‘ଉଚ୍ଛେଦ ନୁହେଁ; ଅଧିକାର ସାବ୍ୟସ୍ତ ପାଇଁ ଆସିଛି ଜଙ୍ଗଲ ଅଧିକାର ଆଇନ’: ତୁଷାର ଦାଶ

ବନବାରତା

ଦୀର୍ଘ ବର୍ଷ ଧରି ଆଦିବାସୀଙ୍କ ଉପରେ ହୋଇ ଆସୁଥିବା ଐତିହାସିକ ଅନ୍ୟାୟ ବିରୁଦ୍ଧରେ ଉଠିଥିବା ସ୍ୱରର ଫଳ ସ୍ୱରୂପ ଜନ୍ମ ନେଇଥିଲା ଜଙ୍ଗଲ ଅଧିକାର ଆଇନ। ଆଦିବାସୀଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଦେବାକୁ ଲକ୍ଷ୍ୟ ରଖିଥବା ଏହି ଆଇନ ସମୟକ୍ରମେ ପ୍ରଶାସନିକ ଅବହେଳାର ଶୀକାର ହୋଇଛି। ଯାହାକୁ ନେଇ ତଥା କଥିତ ପରିବେଶ ପ୍ରେମୀ, ପ୍ରକୃତି ପ୍ରେମୀ, ବନ ବିଭାଗର ଅବସରପ୍ରାପ୍ତ ବନ ଅଧିକାରୀ ଓ ବନ୍ୟଜନ୍ତୁ ସଂରକ୍ଷଣ ଉପରେ କାମ କରୁଥିବା ସଙ୍ଗଠନ; ଜଙ୍ଗଲ ଅଧିକାର ଆଇନର ବୈଧତା ଉପରେ ପ୍ରଶ୍ନ ଉଠାଇ, ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାକି ଏବେ ଉଚ୍ଚତମ ନ୍ୟାୟାଳୟଙ୍କ ବିଚାରଧୀନ। ଏହାକୁ ନେଇ ଆମେ କଥା ହୋଇଥିଲୁ ଜଙ୍ଗଲ ଅଧିକାର ଆଇନ ଉପରେ କାର୍ଯ୍ୟରତ ତୁଷାର ଦାଶଙ୍କ ସହିତ

ତୁଷାର ଦାଶ

ଆପଣଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନର ପରିଭାଷା କ’ଣ?

ଆଦିବାସୀ କିମ୍ବା ଜଙ୍ଗଲ ନିର୍ଭରଶୀଳ ସମୁଦାୟଙ୍କୁ ତାଙ୍କର ନାର୍ଯ୍ୟ ଅଧିକାରର ସ୍ୱୀକୃତି ପ୍ରଦାନ କରିବା ଓ ସେମାନଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଦେବାର ରାସ୍ତା ପ୍ରଶସ୍ଥ କରିବା ହିଁ ଜଙ୍ଗଲ ଅଧିକାର ଆଇନର ମୂଳ ଆଭିମୁଖ୍ୟ । ଏହି ଆଇନ ଉଚ୍ଛେଦ ପାଇଁ ନୁହେଁ ବରଂ ଅଧିକାରର ସ୍ୱୀକୃତି ପାଇଁ ସାମ୍ବିଧାନିକ ସ୍ୱୀକୃତି ପାଇଛି ।

ଯଦି ଆଇନ ଏତେ ସବୁ କଥା କୁହେ ତେବେ ଏହାର ସାମ୍ବିଧାନିକତାକୁ ନେଇ କାହିଁକି ପ୍ରଶ୍ନ ଉଠୁଛି ?

୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହେଲା । ଏହାର ଦୁଇବର୍ଷ ଭିତରେ ଅର୍ଥାତ ୨୦୦୮ ମାର୍ଚ୍ଚ ମାସରେ ଏହାର କାର୍ଯ୍ୟକାରିତା ପାଇଁ ନିୟମାବଳୀ ଆସିଲା ଓ ଏନେଇ ବିଜ୍ଞପ୍ତି ମଧ୍ୟ ଜାରି ହେଲା। ଆଇନ କାର୍ଯ୍ୟକାରୀ ହେବାର ଠିକ୍ କିଛି ମାସ ପରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଏହାକୁ ନେଇ ୱାଇଲ୍ଡଲାଇଫ୍ ଫାଷ୍ଟ ଓ ଅବସରପ୍ରାପ୍ତ ବନ କର୍ମଚାରୀ ଗୋଟିଏ ମାମଲା ରୁଜୁ କଲେ। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଜଙ୍ଗଲ ଅଧିକାର ଆଇନ ସାମ୍ବିଧାନିକ ନୁହେଁ । ସୁପ୍ରିମକୋର୍ଟରେ ବନ୍ୟଜନ୍ତୁ ସଂରକ୍ଷଣ ଉପରେ କାମ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ‘ୱାଇଲ୍ଡଲାଇଫ୍ ଫାଷ୍ଟ’ ଭଳି ପ୍ରସଙ୍ଗ ଉଠାଇ ଏକ ମାମଲା ରୁଜୁ କଲେ । ସେହିପରି ଓଡିଶା ହାଇକୋର୍ଟରେ ଅବସରପ୍ରାପ୍ତ ଜଙ୍ଗଲ ବିଭାଗ କର୍ମଚାରୀ ସଂଘ ପକ୍ଷରୁ ମାମଲା ରୁଜୁ କରାଗଲା । ଯାହାର ଆଧାରରେ ହାଇକୋର୍ଟ ତୁରନ୍ତ ଏହି ମାମଲାରେ ଏକ ରହିତାଦେଶ ଜାରି କଲେ । ଯେଉଁଥିରେ ସ୍ପଷ୍ଟଭାବେ ଉଲ୍ଲେଖ କରାଗଲା କି ଯଦିଓ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟା ଚାଲୁ ରହିବ ହେଲେ କାହାକୁ ପଟ୍ଟା ବଣ୍ଟନ କରାଯାଇ ପାରିବ ନାହିଁ ।

ଏହି ନିଷ୍ପତ୍ତିକୁ ସେ ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଆଦିବାସୀ ସଙ୍ଗଠନମାନେ କିପରି ଗ୍ରହଣ କଲେ?

ଆଦିବାସୀଙ୍କ ତରଫରୁ ହାଇକୋର୍ଟରେ ଆଦିବାସୀ ସଙ୍ଗଠନ ଏହି ମାମଲାରେ ନିଜର ଦାୟୀତ୍ତ୍ୱକୁ ପ୍ରଦର୍ଶନ କଲେ । ସେତେବେଳେ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ଏହି ସମାନ ମାମଲା ଚାଲିଥାଏ । ଏଭଳି ସମୟରେ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଏକ ପିଟିସନ୍ ଦାୟର କଲେ । ଯେଉଁଥିରେ ଲେଖାଥିଲା ଯେହେତୁ ଦେଶର ବିଭିନ୍ନ ରାଜ୍ୟର ହାଇକୋର୍ଟରେ ଏହି ସମାନ ମାମଲା ଚାଲୁଛି ତେଣୁ ଏସବୁ ମାମଲାଗୁଡିକୁ ଏକତ୍ର କରି ସୁପ୍ରିମକୋର୍ଟ ଅଣାଯାଉ । ପୁଣି ସୁପ୍ରିମକୋର୍ଟରେ ଏଣିକି ଏହି ମାମଲାର ଶୁଣାଣି କରାଯିବ ।

ସୁପ୍ରିମକୋର୍ଟ ଯିବା ପରେ ଏହି ମାମଲାକୁ କେମିତି ଦୃଷ୍ଟିରେ ଦେଖାଗଲା?

ମାମଲା ଥରେ ବିଚାରକୁ ଯିବା ପରେ; କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ଜଙ୍ଗଲ ଅଧିକାର ଅଧୀନିୟମର ସାମ୍ବିଧାନିକତାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ତାହାକୁ ସୁପ୍ରିମକୋର୍ଟର ବିଭାଗୀୟ ଅଧିକାରୀଙ୍କ ନିକଟରେ ଜମା କରାଗଲା । ଯେଉଁଥିରେ ପିଟିସନରମାନଙ୍କ ଦାବିଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ସ୍ଥାନିତ କରାଗଲା। ଯାହାକି ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ ବୈଧତାକୁ ନେଇ ରହିଥିଲା ।

ପ୍ରତିପକ୍ଷଙ୍କ ଯୁକ୍ତି କ’ଣ ଥିଲା?

