେ ଗୁରୁତ୍ୱ ଦେବା ବହୁତ ଜରୁରୀ ।

ଦେବଗଡ ଜିଲ୍ଲାରେ ଗୋଷ୍ଠୀଗତ ସଂରକ୍ଷଣ ପଦକ୍ଷେପ ଏବଂ ଆହ୍ୱାନ 

ହୀରାଧର ସାହୁ କୁହନ୍ତି ଯେ ତାଙ୍କ ନିଜ ଗାଁ ଚନ୍ଦନଖୁଣ୍ଟିରେ ୧୯୯୨ ମସିହା ବେଳକୁ ଦାନ୍ତକାଠି ଛଡା ଆଉ କୌଣସି ଗଛ ନ ଥିଲା, କିନ୍ତୁ ଜିଲ୍ଲା ଜଙ୍ଗଲମଞ୍ଚ ତରଫରୁ ଜଙ୍ଗଲ ସୁରକ୍ଷା ଉପରେ କାମ କରିବା ଯୋଗୁଁ ବର୍ତ୍ତମାନ ତାଙ୍କ ଗାଁ ଜଙ୍ଗଲରେ କୋଟି କୋଟି ଗଛ ସୁରକ୍ଷିତ ରହିବା ସହିତ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହୋଇପାରିଛି । ଦେବଗଡ ଜଙ୍ଗଲମଞ୍ଚର ଆରମ୍ଭ ସମୟରେ କୌଣସି ପ୍ରକାରର ବ୍ୟାପକ ଲକ୍ଷ୍ୟ ନ ଥିଲା, ମାତ୍ର ପରେ ତାହା ଭିନ୍ନ ଭିନ୍ନ କାମରେ ଅନ୍ତର୍ଭୁକ୍ତ ରହି ଜୈବବିବିଧତାର ରକ୍ଷା କରିଆସିଛି । ଜଙ୍ଗଲରେ ନିଆଁ ଲିଭାଇବା, ପଶୁପକ୍ଷୀଙ୍କ ସୁରକ୍ଷା, ଜୈବବିବିଧତାର ସୁରକ୍ଷା,ପରିବେଶ ବଞ୍ଚାଇବା ଆଦି ପାଇଁ ସେ ଲୋକମାନଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିପାରିଛି । ଦେବଗଡ ଜଙ୍ଗଲ ମଞ୍ଚ ବିଭିନ୍ନ ସମୟରେ ବନକାଠ ମାଫିଆମାନଙ୍କ ଦ୍ୱାରା ଜଙ୍ଗଲରୁ କାଠ ରପ୍ତାନୀକୁ ବିରୋଧ କରିଥିଲେ । ୨୦୦୮ ମସିହା ବେଳକୁ ଜିଲ୍ଲାରେ ୭୬୯ ଗ୍ରାମ ପାରମ୍ପରିକ ଭାବରେ ଗୋଷ୍ଠୀଗତ ସଂରକ୍ଷଣ କରୁଥିଲେ ।

