ମାନବ ସଭ୍ୟତା କାଳରୁ ଆଦିବାସୀମାନେ ଜଙ୍ଗଲର ଶରଣାର୍ଥୀ ହୋଇ ବାସ କରିଆସୁଛନ୍ତି । ଜଙ୍ଗଲକୁ ନିଜର ଛାଇ କରି, ନିଜ ଜୀବନକୁ ପ୍ରାକୃତିକ ଶୋଭାରେ ମୁଗ୍ଧ କରି ଏବଂ ଜଙ୍ଗଲରୁ ଉତ୍ପାଦିତ ଦ୍ରବ୍ୟ ସବୁ ବ୍ୟବହାର କରି , ସେମାନେ ସମୟର ସ୍ରୋତରେ ଆଗେଇ ଯାଇଛନ୍ତି । ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଜଙ୍ଗଲର ସୁରକ୍ଷା ଦିଗରେ ସେମାନେ ମୁଖ୍ୟ ଭୂମିକା ବହନ କରିଛନ୍ତି । ଦିନେ ସେମାନେ ପରିବେଶର ଜଳବାୟୁକୁ ଯେପରି ସ୍ଵଇଚ୍ଛାରେ ବ୍ୟବହାର କରୁଥିଲେ, ସେଭଳି ଜଙ୍ଗଲ ଜାତ ଦ୍ରବ୍ୟକୁ ମଧ୍ୟ ନିଜ ଜୀବନରେ ଲଗାଉଥିଲେ । ଯେଉଁ ଜଙ୍ଗଲ ଏବଂ ତାହାର ଉତ୍ପାଦିତ ଦ୍ରବ୍ୟ ସବୁ ସେମାନେ ଯୁଗଯୁଗ ଧରି ନିଜ ଜୀବନରେ ବ୍ୟବହାର କରିଆସୁଅଛନ୍ତି, କେହି ଜାଣିଥିଲେ କି ସେସବୁ ପାଇଁ ସେମାନଙ୍କୁ ଦିନେ ଅନୁମତି ନେବାକୁ ପଡିବ । ଏହି ଲେଖାଟି କୋରାପୁଟର ବୈପାରୀଗୁଡା ବ୍ଲକରେ ବସବାସ କରୁଥିବା ୮ଟି ଗ୍ରାମସଭାର ଗୋଷ୍ଠୀ ଜଙ୍ଗଲ ଅଧିକାର ସାବ୍ୟସ୍ତ ଏବଂ ଫଳପ୍ରଦ ପାଇଁ ସଂଘର୍ଷ ଉପରେ ଆଧାରିତ ।
ଭାରତ ସରକାର ପଞ୍ଚାୟତ ସ୍ତରରେ ବନବାସୀମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ମାଲିକାନା ,ପରିଚାଳନା ଏବଂ ନିୟନ୍ତ୍ରଣ ସହିତ ଜଙ୍ଗଲର ରକ୍ଷଣବେକ୍ଷଣ , ବୃକ୍ଷରୋପଣ ଏବଂ ଜଙ୍ଗଲ ସୁରକ୍ଷା ଇତ୍ୟାଦି ପାଇଁ ପଞ୍ଚାୟତ ( ଅନୁସୂଚିତ ଅଞ୍ଚଳ ପାଇଁ ସମ୍ପ୍ରସାରିତ ) ଆଇନ (PESA Act ,1996 ) ଆଣିଥିଲେ । ଫଳରେ ସ୍ଥାନୀୟ ଏବଂ ସ୍ଵାୟତ୍ତ ଶାସନବ୍ୟବସ୍ଥା ମଜବୁତ ହୋଇ ଗ୍ରାମାଞ୍ଚଳରେ ଲୋକମାନେ ଲାଭାକୃତ ହେବେ । ମାତ୍ର ଏହା କେବଳ ଗୋଟିଏ ବ୍ଲକରେ ଯଦି ୫୦% ରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଆଦିବାସୀମାନେ ଥିବେ, ତା’ହେଲେ ଲାଗୁ ହେଉଥିଲା । ଜଙ୍ଗଲ ଅଧିକାର ଆଇନ (FRA,2006) ଆସିବା ଦ୍ଵାରା ଆଦିବାସୀ ତଥା ବନନିବାସୀମାନଙ୍କ ପାଇଁ ନୂଆ ରାସ୍ତା ଖୋଲି ହେଇଗଲା । ଯଦ୍ଵାରା ସେମାନେ ଆଇନ ଆଗରେ ନିଜର ଅଧିକାର ସାବ୍ୟସ୍ତ କରି ପାରିବେ ।
ଏହି ଆଇନ ଦ୍ଵାରା ସେମାନେ ନିଜର ସାମୁହିକ ଅଧିକାର, ପାରମ୍ପରିକ ସଂସ୍କୃତି ଓ ଜୀବନ ଶୈଳୀର ସୁରକ୍ଷା, ଜୀବିକାର ସୁରକ୍ଷା ଏବଂ ସାମୁହିକ କ୍ଷମତାକୁ ବଜାୟ ରଖିପାରିବେ । ତା ପୂର୍ବରୁ ସେମାନେ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଏବଂ କିଣାବିକା ଆଇନ ଅନୁସାରେ କରିପାରୁ ନ ଥିଲେ । ଯଦିଓ ସେମାନେ ଜଙ୍ଗଲର