ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

କାର୍ତ୍ତିକ ମେହେର

ମାନବ ସଭ୍ୟତା କାଳରୁ ଆଦିବାସୀମାନେ ଜଙ୍ଗଲର ଶରଣାର୍ଥୀ ହୋଇ ବାସ କରିଆସୁଛନ୍ତି । ଜଙ୍ଗଲକୁ ନିଜର ଛାଇ କରି, ନିଜ ଜୀବନକୁ ପ୍ରାକୃତିକ ଶୋଭାରେ ମୁଗ୍ଧ କରି ଏବଂ ଜଙ୍ଗଲରୁ ଉତ୍ପାଦିତ ଦ୍ରବ୍ୟ ସବୁ ବ୍ୟବହାର କରି , ସେମାନେ ସମୟର ସ୍ରୋତରେ ଆଗେଇ ଯାଇଛନ୍ତି । ଜଙ୍ଗଲର ପ୍ରାକୃତିକ  ସୌନ୍ଦର୍ଯ୍ୟ ଏବଂ ଜଙ୍ଗଲର ସୁରକ୍ଷା ଦିଗରେ ସେମାନେ ମୁଖ୍ୟ ଭୂମିକା ବହନ କରିଛନ୍ତି । ଦିନେ ସେମାନେ ପରିବେଶର ଜଳବାୟୁକୁ ଯେପରି ସ୍ଵଇଚ୍ଛାରେ ବ୍ୟବହାର କରୁଥିଲେ, ସେଭଳି ଜଙ୍ଗଲ ଜାତ ଦ୍ରବ୍ୟକୁ ମଧ୍ୟ ନିଜ ଜୀବନରେ ଲଗାଉଥିଲେ । ଯେଉଁ ଜଙ୍ଗଲ ଏବଂ ତାହାର ଉତ୍ପାଦିତ ଦ୍ରବ୍ୟ ସବୁ ସେମାନେ ଯୁଗଯୁଗ ଧରି ନିଜ ଜୀବନରେ ବ୍ୟବହାର କରିଆସୁଅଛନ୍ତି, କେହି ଜାଣିଥିଲେ କି ସେସବୁ ପାଇଁ ସେମାନଙ୍କୁ ଦିନେ ଅନୁମତି ନେବାକୁ ପଡିବ ।  ଏହି  ଲେଖାଟି କୋରାପୁଟର ବୈପାରୀଗୁଡା ବ୍ଲକରେ ବସବାସ କରୁଥିବା ୮ଟି ଗ୍ରାମସଭାର ଗୋଷ୍ଠୀ ଜଙ୍ଗଲ ଅଧିକାର ସାବ୍ୟସ୍ତ ଏବଂ ଫଳପ୍ରଦ ପାଇଁ ସଂଘର୍ଷ ଉପରେ ଆଧାରିତ  ।

ଭାରତ ସରକାର ପଞ୍ଚାୟତ ସ୍ତରରେ ବନବାସୀମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ମାଲିକାନା ,ପରିଚାଳନା ଏବଂ ନିୟନ୍ତ୍ରଣ ସହିତ ଜଙ୍ଗଲର ରକ୍ଷଣବେକ୍ଷଣ , ବୃକ୍ଷରୋପଣ ଏବଂ ଜଙ୍ଗଲ ସୁରକ୍ଷା ଇତ୍ୟାଦି ପାଇଁ ପଞ୍ଚାୟତ ( ଅନୁସୂଚିତ ଅଞ୍ଚଳ ପାଇଁ ସମ୍ପ୍ରସାରିତ ) ଆଇନ (PESA Act ,1996 ) ଆଣିଥିଲେ । ଫଳରେ ସ୍ଥାନୀୟ ଏବଂ ସ୍ଵାୟତ୍ତ ଶାସନବ୍ୟବସ୍ଥା ମଜବୁତ ହୋଇ ଗ୍ରାମାଞ୍ଚଳରେ ଲୋକମାନେ ଲାଭାକୃତ ହେବେ । ମାତ୍ର ଏହା କେବଳ ଗୋଟିଏ ବ୍ଲକରେ ଯଦି ୫୦% ରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଆଦିବାସୀମାନେ ଥିବେ, ତା’ହେଲେ ଲାଗୁ ହେଉଥିଲା  । ଜଙ୍ଗଲ ଅଧିକାର ଆଇନ (FRA,2006) ଆସିବା ଦ୍ଵାରା ଆଦିବାସୀ ତଥା ବନନିବାସୀମାନଙ୍କ ପାଇଁ ନୂଆ ରାସ୍ତା ଖୋଲି ହେଇଗଲା ।  ଯଦ୍ଵାରା ସେମାନେ ଆଇନ ଆଗରେ ନିଜର ଅଧିକାର ସାବ୍ୟସ୍ତ କରି ପାରିବେ ।  