ପ୍ରତିପକ୍ଷ ଆଇନଗତ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେମାନେ ଯୁକ୍ତି ବାଢ଼ିଥିଲେ ଯେ ଜଙ୍ଗଲ ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାର ଅଧିକାର ସଂସଦର ନାହିଁ । ପୁଣି ଜମି ଭଳି ବିଷୟରେ ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ପାଖରେ ଅଛି । କାରଣ ଏହା ଗୋଟିଏ ରାଜ୍ୟ ବିଷୟ । ଏମିତି ଆଇନର ଅନ୍ୟ ଦିଗ ଉପରେ ବି ଆଲୋଚନା କରାଯାଇଥିଲା ।

ପ୍ରତିପକ୍ଷଙ୍କ ଯୁକ୍ତି ପରେ ଏହା କିପରି ମୋଡ ନେଲା?

ପ୍ରତିପକ୍ଷଙ୍କ ଯୁକ୍ତି ପରେ କେନ୍ଦ୍ର ସରାକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ଏକ ପୁଙ୍ଖନୁପୁଙ୍ଖ ରିପୋର୍ଟ ପ୍ରଦାନ କରାଯାଇଥିଲା । ଆରମ୍ଭରୁ ଏହା ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକତାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ୨୦୧୬ ପରେ ପ୍ରତିପକ୍ଷ ଦ୍ୱାରା ଏହାକୁ ଭିନ୍ନ ରୂପ ଦିଆଗଲା । ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସାରା ଦେଶରେ ଜଙ୍ଗଲ ଅଧିକାର ଆଇନରେ କେତେ ବ୍ୟକ୍ତିଗତ ଦାବି ଆବେଦନ କରାଯାଇଛି, କେତେ ଦାବି ନାକଚ ହୋଇଛି ଏବଂ ଯେଉଁମାନଙ୍କର ନାକଚ ହୋଇଛି ତା’ ଉପରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଉପରେ ଜୋର୍ ଦିଆଗଲା ।

ଏହି ପୂରା ପ୍ରକ୍ରିୟାରେ ଆଦିବାସୀ ମନ୍ତ୍ରଣାଳୟର ଭୂମିକା କ’ଣ ଥିଲା?

କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହେଉଛି; ଜଙ୍ଗଲ ଅଧିକାର ଆଇନ ପାଇଁ ଏକ ନୋଡାଲ ଏଜେନ୍ସି । ତେଣୁ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟ ଆଗରେ ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକତାକୁ ନେଇ ଯୁକ୍ତି ରଖାଯିବା କଥା । ମାତ୍ର ମନ୍ତ୍ରଣାଳୟ ତାହା କରିବାରେ ଅବହେଳା କରିଛନ୍ତି । ଫଳରେ ପ୍ରତିପକ୍ଷଙ୍କ ଅଭିଯୋଗ ଅନୁସାରେ ଜଙ୍ଗଲ ଅଧିକାର ଆଇନ କିପରି, କେଉଁଠି ଓ କେତେ କାର୍ଯ୍ୟକାରୀ ହୋଇଛି ସେ ଦିଗରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଗଲା ।

ଏସବୁ ପରେ ସୁପ୍ରିମକୋର୍ଟ ଦ୍ୱାରା ରାୟ ପ୍ରକାଶ ପାଇଲା କି?

୨୦୧୯ ଫେବୃୟାରୀ ୧୩ରେ ସୁପ୍ରିମ କୋର୍ଟ ପୁଣିଥରେ ଏହି ମାମଲାର ଶୁଣାଣି କରିବାକୁ ସ୍ଥିର କଲେ । ସେତେବେଳେ ଏହା ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକତା ଦିଗରୁ ବାହାରି ଏହାର କାର୍ଯ୍ୟକାରିତା ଆଡ଼କୁ ଗୁରୁତ୍ୱ ଦେଲେ । ତେଣୁ ସୁପ୍ରିମକୋର୍ଟରେ ପୁଣିଥରେ ଦାବି ଆବେଦନ ଓ ନାକଚର କଥା ଉଠାଇଲା । ଦାବି ନାକଚ ପରେ ବି ଜଙ୍ଗଲ ଜମି ଉପରେ ଅକ୍ତିଆର କରି ରହୁଥିବା ବନବାସୀଙ୍କୁ ଆଇନଗତ ଭାବେ ଜବରଦଖଲକାରୀ ବୋଲି କହିଲେ। ତେଣୁ ତାଙ୍କୁ ଉଚ୍ଛେଦ ହେବା ଦରକାର ବୋଲି ନିର୍ଦ୍ଦେଶ ମଧ୍ୟ ଦେଲେ । ସୁପ୍ରିମକୋର୍ଟ ଘଟଣାର ତଦନ୍ତ ନ କରି; ଏହି ଲଢ଼େଇ ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ କଥାକୁ ନେଇ ନ ବୁଝି; ଜଙ୍ଗଲ ଜମି ଉପରେ ଦାବି କରିଥିବା ଦାବିଦାରଙ୍କ ଦାବି କିପରି ନାକଚ ହୋଇଛି ଓ କେଉଁ ଆଧାରରେ ହୋଇଛି ସେସବୁ ଆଲୋଚନା ନକରି; ତଦନ୍ତ ନ କରି ଏକ ନିର୍ଦ୍ଦେଶନାମା ଜାରି କରିଦେଲେ; ଆଉ କହିଲେ ତୁରନ୍ତ ନାକଚ ହୋଇଥିବା ଦାବିଦାରଙ୍କୁ ଉଚ୍ଛେଦ କରାଯାଉ।