ଜଙ୍ଗଲ ସୁରକ୍ଷା ସହିତ ଜଙ୍ଗଲମଞ୍ଚର ତତ୍ୱାବଧାନରେ ଗ୍ରାମବାସୀମାନେ ପକ୍ଷୀ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିପାରିଛନ୍ତି । ଗୋଷ୍ଠୀଗତ ସଂରକ୍ଷଣ ଦ୍ୱାରା ରିୟାମାଲ ବ୍ଲକର ରତନପୁର ଗ୍ରାମସଭା ୨୦୦୦ଟି ବାଦୁଡି ଏବଂ ବାରକୋଟ ବ୍ଲକର ଚାରିମଞ୍ଚ ଗ୍ରାମସଭା ୩୦୦୦ଟି ବାଦୁଡିର ସଂରକ୍ଷଣ କରିଛନ୍ତି । ୧୯୯୯ ମସିହାରୁ ଦେବଗଡ ଜିଲ୍ଲା ଜଙ୍ଗଲ ମଞ୍ଚଙ୍କ ଉଦ୍ୟମରେ ଅନୁଗୁଳ ଜିଲ୍ଲାର ପାଳଲହଡା ବ୍ଲକର ୧୪ଟି ଗାଁ ଏବଂ ଦେବଗଡ ଜିଲ୍ଲାର ୧୮ଟି ଗାଁ ମିଶିକରି ରେଙ୍ଗାଲି ଜଳାଶୟ ଆଖାପାଖ ଅଞ୍ଚଳରେ ସ୍ଥାନୀୟ ତଥା ବିଦେଶାଗତ ପକ୍ଷୀମାନଙ୍କୁ ସଂରକ୍ଷଣ କରିଆସୁଛନ୍ତି । ଏ ଅଞ୍ଚଳରେ ଲୋକଙ୍କ ଉଦ୍ୟମରେ ପକ୍ଷୀସଂଖ୍ୟା କ୍ରମାଗତ ବଢିଛି ।  ଲୋକଙ୍କ କହିବା ଅନୁସାରେ ୫ ପ୍ରକାରର ନୂତନ ପକ୍ଷୀପ୍ରଜାତି ଜଳଭଣ୍ଡାର ଅଞ୍ଚଳରେ ଦେଖିବାକୁ ମିଲିଛନ୍ତି  । ରେଙ୍ଗାଳି ଜଳାଶୟରେ ପୂର୍ବରୁ ପକ୍ଷୀଗଣନା ହେଉନଥିଲା । ନିକଟରେ ବନ ବିଭାଗ ଦ୍ୱାରା ଚିଲିକା ଆଉ ମଙ୍ଗଳାଯୋଡ଼ି ଭଳି ହୀରାକୁଦ ଏବଂ ରେଙ୍ଗାଲି ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି । ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣ ଯୋଗୁଁ ଜଙ୍ଗଲରେ ସମୃଦ୍ଧି ହୋଇଛି । ରେଙ୍ଗାଳି ପାଖାପାଖି ଅଞ୍ଚଳରେ ଆଗରୁ ହ୍ରାସ ପାଇଥିବା ବାରହା, କୁଟୁରା ଓ ଘରଚଟିଆଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଜିଲ୍ଲାରେ ମାତ୍ର ୨୧ଟି ଗ୍ରାମରେ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ମିଳିଛି । ଯେତେବେଳେ ବାକି ସବୁ ଦାବୀପତ୍ର  SDLC ଓ DLC ପାଖରେ  ଅଟକି ରହିଛି  । ଏବେଯାଏଁ ବହୁତ ଲୋକଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର (IFR) ମଧ୍ୟ ମିଳି ନାହିଁ  । ଦେବଗଡ ଜିଲ୍ଲାର ବାରକୋଟ ବ୍ଲକରେ ପାଉଡି ଭୂୟାଁମାନେ ୭୦ ଟି ଗ୍ରାମ ପଞ୍ଚାୟତରୁ ୯ଟି ପଞ୍ଚାୟତର ୩୯ଟି ଗାଁରେ ବସବାସ କରୁଛନ୍ତି । ଓଡ଼ିଶାର ୧୩ଟି ବିଶେଷ ଭାବେ ଅତ୍ୟନ୍ତ ସଂବେଦନଶୀଳ ଆଦିବାସୀ ଗୋଷ୍ଠୀ (PVTG) ମଧ୍ୟରୁ ପାଉଡି ଭୂୟାଁ ହେଉଛି ଅନ୍ୟତମ  । ସେହି ଅଞ୍ଚଳରେ ଅନେକ ଗାଁରେ ବନ ବିଭାଗ ଦ୍ୱାରା ବନ ସୁରକ୍ଷା ସମିତି (VSS) ଦ୍ୱାରା ଗୋଷ୍ଠୀଗତ ଜଙ୍ଗଲର ପରିଚାଳନା ହେଉଅଛି । ଜଙ୍ଗଲ ଅଧିକାର ଆଇନ ବିଷୟରେ ସେମାନେ ସଚେତନ ନୁହନ୍ତି ।  ସେମାନଙ୍କର ଜୀବନ ଜଙ୍ଗଲ ସହିତ ପାରମ୍ପରିକ ଭାବରେ ଜଡିତ ଅଛି ଏବଂ ସେମାନେ ଆଦିମ କାଳରୁ ଜଙ୍ଗଲ ଉପରେ ନିର୍ଭର କରିଆସୁଛନ୍ତି । ସେମାନେ ପୋଡ଼ୁଚାଷ କରି ନିଜର ଜୀବନ ନିର୍ବାହ କରିଆସୁଥିଲେ, ମାତ୍ର ତାହା ଧୀରେ ଧୀରେ କମିବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିରେ ନିଜ ପାରିବାରିକ  ଦାୟିତ୍ୱରୁ ସମୟ ବାହାର କରି ଜଙ୍ଗଲ ସୁରକ୍ଷା କରିବା ଏତେ ସମ୍ଭବପର ହେଇପାରୁ ନାହିଁ ବୋଲି ବାରକୋଟସ୍ଥିତ ରୁଗୁଡାପଦର ଗ୍ରାମସଭାର ସଦସ୍ୟମାନେ ମତପ୍ରକାଶ କରିଛନ୍ତି  । ସେମାନଙ୍କ ମତରେ ପ୍ରାୟତଃ ଗାଁରେ ବନ ସୁରକ୍ଷା ସମିତି ଥିବାରୁ, ଲୋକମାନେ ସେଥିପାଇଁ ଜଙ୍ଗଲ ଅଧିକାର ଆଇନ ବିଷୟରେ ସଚେତନ ନୁହଁନ୍ତି, ତେଣୁ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରି ପାରୁନାହାନ୍ତି ।