ଚାରିପାର୍ଶ୍ଵରେ ବସବାସ କରି ତାହାର ରକ୍ଷଣାବେକ୍ଷଣ ଯୁଗଯୁଗ ଧରି କରିଆସୁଥିଲେ, ତଥାପି ନିଜ ଦୈନନ୍ଦିନ ଜୀବନ ପାଇଁ ଜଙ୍ଗଲଜାତ ଦ୍ରବ୍ୟର ବ୍ୟବହାର କରିବା ଉପରେ ନିୟନ୍ତ୍ରଣ ଥିଲା । ମାତ୍ର ଜଙ୍ଗଲ ଅଧିକାର ଆଇନ ସେସବୁ ବନ୍ଧନରୁ ସେମାନଙ୍କୁ ମୁକ୍ତ କରିଦେଲା । ଏହାଦ୍ଵାରା ଲୋକଙ୍କୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର (CFR) ଏବଂ ବ୍ୟକ୍ତିଗତ ଜଙ୍ଗଲ ଅଧିକାର (IFR) ମିଳିଲା । ଯେଉଁମାନଙ୍କୁ ଉଭୟ ଅଧିକାର ମିଳିଗଲା , ସେମାନେ ସୁନିଶ୍ଚିତ ଭାବରେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ । ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଁ ଆବେଦନ କରିବାପରେ ମଧ୍ୟ ଶିରୋନାମା ଦରକାର । ଉଭୟ ପଞ୍ଚାୟତ ( ଅନୁସୂଚିତ ଅଞ୍ଚଳ ପାଇଁ ସମ୍ପ୍ରସାରିତ ) ଆଇନ (PESA Act ,1996 ) ଏବଂ ଜଙ୍ଗଲ ଅଧିକାର ଆଇନ(FRA ,2006) ର କେନ୍ଦ୍ରବିନ୍ଦୁ ହେଉଛି ଗ୍ରାମସଭା । ଜଙ୍ଗଲଜାତ ଦ୍ରବ୍ୟ କେନ୍ଦୁପତ୍ର ଏବଂ ବାଉଁଶ ଉପରେ ସରକାରୀ ନିୟନ୍ତ୍ରଣ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଗ୍ରାମସଭାକୁ ଆସିଛି । ଗ୍ରାମସଭା ଦ୍ଵାରା ହିଁ ଲୋକମାନେ ସେମାନଙ୍କ ଜଙ୍ଗଲଜାତ ଦ୍ରବ୍ୟ ତଥା ଜଙ୍ଗଲ ଉପରେ ମାଲିକାନା ଏବଂ ନିୟନ୍ତ୍ରଣ ରଖିପାରିବେ ।
କେନ୍ଦୁପତ୍ରର ଅଧିକାରକୁ ନେଇ ବୈପାରୀଗୁଡାର ସ୍ଥିତି :
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏବଂ ଚାରିପାର୍ଶ୍ଵରେ ଦୃଶ୍ୟମାନ ଜଙ୍ଗଲ – କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଓଡ଼ିଶାର ଦକ୍ଷିଣ ଦିଗରେ ଅବସ୍ଥିତ । ଯଦିଓ ନିଜ ଜୀବନରେ ବଞ୍ଚିବା ପାଇଁ ଅକ୍ଳାନ୍ତ ପରିଶ୍ରମ ଏବଂ ଅନବରତ ଲଢେଇ କରିଥାନ୍ତି , ତଥାପି ଜୀବନର ସୁନ୍ଦରତାକୁ ହଜେଇ ନାହାନ୍ତି । ପ୍ରବଳ ବର୍ଷା ,ଅସହ୍ୟ ଶୀତ ଏବଂ ପ୍ରଚଣ୍ଡ ଖରାରେ ମଧ୍ୟ ସେମାନଙ୍କ ମୁହଁରୁ ହସ ଲିଭେ ନାହିଁ । ନିଜର କୌଶଳ ଏବଂ ପାରମ୍ପରିକ ଶିକ୍ଷା ଯୋଗୁଁ ,ସେମାନେ ନିଜର ଜୀବିକା ନିର୍ବାହ କରିବା ସହିତ ନିଜର ଇତିହାସ, କଳା, ସଂସ୍କୃତି ,ଐତିହ୍ୟ , ଭାଷା, ଚାଲିଚଳନ, ବ୍ୟବହାର ଆଦିକୁ ମଧ୍ୟ ବଞ୍ଚାଇ ରଖିଛନ୍ତି ।
ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଆଦିବାସୀମାନେ ପାରମ୍ପରିକ ଚାଷ ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ଯୋଗୁଁ ହିଁ ଜୀବିକା ନିର୍ବାହ କରନ୍ତି । ବର୍ତ୍ତମାନ ସମୟରେ ସରକାରଙ୍କ ପ୍ରୋସାହନରେ ସେମାନେ ପାରମ୍ପରିକ ଚାଷଠାରୁ ହଟିକରି ଆଧୁନିକ କୃଷି ଆଡକୁ ଧୀରେ ଧୀରେ ଅଗ୍ରସର ହେଉଛନ୍ତି । କେନ୍ଦୁପତ୍ର ତୋଳି ସରକାରଙ୍କୁ ବିକ୍ରି କରିଥାନ୍ତି ଏବଂ ନିଜର ପାରିବାରିକ ଖର୍ଚ୍ଚର ବୋଝକୁ କମ କରିଥାନ୍ତି । ମାତ୍ର କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରେ ଏମାନଙ୍କ କାହାଣୀ ଦୟନୀୟ । କେନ୍ଦୁପତ୍ର ତୋଳି ଲୋକେ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦୁପତ୍ର ଫଡିରେ ବିକ୍ରି କରନ୍ତି ଏବଂ ପ୍ରତି କେରି ପିଛା ସେମାନଙ୍କୁ ୧ ଟଙ୍କା ୬୦ ପଇସା ମିଳେ । ବ୍ଲକର ୨୦ ଟି ପଞ୍ଚାୟତ ମଧ୍ୟରୁ ୧୯ ଟି କେନ୍ଦୁପତ୍ର ଉପରେ ନିର୍ଭର କରେ । ଗ୍ରୀଷ୍ମଋତୁ ସମୟରେ ଲୋକଙ୍କ ପାଖରେ କୁଲିମଜୁରୀ କରିବା ଛଡା ଯାହାକି ସବୁ ସମୟରେ ମିଳେ ନାହିଁ ଆଉ ଅନ୍ୟ କିଛି ରୋଜଗାର କରିବାର ସାଧନ ନାହିଁ । ତେଣୁ କେନ୍ଦୁପତ୍ରରୁ ରୋଜଗାର ଏମାନଙ୍କ ପାଇଁ ଗୋଟିଏ ସୁବର୍ଣ୍ଣ ସୁଯୋଗ । ଖରା ସମୟରେ ଅନ୍ୟଥା ସମୟ ନଷ୍ଟ ନ କରି ସେମାନେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି । ଯଦ୍ଵାରା ବର୍ଷା ଋତୁରେ ପରିବାରର ଖର୍ଚ୍ଚ , ଶାରୀରିକ ଅସୁବିଧା, ପିଲାଛୁଆଙ୍କ ଶିକ୍ଷା ,ଚାଷ କାମ ତଥା ଅନ୍ୟାନ୍ୟ କୌଣସି ଅସୁବିଧା ସମୟରେ ତାହା ସହାୟକ ହୋଇଥାଏ ।
କେନ୍ଦୁପତ୍ର ବିଭାଗ ଭୌଗଳିକ ଅଞ୍ଚଳକୁ ଧ୍ୟାନରେ ରଖି ତଥା ପାଣିପାଗ ଅନୁଯାୟୀ ତଥା କେନ୍ଦୁପତ୍ରର ଉପଲବ୍ଧତାକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଫଡି ତିଆରି କରନ୍ତି । ଫଳରେ ଉପଯୋଗ୍ୟ କେନ୍ଦୁପତ୍ର ମିଳିପାରିବ । ଭୌଗଳିକ ଦୃଷ୍ଟି କୋଣରୁ ତଥା ଅସଫଳ ଶାସନ ଯୋଗୁଁ ଏ ଅଞ୍ଚଳରେ ପରିବହନର ଅସୁବିଧା ଏବେ ବି ରହିଛି । କୋଲାର ଗ୍ରାମ ପଞ୍ଚାୟତର ଟାପାଯୋଡି ଓ ଦଣ୍ଡାବାଡି ଗ୍ରାମ ପଞ୍ଚାୟତର ଫଟକିକୁମ୍ଭି ଗାଁକୁ ତ ପକ୍କା ରାସ୍ତା ଏ ଯାଏଁ ପହଞ୍ଚିପାରି ନାହିଁ । ଲୋକଙ୍କୁ ଯିବା ଆସିବାରେ ବହୁତ ଆସୁବିଧା ହୁଏ । କେଉଁ ଫଡି ୩ କିମି ଦୂରରେ ତ ଆଉ କେଉଁଟା ୫ କିମି ଦୂରରେ । ଫଟକିକୁମ୍ଭି ଗାଁରୁ ବିରିଗୁଡା କେନ୍ଦୁପତ୍ର ଫଡି ୫ କିମି ଦୂରରେ ଅଛି । ତେଣୁ ସମସ୍ତେ ଭଲଭାବରେ କେନ୍ଦୁପତ୍ର ତୋଳନ୍ତି ନାହିଁ । ଆଉ ଯେଉଁ ମାନେ ତୋଳନ୍ତି , ସେମାନେ ସନ୍ତୁଷ୍ଟ ନୁହନ୍ତି । କାରଣ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦୁପତ୍ର