ଆଦିବାସୀଙ୍କୁ ଏପରି ଉଚ୍ଛେଦ କରାଯିବା କଥା ସୁପ୍ରିମକୋର୍ଟଙ୍କ ଦ୍ୱାରା କୁହାଯିବା ପରେ ଏହାକୁ ନେଇ କିପରି ପ୍ରତିକ୍ରିୟା ପ୍ରକାଶ ପାଇଲା?

ଯେତେବେଳେ ଏହି ନିର୍ଦ୍ଦେଶ ଜାରି ହେଲା ସେତେବେଳକୁ ସାରା ଦେଶରେ ପାଖାପାଖି ୧୮ ଲକ୍ଷ ଆଦିବାସୀ, ଯେଉଁମାନଙ୍କର ଦାବିକୁ ନାକଚ କରି ଦିଆଯାଇଥିଲା ସେମାନେ ତାଲିକାରେ ଆସି ସାରିଥିଲେ। ଯାହା ଭିତରେ ଉଭୟ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମ୍ପ୍ରଦାୟ ଥିଲେ। ଏହାକୁ ନେଇ ସେତେବେଳେ ସାରା ଦେଶରେ ଗଣପ୍ରତିବାଦ ହୋଇଥିଲା ।

ଗଣଆନ୍ଦୋଳନର ପ୍ରତିକ୍ରିୟା ସ୍ୱରୂପ ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା କି ପଦକ୍ଷେପ ନିଆଗଲା?

କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଏହି ଗଣଧାରଣା ଆଧାରରେ ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କଲେ; ଯେଉଁଥିରେ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଉପସ୍ଥାପନ କରାଗଲା କି ଯେଉଁ ଦାବିଦାରମାନଙ୍କ ଦାବିକୁ ନାକଚ କରି ଦିଆଯାଇଛି ତାହାକୁ ଆଇନ ସମ୍ମତ ଭାବେ କରାଯାଇନାହିଁ । ଦାବି ନାକଚ ବେଳେ ଯେଉଁ ପ୍ରକ୍ରିୟା ଦେଇ ଏହି କାମ ହେବା କଥା ତାହା ଠିକ୍ ଭାବରେ ହୋଇ ପାରିନାହିଁ । ବିଶେଷ କରି ଦାବି ନାକଚ ବାବଦରେ ଗ୍ରାମସଭା, ଜଙ୍ଗଲ ଅଧିକାର କମିଟି ଓ ଦାବିଦାର ସୂଚନା ପାଇ ନାହାଁନ୍ତି । ତାଙ୍କ ପାଖକୁ ଏ ନେଇ କୌଣସି ଲିଖିତ ଅଭିଯୋଗ ଆସିପାରିନାହିଁ।

ଆବେଦନ ଓ ସମୀକ୍ଷାକୁ ନେଇ ଜଙ୍ଗଲ ଅଧିକାର ଆଇନ କ’ଣ କୁହେ? ଦାବି ନାକଚ କରିବା ନେଇ ଆଇନର ପ୍ରାବଧାନ କ’ଣ?