ଏହି ଆଇନ ଦ୍ଵାରା ସେମାନେ ନିଜର ସାମୁହିକ ଅଧିକାର, ପାରମ୍ପରିକ ସଂସ୍କୃତି ଓ ଜୀବନ ଶୈଳୀର ସୁରକ୍ଷା, ଜୀବିକାର ସୁରକ୍ଷା ଏବଂ ସାମୁହିକ କ୍ଷମତାକୁ ବଜାୟ ରଖିପାରିବେ ।  ତା ପୂର୍ବରୁ ସେମାନେ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଏବଂ କିଣାବିକା ଆଇନ ଅନୁସାରେ କରିପାରୁ ନ ଥିଲେ । ଯଦିଓ ସେମାନେ ଜଙ୍ଗଲର ଚାରିପାର୍ଶ୍ଵରେ ବସବାସ କରି  ତାହାର ରକ୍ଷଣାବେକ୍ଷଣ ଯୁଗଯୁଗ ଧରି କରିଆସୁଥିଲେ, ତଥାପି ନିଜ ଦୈନନ୍ଦିନ ଜୀବନ ପାଇଁ ଜଙ୍ଗଲଜାତ ଦ୍ରବ୍ୟର ବ୍ୟବହାର କରିବା ଉପରେ ନିୟନ୍ତ୍ରଣ ଥିଲା । ମାତ୍ର ଜଙ୍ଗଲ ଅଧିକାର ଆଇନ ସେସବୁ ବନ୍ଧନରୁ ସେମାନଙ୍କୁ ମୁକ୍ତ କରିଦେଲା ।  ଏହାଦ୍ଵାରା ଲୋକଙ୍କୁ ଗୋଷ୍ଠୀଗତ  ଜଙ୍ଗଲ ଅଧିକାର (CFR) ଏବଂ ବ୍ୟକ୍ତିଗତ ଜଙ୍ଗଲ ଅଧିକାର (IFR) ମିଳିଲା ।   ଯେଉଁମାନଙ୍କୁ ଉଭୟ ଅଧିକାର ମିଳିଗଲା , ସେମାନେ ସୁନିଶ୍ଚିତ ଭାବରେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ।  ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଁ ଆବେଦନ କରିବାପରେ ମଧ୍ୟ ଶିରୋନାମା ଦରକାର । ଉଭୟ ପଞ୍ଚାୟତ ( ଅନୁସୂଚିତ ଅଞ୍ଚଳ ପାଇଁ ସମ୍ପ୍ରସାରିତ ) ଆଇନ (PESA Act ,1996 ) ଏବଂ ଜଙ୍ଗଲ ଅଧିକାର ଆଇନ(FRA ,2006) ର କେନ୍ଦ୍ରବିନ୍ଦୁ ହେଉଛି ଗ୍ରାମସଭା  । ଜଙ୍ଗଲଜାତ ଦ୍ରବ୍ୟ କେନ୍ଦୁପତ୍ର ଏବଂ ବାଉଁଶ ଉପରେ ସରକାରୀ ନିୟନ୍ତ୍ରଣ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଗ୍ରାମସଭାକୁ ଆସିଛି  । ଗ୍ରାମସଭା ଦ୍ଵାରା ହିଁ ଲୋକମାନେ ସେମାନଙ୍କ ଜଙ୍ଗଲଜାତ ଦ୍ରବ୍ୟ ତଥା ଜଙ୍ଗଲ ଉପରେ ମାଲିକାନା ଏବଂ ନିୟନ୍ତ୍ରଣ ରଖିପାରିବେ ।

କେନ୍ଦୁପତ୍ରର ଅଧିକାରକୁ ନେଇ ବୈପାରୀଗୁଡାର ସ୍ଥିତି  :

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏବଂ ଚାରିପାର୍ଶ୍ଵରେ ଦୃଶ୍ୟମାନ ଜଙ୍ଗଲ – କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଓଡ଼ିଶାର ଦକ୍ଷିଣ ଦିଗରେ ଅବସ୍ଥିତ । ଯଦିଓ ନିଜ ଜୀବନରେ ବଞ୍ଚିବା ପାଇଁ ଅକ୍ଳାନ୍ତ ପରିଶ୍ରମ ଏବଂ ଅନବରତ ଲଢେଇ କରିଥାନ୍ତି , ତଥାପି ଜୀବନର ସୁନ୍ଦରତାକୁ ହଜେଇ ନାହାନ୍ତି । ପ୍ରବଳ ବର୍ଷା ,ଅସହ୍ୟ ଶୀତ ଏବଂ ପ୍ରଚଣ୍ଡ ଖରାରେ ମଧ୍ୟ ସେମାନଙ୍କ ମୁହଁରୁ ହସ ଲିଭେ ନାହିଁ । ନିଜର କୌଶଳ ଏବଂ ପାରମ୍ପରିକ ଶିକ୍ଷା ଯୋଗୁଁ ,ସେମାନେ ନିଜର ଜୀବିକା ନିର୍ବାହ କରିବା ସହିତ ନିଜର ଇତିହାସ, କଳା, ସଂସ୍କୃତି ,ଐତିହ୍ୟ , ଭାଷା, ଚାଲିଚଳନ, ବ୍ୟବହାର ଆଦିକୁ ମଧ୍ୟ ବଞ୍ଚାଇ ରଖିଛନ୍ତି ।