ନିକଟରେ ସଇଡ଼ା ଗ୍ରାମ ପଞ୍ଚାୟତ ରୁଗୁଡାପଦର ଗାଁର ଲୋକେ ଶୁଖିଲା କାଠ ଆଣୁଥିବାରୁ ଜଙ୍ଗଲ ବିଭାଗ ସେମାନଙ୍କୁ ଅଟକ ରଖିଥିଲେ । ସେମାନେ ଜଙ୍ଗଲ ବିଭାଗକୁ ଜୋରିମାନା ମଧ୍ୟ ଦେଇଥିଲେ । ଗ୍ରାମସଭା ପାଖରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଥାଇ ସୁଦ୍ଧା ଜଙ୍ଗଲଜାତ ଦ୍ରବ୍ୟ ଉପରେ କଟକଣା ଲାଗୁହେବା ସିଧାସଳଖ ଜଙ୍ଗଲ ଅଧିକାର ଆଇନ ତଥା ବାସସ୍ଥାନ ଅଧିକାର (Habitat Rights)ର ଉଲ୍ଲଂଘନ ହେଉଅଛି । ପାଉଡି ଭୂୟାଁ ଗାଁମାନଙ୍କରେ ଯୁଗ୍ମବନ ସୁରକ୍ଷା ସମିତିର ଗଠିତ ହୋଇଥିବା  ଯୋଗୁଁ ଗ୍ରାମସଭାର ସାମ୍ବିଧାନିକ ଜଙ୍ଗଲ ଅଧିକାର ଆଇନର ଉଲଂଘନ ହେଉଛି । ଏତତ୍ ବ୍ୟତୀତ  ପାଉଡି ଭୂୟାଁମାନଙ୍କର ବାରକୋଟ ପୀଢର ସଭାପତି ଧନେଶ୍ୱର ପ୍ରଧାନ କୁହନ୍ତି ଯେ ତାଙ୍କ ସମୁଦାୟ ଆବାସ ଅଧିକାର ପାଇଲା ପରେ ମଧ୍ୟ ତାହାର ସଠିକ ଉପଯୋଗ ବିଷୟରେ ସଚେତନ ନୁହଁନ୍ତି ଏବଂ ଅନେକଙ୍କ ଜୀବନଶୈଳୀ ତଥା ଜୀବିକା ପାରମ୍ପରିକ ବ୍ୟବସ୍ଥାରୁ ଦୂରେଇ ହେଉଛନ୍ତି । ବାରକୋଟ୍ ପୀଢ଼ର ସଚିବ କପିଳ ପ୍ରଧାନ ମତବ୍ୟକ୍ତ କଲେ ଯେ “ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ପାଉଡି ଭୂୟାଁଙ୍କ ପାରମ୍ପରିକ ସଂସ୍କୃତି, ପରିଚୟ, ସାମାଜିକ ଏବଂ ଜୀବିକାର ସୁରକ୍ଷା ଓ ବିକାଶ ନିମନ୍ତେ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଟେ । ମାତ୍ର ବାରକୋଟ ସ୍ଥିତ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ଗୋଷ୍ଠୀର ସମସ୍ୟାକୁ ଅଣଦେଖା କରୁଛି । ସରକାରଙ୍କ ଅନୁଦାନ ଗୋଷ୍ଠୀଙ୍କ ଉନ୍ନୟନ କାର୍ଯ୍ୟରେ ବ୍ୟୟ ହେବା ବଦଳରେ କର୍ମଚାରୀଙ୍କ ଦ୍ୱାରା ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ  ।”

ଦେବଗଡ ଜଙ୍ଗଲ ମଞ୍ଚର ପ୍ରାରମ୍ଭରୁ ମହିଳାମାନେ ସକ୍ରିୟ ଅଂଶଗ୍ରହଣ କରି ଗୋଷ୍ଠୀଗତ ସଂରକ୍ଷଣ ପାଇଁ ନିଜର ଭୂମିକା ତୁଲାଉଛନ୍ତି । ସେମାନେ ଜଙ୍ଗଲ ନିରୀକ୍ଷଣ, ଅବୈଧ କାଠ କାଟ ରୋକିବା, ଗଛର ପୁନର୍ଜନନ ଓ ଜଙ୍ଗଲ ଉତ୍ପାଦର ସୁରକ୍ଷା ଆଦିରେ ମୁଖ୍ୟ ଭୂମିକା ନେଇଥାନ୍ତି  । ପରିମାଣସ୍ୱରୂପ ଦେବଗଡ ଜିଲ୍ଲାରେ ଏବେ ଗୋଷ୍ଠୀଗତ ସଂରକ୍ଷିତ ଜଙ୍ଗଲ ଯଥେଷ୍ଟ ମାତ୍ରାରେ ରହିଛି  । ପାଉଡି ଭୂୟାଁ ସମୁଦାୟରେ ମହିଳାମାନେ ବହୁକାଳରୁ ଜଙ୍ଗଲ ସହିତ ଦୈନନ୍ଦିନ ଜୀବନଜୀବିକାରେ ଗଭୀର ଭାବରେ ଜଡିତ ଅଛନ୍ତି । ସେମାନେ ଇନ୍ଧନ କାଠ ସଂଗ୍ରହ, ପଶୁ ଚାରା ସଂଗ୍ରହ ଓ ଲଘୁ ବନ ଉତ୍ପାଦ (NTFPs) ବ୍ୟବହାରରେ ମୁଖ୍ୟ ଭୂମିକା ନେଇଥାନ୍ତି, ଯାହା ତାଙ୍କୁ ଜଙ୍ଗଲ ସଂରକ୍ଷଣ ପ୍ରତି ସ୍ୱାଭାବିକ ଭାବରେ ଦାୟିତ୍ୱଶୀଳ କରେ ।  ମହିଳାମାନେ ଜଙ୍ଗଲ ପହରା, ଅଗ୍ନି ନିୟନ୍ତ୍ରଣ, ଚାରା ରୋପଣ ଏବଂ ପ୍ରାକୃତିକ ପୁନର୍ଜନନରେ ସହଯୋଗ କରିଥାନ୍ତି । ଗ୍ରାମସଭାରେ ସେମାନେ ଅଧିକ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଜଙ୍ଗଲ ଅଧିକାର ଆଇନ ଓ ଆବାସ ଅଧିକାର ସମ୍ପର୍କରେ ସଚେତନ ହେଲେ ସାମୂହିକ ଜଙ୍ଗଲର ସମୃଦ୍ଧି ତଥା ସେମାନଙ୍କ ସ୍ୱାବଲମ୍ବନଶୀଳ ପରମ୍ପରା ସାକାର ହୋଇପାରିବ ।

