ବିସ୍ଥାପନ ଓ ପୁନଃ ଥଇଥାନ ପରର କାହାଣୀ

ମାମାଲି ସାହୁ

ଜଙ୍ଗଲ ଅଧିକାର ଆଇନ ସ୍ୱୀକୃତି ଦୌଡରେ ଚୁଡଙ୍ଗଗଡବାସୀ

ରିପୋର୍ଟ: ମାମାଲି ସାହୁ

ପ୍ରସ୍ତୁତି: ପ୍ରତିଭା ଘୋଷ

 

ଦିନେ ଜଙ୍ଗଲ ଥିଲା ସେମାନଙ୍କର । ମାଇଲ ମାଇଲ ଯୋଜନ ବାଟକୁ ସେମାନେ ପାଦରେ ଚାଲି ଚାଲି ଅତିକ୍ରମ କରୁଥିଲେ । ଯେଉଁଠି ଚାହୁଁଥିଲେ ସେଠି ଚାଷ, ବାସ କରି ପାରୁଥିଲେ । ପ୍ରାକୃତି କୋଳରେ ବିତିଯାଉଥିଲା ସରଳ ଜୀବନ । ଚନ୍ଦକା ଡମପଡା ଅଭୟାରଣ୍ୟ ଭିତରେ କାହିଁ କେଉଁ କଳାରୁ ଗଢ଼ି ଉଠିଥିଲା ଢ଼ୋଲକାଠ, ବେ ସାହି, ନୂଆକୁଅ ଓ ପିଠାଖିଆ ଗାଁ । ଅଭୟାରଣ୍ୟ ଭିତରେ ଏକର ଏକର ଜଙ୍ଗଲ ଜମି ଥିଲା ଏମାନଙ୍କର ଏକାନ୍ତ ନିଜର । ଯାହା ଉପରେ ନଜର ପଡିଲା ଜମି ମାଫିଆ ଓ ସେ ସମୟର ସରକାରୀ ବାବୁମାନଙ୍କର । ୧୯୯୨ ମସିହା ବେଳକୁ ସରକାର ଗ୍ରାମବାସୀ ମାନଙ୍କୁ ଚନ୍ଦକା ଡମପଡା ଅଭୟାରଣ୍ୟ ଭିତରୁ ବାହାର କରି ଆଣିଲେ । ସରକାର ଏହାକୁ ବିସ୍ଥାପନ ବଦଳରେ ପୁନଃ ଥଇଥାନର ନାଁ ଦେଲେ । ଆଉ ଆଣି ଥଇଥାନ କରିଦେଲେ ଚୁଡଙ୍ଗଗଡ ଅଞ୍ଚଳରେ । ପ୍ରତିଶ୍ରୁତି ଦେଲେ ଯେଉଁମାନେ ଅଭୟାରଣ୍ୟ ଛାଡି ଆସିବେ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ମିଳିବ । ଜମି, ଘର, ପାଣି ସହ ଡାକ୍ତରଖାନା ଓ ପିଲାଙ୍କ ପାଠପଢ଼ିବାର ସୁବିଧା ଯୋଗାଇ ଦିଆଯିବ।