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଆଦିବାସୀମାନେ ପାରମ୍ପରିକ ଚାଷ ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ଯୋଗୁଁ ହିଁ  ଜୀବିକା ନିର୍ବାହ କରନ୍ତି । ବର୍ତ୍ତମାନ ସମୟରେ ସରକାରଙ୍କ ପ୍ରୋସାହନରେ ସେମାନେ ପାରମ୍ପରିକ ଚାଷଠାରୁ ହଟିକରି ଆଧୁନିକ କୃଷି ଆଡକୁ ଧୀରେ ଧୀରେ ଅଗ୍ରସର ହେଉଛନ୍ତି  । କେନ୍ଦୁପତ୍ର ତୋଳି ସରକାରଙ୍କୁ ବିକ୍ରି କରିଥାନ୍ତି ଏବଂ ନିଜର ପାରିବାରିକ ଖର୍ଚ୍ଚର ବୋଝକୁ କମ କରିଥାନ୍ତି । ମାତ୍ର କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରେ ଏମାନଙ୍କ କାହାଣୀ ଦୟନୀୟ । କେନ୍ଦୁପତ୍ର ତୋଳି ଲୋକେ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦୁପତ୍ର ଫଡିରେ ବିକ୍ରି କରନ୍ତି ଏବଂ ପ୍ରତି କେରି ପିଛା ସେମାନଙ୍କୁ ୧ ଟଙ୍କା ୬୦   ପଇସା ମିଳେ ।  ବ୍ଲକର ୨୦ ଟି ପଞ୍ଚାୟତ ମଧ୍ୟରୁ ୧୯ ଟି କେନ୍ଦୁପତ୍ର ଉପରେ ନିର୍ଭର କରେ । ଗ୍ରୀଷ୍ମଋତୁ ସମୟରେ ଲୋକଙ୍କ ପାଖରେ କୁଲିମଜୁରୀ କରିବା ଛଡା ଯାହାକି ସବୁ ସମୟରେ ମିଳେ ନାହିଁ  ଆଉ ଅନ୍ୟ କିଛି ରୋଜଗାର କରିବାର ସାଧନ ନାହିଁ । ତେଣୁ କେନ୍ଦୁପତ୍ରରୁ ରୋଜଗାର ଏମାନଙ୍କ ପାଇଁ ଗୋଟିଏ ସୁବର୍ଣ୍ଣ ସୁଯୋଗ । ଖରା ସମୟରେ ଅନ୍ୟଥା ସମୟ ନଷ୍ଟ ନ କରି ସେମାନେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି । ଯଦ୍ଵାରା ବର୍ଷା ଋତୁରେ ପରିବାରର ଖର୍ଚ୍ଚ , ଶାରୀରିକ ଅସୁବିଧା, ପିଲାଛୁଆଙ୍କ ଶିକ୍ଷା ,ଚାଷ କାମ ତଥା ଅନ୍ୟାନ୍ୟ କୌଣସି ଅସୁବିଧା ସମୟରେ ତାହା ସହାୟକ ହୋଇଥାଏ ।

କେନ୍ଦୁପତ୍ର ବିଭାଗ ଭୌଗଳିକ ଅଞ୍ଚଳକୁ ଧ୍ୟାନରେ ରଖି ତଥା ପାଣିପାଗ ଅନୁଯାୟୀ ତଥା କେନ୍ଦୁପତ୍ରର ଉପଲବ୍ଧତାକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଫଡି ତିଆରି କରନ୍ତି । ଫଳରେ ଉପଯୋଗ୍ୟ କେନ୍ଦୁପତ୍ର ମିଳିପାରିବ ।  ଭୌଗଳିକ ଦୃଷ୍ଟି କୋଣରୁ ତଥା ଅସଫଳ ଶାସନ ଯୋଗୁଁ ଏ ଅଞ୍ଚଳରେ ପରିବହନର ଅସୁବିଧା ଏବେ ବି ରହିଛି । କୋଲାର ଗ୍ରାମ ପଞ୍ଚାୟତର ଟାପାଯୋଡି ଓ ଦଣ୍ଡାବାଡି ଗ୍ରାମ ପଞ୍ଚାୟତର ଫଟକିକୁମ୍ଭି  ଗାଁକୁ ତ ପକ୍କା ରାସ୍ତା ଏ ଯାଏଁ ପହଞ୍ଚିପାରି ନାହିଁ  । ଲୋକଙ୍କୁ ଯିବା ଆସିବାରେ ବହୁତ ଆସୁବିଧା ହୁଏ । କେଉଁ ଫଡି ୩ କିମି ଦୂରରେ ତ ଆଉ କେଉଁଟା ୫ କିମି ଦୂରରେ ।  ଫଟକିକୁମ୍ଭି  ଗାଁରୁ ବିରିଗୁଡା କେନ୍ଦୁପତ୍ର ଫଡି ୫ କିମି ଦୂରରେ ଅଛି  । ତେଣୁ ସମସ୍ତେ ଭଲଭାବରେ କେନ୍ଦୁପତ୍ର ତୋଳନ୍ତି ନାହିଁ  । ଆଉ ଯେଉଁ ମାନେ ତୋଳନ୍ତି , ସେମାନେ ସନ୍ତୁଷ୍ଟ ନୁହନ୍ତି । କାରଣ  ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦୁପତ୍ର ତୋଳାଳୀମାନେ ଅଳ୍ପ ପରିମାଣରେ ତୋଳିକରି ବିକ୍ରି କରିପାରିବେ । ଆଉ ବହୁତ ଲୋକଙ୍କ ପାଖରେ କେନ୍ଦୁପତ୍ର କାର୍ଡ ନହିଁ ।  ଯଦ୍ଵାରା ସେମାନେ ନିଜର ପାରିଶ୍ରମିକ ସରକାରୀ ମୂଲ୍ୟରେ ପାଇବେ , କିନ୍ତୁ ସରକାରୀ ସୁବିଧାସୁଯୋଗ (Bonus ) ପାଇପାରିବେ ନାହିଁ । ଏଠି ଧ୍ୟାନଦେବାର ବିଷୟ ଯେ ଏ ଅଞ୍ଚଳରେ ପ୍ରଚୁର ପରିମାଣରେ କେନ୍ଦୁବୁଦା ଅଛି ଯାହାର ସଦୁପଯୋଗ ନିତାନ୍ତ ଆବଶ୍ୟକ । ବୈପାରୀଗୁଡା ବ୍ଲକରେ ପ୍ରଚୁର ପରିମାଣରେ କେନ୍ଦୁପତ୍ର ଅଛି ଯାହାକି କୋରାପୁଟ ଜିଲ୍ଲାରୁ ସବୁଠାରୁ ଅଧିକ ବୋଲି କୁହନ୍ତି ଧନପତି ଖିଲୋ , ବୈପାରୀଗୁଡା ଗ୍ରାମ ସଭା ମହାସଂଘର ସଭାପତି । ଏହା ଦ୍ଵାରା ସରକାରଙ୍କୁ ଲାଭ ମିଳିବା ସାଙ୍ଗେ ସାଙ୍ଗେ ଆଞ୍ଚଳିକ ଆଦିବାସୀମାନେ ଉପକୃତ ହେବେ । 

