(ଲିଭିଂ ଫାର୍ମ ଦ୍ୱାରା ହୋଇଥିବା ୨୦୧୪ର ରିପୋର୍ଟ, ଦଶନ୍ଧି ପରେ ପୁନଃ ଅନୁଧ୍ୟାନ)
ସଂକଳକ – ନିବେଦିତା ପଣ୍ଡା
ଓଡ଼ିଶାରେ ରହିଛି ସବୁଜିମାଭରା ବିସ୍ତୀର୍ଣ୍ଣ ଜଙ୍ଗଲ। କାହିଁ କେଉଁ କାଳରୁ ଏଇ ଜଙ୍ଗଲ ଭିତରେ ହିଁ ପ୍ରକୃତି ଖଞ୍ଜି ଦେଇଛି ଖାଦ୍ୟଦ୍ରବ୍ୟର ଏକ ଅଦ୍ଭୂତ ବିବିଧତା ଭରା ଭଣ୍ଡାର। କୃଷିକ୍ଷେତ୍ରରୁ ମିଳୁଥିବା ଖାଦ୍ୟଦ୍ରବ୍ୟଠାରୁ ଏହା ବହୁଗୁଣରେ ଅଧିକ। ଗୋଟିଏ ଦଶନ୍ଧି ତଳେ ଲିଭିଂ ଫାର୍ମ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ୱାରା ଓଡ଼ିଶାର ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ‘ଜଙ୍ଗଲ – ଖାଦ୍ୟ ଉତ୍ପାଦନକାରୀ ବାସସ୍ଥଳ’ ଶୀର୍ଷକରେ ଏକ ସର୍ବେକ୍ଷଣ କରାଯାଇଥିଲା। ଜଙ୍ଗଲରୁ ମିଳୁଥିବା ଅଣକୃଷି ଖାଦ୍ୟଦ୍ରବ୍ୟ କିପରି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଖାଦ୍ୟ ଓ ପୋଷଣ ନିରାପତ୍ତାରେ ସହାୟକ ହେଉଛି, ତାହା ଏଥିରେ ଅନୁଧ୍ୟାନ କରାଯାଇଥିଲା। ୨୦୧୪ରେ ହୋଇଥିବା ଏହି ସର୍ବେକ୍ଷଣରେ ଛତୁ ଓ କନ୍ଦାରୁ ଆରମ୍ଭ କରି ପତ୍ରଶାଗ, କରଡ଼ି ଓ ଜଙ୍ଗଲୀ ପନିପରିବା ଯାଏଁ ମୋଟ ୧୨୧ ପ୍ରକାର ଜଙ୍ଗଲଜାତ ଅଣକୃଷି ଖାଦ୍ୟଦ୍ରବ୍ୟର ତାଲିକା କରାଯାଇଥିଲା। ହାରାହାରି ଭାବେ ଦେଖିଲେ, ଗୋଟିଏ ପରିବାର ଜଙ୍ଗଲକୁ ଯାଇ ଗୋଟିଏ ଥରରେ ୪ କିଲୋଗ୍ରାମରୁ ଅଧିକ ଖାଦ୍ୟଦ୍ରବ୍ୟ ଏକାଠି ସଂଗ୍ରହ କରିପାରୁଥିଲେ। ଦୀର୍ଘସ୍ଥାୟୀ ଜୀବନ ଓ ଜୀବିକାକୁ ବଜାୟ ରଖିବାରେ ଜଙ୍ଗଲଜାତ ଖାଦ୍ୟଦ୍ରବ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଏଥିରୁ ଜଣାପଡୁଛି।
ଯଦିଓ ଏହି ସର୍ବେକ୍ଷଣ ଦଶ ବର୍ଷର ପୁରୁଣା; ତଥାପି ଏହାର ଦୃଷ୍ଟିକୋଣ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ମଧ୍ୟ ପ୍ରାସଙ୍ଗିକ ମନେହୁଏ। ଆଜି ଯେତେବେଳେ ଖାଦ୍ୟ ନିରାପତ୍ତାକୁ ନେଇ ଚର୍ଚ୍ଚା ବ୍ୟାପକ କୃଷି ଓ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଉପରେ କେନ୍ଦ୍ରୀଭୂତ ହୋଇଛି, ଏହି ସମୟରେ ଓଡ଼ିଶାର ଜଙ୍ଗଲ ସମ୍ପଦ ଆମକୁ ଏକ ସର୍ବକାଳୀନ ସତ୍ୟ ସହ ପରିଚିତ କରାଇଦେଉଛି। ତାହା ହେଉଛି ଅନାହାର, କୁପୋଷଣ, ଜଳବାୟୁ ପରିବର୍ତ୍ତନର ଅନିଶ୍ଚିତତା ଏବଂ ଜମି ଉପଯୋଗରେ ପରିବର୍ତ୍ତନ ଆଦି ବିପକ୍ଷରେ ଏକ ଆଶୀର୍ବାଦ ଭାବେ ଅବତୀର୍ଣ୍ଣ ହୋଇଛି ଜଙ୍ଗଲଜାତ ଅଣକୃଷି ଖାଦ୍ୟଦ୍ରବ୍ୟ। ଏହା ସହିତ ଆଦିବାସୀ ସମ୍ପ୍ରଦାୟକୁ କୁଶଳ ତଥା ପରିବେଶ ର ମଧ୍ୟ ସୁରକ୍ଷା କରୁଛି।