କଳାହାଣ୍ଡି ଜିଲ୍ଲାରେ ଗୋଷ୍ଠୀଗତ ସଂରକ୍ଷଣ ପଦକ୍ଷେପ ଏବଂ ଆହ୍ୱାନ

କଳାହାଣ୍ଡି ଜିଲ୍ଲାରେ ଗ୍ରାମସଭାର ସୁଦୃଢୀକାରଣ ଏବଂ ବନଜାତ ଦ୍ରବ୍ୟ ଉପରେ ମାଲିକାନା ଅଧିକାର ପାଇଁ ଦୀର୍ଘ ସମୟ ଧରି କାମ କରୁଥିବା ସାମାଜିକ କର୍ମୀ ଦାଶରଥୀ ବେହେରାଙ୍କ ମତରେ ଜଙ୍ଗଲ ଅଧିକାର ଆଇନ ଲାଗୁ ହେବା ପୂର୍ବରୁ ଜିଲ୍ଲାର ବିଭିନ୍ନ ଗାଁରେ ଲୋକମାନେ ଚାନ୍ଦା ତଥା ଧାନ, ମୁଗ, ବିରି, ଚଣା ଆଦାୟ କରି ଗୋଷ୍ଠୀଗତ ଜଙ୍ଗଲକୁ ସୁରକ୍ଷା ଏବଂ ପରିଚାଳନା କରୁଥିଲେ । ଜୈବବିବିଧତାର ସୁରକ୍ଷା କରିବା ଆଦିବାସୀ ଏବଂ ବନବାସୀମାନଙ୍କ ସଂସ୍କୃତିର ଅଂଶ ଥିଲା । କଳାହାଣ୍ଡି ଜିଲ୍ଲାରେ  ଗୋଷ୍ଠୀଗତ ସଂରକ୍ଷଣ ତଥା କଳାହାଣ୍ଡି ଗ୍ରାମସଭା ମହାସଂଘକୁ ସଶକ୍ତିକରଣ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦାଶରଥି ବେହେରା କୁହନ୍ତି ଯେ “ଗାଁମାନଙ୍କରେ ଆଗରୁ ଗ୍ରାମସଭା ସକ୍ରିୟ ନ ଥିଲା ଏବଂ ପଞ୍ଚାୟତ ଅଧୀନରେ ଗ୍ରାମସଭା ପରିଚାଳିତ ହେଉଥିଲା  । ୨୦୦୦ ମସିହାରେ କଳାହାଣ୍ଡି ଜଙ୍ଗଲ ମଞ୍ଚ ଗାଁ ଗାଁକୁ ଯାଇ ଲୋକମାନଙ୍କୁ ସଚେତନ କରୁଥିଲା  । କିନ୍ତୁ ଜଙ୍ଗଲ ବିଭାଗ ବନ ସୁରକ୍ଷା ସମିତି ମାଧ୍ୟମରେ ଲୋକମାନଙ୍କ ଦ୍ୱାରା ପରିଚାଳିତ ଜଙ୍ଗଲ ସୁରକ୍ଷା ପଦକ୍ଷେପଗୁଡିକୁ ବିରୋଧ କରିବାକୁ ଚେଷ୍ଟା କରୁଥିଲେ ଏବଂ ଲୋକମାନଙ୍କୁ ଭ୍ରମିତ କରୁଥିଲେ  । ଗୋଷ୍ଠୀଗତ ଜଙ୍ଗଲ ପରିଚାଳନା ସମୁଦାୟମାନେ ସମ୍ପୂର୍ଣ୍ଣ ରୂପରେ କରୁଥିଲେ, ମାତ୍ର ଯୁଗ୍ମ ବନ ସୁରକ୍ଷା ସମିତି ଲୋକମାନଙ୍କ ସାମୂହିକ ଉଦ୍ୟମକୁ ବିରୋଧ କରୁଥିଲେ  । ”

କଳାହାଣ୍ଡି ଜିଲ୍ଲାରେ ପ୍ରାୟତଃ ୧୦୦ ଟି ଗ୍ରାମସଭାରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାରର ସୁରକ୍ଷା ଏବଂ ପରିଚାଳନା କରୁଛନ୍ତି । କଳାହାଣ୍ଡି ଜିଲ୍ଲାର ଗ୍ରାମସଭାମାନେ ମହିଳାମାନଙ୍କ ଭୂମିକା ଏବଂ ନେତୃତ୍ୱର ବିକାଶପାଇଁ ଗ୍ରାମସ୍ତରରେ ମହିଳା କମିଟି ଏବଂ ବ୍ଲକସ୍ତରରେ ବ୍ଲକସ୍ତରୀୟ ମହିଳା କମିଟି ଗଠନ କରିଛନ୍ତି । ପ୍ରତ୍ୟେକ ଗ୍ରାମସଭା ନିଜ ଗୋଷ୍ଠୀଗତ ଜଙ୍ଗଲରେ ଗୋଷ୍ଠୀଗତ ବୃକ୍ଷରୋପଣ (Community Plantation) କରିବାର ଯୋଜନା ରଖିଛନ୍ତି  । ଗ୍ରାମବାସୀମାନେ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧୀୟ ସଚେତନତା ଗାଁ ଗାଁରେ ପହଞ୍ଚାଇବାର ପ୍ରୟାସ କରୁଛନ୍ତି ।  ଯୁବପିଢିମାନଙ୍କୁ ପ୍ରତ୍ୟକ୍ଷଭାବରେ ଗ୍ରାମସଭାର କାର୍ଯକ୍ରମରେ ଯୋଗଦାନ ଦେବା ଏବଂ ଜଙ୍ଗଲ ସୁରକ୍ଷା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ କଳାହାଣ୍ଡି ଗ୍ରାମସଭା ମହାସଂଘ ଜଙ୍ଗଲଜାତ ଦ୍ରବ୍ୟରୁ ଜୀବିକା ଉପାର୍ଜନ କରିବାର ଶିକ୍ଷା ଏବଂ କୌଶଳ ପ୍ରଦାନ କରୁଛି । ଗ୍ରାମସଭାମାନେ ଏକତ୍ରିତ ହୋଇ ବନଜାତ ଦ୍ରବ୍ୟର ବ୍ୟବସାୟ କରିବା ସହିତ ଗୋଷ୍ଠୀଗତ ଜଙ୍ଗଲର ପରିଚାଳନା କରୁଛନ୍ତି । ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଯେଉଁ ଗ୍ରାମସଭାମାନଙ୍କୁ ସାମୂହିକ ଜଙ୍ଗଲ ଅଧିକାର ପତ୍ର ମିଳିଛି, ସେମାନେ ଏକତ୍ରିତ ହୋଇ କେନ୍ଦୁପତ୍ର ଓ ବାଉଁଶର ବ୍ୟବସାୟ କରିପାରୁଛନ୍ତି । କଳାହାଣ୍ଡି ଗ୍ରାମସଭା ମହାସଂଘ ଆଗକୁ ମହୁଲ ବ୍ୟବସାୟ କରିବାର ଯୋଜନା ମଧ୍ୟ କରିଛନ୍ତି ।