 ଜଙ୍ଗଲ ଜମି ଓ ଆଦିବାସୀମାନଙ୍କ ଅଧିକାର ଉପରେ କାର୍ଯ୍ୟରତ ଏବଂ ସମାଜସେବୀ ବିଦ୍ୟୁତ ମହାନ୍ତିଙ୍କ ମତରେ, ୧୯୬୦-୭୦ ମସିହାରେ କୋଲାବ ଡ୍ୟାମ ଏବଂ ମାଛକୁଣ୍ଡ ଡ୍ୟାମ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକମାନେ ଏ ଅଞ୍ଚଳରେ ପୁନଃବସତି କରିଅଛନ୍ତି । ଚାଷ କାମ , କୁଲିମଜୁରୀ ଏବଂ ଜଙ୍ଗଲଜାତ ଦ୍ରବ୍ୟର କିଣାବିକା ଓ ବ୍ୟବହାର କରି ସେମାନେ ନିଜର ପେଟ ପାଳନ୍ତି ବୋଲି ସେ ମତବ୍ୟକ୍ତ କଲେ ।  ମନେ ରଖିବା ନିତାନ୍ତ ଜରୁରୀ ଯେ ଡ୍ୟାମ କିମ୍ବା ଖଣି ପାଇଁ ହେଉଥିବା ବିସ୍ଥାପନ କେତୋଟି ଗାଁର ତଥା ସେ ଅଞ୍ଚଳର ସମ୍ପୂର୍ଣ୍ଣ  ବିନାଶ କରିଦିଏ । ଲୋକଙ୍କ ଘର, ଜମି, ଜଙ୍ଗଲ, ଜୀବିକା, ଇତିହାସ, ସ୍ମୃତି, ସଂଘର୍ଷ , ପୁଞ୍ଜି ,ଇତ୍ୟାଦି ଜଳ ଆଉ ମାଟିରେ ଧୂଳିସାତ୍ ତଥା ପାଉଁଶ ହୋଇଯାଏ । ନିଜର ସବୁକିଛି ତ୍ୟାଗ କରି ସେମାନଙ୍କ ଜୀବନ  ୫୦ -୬୦ ବର୍ଷ ମଧ୍ୟରେ ସୁଧୁରୀ ନାହିଁ  । ନିଜ ଅସୁବିଧାର ଚିଠା କାହାକୁ ଦେଖାଇବେ ? ଗଣତାନ୍ତ୍ରିକ ସରକାର ଲୋକଙ୍କ ସୁବିଧାଅସୁବିଧା ବୁଝିବା ଜରୁରୀ  । ଲୋକମାନଙ୍କ ବିକାଶ ପାଇଁ ସବୁ ପ୍ରକାରର  ପଦକ୍ଷେପ ନେବା ଆବଶ୍ୟକ । ଦେଖିବାକୁ ଗଲେ ଗୁଡାଏ କାର୍ଯ୍ୟଯୋଜନା ଅଛି ଏବଂ ସେମଧ୍ୟରୁ କିଛି କାର୍ଯ୍ୟକାରୀ ମଧ୍ୟ ହେଉଛି  । ମାତ୍ର ତାହା ଲୋକମାନଙ୍କ ପାଖରେ ପହଞ୍ଚି ପାରୁନି । ସେମାନେ ଏବେ ମଧ୍ୟ ମୌଳିକ ଆବଶ୍ୟକତା ତଥା ଖାଦ୍ୟ, ଶିକ୍ଷା,ସ୍ଵାସ୍ଥ୍ୟ, ପୋଷାକ, ପରିବହନ , ଇତ୍ୟାଦି ପାଇଁ ସଂଘର୍ଷ କରୁଛନ୍ତି । ଦୁଃଖର ବିଷୟ ଯେ ଲୋକମାନେ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ।

 

 ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦ୍ଵାରା ଲୋକେ ଜଙ୍ଗଲଜାତ ଦ୍ରବ୍ୟର କିଣାବିକା , ସଂରକ୍ଷଣ ତଥା ବ୍ୟବହାର ମଧ୍ୟ କରିପାରିବେ । ଗ୍ରାମସଭା ଜରିଆରେ ଗ୍ରାମବାସୀମାନେ ଜଙ୍ଗଲର ସବୁପ୍ରକାରର ନିଷ୍ପତ୍ତି ନେଇପାରିବେ ।  ସରକାର ତଥା ଜଙ୍ଗଲ ବିଭାଗର କୌଣସି ହସ୍ତକ୍ଷେପ ରହିବ ନାହିଁ  ।  ଗ୍ରାମସଭା ଗଣତନ୍ତ୍ରକୁ ଗାଁ ସ୍ତରରେ ମଜବୁତ୍ କରିଥାଏ  । କିନ୍ତୁ ସୂଚନା ଅନୁଯାୟୀ ଏବେ ମଧ୍ୟ କିଛି ଗାଁରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପତ୍ର ମିଳି ନାହିଁ  । ସେହି ଗ୍ରାମରେ ନା କେନ୍ଦୁପତ୍ର ଫଡି ଅଛି ନା ଗୋଷ୍ଠୀ ଜଙ୍ଗଲର ଅଧିକାର ପତ୍ର ।  ଯଦ୍ଵାରା ଏମାନେ କେନ୍ଦୁପତ୍ର ବେପାରୀଙ୍କୁ ମଧ୍ୟ କେନ୍ଦୁପତ୍ର ତୋଳି ବିକ୍ରୟ କରି ପାରୁନାହାନ୍ତି ,  ଯାହା କି ବ୍ୟବସାୟୀମାନେ  ଚଳାନ୍ତି । ବ୍ୟବସାୟୀମାନେ ସରକାରୀ ମୂଲ୍ୟରୁ ଅଧିକ ପଇସା ମଧ୍ୟ ଦେବେ ଏବଂ ତାହା ତୁରନ୍ତ ମିଳିଯାଏ ।  ସରକାରୀ ମୂଲ୍ୟରେ ବିଡ଼ା( ଦୁଇଟି କେରି )ପିଛା ୩ ଟଙ୍କା ୬୦ ପଇସା ମିଳୁଥିବା ବେଳେ ବେସରକାରୀ ବେପାରୀ ବିଡା ପିଛା ୪ ଟଙ୍କା ମୂଲ୍ୟ ଦେଇଛନ୍ତି । ଉଭୟ ସରକାରୀ ଏବଂ ବେସରକାରୀ ବିକ୍ରୟପାଇଁ , ଗୋଟିଏ ବିଡ଼ାରେ ୪୪ ଟି କେନ୍ଦୁପତ୍ର ଦିଆଯାଏ  । ସରକାରୀ ଫଡିରେ ବିକ୍ରି କଲେ ଗୋଟିଏ ପରିବାର ବେଶୀ ରୁ ବେଶୀ ୧୫-୨୦ ହଜାର ଟଙ୍କା ପ୍ରତିଥର ଆୟ କରିପାରିବ । ମାତ୍ର ବ୍ୟବସାୟୀଙ୍କୁ ବିକ୍ରିକଲେ ,ସେଥିରୁ  ଅଧିକ ଆୟ କରିପାରିବେ ।  ଯଦି ସେମାନେ ସରକାରୀ ଫଡିରେ ବିକ୍ରି କରନ୍ତି , ତାହେଲେ ସେମାନେ ୩ ମାସ ପରିବାରର ଖର୍ଚ୍ଚ ମେଣ୍ଟାଇ ପାରିବେ ।  କେନ୍ଦୁପତ୍ର ବେପାରୀଙ୍କୁ ବିକ୍ରି କଲେ, ଅଧିକ ପ୍ରାପ୍ୟ ମିଳିବା ସଙ୍ଗେ ବେଶୀମାତ୍ରାରେ କେନ୍ଦୁପତ୍ର ମଧ୍ୟ ବିକ୍ରି କରିପାରିବେ ।  କେନ୍ଦୁପତ୍ର ବେପାରୀଙ୍କୁ ବିକ୍ରି କରିବାଦ୍ଵାରା ସେମାନେ ଆରାମରେ ୬-୭ ମାସ ଚଳିପାରିବେ ।  ବ୍ୟବସାୟୀଙ୍କୁ ବିକ୍ରୟକରି ଭଲ ରୋଜଗାର କଲେ, ଆମେ ଆମର ଜୀବନ ଅଧିକ ସମୟ ପାଇଁ ମେଣ୍ଟାଇ ପାରିବୁ ଏବଂ ପାରିବାରିକ ଜୀବନକୁ ସୁଦୃଢ କରିପାରିବୁ ବୋଲି ବିଭିନ୍ନ ଗାଁରେ ଲୋକମାନେ ନିଜ ନିଜ ମତ ରଖିଲେ । 

୨୦୨୪ରେ ବୈପାରୀଗୁଡା ଗ୍ରାମସଭା ମହାସଂଘ ଜରିଆରେ ୮ ଗ୍ରାମ ସଭା ; କାଳଥଯୋଡି, କଦଳୀଯୋବା, ଗଡବଗୁଡା,ଫଟକିକୁମ୍ଭି , ପାଙ୍ଗଣପାଣି , ଟପାଯୋଡି , କୁପୁଲିଗୁଡା ଏବଂ ବାଦଲିବେଡ଼ା ନିଜ ଆଡୁ କେନ୍ଦୁପତ୍ର ବେପରୀଙ୍କୁ ବିକ୍ରି କରିଥାନ୍ତେ  । କେନ୍ଦୁପତ୍ର ଉପରେ ମାଳିକାନା ଅଧିକାରକୁ ନେଇ ସେମାନେ ବେପାରୀମାନଙ୍କ ସହ ଯୋଗାଯୋଗ କରିଥିଲେ ।       ଗୋଦାମଘର ନ ଥିବା ଯୋଗୁଁ ଗ୍ରାମସଭା ଦ୍ଵାରା ନିର୍ଦ୍ଧାରିତ ସ୍ଥାନରେ କେନ୍ଦୁପାତ୍ର ତୋଳି ଜମା କରିଥିଲେ  ।  କିନ୍ତୁ ବନବିଭାଗ ତଥା ସରକାରଙ୍କ ତରଫରୁ ଗୋଷ୍ଠୀ ଜଙ୍ଗଲ ଅଧିକାର ପତ୍ର ତଥା ଟ୍ରାନଜିଟ୍ ପର୍ମିଟ ନ ମିଳିବାରୁ, ୩୬ ଲକ୍ଷ ଟଙ୍କାର କେନ୍ଦୁପତ୍ର ପ୍ରାୟ ୬ ଲକ୍ଷ ବିଡ଼ା ବର୍ଷାରେ ନଷ୍ଟ ହେଇ ଯାଇଥିଲା  । ବେପାରୀ ମଧ୍ୟ ନିଜ ପ୍ରତିଶ୍ରୁତି ଅନୁଯାୟୀ କେନ୍ଦୁପତ୍ରର ଯତ୍ନ ନେଲେ ନାହିଁ  । ଯାହା ଫଳରେ ଆଞ୍ଚଳିକ ୧୦୧ ପରିବାର ଯେଉଁଥିରେ କି ଅତ୍ୟଧିକ ମହିଳା ତୋଳାଳୀ ଥିଲେ, ସେମାନଙ୍କ ୨-୩ ମାସର ଅକ୍ଳାନ୍ତ ପରିଶ୍ରମ ଏବଂ ଆଶା ନଷ୍ଟ ହୋଇଗଲା । ଆମ ଗସ୍ତରେ ଆମେ ଜାଣିବାକୁ ପାଇଲୁ ଯେ ଟାପାଯୋଡି ଗାଁରେ ଯେଉଁମାନେ ୯୨୦୦ ଟଙ୍କା  ପାଇବା କଥା, ସେମାନେ ମାତ୍ର ୭୦୦ ଟଙ୍କା ପାଇଥିଲେ ଆଉ ଯେଉଁମାନେ ୩୦୦୦ ଟଙ୍କା ପାଇବା କଥା ସେମାନେ ମାତ୍ର ୩୦୦ ଟଙ୍କା ପାଇଲେ  ।

ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଆଇନ କିଛି ଗାଁରେ ଲୋକମାନେ ଆବେଦନ କରିଛନ୍ତି , ମାତ୍ର ସେମାନଙ୍କୁ ଏଯାଏଁ ଅଧିକାର ପତ୍ର ତଥା ଶିରୋନାମା ମିଳି ନାହିଁ । ଗୋଷ୍ଠୀ ଜଙ୍ଗଲ ଅଧିକାର ପତ୍ର ନ ଥିବା ଯୋଗୁଁ, ବୈପାରୀଗୁଡା ବ୍ଲକର  ବହୁତ ଗାଁରେ କେନ୍ଦୁପତ୍ର ତୋଳି ବିକ୍ରିକରି ପାରୁନାହାନ୍ତି ।  ଅନୁଧ୍ୟାନ କଲେ ଜଣାପଡିବ ଯେ, ଏ ଅଞ୍ଚଳରେ ବହୁମାତ୍ରାରେ କେନ୍ଦୁପତ୍ର ଅଛି ଯାହାର ସଦୁପଯୋଗ କରାଯାଉ ନାହିଁ । ପୂର୍ବ ନିର୍ଧାରିତ ଆକଳନ ଦ୍ଵାରା ହିଁ ବନବିଭାଗ  କେନ୍ଦୁପତ୍ର ବୁଦା କଟାନ୍ତି ଏବଂ କେନ୍ଦୁପତ୍ର ତୋଳାନ୍ତି ।  ଫଳରେ ଅତ୍ୟଧିକ କେନ୍ଦୁପତ୍ର ସେଭଳି ରହିଯାଉଛି , ଯାହାର ଲାଭ ସିଧାସଳଖ ସାଧରଣ ଲୋକେ ନେଇପାରନ୍ତେ । ତେଣୁକରି କିଛି ଗାଁରେ ଗ୍ରାମସଭା ତରଫରୁ କେନ୍ଦୁପତ୍ର ଫଡି କରି ଏବଂ  ନିଜେ ପତ୍ର ତୋଳି ବ୍ୟବସାୟୀଙ୍କୁ ବିକ୍ରିକରିବାର ନିଷ୍ପତ୍ତି ନେଉଛନ୍ତି । ଏ ଦିଗରେ ମହାରାଷ୍ଟ୍ରର ଗଡଚିରୋଲୀ ଜିଲ୍ଲା ଭିନ୍ନ  । ସେଠି ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଲା ପରେ ଲୋକମାନେ ନିଜ ହିସାବରେ ଜଙ୍ଗଲ ସୁରକ୍ଷା କରିବା , ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଆର୍ଥିକ ସ୍ଵଚ୍ଛଳତା ଆଣିବା , ବୃକ୍ଷରୋପଣ କରିବା , ଜଙ୍ଗଲ ଜଗିବା ଇତ୍ୟାଦି କରିଥାନ୍ତି  । ଫଳରେ ସେମାନଙ୍କ ଜୀବନରେ ଆତ୍ମବିଶ୍ଵାସ ଏବଂ ଜୀବନ ଶୈଳୀ ବୃଦ୍ଧି ପାଇଛି  । ସମୟକ୍ରମେ ମହାରଷ୍ଟ୍ରର ଅନ୍ୟ ଅଞ୍ଚଳଗୁଡିକରେ ମଧ୍ୟ ଲୋକମାନେ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇ ଆର୍ଥିକ ସ୍ଵଚ୍ଛଳତା ଆଣି ପାରୁଛନ୍ତି  । ବୈପାରୀଗୁଡାରେ ମଧ୍ୟ ଜଙ୍ଗଲ ଅଧିକାର ପତ୍ର କେନ୍ଦୁପତ୍ରତୋଳାଳୀଙ୍କୁ ମିଳିଗଲେ , ଲୋକମାନଙ୍କ ଜୀବନରେ ସୁଧାର ଆସିଯିବ । ଲୋକମାନଙ୍କ ମଧ୍ୟରେ ଜଙ୍ଗଲକୁ ନେଇ ନିଜତ୍ଵ ମନୋଭାବ ଆସିବା ଜରୁରୀ  । ଗୋଷ୍ଠୀ ଜଙ୍ଗଲ ଅଧିକାରର ପ୍ରକୃତ ଅର୍ଥ ସାବ୍ୟସ୍ତ ହେବା ଅବଶ୍ୟକ । ନଚେତ୍ ଗରିବ ଆଦିବାସୀ ଏବଂ ବନବାସୀମାନଙ୍କ ବିକାଶ ହେବାରେ ବାଧାସୃଷ୍ଟି ହେଉଥିବ ।