ଏମିତିରେ ୧୯୯୨ ମସିହାରେ ଚୁଡଙ୍ଗଗଡ ଅଞ୍ଚଳରେ ୬୨ ପରିବାରକୁ ନେଇ ଗଢ଼ି ଉଠିଲା କୃଷ୍ଣନଗର, ୧୯୯୮ ମସିହାରେ ୩୨ ପରିବାରକୁ ନେଇ ଗଢ଼ି ଉଠିଲା ତୁଳସୀଦେଇପୁର ଓ ୨୦୦୮ ମସିହାରେ ୩୫ ପରିବାରକୁ ନେଇ ଗଢ଼ି ଉଠିଲା ଭୁଆସୁଣୀ ଗାଁ । ଆଉ କ୍ଷତିପୂରଣ ବାବଦକୁ ଆଜ୍‌ବେଷ୍ଟସ୍ ଘର ଓ ୨ ଏକର ଜମି ଖଣ୍ଡେ ଖଣ୍ଡେ ଦେଇ ନିଜର ଦାୟିତ୍ୱ ବି ସାରିଦେଲେ । ସବୁଠାରୁ ବଡ କଥା ହେଲା କୃଷ୍ଣନଗର ଅଞ୍ଚଳରେ ସରକାରୀ ଜମି କହି ଯେଉଁ ୨ ଏକର ଜାଗା ବଣ୍ଟାଯାଇଥିଲା ତା’ ଉପରେ ଏବେ ୧୧ କେଭିର ତିନି ତିନୋଟି ତାର ଯାଇଛି । ପାଣିର କୌଣସି ସୁବିଧା ନ ଥିବାରୁ ଲୋକେ ଏବେ ସେଠି ଆଉ ଚାଷ କରି ପାରୁନାହାଁନ୍ତି । ଫଳରେ ଜମିକୁ ଅନ୍ୟ କୌଣସି ଗାଁକୁ ବନ ବିଭାଗ ହସ୍ତାନ୍ତର କରି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ପୁଣି ଭୁଆଁସୁଣୀ ଓ ତୁଳସୀଦେଇପୁର ଅଞ୍ଚଳରେ ସରକାର ଲୋକମାନଙ୍କୁ ଯେଉଁ ୨ ଏକର ଲେଖାଏଁ ଜଙ୍ଗଲ ଜମି କ୍ଷତିପୂରଣ ବାବଦକୁ ଦେଇଥିଲେ ତାହାକୁ ଏବେ ଦାରୁଠେଙ୍ଗ ଅଞ୍ଚଳର ସ୍ଥାନୀୟ ଲୋକ ଅକ୍ତିଆର କରି ନେଇଛନ୍ତି । ଆଉ ସେଥିରେ କାଜୁ ଚାଷ କରି ନିଜେ ଲାଭବାନ ହେଉଛନ୍ତି । ଅପରପକ୍ଷେ ୨୦୧୦ ମସିହାରେ ସମସ୍ତ ତିନୋଟି ଗାଁ ପକ୍ଷରୁ ଜଙ୍ଗଲ ଜମି ପାଇଁ ଆବେଦନ କରାଯାଇଥିବା ବେଳେ ଏହାକୁ ଉପଖଣ୍ଡସ୍ତରୀୟ କମିଟିରେ ଅଟକ ରଖାଯାଇଥିଲା । ପରେ ୨୦୨୧ରେ ସମସ୍ତ ଦାବିର ଶୁଣାଣି କରି ଏଗୁଡିକୁ ଦ୍ୱିତୀୟଥର ପାଇଁ ନାକଚ କରି ଦିଆଯାଇଛି ।

କୃଷ୍ଣନଗର ଅଞ୍ଚଳର ପାର୍ବତୀ କହନ୍ତି ୧୯୯୨ ମସିହାରେ ସରକାର ଆମକୁ ଏଠାକୁ ଉଠାଇ ଆଣିଲେ । ଆମେ ୬୨ ପରିବାର ଡମପଡା ଅଭୟାରଣ୍ୟ ଭିତରେ ଥିବା ଆମର ପୈତୃକ ଭିଟାମାଟି ଛାଡି ଏଠି ପଳାଇ ଆସିଲୁ । ସରକାର କହିଥିଲେ ଆମକୁ ଏଠି ଆସିଲେ ସମସ୍ତ ପ୍ରକାର ସୁବିଧା କରାଇଦେବେ । ସରକାର ସେହି ସମୟରୁ ଯେଉଁ ଘର ତୋଳି ଆମକୁ ଦେଇଥିଲେ; ସେଠି ଆମେ କେମିତି ଅବସ୍ଥାରେ ଅଛୁ ତାହା ଦ୍ୱିତୀୟ ଥର ପାଇଁ କେବେ ବୁଝି ଦେଇ ନାହାଁନ୍ତି । ଚାଷ ପାଇଁ ଯେଉଁ ଜମି ଦେଇଛନ୍ତି ତାର କୌଣସି ପଟ୍ଟା ନାହିଁ । ସରକାର ମଡାଣ କରି ଜମି ଦେଇ ଏ ଜମି ତୁମର କହି ଦାୟିତ୍ୱ ସାରିଦେଲେ । ହେଲେ ଜମି ଉପରେ ୧୧ କେଭିର ତିନୋଟି ବଡ ତାର ତଳେ ରହି ଆମେ କେମିତି ଚାଷ କରିବୁ ସେ କଥା ଚିନ୍ତା କଲେନି । ବର୍ଷା ମାସରେ ତା ଉପରେ କାମ କଲାବେଳେ ସେଥିରୁ ନିଆଁଝୁଲ ଖସୁଛି । ତେଣୁ ଆମେ ଡରରେ ସେଠି ଚାଷ କରିପାରୁନୁ ।

ଚୁଡଙ୍ଗଗଡ ପାଇଁ ପିଟିସନର ଥିବା ମଦନ ମାରାଣ୍ଡି ସେ ସମୟର କଥାକୁ ମନେ ପକାଇ କହନ୍ତି; ‘ଜଙ୍ଗଲ ଅଧିକାର ଆଇନ କାହାକୁ କୌଣସି ନୂତନ ଅଧିକାର ପ୍ରଦାନ କରେ ନାହିଁ । ଏହା କେବଳ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ଅଧିକୃତ ଜଙ୍ଗଲ ଜମିକୁ ଚିହ୍ନଟ କରିଥାଏ ଓ ଏହା ଉପରେ ଅକ୍ତିଆର କରିଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସ୍ୱୀକୃତି ଦେଇଥାଏ । ବ୍ରିଟିଶମାନଙ୍କ ଶାସନ ସମୟରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଅନେକ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଅଧିକାର ଲଗାତାର ଭାବେ ଉପେକ୍ଷିତ ହୋଇଛି । ଯଦିଓ ଜଙ୍ଗଲ ଅଧିକାର ଆଇନ ଏହାର ପ୍ରମୁଖ ଦାବିଦାରଙ୍କୁ ଆବଶ୍ୟକ ଅଧିକାର ଅନୁମୋଦନ କରିବାକୁ କହିଛି; ମାତ୍ର ଏହା ସବୁ ସମୟରେ ଅଣଦେଖା କରାଯାଇଛି’ ।

ରାଜଧାନୀ ଭୁବନେଶ୍ୱରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଅଛି ଏମିତି କିଛି ଗାଁ ଯେଉଁଠି ଜଙ୍ଗଲ ଅଧିକାର ଆଇନକୁ କିପରି ଖିଲାପ କରାଯାଇଛି ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳେ। ସଅର ଜନଜାତିର ଏହି ଗାଁ ଆଜିକୁ ଦୁଇ ଦଶନ୍ଧି ତଳେ ସରକାରଙ୍କ ପ୍ରରୋଚନାରେ ଆସି ବିସ୍ଥାପନର ଶିକାର ହୋଇଥିଲେ। ଏ ଭିତରେ ତିନି ତିନି ଜଣ ମୁଖ୍ୟମନ୍ତ୍ରୀ ଆସିଲେଣି । ହେଲେ ସମସ୍ତ ଚୁଡଙ୍ଗଗଡ ବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ ବଳରେ ଜମି ପଟ୍ଟା ଖଣ୍ଡେ ମିଳିପାରିନି ।

ଜଙ୍ଗଲ ଅଧିକାର ଆଇନ ଆସିବା ପରେ ଏହାର କାର୍ଯ୍ୟକାରିତାକୁ ନେଇ ସାରା ରାଜ୍ୟରେ ବେଶ ତତ୍ପରତା ପ୍ରକାଶ ପାଇଥିଲା । ଆମ ଗାଁ ବି ଏହି ଦୌଡରେ ସାମିଲ ହୋଇ ୨୦୦୯ ମସିହାରେ ଗାଁର ୧୨୦ ପରିବାର ଜଙ୍ଗଲ ଜମିରେ ନିଜର ଅଧିକାର ଦାବି କରି ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରେ ଆବେଦନ କରିଥିଲେ । ଏମିତିରେ ପ୍ରାୟ ୧୦ ବର୍ଷ ବିତିଗଲା । ହଠାତ ୨୦୧୯ ମସିହା ଜୁନ୍ ୧୫ ତାରିଖରେ ଜଣେ ବ୍ୟକ୍ତି ଗାଁକୁ ଆସି ଉପଖଣ୍ଡସ୍ତରୀୟ କମିଟି ଦ୍ୱାରା ପଠାଯାଇଥିବା ନୋଟିସକୁ ଗାଁରେ ଆଣି ଦେଲେ ଓ ୧୮ ତାରିଖ ବୈଠକରେ ଗାଁର ସମସ୍ତ ଲୋକଙ୍କୁ ସେଠାରେ ଯାଇ ଉପସ୍ଥିତ ରହିବାକୁ କୁହାଗଲା । ଗାଁର ପ୍ରାୟ ସବୁ ଲୋକ ସେହି ବୈଠକରେ ସାମିଲ ଥିଲେ । ବୈଠକ ଆରମ୍ଭ ପୂର୍ବରୁ କିନ୍ତୁ ଗ୍ରାମବାସୀଙ୍କୁ ବୈଠକ ବିଷୟରେ କିଛି କୁହାଯାଇନଥିଲା । ପରେ ଗାଁରୁ ଜଣ ଜଣ କରି ଡକାଯାଇ ଗ୍ରାମବାସୀଙ୍କ ନାମ ଓ ଜାତି ପଚାରାଯାଇଥିଲା । ଦାବି ସମ୍ପର୍କରେ କିଛି କାଗଜ ପତ୍ର ଆଣିଛନ୍ତି କି ନାହିଁ ତାହା ବି ପଚାରା ଗଲା । ଯେହେତୁ ଲୋକେ ସେ ସମ୍ପର୍କରେ କିଛି ଜାଣିନଥିଲେ ତେଣୁ ସମସ୍ତେ ପ୍ରାୟତଃ ନିରବ ରହିଥିଲେ ।