କଳାହାଣ୍ଡି ଗ୍ରାମସଭା ମହାସଂଘ ଗୋଷ୍ଠୀଗତ ଜଙ୍ଗଲ ସୁରକ୍ଷା ଏବଂ ଏହାର ପରିଚାଳନା ଦିଗରେ ଏକ ନମୁନା ସୃଷ୍ଟି କରିଛି । ଗ୍ରାମମାନଙ୍କଦ୍ୱାରା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ହାସଲ କରିବା, ଜଙ୍ଗଲ ସମ୍ପଦର ବ୍ୟବସାୟ କରି ଆର୍ଥିକ ସ୍ୱାବଲମ୍ବୀ ହେବା ଏବଂ ଗୋଷ୍ଠୀଗତ ଜଙ୍ଗଲ ସମ୍ପଦ ପରିଚାଳନା କମିଟି ଦ୍ୱାରା ଗୋଷ୍ଠୀଗତ ଜଙ୍ଗଲକୁ ସୁରକ୍ଷା ଦେବା ତଥା ପରିଚାଳନା କରିବା କ୍ଷେତ୍ରରେ କଳାହାଣ୍ଡି ଗ୍ରାମସଭା ମହାସଂଘ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି  । ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ବଜାରରେ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟାଙ୍କନ କରୁଛନ୍ତି । କଳାହାଣ୍ଡି ଓଡ଼ିଶାରେ ଏକ ଅଗ୍ରଣୀ ଜିଲ୍ଲା ଭାବରେ ଗ୍ରାମସଭାର ସଶକ୍ତିକରଣ, ଗୋଷ୍ଠୀଗତ ସଂରକ୍ଷଣ ଏବଂ ବନଜାତଦ୍ରବ୍ୟର ବିକ୍ରିବଟା କରିବାରେ ନିଶ୍ଚିତ ରୂପରେ ସକ୍ଷମ ହେଇଛି ।

କଳାହାଣ୍ଡି ଜିଲ୍ଲାରେ ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣ ଓ ଗ୍ରାମସଭା ସଶକ୍ତିକରଣ ପ୍ରକ୍ରିୟାରେ ମହିଳାମାନଙ୍କର ଭୂମିକା ଦିନକୁ ଦିନ ଗୁରୁତ୍ୱପୂର୍ଣ୍ଣ ହେଉଛି । ଗ୍ରାମସ୍ତରୀୟ ମହିଳା କମିଟି ଏବଂ ବ୍ଲକସ୍ତରୀୟ ମହିଳା କମିଟି ଗଠନ ମାଧ୍ୟମରେ ସେମାନେ ନେତୃତ୍ୱ ଓ ନିଷ୍ପତ୍ତିଗତ ଭୂମିକାରେ ଆସୁଛନ୍ତି, ଯାହା ଗ୍ରାମସଭାକୁ ଅଧିକ ସୁଦୃଢ କରୁଛି । ମହିଳାମାନେ ଜଙ୍ଗଲ ପହରା (ଠେଙ୍ଗାପାଳି), ଚାରା ରୋପଣ, ବନାଗ୍ନି ନିୟନ୍ତ୍ରଣ ଏବଂ ବନଜାତ ଦ୍ରବ୍ୟ (କେନ୍ଦୁପତ୍ର, ମହୁଲ, ବାଉଁଶ ଆଦି) ସଂଗ୍ରହ ଏବଂ ବିକ୍ରିବଟା କରିବା ଓ ପ୍ରାଥମିକ ପ୍ରକ୍ରିୟାକରଣରେ ସକ୍ରିୟ ଭାଗ ନେଉଛନ୍ତି । କଳାହାଣ୍ଡି ଗ୍ରାମସଭା ମହାସଂଘ ମାଧ୍ୟମରେ ମହିଳାମାନେ ଜଙ୍ଗଲ ଜୀବିକା ଭିତ୍ତିକ ଶିକ୍ଷା ଓ କୌଶଳ ପ୍ରଶିକ୍ଷଣ ପାଇ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଅଗ୍ରସର ହେଉଛନ୍ତି । ବନଜାତ ଦ୍ରବ୍ୟର ସଂଗ୍ରହ ଓ ବ୍ୟବସାୟରେ ମହିଳା ସହଭାଗୀତା ବଢ଼ିବାରୁ ପରିବାର ଆୟ ବୃଦ୍ଧି ପାଉଛି ଏବଂ ଜଙ୍ଗଲ ସଂରକ୍ଷଣ ପ୍ରତି ତାଙ୍କର ଦାୟିତ୍ୱବୋଧ ମଧ୍ୟ ଶକ୍ତିଶାଳୀ ହେଉଛି । ସମସ୍ତ ଗ୍ରାମରେ ମହିଳାଙ୍କ ସମାନ ଅଂଶଗ୍ରହଣ ଦେଖାଯାଉନାହିଁ । ସାମାଜିକ ବାଧା, ସଚେତନତାର ଅଭାବ ଓ ନିଷ୍ପତ୍ତିଗ୍ରହଣରେ ସୀମିତ ପ୍ରତିନିଧିତ୍ୱ ତାଙ୍କର ଭୂମିକାକୁ ଦୁର୍ବଳ କରୁଛି । ତେଣୁ ସେହି ଗ୍ରାମଗୁଡ଼ିକରେ ମହିଳାମାନଙ୍କୁ ଜଙ୍ଗଲ ଅଧିକାର ଆଇନ ସମ୍ପର୍କରେ ସଚେତନ କରିବା, ଗ୍ରାମସଭାରେ ସକ୍ରିୟ ନେତୃତ୍ୱ ଦେବା ଏବଂ ବନଜାତ ଦ୍ରବ୍ୟର ମୂଲ୍ୟ ଶୃଙ୍ଖଳରେ (Value Chain) ସାମିଲ ହେବା ପାଇଁ ପ୍ରୋତ୍ସାହନ ଆବଶ୍ୟକତା ରହିଛି ।

ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣରେ ବର୍ତ୍ତମାନର ଆହ୍ୱାନ

ଗ୍ରାମସଭା ସଶକ୍ତ ହୋଇ ଗୋଷ୍ଠୀଜଙ୍ଗଲର ପରିଚାଳନା କରିବା ନିତାନ୍ତ ଆବଶ୍ୟକ । ସାମଗ୍ରିକ ଭାବରେ ଗୋଷ୍ଠୀଗତ ଜଙ୍ଗଲ ସୁରକ୍ଷାର ନେତୃତ୍ୱ ଏବଂ ପରିଚାଳନାରେ ସକ୍ରିୟ ସାମାଜିକ କର୍ମୀ ତଥା ମୂଳସ୍ତରରେ କାର୍ଯରତ ଥିବା ବ୍ୟକ୍ତିବିଶେଷଙ୍କ ସହ ଗଭୀର ଆଲୋଚନାରୁ ଆସିଥିବା ତଥ୍ୟର ସାରମର୍ମ ହେଲା :-   

  • ବନ ସୁରକ୍ଷା ସମିତି (VSS) ଦ୍ୱାରା ଗୋଷ୍ଠୀଗତ ଜଙ୍ଗଲ ଉପରେ ଜଙ୍ଗଲ ବିଭାଗର ହସ୍ତକ୍ଷେପ କରିବାଦ୍ୱାରା ବନନିବାସୀମାନେ ନିଜ ଅଧିକାରରୁ ବଞ୍ଚିତ ରହୁଛନ୍ତି ।
  • ଟ୍ରାନଜିଟ୍ ପରମିଟ ଏବଂ ପ୍ରସାଶନିକ ସହଯୋଗର ଅଭାବ ଯୋଗୁଁ ଗ୍ରାମସଭା ବନଜାତଦ୍ରବ୍ୟର ବିକ୍ରୀବଟା କରିବାରେ ଅସୁବିଧା ହେଉଛି ।
  • ରାଜସ୍ୱ ବିଭାଗ ଏବଂ ଜଙ୍ଗଲ ବିଭାଗର ଉଚିତ କାର୍ଯ୍ୟକ୍ଷେତ୍ରରେ ସହଭାଗୀତା ଓ ଯୋଗାଯୋଗର ଅଭାବ ।
  • ଗ୍ରାମସଭାର ଯଥୋଚିତ ସଶକ୍ତିକରଣ ହେଉନାହିଁ । ଫଳରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଥାଇ ମଧ୍ୟ ଲୋକେ ବନ ବିଭାଗ ଦ୍ୱାରା ହଇରାଣ ହେଉଛନ୍ତି ।
  • ଆଦିବାସୀ ଏବଂ ବନନିବାସୀମାନଙ୍କ ଜଙ୍ଗଲ ଅଧିକାର ଆଇନ ଉପରେ ସଚେତନ ନ ହେବା ଦ୍ୱାରା ସେମାନେ ଗୋଷ୍ଠୀଗତ ସଂରକ୍ଷଣ ପାଇଁ ଉଚିତ ପରିମାଣରେ ସହଯୋଗ କରିପାରୁନାହାନ୍ତି ।
  • ଗୋଷ୍ଠୀଗତ ସଂରକ୍ଷଣ ପାଇଁ ଜଙ୍ଗଲ ପହରା(ଠେଙ୍ଗାପାଳି) ନ କରିବା ଦ୍ୱାରା ଦେବଗଡ ଏବଂ ମୟୂରଭଞ୍ଜର ଅଧିକାଂଶ ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷିତ ହେଇପାରୁନାହିଁ ।
  • ସାମାଜିକ ବାଧା, ସଚେତନତାର ଅଭାବ ଏବଂ ଗ୍ରାମସଭା ସଶକ୍ତ ନ ହେବା ଯୋଗୁଁ ଗ୍ରାମସଭା ଏବଂ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ପରିଚାଳନା କମିଟିରେ ମହିଳାମାନଙ୍କ ଅଂଶଗ୍ରହଣ ବାଧାପ୍ରାପ୍ତ ହେଉଛି ।
  • ଗ୍ରାମସଭା ଏବଂ ଗୋଷ୍ଠୀଗତ ସଂରକ୍ଷଣରେ ଯୁବପିଢିଙ୍କ ଅଂଶଗ୍ରହଣ ହ୍ରାସ ପାଉଛି ।
  • ଅଧିକାରର ଅନୁପସ୍ଥିତିରେ ଗାଁମାନଙ୍କରେ ବେରୋଜଗାରୀ ବଢୁଛି । ଫଳରେ ଆର୍ôଥକ ସମସ୍ୟା ଏବଂ ଦାଦନ ସମସ୍ୟା ବଢିବା ଦେଖାଦେଉଛି ।
  • ପାଉଡି ଭୂୟାଁ ଗୋଷ୍ଠୀରେ ପୋଡୁଚାଷର ସମାୟାନୁକ୍ରମେ ହ୍ରାସ ହେବାର ଦେଖା ଦେଉଛି । ଏହାଦ୍ୱାରା ଗୋଷ୍ଠୀର ଅଧିକାଂଶ ଲୋକ ନିଜର ଜୀବିକା ହରାଇବା ବେଳେ ଜୀବନର ମାନଦଣ୍ଡ ଦୁର୍ବଳ ହେଉଛି ।