ଜଙ୍ଗଲ ଅଧିକାର ଅଧୀନିୟମ ଅନୁସାରେ ଯେତେବେଳେ କୌଣସି ଦାବିଦାରଙ୍କର ଦାବିକୁ ନାକଚ କରି ଦିଆଯାଏ ସେତେବେଳେ ଉକ୍ତ ଦାବିଦାରଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ସୂଚନା ପ୍ରଦାନ କରିବା କଥା । କେବଳ ସେତିକି ନୁହେଁ ସେହି ସମାନ ଦାବି କାହିଁକି ନାକଚ ହୋଇଛି ତା’ର ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟିକୁ ବି ପ୍ରଦାନ କରିବା କଥା । ଯେଉଁଥିରେ ଦାବି ନକଚର କାରଣକୁ ସ୍ପଷ୍ଟ ରଖାଯିବା ଦରକାର । ଯଦି ଆସିଥିବା ରିପୋର୍ଟର ତଥ୍ୟ ସହ ଉଭୟ ଦାବିଦାର, ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟି ରାଜି ଅଛନ୍ତି ତେବେ ସେମାନେ ଏନେଇ ଅପିଲ କରିପାରିବେ ।

ଗ୍ରାମସଭା ଓ ଉପଖଣ୍ଡସ୍ତରୀୟ କମିଟି ପାରିତ କଲା ପରେ ଯଦି ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଦାବିକୁ ଚୂଡାନ୍ତ ଭାବେ ଦାବିକୁ ନାକଚ କରି ଦିଆଯାଏ; ତେବେ ଜିଲ୍ଲାସ୍ତରୀୟ କମିଟି ମାଧ୍ୟମରେ ପ୍ରଥମେ ଗ୍ରାମସଭାକୁ ଦାବି ନାକଚର କାରଣ ବାବଦରେ ଜଣାଇବାକୁ ପଡିବ। ଯାହାକି ଜଙ୍ଗଲ ଅଧିକାର ନିୟମାବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଯଦିଓ କୁହାଯାଉଛି କି ଜିଲ୍ଲାସ୍ତରୀୟ କମିଟି ଦାବିଗୁଡିକ ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇ ପାରିବ । ମାତ୍ର ଜାଣିରଖିବା ଜରୁରୀ କି ଜିଲ୍ଲାସ୍ତରୀୟ କମିଟିକୁ ବି ଗୋଟିଏ ନିୟମ ମାନି କାର୍ଯ୍ୟକାରିବାକୁ ହେବ । ଯଦି ଗ୍ରାମସଭା ଓ ଉପଖଣ୍ଡସ୍ତରୀୟ କମିଟି ଦ୍ୱାରା ଦାବିକୁ ଗ୍ରହଣ କରାଯାଇ ପାସ୍ କରାଗଲା ଓ ଉକ୍ତ ଦାବିକୁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ନାକଚ କରିଦିଆଗଲା ତେବେ; ଜିଲ୍ଲାସ୍ତରୀୟ କମିଟି ପୁଣିଥରେ ଏହାକୁ ରିମାଣ୍ଡ କରିବ । ଏଇଟାକୁ ହିଁ ଆବେଦନ ଓ ସମୀକ୍ଷା ପ୍ରକ୍ରିୟା ବୋଲି କୁହାଯାଏ ।

ଏତେସବୁ ପରେ ବି ଏହି ରିଭ୍ୟୁ ପ୍ରକ୍ରିୟା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପାରିଲାନି କାହିଁକି ?

୨୦୧୯ରେ ସୁପ୍ରିମ କୋର୍ଟ ରାୟ ଦେଲେ କି ସବୁ ରାଜ୍ୟ ନିଜ ନିଜର ନାକଚ ଦାବିଗୁଡିକୁ ପୁଣିଥର ଯାଞ୍ଚ କରି ଏହାର ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରଦାନ କରନ୍ତୁ । ଏହାକୁ ଭିତ୍ତି କରି ଭିନ୍ନ ଭିନ୍ନ ରାଜ୍ୟମାନେ ବିଭିନ୍ନ ସମୟରେ ସର୍କୁଲାର ଜାରି କଲେ । ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ନିୟମ ଆଧାରରେ ଏସବୁ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ପାରିଲା ନାହିଁ । ଯେଉଁ କେତୋଟି ଜାଗାରେ ଏହାକୁ କରାଗଲା ସେଥିରେ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟିର କୌଣସି ଭୂମିକା ରହିଲା ନାହିଁ ।

ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଆଦିବାସୀ ମନ୍ତ୍ରଣାଳୟ ଭୂମିକା କ’ଣ ଥିଲା?

କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଜଣେ ନୋଡାଲ ଏଜେନ୍ସି ଭାବେ ନାକଚ ଦାବିଗୁଡିକର ପୁନଃ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଯେଉଁ ତତ୍ପରତା ଦେଖାଇବା କଥା ତାହା କରି ପାରି ନାହାଁନ୍ତି। ପୁଣି ଯେଉଁ ଷ୍ଟାଣ୍ଡାର୍ଡ ଗାଇଡଲାଇନ୍ ଜାରି କରିବା କଥା ତାହା ମଧ୍ୟ ହୋଇପାରି ନାହିଁ ।

ଓଡିଶାରେ ଏହାର ପ୍ରଭାବ କିପରି ଥିଲା?

‘କ୍ୟାମ୍ପେନ୍ ଫର ସର୍ଭାଇଭାଲ ଆଣ୍ଡ ଡିଗ୍‌ନିଟି’ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୧୯ରେ ଓଡିଶା ତରଫରୁ ଯେତିକି ଜଣଙ୍କ ଦାବିକୁ ନାକଚ କରି ଦିଆଯାଇଥିଲା ତାହା ଏବେବି ବଳବତ୍ତର ରହିଛି । ଦୀର୍ଘବର୍ଷ ହେବ ମାମଲା ଯଦିଓ ବିଚାରାଧୀନ ରହିଛି; ହେଲେ କୌଣସି ଶୁଣାଣି ଏ ଦିଗରେ କରାଯାଇନି । ୨୦୨୫ରେ ଏପ୍ରିଲ ମାସରେ ଏହି ମାମଲା ପୁଣିଥରେ ଶୁଣାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହା ବନବାସୀଙ୍କ ଉପରେ ଆଶଙ୍କା ସୃଷ୍ଟି କରୁଛି ।

କ୍ରମାଗତ ଭାବେ ୨୦୦୮ ପରେ ୨୦୧୬, ୨୦୧୯ ଆଉ ଏବେ ୨୦୨୫ରେ ଏହାର ଶୁଣାଣି କରାଯିବା ପ୍ରକ୍ରିୟା ଆରମ୍ଭ ହେଉ ହେଉ ରହିଲା । ଏହି ବିଳମ୍ବର କାରଣ କ’ଣ?

କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଏହି ଶୁଣାଣିକୁ ତ୍ୱରାନ୍ୱିତ କରିବା ଦିଗରେ ମୁଖ୍ୟ ଭୂମିକା ନିର୍ବାହ କରିବା କଥା । କାରଣ ଜଙ୍ଗଲ ଅଧିକାର ଅଧୀନିୟମକୁ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ଆସିବାସୀ ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ର ଭୂମିକା ରହିଛି । ଯଦି ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦଷ୍ଟ ବିଷୟର ସମୀକ୍ଷା କଥା କହିଛନ୍ତି ତେବେ ତାହା କି ପ୍ରକାର ଉପୟରେ ହେବ ତାହା ଗୋଟିଏ ନୋଡାଲ ଏଜେନ୍ସି ହିଁ କରିପାରିବ । ମାତ୍ର ତାହା ହୋଇପାରିଲା ନାହିଁ । ତେଣୁ ରାଜ୍ୟ ସ୍ତରରେ ଯେଉଁ ଦାବିଦାରମାନଙ୍କ ଦାବି ନାକଚ କରାଯାଇଛି ତାହା ସମୀକ୍ଷା ନ ହୋଇ ସେମିତି ପଡ଼ି ରହିଛି । ତାଛଡା ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରାଯାଇ ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଗୋଟିଏ ପ୍ରକାର ଢ଼ଙ୍ଗରେ ଏହି ଯାଞ୍ଚ ପ୍ରକ୍ରିୟା କରାଯାଇନଥିବାରୁ ଦାବି ନାକଚର ତଦନ୍ତ ବିଳମ୍ବ ହେବା ସଙ୍ଗେ ସଙ୍ଗେ ଠିକ୍ ଭାବେ ହୋଇପାରନି ।

ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୮ ବର୍ଷ ବିତି ଯାଇଛି ହେଲେ ଆଜିଯାଏଁ ଜଙ୍ଗଲ ଅଧିକାର ଆଇନକୁ ନେଇ ଗ୍ରାମସଭା ସ୍ତରରେ କାହିଁକି ସେତେଟା ସଚେତନତା ଆସିପାରି ନାହିଁ?