 କେନ୍ଦୁପତ୍ର ତୋଳାଳୀଙ୍କ ଦାବି :  

ନିଜ ଜୀବନକୁ  ସୁଦୃଢ କରିବାପାଇଁ କେନ୍ଦୁପତ୍ର ତୋଳାଳୀମାନେ ସର୍ବଦା ପ୍ରୟାସରତ । ବୈପାରୀଗୁଡା ବ୍ଲକର କିଛି ଗାଁରେ ଆମେ ଯେତେବେଳେ ଲୋକମାନଙ୍କ ସହ କଥା ହେଲୁ , ସେମାନେ ସରକାରଙ୍କ ବିରୋଧରେ ନିଜ ଅସନ୍ତୋଷ ପ୍ରକଟ କଲେ । ସମୟ ସମୟରେ ନିଜ ଦୁଃଖ ଏବଂ ବିରୋଧଭାଷା ସରକାରଙ୍କ ସାମ୍ନାରେ ଦାବିପତ୍ର ଜରିଆରେ ଦେଇଛନ୍ତି ।  ଅଧିକ ପତ୍ର ତୋଳିବା ପାଇଁ  ବନବିଭାଗ ସଙ୍ଗେ ଲଢେଇ କରିବା ଠାରୁ ଆରମ୍ଭ କରି , ନିଜ ପତ୍ର ସରକାରୀ ଫଡିଙ୍କୁ ନ ଦେବା ଏବଂ ବିଭିନ୍ନ ସମୟରେ ଗୋଷ୍ଠୀ ଜଙ୍ଗଲ ଅଧିକାର ପତ୍ର ନିମନ୍ତେ ଚିଠି ଲେଖିବା ଇତ୍ୟାଦି ଦ୍ଵାରା ସେମାନେ ନିଜର ଅଧିକାର ପାଇଁ  ସଂଘର୍ଷ କରୁଅଛନ୍ତି । ସେମାନଙ୍କ ମୁଖ୍ୟ ଦାବିଗୁଡିକ ହେଲା ;

କ ) ଗୋଷ୍ଠୀ ଜଙ୍ଗଲ ଅଧିକାର ଅଧିକାର ପତ୍ରର ଉପଲବ୍ଧତା

ଖ ) କେନ୍ଦୁପତ୍ର ରଖିବା ପାଇଁ ଗୋଦାମଘର

ଗ ) କେନ୍ଦୁପତ୍ର ଉପରେ ସରକାରୀ କର ଉଚ୍ଛେଦ (ଜି ଏସ୍ ଟି )

ଘ ) କେନ୍ଦୁପତ୍ର କିଣାବିକା ପାଇଁ ବ୍ୟବସ୍ଥା

ଙ) ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକରିବା

ଶେଷକଥା   :

ବିଭିନ୍ନ ନାଗରିକ ସମାଜ , ବେସରକାରୀ ସଂସ୍ଥା ତଥା ଜନସାଧାରଣ ଜଙ୍ଗଲ ଅଧିକାର ଆଇନକୁ ସଠିକ ଭାବରେ ଲାଗୁ କରିବା ପାଇଁ ପ୍ରଚେଷ୍ଟା କରିଆସୁଅଛନ୍ତି । ଦୀର୍ଘ ୩ ଦଶନ୍ଧି ଧରି SPREAD ଭଳି ବେସରକାରୀ ସଂସ୍ଥା (NGO ) ଅବିଭକ୍ତ କୋରାପୁଟ,ବଲାଙ୍ଗିର ଏବଂ କଳାହାଣ୍ଡି (KBK )ରେ  ଆଦିବାସୀ,ଦଳିତ ,ଶୋଷିତ ,ଗରିବ ଏବଂ ବନବାସୀମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜମି,ଖାଦ୍ୟ ଓ ଜୀବିକାର ଅଧିକାରପାଇଁ କାମକରିଆସୁଛି  । ବିଶେଷକରି କେନ୍ଦୁପତ୍ର, ମହୁଲ ଏବଂ ଶାଳ ଉପରେ ଆଦିବାସୀ ଏବଂ ବନବାସୀମାନଙ୍କ କିଭଳି ଅଧିକାର ପତ୍ର ପାଇବେ ,ସେ ଦିଗରେ ଏମାନେ ସର୍ବଦା ପ୍ରଚେଷ୍ଠା କରୁଛନ୍ତି  । ବିଭିନ୍ନ ସମୟରେ ଜନସଚେତନତା କରିବାଠାରୁ , ବିଭିନ୍ନ  କାର୍ଯ୍ୟାଳୟରେ  ଚିଠିପତ୍ର ଦେବା ଏବଂ ଲୋକମାନଙ୍କ ଅଧିକାର ପାଇଁ ସାଙ୍ଗରେ ଠିଆ   ହେବା – ଏମାନେ ସର୍ବଦା ଆଗେଇ ଆସିଛନ୍ତି । ଗୋଷ୍ଠୀ ଜଙ୍ଗଲ ଅଧିକାର ପତ୍ର ପାଇଁ ବହୁବର୍ଷ ଧରି ଲଢେଇ କରି  ଆସୁଛନ୍ତି  । ତଥାପି ଏ ଦିଗରେ ପ୍ରକୃତମାତ୍ରାରେ ଲୋକମାନଙ୍କୁ ସଫଳତା ମିଳିନାହିଁ  ।