ଉପସଂହାର

 ଆଦିବାସୀ ଏବଂ ବନବାସୀମାନଙ୍କ ପାଇଁ ଜଙ୍ଗଲ ହେଉଛି ଜୀବିକାର ଉତ୍ସ  । ଜଙ୍ଗଲ ସୁରକ୍ଷା ପାଇଁ ଯଦିଓ ଆଇନଗତ ପଦକ୍ଷେପ ନିଆଯାଉଛି, ତଥାପି ଗୋଷ୍ଠୀଗତ ସଂରକ୍ଷଣର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ  । ଗୋଷ୍ଠୀଗତ ସଂରକ୍ଷଣ କରିବା ପାଇଁ ଅନେକ ବାଧାବିଘ୍ନ ରହୁଛି, ମାତ୍ର ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚି ଆସୁଥିବା ଲକ୍ଷ ଲକ୍ଷ ଆଦିବାସୀ ଏବଂ ବନବାସୀଙ୍କ ପାଇଁ ଗୋଷ୍ଠୀଗତ ସଂରକ୍ଷଣ ହିଁ ଏକମାତ୍ର ପଥ  । ଗୋଷ୍ଠୀଗତ ସଂରକ୍ଷଣ ସେମାନଙ୍କ ଜୀବନର ମାନଦଣ୍ଡ ବଢାଇବା ସଙ୍ଗେ ସାମାଜିକ ନ୍ୟାୟ ଦେଇପାରିବ  । ଓଡ଼ିଶାର ଆଦିବାସୀ ଏବଂ ବନବାସୀଙ୍କ ଜୀବନ-ଜୀବିକା, ସଂସ୍କୃତି ଏବଂ ପରିଚୟ ସହ ଜଙ୍ଗଲ ଗଭୀର ଭାବେ ଜଡିତ । ଗୋଷ୍ଠୀଗତ ସଂରକ୍ଷଣ କେବଳ ପରିବେଶଗତ ପଦକ୍ଷେପ ନୁହେଁ, ବରଂ ଏହା ସାମାଜିକ ନ୍ୟାୟ, ଅଧିକାର ସ୍ୱୀକୃତି ଏବଂ ସେମାନଙ୍କ ଜୀବନର ମାନଦଣ୍ଡର ମୂଳ ଆଧାର । ଜଙ୍ଗଲ ସୁରକ୍ଷାକୁ କେବଳ ସରକାରୀ ନୀତିର ସୀମାରେ ରଖି ହେବ ନାହିଁ; ଏହାକୁ ଗୋଷ୍ଠୀ-କେନ୍ଦ୍ରିକ, ଅଧିକାର-ଆଧାରିତ ଏବଂ ସହଭାଗୀତାମୂଳକ କରିବା ଆବଶ୍ୟକ  । ଗ୍ରାମସଭା ଏବଂ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ପରିଚାଳନା କମିଟି କିପରି ନିଜର ଅଧିକାରକୁ ସାବ୍ୟସ୍ତ କରି ସମୁଦାୟମାନଙ୍କ ଜୀବନର ମାନଦଣ୍ଡକୁ ବୃଦ୍ଧି କରୁଛି, ତାହା ଉପରେ ଗୋଷ୍ଠୀଗତ ସଂରକ୍ଷଣ ନିର୍ଭର କରେ । 

କ୍ଷତ୍ରିୟସ୍ତରରୁ ଆସିଥିବା ତଥ୍ୟରୁ ଜଣାପଡୁଛି ଯେ ଲୋକମାନେ ଗୋଷ୍ଠୀଗତ ଜଙ୍ଗଲ ସଂରକ୍ଷଣ ଉପରେ ଆଶାବାଦୀ ଅଛନ୍ତି । ସମୁଦାୟ ଦ୍ୱାରା ଜଙ୍ଗଲ ସୁରକ୍ଷାର ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି ଯେ ଜଙ୍ଗଲ ଅଧିକାର ଆଇନ ସେମାନଙ୍କ ଐତିହାସିକ ଅଭ୍ୟାସକୁ ସୁଦୃଢ ଆଧାର ଦେଇଛି । ସଫଳତା ଓ ବିଫଳତାର ଛକାପଞ୍ଜାରେ ସେମାନେ ନିଜର ପ୍ରୟାସ ଜାରି ରଖିଛନ୍ତି । ଏହାର  ଜଙ୍ଗଲ ସୁରକ୍ଷା ସଙ୍ଗେ ପରିବେଶ ପ୍ରତି ବ୍ୟାପକ ଅବଦାନ ରହିଛି ।