ପୁଣିଥରେ ଆଉ ଏକ ଚିଠି ୨୨ ତାରିଖରେ ମିଳିଲା । ଯାହାକି ଚିଠି ନମ୍ବର ୧୦୦୮ରେ ଲେଖା ଯାଇଥିଲା । ଯାହାକୁ ପୂର୍ବ ଭଦ୍ର ବ୍ୟକ୍ତି ଜଣକ ଆଣି ଦେଇଥିଲେ । ଆଉ ସମାନ ଭାବେ ପୂର୍ବ ବୈଠକ ଭଳି ଚଳିତ ଥର ବୈଠକର କାରଣ ନ କହି ଖୋର୍ଦ୍ଧା ଜିଲ୍ଲାପାଳ ନିଜ କାର୍ଯ୍ୟାଳୟଳରେ ବୈଠକ ଡାକିଥିବା କହି ଚାଲି ଯାଇଥିଲେ । ଯୋଜନା ମୁତାବକ ଗାଁର ସବୁଲୋକ ଯାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଯେଉଁଠି ସେମାନଙ୍କୁ ପୂର୍ବ ଭଳି କିଛି ପ୍ରଶ୍ନ ପଚାରାଯାଇ ଯିବାକୁ କୁହାଯାଇଥିଲା।

ଗାଁର ପିତବାସ କହନ୍ତି; ଜିଲ୍ଲାପାଳଙ୍କ କାର୍ଯାଳୟରୁ ଫେରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଆମ ଗାଁର ୧୨୦ଟି ଦାବି ମଧ୍ୟରୁ ୩୫ଟି ଦାବିକୁ ନାକଚ କରି ଦିଆଯାଇଛି। ସେଗୁଡିକ ପୁଣି ଆମ ଗ୍ରାମସଭା ସ୍ତରରେ ନାକଚ ହୋଇଛି। ଯାହାକି ଆମେ ପୂର୍ବରୁ ଜାଣିନଥିଲୁ । ଏ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଜୁଲାଇ ୧୨ ତାରିଖରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜଙ୍ଗଲ ଅଧିକାର କମିଟିର ଅଧ୍ୟକ୍ଷ ସ୍ପଷ୍ଟ କରିଥିଲେ ଯେ ଗ୍ରାମସଭା ଦ୍ୱାରା କୌଣସି ଦାବିପତ୍ର ନାକଚ କରାଯାଇ ନାହିଁ।

ଜଙ୍ଗଲ ଅଧିକାର ନିୟମାବଳୀର ୧୪(୨) ଅନୁସାରେ ଶୁଣାଣି ଗ୍ରାମସ୍ତରରେ ହେବା ଅନିବାର୍ଯ୍ୟ । କିନ୍ତୁ ଏହାକୁ ଗ୍ରାମସ୍ତରରେ କରାନଯାଇ ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଅନୁଷ୍ଠିତ କରାଯାଇଥିଲା । ପୁଣି ଆଇନର ଧାରା ୬(୨) ଏବଂ ୬ (୪) ଓ ସଂଶୋଧିତ ନିୟମାବଳୀ ୨୦୧୨ର ନିୟମ ୧୨ କ (୫) ଅନୁସାରେ ଶୁଣାଣି ବେଳେ ଦାବିଦାର ତାଙ୍କର ପକ୍ଷ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବା କଥା । ଯାହାକି ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି ।