ଜଙ୍ଗଲ: ଅଣକୃଷି ଖାଦ୍ୟଦ୍ରବ୍ୟ ଓ ପୋଷଣ ପ୍ରାକୃତିକ ଆବାସସ୍ଥଳ
ଜଙ୍ଗଲଜାତ ଶାଗ, କନ୍ଦା, ଫଳ, ଛତୁ, କରଡ଼ି, ଏପରିକି କ୍ଷୁଦ୍ର ପ୍ରାଣୀ ହେଉଛନ୍ତି ଅଣକୃଷି ଖାଦ୍ୟଦ୍ରବ୍ୟ, ଯାହା ଆଦିବାସୀଙ୍କ ଆହାର ଓ ଖାଦ୍ୟ ସଂସ୍କୃତିର ଅଭିନ୍ନ ଅଙ୍ଗ। ଜଙ୍ଗଲ, ଝରଣା ଏବଂ ଅଣଚାଷ ଜମିରୁ ସିଧାସଳଖ ମିଳୁଥିବା ଏହି ଖାଦ୍ୟଦ୍ରବ୍ୟ ସଂଗ୍ରହ ପାଇଁ କୌଣସି କୃଷି ଉପକରଣ ଆବଶ୍ୟକ ପଡ଼େନାହିଁ। ଏହାସତ୍ତ୍ୱେ ଏସବୁ ପୋଷକ ତତ୍ତ୍ୱରେ ଭରପୁର ଯାହା ଧାନ ପରି ପ୍ରଧାନ କୃଷିଜାତ ଖାଦ୍ୟଦ୍ରବ୍ୟରେ ନଥାଏ। ଏହି ଉଲ୍ଲେଖନୀୟ ବିବିଧତାକୁ ୨୦୧୪ ସର୍ବେକ୍ଷଣରେ ସାମ୍ନାକୁ ଆଣିଥିଲା ଲିଭିଂ ଫାର୍ମ। ଆଦିବାସୀ ପରିବାର ଖାଦ୍ୟଦ୍ରବ୍ୟର ବିଭିନ୍ନ ପ୍ରଜାତି ଉପରେ ନିର୍ଭର କରୁଥିଲେ। ଏଥିରେ ବର୍ଷାଦିନେ ଶାଗ ଓ ଛତୁ ପ୍ରଚୁର ପରିମାଣରେ ମିଳୁଥିଲା ଏବଂ ଅନ୍ୟ ସମୟରେ ମିଳୁଥିବା କନ୍ଦା ଶରୀରକୁ ଶକ୍ତି ଓ କ୍ୟାଲୋରି ଯୋଗାଇ ଦେଉଥିଲା।
ଏହିସବୁ ଖାଦ୍ୟ ପଦାର୍ଥ କେବଳ ଭୋକ ମେଣ୍ଟାଇବା ପାଇଁ ନୁହେଁ, ବରଂ ପୋଷଣର ଭଣ୍ଡାର ଥିଲା। କୃଷିଜାତ ଖାଦ୍ୟଦ୍ରବ୍ୟ ଅପେକ୍ଷା ଜଙ୍ଗଲୀ ଶାଗ ଓ ଫଳରେ ପୋଷଣର ମାତ୍ରା ଅଧିକ। ଉଦାହରଣ ଭାବେ ଖଣିଜଲୌହ (ଆଇରନ୍) ସମୃଦ୍ଧ ଶାଗ ଏବଂ ଜୀବସାର ‘ଗ’ (ଭିଟାମିନ୍ ସି)ରେ ଭରପୁର ଥିବା ଜାମୁକୋଳି – ଗ୍ରାମୀଣ ଓଡ଼ିଶାରେ ରକ୍ତହୀନତା ପରି ସମସ୍ୟାରୁ ମୁକ୍ତି ପାଇଁ ସହାୟକ ହୋଇଥାଏ। ଛତୁ ଓ କରଡ଼ି ଆବଶ୍ୟକ ଖଣିଜ ତତ୍ତ୍ୱ ପ୍ରଦାନ କରିଥାଏ, ଯେତେବେଳେ କି କଙ୍କଡ଼ା, ଗେଣ୍ଡା ଓ ଅନ୍ୟାନ୍ୟ ଛୋଟ ପ୍ରାଣୀମାନେ ଗୁଣକାରୀ ପୋଷକ ବିବିଧତାକୁ ଖାଦ୍ୟଦ୍ରବ୍ୟରେ ଯୋଡ଼ିଥାଏ। ଏସବୁ ମିଶି ଏକ ଖାଦ୍ୟ ସୁରକ୍ଷା ସଂରଚନା କରନ୍ତି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ସହ ଶାରୀରିକ ବୃଦ୍ଧି ଏବଂ ମୋଟ ଉପରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ଉପକାର କରିଥାଏ। ବିଶେଷକରି ଅନାହାରରେ ଅସୁରକ୍ଷିତ ଥିବା ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ସୁନିଶ୍ଚିତ କରିଥାଏ।