ଜଙ୍ଗଲ ଅଧିକାର ଆଇନ ବନନିବାସୀଙ୍କ ଜୀବନରେ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଏକ ସୁଯୋଗ ଆଣିଦେଇଛି । ଏହା ଦ୍ଵାରା ସେମାନେ ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ଆତ୍ମସମ୍ମାନର ଜୀବନ ବଞ୍ଚି ପାରିବେ । ଏ ଦିଗରେ ସରକାରୀ ଶାସନପ୍ରଣାଳୀ ଏବଂ ବ୍ୟବସ୍ଥାର ଉଚିତ ମୂଲ୍ୟାଙ୍କନ ହେବା ନିତାନ୍ତ ଜରୁରୀ । ଗଣତନ୍ତ୍ରର ସଠିକ ଆକଳନ ପାଇଁ ଦେଶର କୋଣ ଅନୁକୋଣରୁ ମାନବିକ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ହେବା ଆବଶ୍ୟକ । କେନ୍ଦୁପତ୍ର ତୋଳିବା ପାଇଁ ଛୋଟଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି , ଯୁବଯୁବତୀ , ମହିଳା , ପରୁଷ , ବୃଦ୍ଧ ,ଆଦି ସମସ୍ତେ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରାରେ ଘନଜଙ୍ଗଲ ଭିତରକୁ ଯାଇ ପତ୍ର ତୋଳିଥାନ୍ତି । ଆର୍ଥିକ ସ୍ଵଚ୍ଛଳତା ଏବଂ ଉଚ୍ଚମାନର ଜୀବନ ବଞ୍ଚିବା ନିମନ୍ତେ ଏମାନେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି । ଜଙ୍ଗଲ ଅଧିକାର ଆଇନ ଜଙ୍ଗଲ ଉପରେ ନିର୍ଭର କରୁଥିବା ବନନିବାସୀଙ୍କ ପାଇଁ  ହେଉଛି ବିକାଶର  ପଥ ।

 

ବିଶେଷ ଦ୍ରଷ୍ଟବ୍ୟ :  ଏହି ଅଧ୍ୟୟନଟି କୋରପୁଟସ୍ଥିତ SPREAD ( ସ୍ବେଚ୍ଛାସେବୀ ସଂଗଠନ )ର ସହଯୋଗରେ କରାଯାଇଛି ।

କାର୍ତ୍ତିକ ମେହେର
+ posts

ମୁଁ ବସୁନ୍ଧରାରେ ଜଣେ ଗବେଷଣା ସାଥୀ ( Research Fellow) ଭାବେ କାମ କରୁଛି । ଜଙ୍ଗଲ ଅଧିକାର , ଜଙ୍ଗଲ ଶାସନ , ପରିବେଶଗତ ନ୍ୟାୟ , ସମ୍ପ୍ରଦାୟ -ଭିତ୍ତିକ ପ୍ରାକୃତିକ ସମ୍ପଦ ଏବଂ ପ୍ରାକୃତିକ ସମ୍ପଦରୁ ପରିଚାଳିତ ଜୀବିକା ଉପରେ ପ୍ରମାଣ ଆଧାରିତ ପ୍ରସଙ୍ଗଗୁଡିକୁ କାହାଣୀ ଓ ବିଶ୍ଳେଷଣାତ୍ମକ ରିପୋର୍ଟ ଦ୍ୱାରା ବାସ୍ତବ କଥାକୁ ସାମ୍ନାକୁ ଆଣିବା ହେଉଛି ମୋର କାର୍ଯ୍ୟ ।

ଭଲ ଲାଗି ପାରେ

ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହରେ : ପ୍ରଣତି ସାହୁ, ଶୁଭଶ୍ରୀ ମିଶ୍ର, ସସ୍ମିତା ଟୁଡ଼ୁ, ମୌସୁମୀ ପ୍ରଧାନଓଡ଼ିଶାର ବିଭିନ୍ନ ସମୁଦାୟଙ୍କ ଜୀବନରେ...

read more
ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

(ଲିଭିଂ ଫାର୍ମ ଦ୍ୱାରା ହୋଇଥିବା ୨୦୧୪ର ରିପୋର୍ଟ, ଦଶନ୍ଧି ପରେ ପୁନଃ ଅନୁଧ୍ୟାନ) ସଂକଳକ – ନିବେଦିତା ପଣ୍ଡା ଓଡ଼ିଶାରେ ରହିଛି ସବୁଜିମାଭରା...

read more
ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ...

read more
କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

ବିସ୍ତୃତ ଜଙ୍ଗଲ ଅଞ୍ଚଳ ଏବଂ ଏକ ପର୍ଯ୍ୟାପ୍ତ ଆଦିବାସୀ ଜନସଂଖ୍ୟା ସହିତ ଜୈବ ବିବିଧତା ଏବଂ ଆଦିବାସୀମାନଙ୍କ ନିଆରା ଜୀବନଜୀବିକା ଅଭ୍ୟାସ...

read more
କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି ।...

read more
ଜୀବିକାର ସୁରକ୍ଷାରେ ଗୋଷ୍ଠୀ ସଂଗଠନର ଆବଶ୍ୟକତା ଓ ଭୂମିକା

ଜୀବିକାର ସୁରକ୍ଷାରେ ଗୋଷ୍ଠୀ ସଂଗଠନର ଆବଶ୍ୟକତା ଓ ଭୂମିକା

କ୍ଷେତ୍ର ସ୍ତରରେ ବର୍ତ୍ତମାନ କାର୍ଯ୍ୟରତ ବସୁନ୍ଧରା କର୍ମୀ ଦୀପେନ୍ ଛତ୍ରିୟାଙ୍କ ଏହି ଆଲେଖ୍ୟ ରେ ବିଶେଷ ସହଯୋଗ ରହିଛି।ବ୍ୟବସାୟୀଙ୍କ...

read more