ବି : ଦ୍ର : ଏହି ଅଧ୍ୟୟନଟି ମୟୂରଭଞ୍ଜ ଜଙ୍ଗଲ ମଞ୍ଚ, ଦେବଗଡ ଜଙ୍ଗଲ ମଞ୍ଚ ଓ କଳାହାଣ୍ଡି ଗ୍ରାମସଭା ମହାସଂଘର ସହଯୋଗରେ କରାଯାଇଛି  । ମୟୂରଭଞ୍ଜ ଏବଂ ଦେବଗଡରେ କାର୍ଯ୍ୟରତ ଥିବା ବସୁନ୍ଧରାର ସହକର୍ମୀଙ୍କ ସମୟ ଓ ସାହାଯ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି ।

କାର୍ତ୍ତିକ ମେହେର
+ posts

ମୁଁ ବସୁନ୍ଧରାରେ ଜଣେ ଗବେଷଣା ସାଥୀ ( Research Fellow) ଭାବେ କାମ କରୁଛି । ଜଙ୍ଗଲ ଅଧିକାର , ଜଙ୍ଗଲ ଶାସନ , ପରିବେଶଗତ ନ୍ୟାୟ , ସମ୍ପ୍ରଦାୟ -ଭିତ୍ତିକ ପ୍ରାକୃତିକ ସମ୍ପଦ ଏବଂ ପ୍ରାକୃତିକ ସମ୍ପଦରୁ ପରିଚାଳିତ ଜୀବିକା ଉପରେ ପ୍ରମାଣ ଆଧାରିତ ପ୍ରସଙ୍ଗଗୁଡିକୁ କାହାଣୀ ଓ ବିଶ୍ଳେଷଣାତ୍ମକ ରିପୋର୍ଟ ଦ୍ୱାରା ବାସ୍ତବ କଥାକୁ ସାମ୍ନାକୁ ଆଣିବା ହେଉଛି ମୋର କାର୍ଯ୍ୟ ।

ଭଲ ଲାଗି ପାରେ

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ – ଯେଉଁଠି ପ୍ରକୃତି, ବିଜ୍ଞାନ ଓ ଜନସାଧାରଣ ସମସ୍ତେ ଗୁରୁତ୍ୱପୂର୍ଣ୍ଣ

ଜଙ୍ଗଲ ସଂରକ୍ଷଣ: ଏହାର ପ୍ରକୃତ ଅର୍ଥ କ’ଣ ? ଏହାର ଅର୍ଥ ସୁନିଶ୍ଚିତ କରିବା ନୁହେଁ ଯେ , ଜଙ୍ଗଲରେ ଯାହାର ସଂରକ୍ଷଣ କରାଯିବ ତାହାର ଭୌତିକ...

read more

ସାମୂହିକ ଜଙ୍ଗଲ ସଂରକ୍ଷଣ: ପ୍ରକୃତି ସହିତ ଆତ୍ମୀକ ସମ୍ବନ୍ଧ ଓ ସହବିକାଶ

ଡକ୍ଟର ନୀରା ସିଂଙ୍କ ସହ ଆନ୍ତରିକ ବାର୍ତ୍ତାଳାପ ପ୍ରଶ୍ନ: ‘ବନବାରତା’ର ଚଳିତ ସଂସ୍କରଣ ଜଙ୍ଗଲର ଗୋଷ୍ଠୀ ସଂରକ୍ଷଣ ପଦକ୍ଷେପକୁ ବିଶେଷ ଗୁରୁତ୍ୱ...

read more
ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ

ସାମୂହିକ ସମ୍ବଳର ରକ୍ଷକ : ଓଡ଼ିଶାରେ ଗୋଷ୍ଠୀ ପରିଚାଳିତ ସଂରକ୍ଷଣ

ପୃଷ୍ଠଭୂମି: ତୃଣମୂଳସ୍ତରରୁ ସଂରକ୍ଷଣ ଓଡ଼ିଶା ଭାରତର ସାମୂହିକ ନେତୃତ୍ୱରେ ଜଙ୍ଗଲ ସଂରକ୍ଷଣର ସବୁଠାରୁ ଜୀବନ୍ତ ପରିଦୃଶ୍ୟ ସୃଷ୍ଟି କରି ପାରିଛି...

read more
ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ

ଭାରତରେ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ପୃଷ୍ଠଭୂମି ଓ ବିକାଶ

ଉପକ୍ରମ ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର (କମ୍ୟୁନିଟି କନ୍ଜରଭଡ୍ ଏରିଆ-CCA) – ଏହି ଶବ୍ଦର ବ୍ୟବହାର କିଛି ଦଶକ ପୁରୁଣା ହୋଇପାରେ; କିନ୍ତୁ...

read more
ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

ଯେଉଁଠି ମହିଳା ନେଇଛନ୍ତି ଜଙ୍ଗଲ ପହରାର ଦାୟିତ୍ୱ, ସେଠି ଜଙ୍ଗଲର ବିକାଶ ଓ ସମୃଦ୍ଧି

କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ମହିଳା ନେତୃତ୍ୱାଧୀନ ଗୋଷ୍ଠୀ ସଂରକ୍ଷଣ ଅଭିଯାନ: ଜଙ୍ଗଲ ଉପରେ ନିର୍ଭରଶୀଳ ମହିଳାମାନେ କିପରି ଓଡ଼ିଶାରେ...

read more