ସେମାନଙ୍କର ସହନଶୀଳତା ଅତି ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ଫସଲ, ଇନପୁଟ୍ସ ବା ଚାଷ ବୃଦ୍ଧିକାରୀ ଉପକରଣ ଉପରେ ନିର୍ଭର କରିଥାଏ। ଜଳବାୟୁଗତ ପରିବର୍ତ୍ତନରେ ଏହା ସୁରକ୍ଷିତ ମଧ୍ୟ ନୁହେଁ। ଅନ୍ୟପକ୍ଷରେ ଜଙ୍ଗଲଜାତ ଅଣକୃଷି ଖାଦ୍ୟଦ୍ରବ୍ୟଗୁଡ଼ିକ ପ୍ରାକୃତିକ ଓ ସ୍ୱାଭାବିକ ଭାବେ ବଢ଼ିଥାଆନ୍ତି। ଖାଦ୍ୟାଭାବ ଓ ଫସଲ ହାନି ସମୟରେ ମଧ୍ୟ ଏହା ଉପଲବ୍ଧ ହୋଇଥାଏ। ରାସାୟନିକ ସାରରୁ ମୁକ୍ତ ଏହି ଖାଦ୍ୟଦ୍ରବ୍ୟ କୃଷିଜାତ ଖାଦ୍ୟଦ୍ରବ୍ୟ ଅପେକ୍ଷା ଅଧିକ ସୁରକ୍ଷିତ ଓ ପୋଷଣଯୁକ୍ତ ବିକଳ୍ପ ଦେଇଥାଏ।
ପୋଷଣ ବ୍ୟତୀତ ଏହି ଖାଦ୍ୟଦ୍ରବ୍ୟ ଗଭୀର ସାଂସ୍କୃତିକ ସମ୍ବନ୍ଧର ପ୍ରତୀକ ଅଟେ। ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ପାଇଁ ଜଙ୍ଗଲ କୌଣସି ନିର୍ଜନ କ୍ଷେତ୍ର ନୁହେଁ, ବରଂ ବାସଗୃହର ଏକ ବିସ୍ତାର ରୂପ। ଯେଉଁଠି ଖାଦ୍ୟଦ୍ରବ୍ୟର ସନ୍ଧାନ ଋତୁକାଳୀନ କ୍ରମ, ପାରମ୍ପରିକ ପ୍ରଥା ଏବଂ ପିଢ଼ି ପରେ ପିଢ଼ି ପ୍ରଚଳିତ ଥିବା ଜ୍ଞାନ ଓ ଧାରଣାରେ ଗୁନ୍ଥା ହୋଇ ରହିଛି। କିନ୍ତୁ ଆଜି ଜଙ୍ଗଲ କଟା, ଜମି ଉପଯୋଗ ନୀତିରେ ପରିବର୍ତ୍ତନ ତଥା ବଜାର ଶକ୍ତିର ବିସ୍ତାର ଯୋଗୁଁ ଜଙ୍ଗଲ ସଂସାଧନ ନଷ୍ଟ ହେବା ଆରମ୍ଭ କରିଛି। ଫଳରେ ଖାଦ୍ୟ ବିବିଧତା ଓ ସାଂସ୍କୃତିକ ଐତିହ୍ୟ – ଉଭୟ ପ୍ରତି ସଙ୍କଟ ଘନେଇବାରେ ଲାଗିଛି।
ଅତୀତରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଯାହା ବର୍ତ୍ତମାନ ଉପଯୋଗୀ:
ଲିଭିଂ ଫାର୍ମର ୨୦୧୪ ମସିହାର ସର୍ବେକ୍ଷଣ ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ଜଙ୍ଗଲଜାତ ଅଣକୃଷି ଖାଦ୍ୟଦ୍ରବ୍ୟ ଘରୋଇ ପୋଷଣ ଓ ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି। ସର୍ବେକ୍ଷଣରେ ନିଆଯାଇଥିବା ନମୁନା ଗ୍ରାମଗୁଡ଼ିକରେ ଦେଖିବାକୁ ମିଳିଥିଲା ଯେ ପ୍ରତିଦିନ ରନ୍ଧାଖାଦ୍ୟରେ ଜଙ୍ଗଲଜାତ ଖାଦ୍ୟଦ୍ରବ୍ୟର ପରିମାଣ ୧୫ରୁ ୨୫ ପ୍ରତିଶତ ଥିଲା। ପୁଣି ଖାଦ୍ୟ ସନ୍ଧାନ ବେଳେ କଞ୍ଚା ଖିଆଯାଉଥିବା ଫଳ ଓ ସ୍ଵାଦ ଚାଖୁ ଚାଖୁ ଖାଉଥିବା ଫଳ ଗୁଡିକ ଆହୁରି ଅଲଗା ଭାବେ ଥିଲା। ଏହି ଦିଗଟି ଖାଉଟିଦ୍ରବ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯେଉଁ ଦୂରତା ଓ ଅଭାବ ଥିଲା, ତାହାକୁ ପୂରଣ କରୁଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିପୁଳ ପରିମାଣର ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିବା ବେଳେ ଏହା ଆଦିବାସୀ ସମ୍ପ୍ରଦାୟଙ୍କ ପୋଷଣ ଆବଶ୍ୟକତାକୁ ପୂରଣ କରିବାରେ ବିଫଳ ହୋଇଥିଲା।
ସର୍ବେକ୍ଷଣରେ ପୋଷଣ ଦିଗର ତୁଳନା ବେଳେ ଏହା ସାମ୍ନାକୁ ଆସିଛି ଯେ ଜମିରେ ଚାଷରୁ ଉତ୍ପାଦିତ ହେଉଥିବା ଖାଦ୍ୟଦ୍ରବ୍ୟ ଅପେକ୍ଷା ଜଙ୍ଗଲଜାତ ଖାଦ୍ୟଦ୍ରବ୍ୟ ଅଧିକ ଉତ୍କୃଷ୍ଟ ଓ ଗୁଣାତ୍ମକ।
ଫଳ: ସାଧାରଣତଃ ବଜାରରେ ମିଳୁଥିବା ଫଳ ଅପେକ୍ଷା ଜାମୁକୋଳି ଓ ବେଲ ପରି ଜଙ୍ଗଲଜାତ ଫଳରେ ଅଧିକ ମାତ୍ରାରେ ତନ୍ତୁ (ଫାଇବର) ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି।
କନ୍ଦା: ଆଳୁ ପରି ଜଙ୍ଗଲଜାତ କନ୍ଦା କେବଳ କ୍ୟାଲୋରିଜନିତ ନିରାପତ୍ତା ଦିଏନି, ବରଂ ଏଥିରେ ଖଣିଜ ତତ୍ତ୍ୱ ମଧ୍ୟ ପ୍ରଚୁର ପରିମାଣରେ ଥାଏ।
ଶାଗ: ଜଙ୍ଗଲଜାତ ଶାଗରେ ପ୍ରଚୁର ପରିମାଣର ଲୌହ ଓ କ୍ୟାଲସିୟମ ଥାଏ, ଯାହା ରକ୍ତହୀନତା ଭଳି ଅଭାବକୁ ପରିପୂରଣ କରିବାରେ ସହାୟକ ହୋଇଥାଏ। ବିଶେଷକରି ମହିଳା ଓ ଶିଶୁଙ୍କ ପାଇଁ ଏହା ବେଶ୍ ଉପକାରୀ ଅଟେ।
ସମାନ ଭାବରେ ମହତ୍ତ୍ୱପୂର୍ଣ୍ଣ ଏହି ଖାଦ୍ୟଦ୍ରବ୍ୟ ସହନଶୀଳତା ବଢ଼ାଇଥାଏ। ଫସଲହାନି, ଅଣ-କୃଷି ଋତୁ କିମ୍ବା ଅର୍ଥନୈତିକ ମାନ୍ଦାବସ୍ଥା – ଜଙ୍ଗଲ ସବୁବେଳେ ଏକ ନିର୍ଭରଯୋଗ୍ୟ ସୁରକ୍ଷା ଜାଲ ହୋଇ ରହିଆସିଛି। ଦାମୀ ବଜାର ଦ୍ରବ୍ୟ ଉପରେ ନିର୍ଭର କରିବା ଏହା କମାଇଥାଏ। ତେଣୁ ଏହା ଏକ ଲୁକ୍କାୟିତ ଖାଦ୍ୟ ଭଣ୍ଡାର ଭଳି ଭୂମିକା ତୁଲାଇ ଆସିଛି। ଏପରିକି ଖରାପରୁ ଖରାପ ପରିସ୍ଥିତିରେ ମଧ୍ୟ ଏହା ଆଦିବାସୀ ସମ୍ପ୍ରଦାୟର ପୋଷଣଗତ ବିବିଧତା ଓ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଆସିଛି। ଜଙ୍ଗଲ ସମ୍ପଦ ହ୍ରାସ, ଅଣ-କୃଷି ଜମିର ଉପଯୋଗରେ ବୃଦ୍ଧି ଏବଂ ଏକକ ଫସଲର କୃଷିକୁ ଅଧିକ ଗୁରୁତ୍ୱ ଦେବା ଯୋଗୁଁ ପ୍ରକୃତିଦତ୍ତ ବିପୁଳ ସମ୍ପଦ ଆଉ ହାତରେ ରହିଲା ନାହିଁ। ଏଭଳି ଆସନ୍ନ ବିପଦର ସତର୍କବାଣୀ ପ୍ରଦାନ କରିଥିଲା ୨୦୧୪ର ସର୍ବେକ୍ଷଣ। ବିଗତ ବର୍ଷଗୁଡ଼ିକରେ ଏହି ଆହ୍ୱାନ ଏବେ ବଢ଼ିବାରେ ଲାଗିଛି। ଓଡ଼ିଶାର ଜଙ୍ଗଲଘେରା ବିସ୍ତୀର୍ଣ୍ଣ ଭୂଭାଗ – ଯାହା ଏବେବି ରାଜ୍ୟର ଏକ ତୃତୀୟାଂଶ ଜାଗା ଅକ୍ତିଆର କରିଛି। ଏହା ଏବେ ଖଣି ଖନନ, ଭିତ୍ତିଭୂମି ସଂପ୍ରସାରଣ ଏବଂ ଏକକ ଚାଷ ବୃକ୍ଷରୋପଣ ସହ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିପଦ ମୁହଁକୁ ଠେଲି ହୋଇ ଯାଉଛି। ଯେତିକି ଯେତିକି ଏହି ବିପଦ ବଢୁଛି, ଦଶନ୍ଧି ତଳର ସେଇ ଶିକ୍ଷା ଏବେ ଆମକୁ ସ୍ମରଣ କରାଇଦେଉଛି ଯେ ଅଣକୃଷି ଖାଦ୍ୟଦ୍ରବ୍ୟର ସୁରକ୍ଷା କେବଳ ଜୈବବିବିଧତାର ସଂରକ୍ଷଣ ନୁହେଁ, ବରଂ ଏହା ବନବାସୀ ସମ୍ପ୍ରଦାୟଗୁଡ଼ିକ ପାଇଁ ଦୀର୍ଘସ୍ଥାୟୀ ପୋଷଣ, ସହନଶୀଳତା ଏବଂ ସାଂସ୍କୃତିକ ପରିଚୟର କଥା।
ଆସନ୍ନ ବିପତ୍ତି:
ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଜଙ୍ଗଲଜାତ ଅଣକୃଷି ଖାଦ୍ୟଦ୍ରବ୍ୟ ଉପଯୋଗ ଓ ଉପଲବ୍ଧତା – ଉଭୟଥିରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏଭଳି ଚିନ୍ତାଜନକ ସ୍ଥିତିର ଅନେକ କାରଣ ରହିଛି:
ଜଙ୍ଗଲ ଅଞ୍ଚଳ ହ୍ରାସ: ଜଙ୍ଗଲ କଟାରେ ବୃଦ୍ଧି ଏବଂ ବନଜାତ ଖାଦ୍ୟଦ୍ରବ୍ୟରେ ସମୃଦ୍ଧ ଜଙ୍ଗଲରେ ଏକକ ଚାଷ ବୃକ୍ଷରୋପଣ ଯୋଗୁଁ ଖାଦ୍ୟ ପ୍ରଜାତିର ପ୍ରାକୃତିକ ବିବିଧତା ଧିରେଧିରେ ହ୍ରାସ ପାଇବାରେ ଲାଗିଛି।
ବୃଷ୍ଟିପାତରେ ପରିବର୍ତ୍ତନ: ବଦଳୁଥିବା ଜଳବାୟୁ ଓ ପାଣିପାଗ ଯୋଗୁଁ ଛତୁ, ଶାଗ ଓ ଅନ୍ୟ ଋତୁକାଳୀନ ଖାଦ୍ୟଦ୍ରବ୍ୟର ଉପଲବ୍ଧତା ଏବେ ବାଧାପ୍ରାପ୍ତ ହୋଇଛି।
ଜଙ୍ଗଲରେ ଅଗ୍ନିକାଣ୍ଡ: ଜଙ୍ଗଲରେ ବଢୁଥିବା ଅଗ୍ନିକାଣ୍ଡ ଘଟଣା ଯୋଗୁଁ ସ୍ଥାନୀୟ ପରିବେଶକୁ ଏହା ନଷ୍ଟ କରୁଛି। ବନଜାତ ଖାଦ୍ୟଦ୍ରବ୍ୟର ପୁନଃ ଉତ୍ପାଦନ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି।
ଖାଉଟି ଚାଉଳରୁ ଆହାର ବ୍ୟବସ୍ଥା: ସର୍ବସାଧାରଣ ବ୍ୟଣ୍ଟନ ବ୍ୟବସ୍ଥାରେ ରିହାତିକ୍ରମେ ଖାଉଟି ଚାଉଳ ସହଜରେ ମିଳିଯାଉଥିବାରୁ ଏହା ଖାଦ୍ୟର ବ୍ୟବହାର ମଧ୍ୟ ପରିବର୍ତ୍ତନ ଆଣିଛି। ଫଳରେ ପୋଷକ ତତ୍ତ୍ୱରେ ଭରପୁର ଥିବା ବନଜାତ ଖାଦ୍ୟଦ୍ରବ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାଇବାରେ ଲାଗିଛି।