ଗାଁର ଯମୁନା କହନ୍ତି ସରକାର ଯେଉଁସବୁ କାରଣ ଦେଖାଇ ଆମ୍ଭମାନଙ୍କ ଦାବିକୁ ନାକଚ କରିଛନ୍ତି ତା ଭିତରେ ରହିଛି; ଜମି ଲିଜ୍‌ରେ ଦିଆଯାଇଛି, ଜାତି ଓ ଦଖଲର ଲିଖିତ ପ୍ରମାଣ ନାହିଁ, ବହୁ ଦାବିଦାର, ଜଙ୍ଗଲ ଜମି ଦଖଲରେ ନାହାନ୍ତି ଓ ଦାବିଦାର ୭୫ ବର୍ଷ ଧରି ଜଙ୍ଗଲ ଜମି ଦଖଲରେ ନାହାଁନ୍ତି । ହେଲେ ସବୁଠାରୁ ବଡ କଥା କି ଉପରୋକ୍ତ କାରଣଗୁଡିକୁ ଠିକ୍ ଭାବ ପରୀକ୍ଷାନିରୀକ୍ଷା କରାନଯାଇ ଦାବିଗୁଡିକୁ ନାକଚ କରି ଦିଆଯାଇଛି। ଆମ୍ଭେମାନେ ଓ ଆମ୍ଭମାନଙ୍କର ପୂର୍ବ ପୁରୁଷମାନେ ୧୯୫୦ ମସିହାରୁ ଏହି ଗାଁରେ ରହି ଆସୁଛୁ। ଜମି ଲିଜ୍ ଦେବା ବିଷୟରେ ଆମେ ଜାଣିନୁ। ଯଦି ସରକାର ଏହି ଜମିକୁ ଲିଜ୍‌ରେ ଦେଇଛନ୍ତି ତେବେ ଲିଜ୍ ଦେବା ସମୟରେ ଉକ୍ତ ଜମିର ସ୍ଥିତି କ’ଣ ଥିଲା ତାହା ନିରୀକ୍ଷଣ କରିନାହାଁନ୍ତି। ଦ୍ୱିତୀୟତଃ ଯଦି ଏହି ଜଙ୍ଗଲ ଜମିକୁ ଲିଜ୍‌ରେ ଦିଆଯାଇଛି , ତେବେ ଲିଜ୍‌ଧାରୀମାନେ କେବେ ବି ଏହି ଜମି ଉପରେ ମାଲିକାନା ଜାହିରି କରିବା ପାଇଁ ଏଠାକୁ ଆସିବାର ଆମେ ଦେଖିନୁ। ତୃତୀୟତଃ ଗ୍ରାମସଭାରେ ଜଙ୍ଗଲ ଅଧିକାର ସମ୍ପର୍କିତ ଦାବି ଦାଖଲ କରିବା ବେଳେ କୌଣସି ଲିଜ୍‌ଧାରୀ ଅଭିଯୋଗ ଜଣାଇବା ପାଇଁ ଆସିନାହାଁନ୍ତି।

ଏତଗଲା ଚୁଡଙ୍ଗଗଡ ଗ୍ରାମବାସୀଙ୍କ ଅଭିଯୋଗ । ଏବେ ଆମେ ସମୁଦାୟ ଖୋର୍ଦ୍ଧା ଜିଲ୍ଲାରେ ନାକଚ ଦାବିଦାରଙ୍କ ସ୍ଥିତି ଉପରେ ନଜର ପକାଇବା । ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସମୁଦାୟ ୧୨୪୨ ଜଣ ଦାବିଦାରଙ୍କ ବ୍ୟକ୍ତିଗତ ଜଙ୍ଗଲ ଜମିର ଅଧିକାରକୁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ନାକଚ କରି ଦିଆଯାଇଛି । ସେଥିମଧ୍ୟରୁ ୭୩ ଜଣଙ୍କ ନାମକୁ ଅଣ ଆଦିବାସୀ ଭାବେ ଓ ୩ ପିଢ଼ି ଧରି ଜଙ୍ଗଲ ଜମି ଉପରେ ଅକ୍ତିଆର ନଥିବାରୁ ଓ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ନଥିବାରୁ ନାକଚ କରି ଦିଆଯାଇଛି । ୮୩୦ ଜଣଙ୍କ ନାମକୁ ଜଙ୍ଗଲ ଜମି ଉପରେ ଦାବି କରିନଥିବାରୁ, ୪୭ ଜଣ ଦୁଇଥଣ ଆବେଦନ କରିଥିବାରୁ, ୨୮୩ ଜଣଙ୍କ ନାମକୁ ୧୩.୧୨.୨୦୨୫ ପରେ ଜଙ୍ଗଲ ଜମି ଉପରେ ନିଜର ଅକ୍ତିଆର ରଖିଥିବାରୁ ଓ ୯ ଜଣଙ୍କ ନାମକୁ ଅନ୍ୟାନ୍ୟ କାରଣ ଦର୍ଶାଇ ଦାବିଗୁଡିକୁ ନାକଚ କରି ଦିଆଯାଇଛି ।