ତୋଳାଳୀମାନେ ଅଳ୍ପ ପରିମାଣରେ ତୋଳିକରି ବିକ୍ରି କରିପାରିବେ । ଆଉ ବହୁତ ଲୋକଙ୍କ ପାଖରେ କେନ୍ଦୁପତ୍ର କାର୍ଡ ନହିଁ । ଯଦ୍ଵାରା ସେମାନେ ନିଜର ପାରିଶ୍ରମିକ ସରକାରୀ ମୂଲ୍ୟରେ ପାଇବେ , କିନ୍ତୁ ସରକାରୀ ସୁବିଧାସୁଯୋଗ (Bonus ) ପାଇପାରିବେ ନାହିଁ । ଏଠି ଧ୍ୟାନଦେବାର ବିଷୟ ଯେ ଏ ଅଞ୍ଚଳରେ ପ୍ରଚୁର ପରିମାଣରେ କେନ୍ଦୁବୁଦା ଅଛି ଯାହାର ସଦୁପଯୋଗ ନିତାନ୍ତ ଆବଶ୍ୟକ । ବୈପାରୀଗୁଡା ବ୍ଲକରେ ପ୍ରଚୁର ପରିମାଣରେ କେନ୍ଦୁପତ୍ର ଅଛି ଯାହାକି କୋରାପୁଟ ଜିଲ୍ଲାରୁ ସବୁଠାରୁ ଅଧିକ ବୋଲି କୁହନ୍ତି ଧନପତି ଖିଲୋ , ବୈପାରୀଗୁଡା ଗ୍ରାମ ସଭା ମହାସଂଘର ସଭାପତି । ଏହା ଦ୍ଵାରା ସରକାରଙ୍କୁ ଲାଭ ମିଳିବା ସାଙ୍ଗେ ସାଙ୍ଗେ ଆଞ୍ଚଳିକ ଆଦିବାସୀମାନେ ଉପକୃତ ହେବେ ।
ଜଙ୍ଗଲ ଜମି ଓ ଆଦିବାସୀମାନଙ୍କ ଅଧିକାର ଉପରେ କାର୍ଯ୍ୟରତ ଏବଂ ସମାଜସେବୀ ବିଦ୍ୟୁତ ମହାନ୍ତିଙ୍କ ମତରେ, ୧୯୬୦-୭୦ ମସିହାରେ କୋଲାବ ଡ୍ୟାମ ଏବଂ ମାଛକୁଣ୍ଡ ଡ୍ୟାମ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକମାନେ ଏ ଅଞ୍ଚଳରେ ପୁନଃବସତି କରିଅଛନ୍ତି । ଚାଷ କାମ , କୁଲିମଜୁରୀ ଏବଂ ଜଙ୍ଗଲଜାତ ଦ୍ରବ୍ୟର କିଣାବିକା ଓ ବ୍ୟବହାର କରି ସେମାନେ ନିଜର ପେଟ ପାଳନ୍ତି ବୋଲି ସେ ମତବ୍ୟକ୍ତ କଲେ । ମନେ ରଖିବା ନିତାନ୍ତ ଜରୁରୀ ଯେ ଡ୍ୟାମ କିମ୍ବା ଖଣି ପାଇଁ ହେଉଥିବା ବିସ୍ଥାପନ କେତୋଟି ଗାଁର ତଥା ସେ ଅଞ୍ଚଳର ସମ୍ପୂର୍ଣ୍ଣ ବିନାଶ କରିଦିଏ । ଲୋକଙ୍କ ଘର, ଜମି, ଜଙ୍ଗଲ, ଜୀବିକା, ଇତିହାସ, ସ୍ମୃତି, ସଂଘର୍ଷ , ପୁଞ୍ଜି ,ଇତ୍ୟାଦି ଜଳ ଆଉ ମାଟିରେ ଧୂଳିସାତ୍ ତଥା ପାଉଁଶ ହୋଇଯାଏ । ନିଜର ସବୁକିଛି ତ୍ୟାଗ କରି ସେମାନଙ୍କ ଜୀବନ ୫୦ -୬୦ ବର୍ଷ ମଧ୍ୟରେ ସୁଧୁରୀ ନାହିଁ । ନିଜ ଅସୁବିଧାର ଚିଠା କାହାକୁ ଦେଖାଇବେ ? ଗଣତାନ୍ତ୍ରିକ ସରକାର ଲୋକଙ୍କ ସୁବିଧାଅସୁବିଧା ବୁଝିବା ଜରୁରୀ । ଲୋକମାନଙ୍କ ବିକାଶ ପାଇଁ ସବୁ ପ୍ରକାରର ପଦକ୍ଷେପ ନେବା ଆବଶ୍ୟକ । ଦେଖିବାକୁ ଗଲେ ଗୁଡାଏ କାର୍ଯ୍ୟଯୋଜନା ଅଛି ଏବଂ ସେମଧ୍ୟରୁ କିଛି କାର୍ଯ୍ୟକାରୀ ମଧ୍ୟ ହେଉଛି । ମାତ୍ର ତାହା ଲୋକମାନଙ୍କ ପାଖରେ ପହଞ୍ଚି ପାରୁନି । ସେମାନେ ଏବେ ମଧ୍ୟ ମୌଳିକ ଆବଶ୍ୟକତା ତଥା ଖାଦ୍ୟ, ଶିକ୍ଷା,ସ୍ଵାସ୍ଥ୍ୟ, ପୋଷାକ, ପରିବହନ , ଇତ୍ୟାଦି ପାଇଁ ସଂଘର୍ଷ କରୁଛନ୍ତି । ଦୁଃଖର ବିଷୟ ଯେ ଲୋକମାନେ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ।
ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦ୍ଵାରା ଲୋକେ ଜଙ୍ଗଲଜାତ ଦ୍ରବ୍ୟର କିଣାବିକା , ସଂରକ୍ଷଣ ତଥା ବ୍ୟବହାର ମଧ୍ୟ କରିପାରିବେ । ଗ୍ରାମସଭା ଜରିଆରେ ଗ୍ରାମବାସୀମାନେ ଜଙ୍ଗଲର ସବୁପ୍ରକାରର ନିଷ୍ପତ୍ତି ନେଇପାରିବେ । ସରକାର ତଥା ଜଙ୍ଗଲ ବିଭାଗର କୌଣସି ହସ୍ତକ୍ଷେପ ରହିବ ନାହିଁ । ଗ୍ରାମସଭା ଗଣତନ୍ତ୍ରକୁ ଗାଁ ସ୍ତରରେ ମଜବୁତ୍ କରିଥାଏ । କିନ୍ତୁ ସୂଚନା ଅନୁଯାୟୀ ଏବେ ମଧ୍ୟ କିଛି ଗାଁରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପତ୍ର ମିଳି ନାହିଁ । ସେହି ଗ୍ରାମରେ ନା କେନ୍ଦୁପତ୍ର ଫଡି ଅଛି ନା ଗୋଷ୍ଠୀ ଜଙ୍ଗଲର ଅଧିକାର ପତ୍ର । ଯଦ୍ଵାରା ଏମାନେ କେନ୍ଦୁପତ୍ର ବେପାରୀଙ୍କୁ ମଧ୍ୟ କେନ୍ଦୁପତ୍ର ତୋଳି ବିକ୍ରୟ କରି ପାରୁନାହାନ୍ତି , ଯାହା କି ବ୍ୟବସାୟୀମାନେ ଚଳାନ୍ତି । ବ୍ୟବସାୟୀମାନେ ସରକାରୀ ମୂଲ୍ୟରୁ ଅଧିକ ପଇସା ମଧ୍ୟ ଦେବେ ଏବଂ ତାହା ତୁରନ୍ତ ମିଳିଯାଏ । ସରକାରୀ ମୂଲ୍ୟରେ ବିଡ଼ା( ଦୁଇଟି କେରି )ପିଛା ୩ ଟଙ୍କା ୬୦ ପଇସା ମିଳୁଥିବା ବେଳେ ବେସରକାରୀ ବେପାରୀ ବିଡା ପିଛା ୪ ଟଙ୍କା ମୂଲ୍ୟ ଦେଇଛନ୍ତି । ଉଭୟ ସରକାରୀ ଏବଂ ବେସରକାରୀ ବିକ୍ରୟପାଇଁ , ଗୋଟିଏ ବିଡ଼ାରେ ୪୪ ଟି କେନ୍ଦୁପତ୍ର ଦିଆଯାଏ । ସରକାରୀ ଫଡିରେ ବିକ୍ରି କଲେ ଗୋଟିଏ ପରିବାର ବେଶୀ ରୁ ବେଶୀ ୧୫-୨୦ ହଜାର ଟଙ୍କା ପ୍ରତିଥର ଆୟ କରିପାରିବ । ମାତ୍ର ବ୍ୟବସାୟୀଙ୍କୁ ବିକ୍ରିକଲେ ,ସେଥିରୁ ଅଧିକ ଆୟ କରିପାରିବେ । ଯଦି ସେମାନେ ସରକାରୀ ଫଡିରେ ବିକ୍ରି କରନ୍ତି , ତାହେଲେ ସେମାନେ ୩ ମାସ ପରିବାରର ଖର୍ଚ୍ଚ ମେଣ୍ଟାଇ ପାରିବେ । କେନ୍ଦୁପତ୍ର ବେପାରୀଙ୍କୁ ବିକ୍ରି କଲେ, ଅଧିକ ପ୍ରାପ୍ୟ ମିଳିବା ସଙ୍ଗେ ବେଶୀମାତ୍ରାରେ କେନ୍ଦୁପତ୍ର ମଧ୍ୟ ବିକ୍ରି କରିପାରିବେ । କେନ୍ଦୁପତ୍ର ବେପାରୀଙ୍କୁ ବିକ୍ରି କରିବାଦ୍ଵାରା ସେମାନେ ଆରାମରେ ୬-୭ ମାସ ଚଳିପାରିବେ । ବ୍ୟବସାୟୀଙ୍କୁ ବିକ୍ରୟକରି ଭଲ ରୋଜଗାର କଲେ, ଆମେ ଆମର ଜୀବନ ଅଧିକ ସମୟ ପାଇଁ ମେଣ୍ଟାଇ ପାରିବୁ ଏବଂ ପାରିବାରିକ ଜୀବନକୁ ସୁଦୃଢ କରିପାରିବୁ ବୋଲି ବିଭିନ୍ନ ଗାଁରେ ଲୋକମାନେ ନିଜ ନିଜ ମତ ରଖିଲେ ।