ବଜାର ଓ ଭିତ୍ତିଭୂମିର ବିସ୍ତାର: ସଡ଼କ, ଏକକ ଚାଷ ବୃକ୍ଷରୋପଣ ଏବଂ ବଜାର ଖାଦ୍ୟ ଉପରେ ନିର୍ଭରଶୀଳତା ବଢ଼ିବା ଯୋଗୁଁ ଏହା ପାରମ୍ପରିକ ଉପାୟରେ ଖାଦ୍ୟ ସନ୍ଧାନ ପଦ୍ଧତି ଓ ଖାଦ୍ୟ ବିବିଧତାକୁ ନଷ୍ଟ କରିବାରେ ଲାଗିଛି।
ଏହିସବୁ ଆସନ୍ନ ସଙ୍କଟ କେବଳ ଜୈବ ବିବିଧତାକୁ ବିପଦରେ ପକାଉ ନାହିଁ, ବରଂ ବନବାସୀ ସମ୍ପ୍ରଦାୟର ଖାଦ୍ୟ ସୁରକ୍ଷା ଓ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ଦୁର୍ବଳ କରିବାରେ ଲାଗିଛି।
ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଅନିବାର୍ଯ୍ୟ ନୀତି:
ମାତ୍ରାଧିକ ପୋଷଣ ଗୁଣ ଓ ସାଂସ୍କୃତିକ ମହତ୍ତ୍ୱ ସତ୍ତ୍ୱେ ଅଣକୃଷି ଖାଦ୍ୟଦ୍ରବ୍ୟଗୁଡ଼ିକ ମୁଖ୍ୟଧାରାର ଖାଦ୍ୟ ସୁରକ୍ଷା ଆଲୋଚନାରେ ଦେଖିବାକୁ ମିଳେନାହିଁ। ୨୦୧୪ ସର୍ବେକ୍ଷଣ ଅନୁଯାୟୀ ଜଙ୍ଗଲକୁ ଖାଦ୍ୟ ଉତ୍ପାଦନକାରୀ ବାସସ୍ଥଳ ଭାବେ ମାନ୍ୟତା ଦେବା ଏବଂ ଅଣକୃଷି ଖାଦ୍ୟଦ୍ରବ୍ୟଗୁଡ଼ିକୁ ପୋଷଣ ଓ ସଂରକ୍ଷଣର ବିସ୍ତୃତ ଯୋଜନା ସହ ଯୋଡ଼ିବା ପାଇଁ ନୀତିନିର୍ଦ୍ଧାରକମାନଙ୍କ ଆଗରେ ଦାବି ରଖାଯାଇଥିଲା। ଗୋଟିଏ ଦଶନ୍ଧି ପରେ ଏହି ଦାବି ଏବେ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯,୮୭୭ ଜଣ ଶିଶୁ (୬ ମାସରୁ ୬ ବର୍ଷ ଭିତରେ) ଅତିଶୟ କୁପୋଷଣର ଶିକାର ହେଇଛନ୍ତି। ଜିଲ୍ଲାୱାରି ପରିସଂଖ୍ୟାନ ଦର୍ଶାଉଛି ଯେ ୧,୦୭୫ଟି ମାମଲା ସହ ମୟୂରଭଞ୍ଜ ଜିଲ୍ଲା ଏଥିରେ ଶୀର୍ଷରେ ରହିଛି। ସେହିପରି କେନ୍ଦୁଝର (୮୫୮), ମାଲକାନଗିରି (୬୪୭), ଗଞ୍ଜାମ (୫୯୫), ବାଲେଶ୍ୱର (୫୭୯) ଏବଂ କଳାହାଣ୍ଡି (୫୦୯)ରେ ମଧ୍ୟ ଅତିଶୟ କୁପୋଷଣର ମାମଲା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଏଥିମଧ୍ୟରୁ ଅଧିକାଂଶ ହେଉଛି ଆଦିବାସୀବହୁଳ ଜିଲ୍ଲା, ଯାହା ଆଦିବାସୀ ସମୁଦାୟଙ୍କ ଉପରେ ଥିବା କୁପୋଷଣର ବିଷମ ବୋଝର ଚିତ୍ରକୁ ରେଖାଙ୍କିତ କରୁଛି। ଏହି ପରିପ୍ରେକ୍ଷୀରେ ଯଦି ଉପଯୁକ୍ତ ନୀତି ଲାଗୁ କରାଯାଏ, ତେବେ ବନଜାତ ଅଣକୃଷି ଖାଦ୍ୟଦ୍ରବ୍ୟକୁ ମାନ୍ୟତା ଦେବା ଏବଂ ଏହାର ପ୍ରଚାର ପ୍ରସାର କରିବା ଏକ ନିର୍ଣ୍ଣାୟକ ଭୂମିକା ନେଇପାରେ।
ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ପ୍ରାଥମିକତା:
ଗୋଷ୍ଠୀଗତ ଜଙ୍ଗଲ ଓ ବାସସ୍ଥଳର ସଂରକ୍ଷଣ ଓ ପୁନର୍ସ୍ଥାପନ: ଜଙ୍ଗଲ ଜମିର ଅନ୍ୟଥା ବ୍ୟବହାରକୁ ରୋକିବା ପାଇଁ ଖାଇବାଯୋଗ୍ୟ ତଥା ଦେଶୀ ପ୍ରଜାତିର ଖାଦ୍ୟଦ୍ରବ୍ୟର ସୁରକ୍ଷା ଓ ସଂରକ୍ଷଣ ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାରକୁ ସଶକ୍ତ କରାଯିବାକୁ ପ୍ରାଧାନ୍ୟ ଦିଆଯାଉ।
ବୃକ୍ଷରୋପଣ କାର୍ଯ୍ୟାକ୍ରମ ସହିତ ଦେଶୀୟ ଖାଦ୍ୟପ୍ରଜାତିର ଉତ୍ସାହିତ କରିବା , କ୍ଷୟମାନ ଜଙ୍ଗଲ ଅଞ୍ଚଳର ପୁନଃ ସ୍ଥାପନ କରିବା ଏବଂ ଗୋଷ୍ଠୀ ଦ୍ଵାରା ପ୍ରଚଳିତ ଚାଷର ନିରୀକ୍ଷାର ସ୍ଥିରତାକୁ ନିଶ୍ଚିତ କରିବାର ପ୍ରୋତ୍ସାହନ ଦେବା ।
ଋତୁଭିତ୍ତିକ ମୁଖ୍ୟ ବନ୍ୟଖାଦ୍ୟର ଉପଲବ୍ଧିତାକୁ ବଜାୟ ରଖିବା ପାଇଁ ଜୈବବିବିଧତା ର କରିଡ଼ର କୁ ଏକତ୍ର କରିବା ।
ପୋଷଣ କାର୍ଯ୍ୟକ୍ରମ ସହ ଯୋଡ଼ିବା: ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍), ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍) ଏବଂ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ବନଜାତ ଖାଦ୍ୟଦ୍ରବ୍ୟକୁ ସାମିଲ କରି ଏହାକୁ ମୁଖ୍ୟସ୍ରୋତକୁ ଅଣାଯିବା ଉଚିତ୍। ଏହାର ପୋଷଣ ଗୁଣ ବ୍ୟବସ୍ଥିତ ସର୍ବେକ୍ଷଣ ଦ୍ୱାରା ପ୍ରମାଣିତ ହୋଇଛି।
ଋତୁଭିତ୍ତିକ ଜଙ୍ଗଲ ଖାଦ୍ୟ ବିଦ୍ୟାଳୟ ଏବଂ ଗୋଷ୍ଠୀ ଖାଦ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା , ଆଞ୍ଚଳିକ ଉପଲବ୍ଧ ବନ୍ୟ ଖାଦ୍ୟର ରନ୍ଧନ ପ୍ରଣାଳୀ ଗାଇଡ୍ ତିଆରି କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପକାରିତାକୁ ସୂଚୀତ କରିବା ପାଇଁ ଜନସଚେତନ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ।
ପୁଷ୍ଟିକର ବିଶେଷଜ୍ଞ ଏବଂ ଆଞ୍ଚଳିକ ବେସରକାରୀ ସଂସ୍ଥାଗୁଡିକଙ୍କ ସହଯୋଗରେ ବୁଝାମଣା ଓ ସ୍ଵୀକୃତିର ବୃଦ୍ଧି ପାଇଁ ଯୋଗାଯୋଗ କରିବା ।
ଆଦିବାସୀ ସମ୍ପ୍ରଦାୟର ଧାରଣାକୁ ସମର୍ଥନ: ନାଗରିକ ସମାଜ ଓ ସରକାରଙ୍କ ମିଳିତ ସହଭାଗୀତା ଜରିଆରେ ପାରମ୍ପରିକ ଉପାୟରେ ଖାଦ୍ୟର ସନ୍ଧାନ ପଦ୍ଧତିକୁ ନଥିଭୁକ୍ତ କରିବା ଓ ଏହାର ପ୍ରଚାର ପ୍ରସାର କରାଯିବା ଉଚିତ୍। ଯାହାଫଳରେ ଏହି ଜ୍ଞାନ ଓ ଧାରଣା ପରବର୍ତ୍ତୀ ପିଢ଼ି ପାଖରେ ପହଞ୍ଚିପାରିବ।