ଭୁବନେଶ୍ୱରର ଅନତି ଦୂରରେ ଅବସ୍ଥିତ ଅଞ୍ଚଳରେ ଏଭଳି ଅବ୍ୟବସ୍ଥା । ଆଇନ କାର୍ଯ୍ୟକାରୀ କରୁଥିବା ପ୍ରଶାସନର ଆଇନ କାର୍ଯ୍ୟକାରିତାରେ ପରିଦର୍ଶିତ ଅବହେଳା ଅତ୍ୟନ୍ତ କ୍ଷୋଭର ବିଷୟ।

Mamali Sahoo
ମାମାଲି ସାହୁ
Research Associate at  |  + posts

ବର୍ତ୍ତମାନ ମୁଁ ବସୁନ୍ଧରାରେ ଜଣେ ରିସର୍ଚ୍ଚ ଆସୋସିଏଟ୍ ଭାବେ କାମ କରୁଛି । ଯାହାକି ଏକ ପଲିସି ରିସର୍ଚ୍ଚ ଅନୁଷ୍ଠାନ ଅଟେ । ମୋର କାର୍ଯ୍ୟ ଗବେଷଣା, କାହାଣୀ କହିବା ଓ ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ରଖିବା ଉପରେ ପର୍ଯ୍ୟବେସିତ । ପରିବେଶ, ବିକାଶ ମୂଳକ କାର୍ଯ୍ୟ ଓ ସାମାଜିକ ନ୍ୟାୟ ସହ ଜଡ଼ିତ ପ୍ରସଙ୍ଗଗୁଡିକୁ ଅନୁସନ୍ଧାନ କରିବା ପାଇଁ ମୁଁ ଉତ୍ସାହୀ । ପ୍ରମାଣ ଆଧାରିତ ରିପୋର୍ଟିଂ ଓ ବିଶ୍ଳେଷଣାତ୍ମକ ରିପୋର୍ଟ ଦ୍ୱାରା ବାସ୍ତବ କଥାକୁ ସାମ୍ନାକୁ ଆଣିବା ମୋର ଲକ୍ଷ୍ୟ

ଭଲ ଲାଗି ପାରେ

ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହରେ : ପ୍ରଣତି ସାହୁ, ଶୁଭଶ୍ରୀ ମିଶ୍ର, ସସ୍ମିତା ଟୁଡ଼ୁ, ମୌସୁମୀ ପ୍ରଧାନଓଡ଼ିଶାର ବିଭିନ୍ନ ସମୁଦାୟଙ୍କ ଜୀବନରେ...

read more
ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

(ଲିଭିଂ ଫାର୍ମ ଦ୍ୱାରା ହୋଇଥିବା ୨୦୧୪ର ରିପୋର୍ଟ, ଦଶନ୍ଧି ପରେ ପୁନଃ ଅନୁଧ୍ୟାନ) ସଂକଳକ – ନିବେଦିତା ପଣ୍ଡା ଓଡ଼ିଶାରେ ରହିଛି ସବୁଜିମାଭରା...

read more
ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ...

read more
କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

ବିସ୍ତୃତ ଜଙ୍ଗଲ ଅଞ୍ଚଳ ଏବଂ ଏକ ପର୍ଯ୍ୟାପ୍ତ ଆଦିବାସୀ ଜନସଂଖ୍ୟା ସହିତ ଜୈବ ବିବିଧତା ଏବଂ ଆଦିବାସୀମାନଙ୍କ ନିଆରା ଜୀବନଜୀବିକା ଅଭ୍ୟାସ...

read more
ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ମାନବ ସଭ୍ୟତା କାଳରୁ ଆଦିବାସୀମାନେ ଜଙ୍ଗଲର ଶରଣାର୍ଥୀ ହୋଇ ବାସ କରିଆସୁଛନ୍ତି । ଜଙ୍ଗଲକୁ ନିଜର ଛାଇ କରି, ନିଜ ଜୀବନକୁ ପ୍ରାକୃତିକ ଶୋଭାରେ...

read more
କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି ।...

read more