୨୦୨୪ରେ ବୈପାରୀଗୁଡା ଗ୍ରାମସଭା ମହାସଂଘ ଜରିଆରେ ୮ ଗ୍ରାମ ସଭା ; କାଳଥଯୋଡି, କଦଳୀଯୋବା, ଗଡବଗୁଡା,ଫଟକିକୁମ୍ଭି , ପାଙ୍ଗଣପାଣି , ଟପାଯୋଡି , କୁପୁଲିଗୁଡା ଏବଂ ବାଦଲିବେଡ଼ା ନିଜ ଆଡୁ କେନ୍ଦୁପତ୍ର ବେପରୀଙ୍କୁ ବିକ୍ରି କରିଥାନ୍ତେ । କେନ୍ଦୁପତ୍ର ଉପରେ ମାଳିକାନା ଅଧିକାରକୁ ନେଇ ସେମାନେ ବେପାରୀମାନଙ୍କ ସହ ଯୋଗାଯୋଗ କରିଥିଲେ । ଗୋଦାମଘର ନ ଥିବା ଯୋଗୁଁ ଗ୍ରାମସଭା ଦ୍ଵାରା ନିର୍ଦ୍ଧାରିତ ସ୍ଥାନରେ କେନ୍ଦୁପାତ୍ର ତୋଳି ଜମା କରିଥିଲେ । କିନ୍ତୁ ବନବିଭାଗ ତଥା ସରକାରଙ୍କ ତରଫରୁ ଗୋଷ୍ଠୀ ଜଙ୍ଗଲ ଅଧିକାର ପତ୍ର ତଥା ଟ୍ରାନଜିଟ୍ ପର୍ମିଟ ନ ମିଳିବାରୁ, ୩୬ ଲକ୍ଷ ଟଙ୍କାର କେନ୍ଦୁପତ୍ର ପ୍ରାୟ ୬ ଲକ୍ଷ ବିଡ଼ା ବର୍ଷାରେ ନଷ୍ଟ ହେଇ ଯାଇଥିଲା । ବେପାରୀ ମଧ୍ୟ ନିଜ ପ୍ରତିଶ୍ରୁତି ଅନୁଯାୟୀ କେନ୍ଦୁପତ୍ରର ଯତ୍ନ ନେଲେ ନାହିଁ । ଯାହା ଫଳରେ ଆଞ୍ଚଳିକ ୧୦୧ ପରିବାର ଯେଉଁଥିରେ କି ଅତ୍ୟଧିକ ମହିଳା ତୋଳାଳୀ ଥିଲେ, ସେମାନଙ୍କ ୨-୩ ମାସର ଅକ୍ଳାନ୍ତ ପରିଶ୍ରମ ଏବଂ ଆଶା ନଷ୍ଟ ହୋଇଗଲା । ଆମ ଗସ୍ତରେ ଆମେ ଜାଣିବାକୁ ପାଇଲୁ ଯେ ଟାପାଯୋଡି ଗାଁରେ ଯେଉଁମାନେ ୯୨୦୦ ଟଙ୍କା ପାଇବା କଥା, ସେମାନେ ମାତ୍ର ୭୦୦ ଟଙ୍କା ପାଇଥିଲେ ଆଉ ଯେଉଁମାନେ ୩୦୦୦ ଟଙ୍କା ପାଇବା କଥା ସେମାନେ ମାତ୍ର ୩୦୦ ଟଙ୍କା ପାଇଲେ ।
ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଆଇନ କିଛି ଗାଁରେ ଲୋକମାନେ ଆବେଦନ କରିଛନ୍ତି , ମାତ୍ର ସେମାନଙ୍କୁ ଏଯାଏଁ ଅଧିକାର ପତ୍ର ତଥା ଶିରୋନାମା ମିଳି ନାହିଁ । ଗୋଷ୍ଠୀ ଜଙ୍ଗଲ ଅଧିକାର ପତ୍ର ନ ଥିବା ଯୋଗୁଁ, ବୈପାରୀଗୁଡା ବ୍ଲକର ବହୁତ ଗାଁରେ କେନ୍ଦୁପତ୍ର ତୋଳି ବିକ୍ରିକରି ପାରୁନାହାନ୍ତି । ଅନୁଧ୍ୟାନ କଲେ ଜଣାପଡିବ ଯେ, ଏ ଅଞ୍ଚଳରେ ବହୁମାତ୍ରାରେ କେନ୍ଦୁପତ୍ର ଅଛି ଯାହାର ସଦୁପଯୋଗ କରାଯାଉ ନାହିଁ । ପୂର୍ବ ନିର୍ଧାରିତ ଆକଳନ ଦ୍ଵାରା ହିଁ ବନବିଭାଗ କେନ୍ଦୁପତ୍ର ବୁଦା କଟାନ୍ତି ଏବଂ କେନ୍ଦୁପତ୍ର ତୋଳାନ୍ତି । ଫଳରେ ଅତ୍ୟଧିକ କେନ୍ଦୁପତ୍ର ସେଭଳି ରହିଯାଉଛି , ଯାହାର ଲାଭ ସିଧାସଳଖ ସାଧରଣ ଲୋକେ ନେଇପାରନ୍ତେ । ତେଣୁକରି କିଛି ଗାଁରେ ଗ୍ରାମସଭା ତରଫରୁ କେନ୍ଦୁପତ୍ର ଫଡି କରି ଏବଂ ନିଜେ ପତ୍ର ତୋଳି ବ୍ୟବସାୟୀଙ୍କୁ ବିକ୍ରିକରିବାର ନିଷ୍ପତ୍ତି ନେଉଛନ୍ତି । ଏ ଦିଗରେ ମହାରାଷ୍ଟ୍ରର ଗଡଚିରୋଲୀ ଜିଲ୍ଲା ଭିନ୍ନ । ସେଠି ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଲା ପରେ ଲୋକମାନେ ନିଜ ହିସାବରେ ଜଙ୍ଗଲ ସୁରକ୍ଷା କରିବା , ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଆର୍ଥିକ ସ୍ଵଚ୍ଛଳତା ଆଣିବା , ବୃକ୍ଷରୋପଣ କରିବା , ଜଙ୍ଗଲ ଜଗିବା ଇତ୍ୟାଦି କରିଥାନ୍ତି । ଫଳରେ ସେମାନଙ୍କ ଜୀବନରେ ଆତ୍ମବିଶ୍ଵାସ ଏବଂ ଜୀବନ ଶୈଳୀ ବୃଦ୍ଧି ପାଇଛି । ସମୟକ୍ରମେ ମହାରଷ୍ଟ୍ରର ଅନ୍ୟ ଅଞ୍ଚଳଗୁଡିକରେ ମଧ୍ୟ ଲୋକମାନେ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇ ଆର୍ଥିକ ସ୍ଵଚ୍ଛଳତା ଆଣି ପାରୁଛନ୍ତି । ବୈପାରୀଗୁଡାରେ ମଧ୍ୟ ଜଙ୍ଗଲ ଅଧିକାର ପତ୍ର କେନ୍ଦୁପତ୍ରତୋଳାଳୀଙ୍କୁ ମିଳିଗଲେ , ଲୋକମାନଙ୍କ ଜୀବନରେ ସୁଧାର ଆସିଯିବ । ଲୋକମାନଙ୍କ ମଧ୍ୟରେ ଜଙ୍ଗଲକୁ ନେଇ ନିଜତ୍ଵ ମନୋଭାବ ଆସିବା ଜରୁରୀ । ଗୋଷ୍ଠୀ ଜଙ୍ଗଲ ଅଧିକାରର ପ୍ରକୃତ ଅର୍ଥ ସାବ୍ୟସ୍ତ ହେବା ଅବଶ୍ୟକ । ନଚେତ୍ ଗରିବ ଆଦିବାସୀ ଏବଂ ବନବାସୀମାନଙ୍କ ବିକାଶ ହେବାରେ ବାଧାସୃଷ୍ଟି ହେଉଥିବ ।
କେନ୍ଦୁପତ୍ର ତୋଳାଳୀଙ୍କ ଦାବି :
ନିଜ ଜୀବନକୁ ସୁଦୃଢ କରିବାପାଇଁ କେନ୍ଦୁପତ୍ର ତୋଳାଳୀମାନେ ସର୍ବଦା ପ୍ରୟାସରତ । ବୈପାରୀଗୁଡା ବ୍ଲକର କିଛି ଗାଁରେ ଆମେ ଯେତେବେଳେ ଲୋକମାନଙ୍କ ସହ କଥା ହେଲୁ , ସେମାନେ ସରକାରଙ୍କ ବିରୋଧରେ ନିଜ ଅସନ୍ତୋଷ ପ୍ରକଟ କଲେ । ସମୟ ସମୟରେ ନିଜ ଦୁଃଖ ଏବଂ ବିରୋଧଭାଷା ସରକାରଙ୍କ ସାମ୍ନାରେ ଦାବିପତ୍ର ଜରିଆରେ ଦେଇଛନ୍ତି । ଅଧିକ ପତ୍ର ତୋଳିବା ପାଇଁ ବନବିଭାଗ ସଙ୍ଗେ ଲଢେଇ କରିବା ଠାରୁ ଆରମ୍ଭ କରି , ନିଜ ପତ୍ର ସରକାରୀ ଫଡିଙ୍କୁ ନ ଦେବା ଏବଂ ବିଭିନ୍ନ ସମୟରେ ଗୋଷ୍ଠୀ ଜଙ୍ଗଲ ଅଧିକାର ପତ୍ର ନିମନ୍ତେ ଚିଠି ଲେଖିବା ଇତ୍ୟାଦି ଦ୍ଵାରା ସେମାନେ ନିଜର ଅଧିକାର ପାଇଁ ସଂଘର୍ଷ କରୁଅଛନ୍ତି । ସେମାନଙ୍କ ମୁଖ୍ୟ ଦାବିଗୁଡିକ ହେଲା ;
କ ) ଗୋଷ୍ଠୀ ଜଙ୍ଗଲ ଅଧିକାର ଅଧିକାର ପତ୍ରର ଉପଲବ୍ଧତା
ଖ ) କେନ୍ଦୁପତ୍ର ରଖିବା ପାଇଁ ଗୋଦାମଘର
ଗ ) କେନ୍ଦୁପତ୍ର ଉପରେ ସରକାରୀ କର ଉଚ୍ଛେଦ (ଜି ଏସ୍ ଟି )
ଘ ) କେନ୍ଦୁପତ୍ର କିଣାବିକା ପାଇଁ ବ୍ୟବସ୍ଥା
ଙ) ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକରିବା
ଶେଷକଥା :
ବିଭିନ୍ନ ନାଗରିକ ସମାଜ , ବେସରକାରୀ ସଂସ୍ଥା ତଥା ଜନସାଧାରଣ ଜଙ୍ଗଲ ଅଧିକାର ଆଇନକୁ ସଠିକ ଭାବରେ ଲାଗୁ କରିବା ପାଇଁ ପ୍ରଚେଷ୍ଟା କରିଆସୁଅଛନ୍ତି । ଦୀର୍ଘ ୩ ଦଶନ୍ଧି ଧରି SPREAD ଭଳି ବେସରକାରୀ ସଂସ୍ଥା (NGO ) ଅବିଭକ୍ତ କୋରାପୁଟ,ବଲାଙ୍ଗିର ଏବଂ କଳାହାଣ୍ଡି (KBK )ରେ ଆଦିବାସୀ,ଦଳିତ ,ଶୋଷିତ ,ଗରିବ ଏବଂ ବନବାସୀମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜମି,ଖାଦ୍ୟ ଓ ଜୀବିକାର ଅଧିକାରପାଇଁ କାମକରିଆସୁଛି । ବିଶେଷକରି