ସାଧାରଣ ଭାବେ ଯେଉଁମାନଙ୍କ ପାଖରେ ଜଙ୍ଗଲ ଜମି ଉପରେ ଦାବି କରିବାର ଅଧିକାର ଅଛି ବା ଯେଉଁମାନଙ୍କ ପାଖରେ ପାରମ୍ପରିକ ଅଧିକାର ପାଇବାର ଦାବି ରହିଛି ସେମାନେ ନିଜ ଦାବିକୁ ନେଇ ସଚେତନ । ସେମାନେ ସବୁବେଳେ ନିଜ ଅଧିକାରକୁ ନେଇ ସ୍ୱର ଉଠାଇଛନ୍ତି । ଆଦିବାସୀ ଓ ଆଦିବାସୀ ସଙ୍ଗଠନମାନଙ୍କର ଲଢ଼େଇ ଯୋଗୁଁ ହିଁ ଆଜି ଜଙ୍ଗଲ ଅଧିକାର ଆଇନ ଭଳି ଏକ ସାମ୍ବିଧାନିକ ଆଇନ ଆସିପାରିଛି । ଜଙ୍ଗଲ ଅଧିକାର ଆଇନ ଆସିବା ପୂର୍ବରୁ ଯେଉଁଭଳି ଭାବେ ଗଣପ୍ରତିବାଦ କରାଗଲା ଓ ସରକାରଙ୍କ ପାଖରେ ଯେଉଁ ଏକ ଦାବି ରଖାଗଲା; ତାହା ଜଙ୍ଗଲବାସୀଙ୍କ ପାଇଁ ନୂଆ ଏକ ସାମ୍ବିଧାନିକ ବ୍ୟବସ୍ଥା ଆଣିବା ପାଇଁ ଓ ନୂଆ ଆଇନ ଆଣିବା ଦିଗରେ ସ୍ପଷ୍ଟ ରାସ୍ତା ଦେଖାଇଥିଲା ।

ଜଙ୍ଗଲ ଅଧିକାର କମିଟି କାହିଁକି ସବୁଜାଗାରେ ସୁଦୃଢ଼ ଭାବେ କାମ କରିପାରୁନି? ଏ ବାବଦରେ ଆପଣ କ’ଣ କହିବେ?

ଜଙ୍ଗଲ ଅଧିକାର ଆଇନ ଆସିବା ପରେ ଲୋକଙ୍କ ଅଧିକାର ପାଇଁ ଯେଭଳି ତତ୍ପରତା ପ୍ରକାଶ ପାଇବା କଥା ତାହା ହୋଇନି । କାରଣ ଜଙ୍ଗଲ ଅଧିକାର ଆଇନ ଆସିବା ପରେ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟିକୁ ଯେଉଁଭଳି କ୍ଷମତା ପ୍ରଦାନ କରାଯିବା କଥା ତାହା ଏଯାଏଁ କରାଯାଇ ପାରିନି । ଯାହାର ଉତ୍ତରଦାୟିତ୍ୱ ରାଜ୍ୟ ସରକାରଙ୍କର । ଯଦି ଗ୍ରାମସଭା କ୍ଷମତାସମ୍ପନ୍ନ ହୁଏ ତେବେ ଗ୍ରାମସଭା ହାତରେ ସବୁକିଛି ନିଷ୍ପତ୍ତି ନେବାର କ୍ଷମତା ରହିବ । ଏବେ କ୍ଷମତା ଓ ନିଷ୍ପତ୍ତି ଗ୍ରହଣ ଗୋଟିଏ ଜାଗାରେ କେନ୍ଦ୍ରିତ ହୋଇଯାଇଛି । ଜଙ୍ଗଲ ଓ ପ୍ରଶାସନର କ୍ଷମତା ଓ ନିୟନ୍ତ୍ରଣ ବନ ବିଭାଗ ହାତରେ । ବାସ୍ତବିକ କହିବାକୁ ଗଲେ ପ୍ରଶାସନିକ ବିଧିବ୍ୟବସ୍ଥା ଭିତରେ ଏଯାଏଁ କୌଣସି ପରିବର୍ତ୍ତନ ଆସିନି । ଅର୍ଥାତ ଇଂରେଜ ଶାସନ ସମୟର ଉପନିବେଶବାଦର ଆଇନଗତ ପ୍ରଭାବ ଏବେବି ବଳବତ୍ତର ରହିଛି ।