ତାଲିମ କାର୍ଯ୍ୟକ୍ରମ , ଡିଜିଟାଲ କୋଷଶାଳା ଏବଂ କର୍ମଶାଳା ସ୍ଥାପନ କରିବା ଯାହାକି ଚିରସ୍ଥାୟୀ ଚାଷ , ପ୍ରସ୍ତୁତି ଓ ସଂରକ୍ଷଣ ପଦ୍ଧତି ଶିଖାଇବ ।
ଯୁବପିଢିମାନଙ୍କ ମଧ୍ୟରେ ପ୍ରଚଳିତ ଅଭ୍ୟାସ ଏବଂ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱୀକୃତି ଏବଂ ପୁରସ୍କୃତ କରିବା ।
ଜମିର ବ୍ୟବହାରରେ ପରିବର୍ତ୍ତନକୁ ଦୃଷ୍ଟି ଦିଆଯାଉ: ଜିଲ୍ଲାସ୍ତରରେ ଜମିର ଉପଯୋଗରେ ହେଉଥିବା ପରିବର୍ତ୍ତନକୁ ଅତି ପାଖରୁ ନିରୀକ୍ଷଣ କରାଯାଉ। ଏହାସହ ଖାଦ୍ୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଅଂଚଳରେ ଏକକ ଫସଲର ଚାଷ ଏବଂ ଅଣ-କୃଷିଗତ ବିସ୍ତାରକୁ ରୋକାଯିବା ଜରୁରୀ।
ଆଞ୍ଚଳିକ ନୀତି ଲାଗୁ କରିବା ଯାହା ଚାଷ କରୁନଥିବା ଖାଦ୍ୟ ପରିସ୍ଥିତିକୁ ପ୍ରାଧାନ୍ୟ ଦେବ , କୃଷିବନବିଦ୍ୟା ପ୍ରଣାଳୀକୁ ସହଯୋଗ କରିବା ଏବଂ ଜଙ୍ଗଲ ସମ୍ପଦକୁ ବଞ୍ଚାଇ ରଖିବା ପାଇଁ ପରିବେଶ ମୂଲ୍ୟାଙ୍କନର ସ୍ଥାୟୀଭିତ୍ତି ପ୍ରକଳ୍ପ ଆବଶ୍ୟକ କରିବା ।
ବିକାଶ ଏବଂ ସଂରକ୍ଷଣ ଆବଶ୍ୟକତାକୁ ସନ୍ତୁଳନ କରିବା ପାଇଁ ଜମି ବ୍ୟବହାର ଯୋଜନାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗିତାକୁ ପ୍ରୋତ୍ସାହୀତ କରିବା ।
ପରବର୍ତ୍ତୀ ପଦକ୍ଷେପ:
୨୦୧୪ ସର୍ବେକ୍ଷଣରେ କୁହାଯାଇଛି ଯେ ଖାଦ୍ୟ ଅଭାବ ଓ ଅନାହାର ସମୟରେ ଜଙ୍ଗଲଜାତ ଅଣକୃଷି ଖାଦ୍ୟଦ୍ରବ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସୁରକ୍ଷା କବଚ ଭାବରେ ଭୂମିକା ନିର୍ବାହ କରିଛି। ଏହାସହ ସୁଲଭ ଓ ପୌଷ୍ଟିକ ଆହାର ଦେବା ଏବଂ ସାଂସ୍କୃତିକ ଓ ପରିବେଶଗତ ଧାରଣାକୁ ସମୃଦ୍ଧ କରିବାରେ ଅବତୀର୍ଣ୍ଣ ହୋଇଛି। ଜଙ୍ଗଲଜାତ ଅଣକୃଷି ଖାଦ୍ୟଦ୍ରବ୍ୟର ସୁରକ୍ଷା କେବଳ ଜୈବ ବିବିଧତାର ସଂରକ୍ଷଣରେ ସୀମିତ ନୁହେଁ, ବରଂ ଏହା ସହନଶୀଳ ଖାଦ୍ୟ ପଦ୍ଧତିର ପୁନର୍ନିର୍ମାଣ କରୁଛି, ଯାହା ଜଳବାୟୁ ପରିବର୍ତ୍ତନର ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ସହ ରହିପାରିବ। ଅନାହାର ମଧ୍ୟ ରୋକିପାରିବ। ଏହାସହ ବନବାସୀ ସମୁଦାୟଙ୍କ ସମ୍ମାନ ଓ ପୋଷଣକୁ ମଧ୍ୟ ବଜାୟ ରଖିପାରିବ।