କେନ୍ଦୁପତ୍ର, ମହୁଲ ଏବଂ ଶାଳ ଉପରେ ଆଦିବାସୀ ଏବଂ ବନବାସୀମାନଙ୍କ କିଭଳି ଅଧିକାର ପତ୍ର ପାଇବେ ,ସେ ଦିଗରେ ଏମାନେ ସର୍ବଦା ପ୍ରଚେଷ୍ଠା କରୁଛନ୍ତି । ବିଭିନ୍ନ ସମୟରେ ଜନସଚେତନତା କରିବାଠାରୁ , ବିଭିନ୍ନ କାର୍ଯ୍ୟାଳୟରେ ଚିଠିପତ୍ର ଦେବା ଏବଂ ଲୋକମାନଙ୍କ ଅଧିକାର ପାଇଁ ସାଙ୍ଗରେ ଠିଆ ହେବା – ଏମାନେ ସର୍ବଦା ଆଗେଇ ଆସିଛନ୍ତି । ଗୋଷ୍ଠୀ ଜଙ୍ଗଲ ଅଧିକାର ପତ୍ର ପାଇଁ ବହୁବର୍ଷ ଧରି ଲଢେଇ କରି ଆସୁଛନ୍ତି । ତଥାପି ଏ ଦିଗରେ ପ୍ରକୃତମାତ୍ରାରେ ଲୋକମାନଙ୍କୁ ସଫଳତା ମିଳିନାହିଁ ।
ଜଙ୍ଗଲ ଅଧିକାର ଆଇନ ବନନିବାସୀଙ୍କ ଜୀବନରେ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଏକ ସୁଯୋଗ ଆଣିଦେଇଛି । ଏହା ଦ୍ଵାରା ସେମାନେ ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ଆତ୍ମସମ୍ମାନର ଜୀବନ ବଞ୍ଚି ପାରିବେ । ଏ ଦିଗରେ ସରକାରୀ ଶାସନପ୍ରଣାଳୀ ଏବଂ ବ୍ୟବସ୍ଥାର ଉଚିତ ମୂଲ୍ୟାଙ୍କନ ହେବା ନିତାନ୍ତ ଜରୁରୀ । ଗଣତନ୍ତ୍ରର ସଠିକ ଆକଳନ ପାଇଁ ଦେଶର କୋଣ ଅନୁକୋଣରୁ ମାନବିକ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ହେବା ଆବଶ୍ୟକ । କେନ୍ଦୁପତ୍ର ତୋଳିବା ପାଇଁ ଛୋଟଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି , ଯୁବଯୁବତୀ , ମହିଳା , ପରୁଷ , ବୃଦ୍ଧ ,ଆଦି ସମସ୍ତେ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରାରେ ଘନଜଙ୍ଗଲ ଭିତରକୁ ଯାଇ ପତ୍ର ତୋଳିଥାନ୍ତି । ଆର୍ଥିକ ସ୍ଵଚ୍ଛଳତା ଏବଂ ଉଚ୍ଚମାନର ଜୀବନ ବଞ୍ଚିବା ନିମନ୍ତେ ଏମାନେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି । ଜଙ୍ଗଲ ଅଧିକାର ଆଇନ ଜଙ୍ଗଲ ଉପରେ ନିର୍ଭର କରୁଥିବା ବନନିବାସୀଙ୍କ ପାଇଁ ହେଉଛି ବିକାଶର ପଥ ।
ବିଶେଷ ଦ୍ରଷ୍ଟବ୍ୟ : ଏହି ଅଧ୍ୟୟନଟି କୋରପୁଟସ୍ଥିତ SPREAD ( ସ୍ବେଚ୍ଛାସେବୀ ସଂଗଠନ )ର ସହଯୋଗରେ କରାଯାଇଛି ।
କାର୍ତ୍ତିକ ମେହେର
ମୁଁ ବସୁନ୍ଧରାରେ ଜଣେ ଗବେଷଣା ସାଥୀ ( Research Fellow) ଭାବେ କାମ କରୁଛି । ଜଙ୍ଗଲ ଅଧିକାର , ଜଙ୍ଗଲ ଶାସନ , ପରିବେଶଗତ ନ୍ୟାୟ , ସମ୍ପ୍ରଦାୟ -ଭିତ୍ତିକ ପ୍ରାକୃତିକ ସମ୍ପଦ ଏବଂ ପ୍ରାକୃତିକ ସମ୍ପଦରୁ ପରିଚାଳିତ ଜୀବିକା ଉପରେ ପ୍ରମାଣ ଆଧାରିତ ପ୍ରସଙ୍ଗଗୁଡିକୁ କାହାଣୀ ଓ ବିଶ୍ଳେଷଣାତ୍ମକ ରିପୋର୍ଟ ଦ୍ୱାରା ବାସ୍ତବ କଥାକୁ ସାମ୍ନାକୁ ଆଣିବା ହେଉଛି ମୋର କାର୍ଯ୍ୟ ।