ଏତେସବୁ ଘଟଣାକୁ ଆଲୋଚନା କଲା ପରେ ଜଣାଯାଏ ଯେ ବନବାସୀଙ୍କ ଅଧିକାର ସବୁ ସମୟରେ ଉପେକ୍ଷିତ ହୋଇ ଆସିଛି । ତେବେ ବର୍ତମାନ ସମୟରେ ବନବାସୀଙ୍କ ଅଧିକାର କିପରି ସୁରକ୍ଷିତ ହୋଇପାରିବ ବୋଲି ଭାବୁଛନ୍ତି ?

କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଏବେ ନିଜର ଭୂମିକାକୁ ଅଧିକ ବଳିଷ୍ଠ ଓ ଶାଣିତ କରିବା ଦରକାର । ଆଜିକୁ ୧୮ ବର୍ଷ ତଳେ ଜଙ୍ଗଲ ଅଧିକାର ଅଧୀନିୟମର ସାମ୍ବିଧାନିକ ବୈଧତାକୁ ନେଇ ଯେଉଁ ପ୍ରଶ୍ନ ଉଠାଯାଇଥିଲା ତାହାକୁ ତର୍ଜମା କରିବା ଦରକାର। ୨୦୧୬ ପରଠାରୁ ସୁପ୍ରିମେକୋର୍ଟରେ ଉଠିଥିବା କଥାକୁ ଯେଉଁଭଳି ଭାବେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରି ଦିଆଯାଇଛି ତାହାକୁ ନ କରି ଏହାର ବାସ୍ତବିକ ଅଭିଯୋଗ ଉପରେ ଶୁଣାଣି କରାଯିବା ଦରକାର । ଜଙ୍ଗଲ ଅଧିକାର ଆଇନ ଉଚ୍ଛେଦ ପାଇଁ ତିଆରି କରାଯାଇନଥିଲା । ଏହା ବିଶେଷକରି ଅଧିକାରର ସ୍ୱୀକୃତି ଦେବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଏକଥାକୁ ଆକ୍ଷରିକ ଭାବେ ବୁଝିବାର ସମୟ ଆସିଛି ।

ବନବାରତା
 |  + posts

Quarterly published magazine

ଭଲ ଲାଗି ପାରେ

ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହରେ : ପ୍ରଣତି ସାହୁ, ଶୁଭଶ୍ରୀ ମିଶ୍ର, ସସ୍ମିତା ଟୁଡ଼ୁ, ମୌସୁମୀ ପ୍ରଧାନଓଡ଼ିଶାର ବିଭିନ୍ନ ସମୁଦାୟଙ୍କ ଜୀବନରେ...

read more
ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

(ଲିଭିଂ ଫାର୍ମ ଦ୍ୱାରା ହୋଇଥିବା ୨୦୧୪ର ରିପୋର୍ଟ, ଦଶନ୍ଧି ପରେ ପୁନଃ ଅନୁଧ୍ୟାନ) ସଂକଳକ – ନିବେଦିତା ପଣ୍ଡା ଓଡ଼ିଶାରେ ରହିଛି ସବୁଜିମାଭରା...

read more
ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ...

read more
କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

ବିସ୍ତୃତ ଜଙ୍ଗଲ ଅଞ୍ଚଳ ଏବଂ ଏକ ପର୍ଯ୍ୟାପ୍ତ ଆଦିବାସୀ ଜନସଂଖ୍ୟା ସହିତ ଜୈବ ବିବିଧତା ଏବଂ ଆଦିବାସୀମାନଙ୍କ ନିଆରା ଜୀବନଜୀବିକା ଅଭ୍ୟାସ...

read more
ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ମାନବ ସଭ୍ୟତା କାଳରୁ ଆଦିବାସୀମାନେ ଜଙ୍ଗଲର ଶରଣାର୍ଥୀ ହୋଇ ବାସ କରିଆସୁଛନ୍ତି । ଜଙ୍ଗଲକୁ ନିଜର ଛାଇ କରି, ନିଜ ଜୀବନକୁ ପ୍ରାକୃତିକ ଶୋଭାରେ...

read more
କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି ।...

read more