ଓଡ଼ିଶାର ଅନ୍ୟ ଜିଲ୍ଲା ଭଳି ମୟୂରଭଞ୍ଜ ଜିଲ୍ଲା ହେଉଛି ସରକାରଙ୍କର ପଞ୍ଚମ ଅନୁସୂଚିତ ଅଞ୍ଚଳ । ଏଠାରେ ୧୨ ପ୍ରକାର ଅନୁସୂଚିତ ଜାତି ମଧ୍ୟରୁ ତିନି ପ୍ରକାର ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୂହ ବସବାସ କରନ୍ତି । ଏଠାକାର ବନନିବାସୀମାନଙ୍କର ଆୟ ସାଧାରଣତଃ ଚାଷ, ମଜୁରୀ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି, ତତ୍ ସହିତ ବିଭିନ୍ନ ପ୍ରକାର କୌଳିକ ବୃତ୍ତି ଏବଂ ଛୋଟ ଛୋଟ ବ୍ୟବସାୟ ସହିତ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରୁ ଲୋକମାନେ ନିଜ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏହି ସମସ୍ତ ଜୀବିକା ମଧ୍ୟରୁ ଜଙ୍ଗଲରୁ ଋତୁକାଳୀନ ଭାବେ ସଂଗ୍ରହ କରୁଥିବା ଫୁଲ, ଫଳ, ପତ୍ର ଓ ବିଭିନ୍ନ ପ୍ରକାର ଔଷଧିୟ ଦ୍ରବ୍ୟ ଗୁଡିକୁ ବିକ୍ରୟ କରି ସେମାନେ ୪ ରୁ ୬ ମାସ ପର୍ଯ୍ୟନ୍ତ ଗୁଜୁରାଣ ମେଣ୍ଟାଇଥାନ୍ତି। କାରଣ ଏଠାକାର ମୋଟ ୩୯୬୬ ସଂଖ୍ୟକ ଗ୍ରାମରୁ ୩୦୫୧ ଖଣ୍ଡ ଗ୍ରାମ ହେଉଛି ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧୀନରେ ଗୋଷ୍ଠୀ ବନ ସମ୍ବଳ ଶିରୋନାମା ପ୍ରାପ୍ତ କରିଥିବା ଗ୍ରାମ ଅଟେ । ତତ୍ ସହିତ ଏହି ଜିଲ୍ଲା ଟି ସମ୍ପୂର୍ଣ୍ଣ ଶିଳ୍ପ ବିହୀନ ଅଞ୍ଚଳ ଅର୍ଥାତ ସବୁଜ ଅର୍ଥନୀତି ଉପରେ ହିଁ ନିର୍ଭରଶୀଳ ରହିଛି କହିଲେ ଅତ୍ୟୁକ୍ତି ହେବ ନ।ହିଁ । ଜିଲ୍ଲା ଭୂଖଣ୍ଡର ବିଶାଳ ପରିମିତ ଅଞ୍ଚଳ ହେଉଛି ଶିମିଳିପାଳ ଜୈବମଣ୍ଡଳ ସହିତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଅଟେ । ଉକ୍ତ ସଂରକ୍ଷଣ ଅଞ୍ଚଳ ଓ ତାର ଚତୁଃପାର୍ଶ୍ଵରେ ଥିବା ଅଞ୍ଚଳ ମଧ୍ୟ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ।
ଓଡ଼ିଶାର ଅନ୍ୟ ଅଞ୍ଚଳରେ ଯେମିତି ଜଙ୍ଗଲ ଜାତ ଦ୍ରବ୍ୟ ମିଳେ ତଥା ସଂଗ୍ରହ ଓ ବିକ୍ରୟର ବ୍ୟବସ୍ଥା ରହିଛି ସେହିଭଳି ଏଠାରେ ମଧ୍ୟ ଅଛି । ଅନ୍ୟ ଅଞ୍ଚଳର ଦ୍ରବ୍ୟ ଅପେକ୍ଷା ଏଠାକାର କିଛି ଦ୍ରବ୍ୟର ଏକ ସ୍ଵତନ୍ତ୍ରତା ରହିଛି ଯଥା ମହୁ, ଝୁଣା, ପାଳୁଅ ଓ ଔଷଧିୟ ଦ୍ରବ୍ୟ ଇତ୍ୟାଦି ।
ପ୍ରଥମେ ୨୦୧୫ ମସିହା ଅପ୍ରିଲ ୯ ତାରିଖରେ ଜିଲ୍ଲା ପ୍ରସାଶନ ଦ୍ୱାରା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଓ ଗୋଷ୍ଠୀ ଅଧିକାର ଶିରୋନାମା ଗ୍ରାମ ସଭାକୁ ପ୍ରଦାନ କଲା । ଠିକ ପରବର୍ତ୍ତୀ ସମୟରେ ୨୦୧୮ ମସିହାରେ ଗ୍ରାମସଭା, ବସୁନ୍ଧରା ଓ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ତରଫରୁ ଲୋକମାନଙ୍କର ଜଙ୍ଗଲ ଆଧାରିତ ଜୀବିକା ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହେଲା । ପ୍ରଥମ ପର୍ଯ୍ୟାୟରେ ଯଶିପୁର ବ୍ଲକର ପଡାଗଡ ପଞ୍ଚାୟତ ଓ ଧଳାବଣି ପଞ୍ଚାୟତ ଅଞ୍ଚଳରୁ ଲୋକମାନଙ୍କର ପ୍ରଚଳିତ ଜୀବିକାର ଉତ୍ସ ଓ ଏଥିରେ ରହିଥିବା ସମସ୍ୟା ଏବଂ ସମସ୍ୟା ଦୂର କରିବାର ଉପାୟଗୁଡିକ ଉପରେ ଆଲୋଚନା କରି ତଥ୍ୟ ଓ ମତ ସଂଗ୍ରହର ପ୍ରକ୍ରିୟାଟିଏ ଆରମ୍ଭ କରାଗଲା । ଅରମ୍ଭର ପ୍ରଥମ ପର୍ଯ୍ୟାୟରେ ଏକ ବର୍ଷ ଲାଗିଲା ଏକ ସମ୍ପର୍କ ସ୍ଥାପନ କରି ମୁକ୍ତ ସ୍ଵରରେ ଲୋକମାନଙ୍କର ମତ ପ୍ରକାଶ ପାଇବା ପାଇଁ ।
ଆଲୋଚନାର ସାରାଂଶ
ଜୀବିକା ସମ୍ବନ୍ଧୀୟ ଆଲୋଚନାକୁ ସରଳ କରିବା ପାଇଁ, ନିର୍ଭର କରୁଥିବା ସମ୍ବଳ ଓ ଉତ୍ପାଦ ଗୁଡିକ ବିଷୟରେ ଆଲୋଚନା କରିବା ସହିତ କିଛି ମୌଳିକ ପ୍ରଶ୍ନକୁ ମଧ୍ୟ ଆଲୋଚନା କରଯାଇଥିଲା ଯଥା – (୧) ଆମ ଜିନିଷର କିଣା ବିକା କ୍ଷେତ୍ରରେ ସବୁ କଥା କିଏ ସ୍ଥିର କରୁଛି ? (୨) ପରିବର୍ତ୍ତିତ ସରକାରୀ ନୀତି/ ଆଇନ କାହା ସପକ୍ଷରେ କାର୍ଯ୍ୟ କରୁଛି ଓ କଣ ପାଇଁ ? (୩) ଆମେ ଉତ୍ପାଦନ ତଥା ସଂଗ୍ରହ କରୁଥିବା ଜିନିଷର କିଣାବିକା ପାଇଁ ସରକାର ଗଠନ କରିଥିବା ସଂସ୍ଥା ଗୁଡିକ ଆମ ପାଇଁ କଣ କରିଛନ୍ତି ? (୪) ଏ ସମସ୍ୟା ସମାଧାନ ହେବା ଦରକାର କି ଓ କାହିଁ କି ? (୫) ସମସ୍ୟା ଗୁଡିକ କିପରି ସମାଧାନ କରାଯାଇପାରିବ ? (୬) ଆମେ ନିର୍ଭର କରୁଥିବା ସମ୍ବଳ ଗୁଡିକ କାହାର ? ଆମେ ବ୍ୟବହାର କରୁଥିବା ସମ୍ବଳ ଗୁଡିକ ଦୀର୍ଘସ୍ଥାୟୀ ଭାବେ ବ୍ୟବହାର ହେଉଛି କି ? ଯଦି ବ୍ୟବହାର ହେଉନାହିଁ ଏଥି ପାଇଁ କିଏ ଦାୟୀ ।
ଆଲୋଚନାର ଫଳ ସ୍ୱରୂପ ଅନେକ ମତାମତ ଆସିବା ସହିତ ଉକ୍ତ ସମସ୍ୟା ସମାଧାନ ନିମନ୍ତେ ମଧ୍ୟ ମତ ପ୍ରକାଶ ପାଇଲା । ଏକ ଜନମଙ୍ଗଳ ରାଷ୍ଟ୍ର ହିସାବରେ ପ୍ରଚଳିତ ଥିବା ବ୍ୟବସ୍ଥା ଓ ବିଭିନ୍ନ ବିଭାଗର କର୍ମୀ ତଥା ଲୋକ ପ୍ରତିନିଧିମାନଙ୍କର ପ୍ରମୁଖ ଭୂମିକା ରହିଛି । ଏହି ପ୍ରକ୍ରିୟାରେ ଅଂଶଗ୍ରହଣକାରୀଙ୍କ ମତ ଥିଲା ଯେ, ଯେତେ ଦିନ ପର୍ଯ୍ୟନ୍ତ ଶୋଷଣର ଶିକାର ହେଉଥିବା ଗୋଷ୍ଠୀମାନେ ମିଳିତ ଭାବେ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ପ୍ରଚେଷ୍ଟା କରୁନାହାନ୍ତି ସେ ପର୍ଯ୍ୟନ୍ତ ସମାଧାନର ଦିଗ ଉନ୍ମୁକ୍ତ ହେବ ନାହିଁ । ଯାହାବି ଅତୀତରେ ଉକ୍ତ ସମସ୍ୟା ସମାଧାନ ଦିଗରେ ଲୋକମାନେ ଏକାଠି ହୋଇ ସମସ୍ୟା ସମାଧାନ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ପୁନଃରାବୃତି ଘଟିଛି ଓ ଏହାର ବାରମ୍ବାର ସ୍ଵର ଉତ୍ତୋଳନ କରିବା ଦ୍ଵାରା ବ୍ୟବସ୍ଥା ଉକ୍ତ ଦିଗରେ ସକ୍ରିୟ ହେବା ପରିବର୍ତ୍ତେ କ୍ରମଶଃ ସ୍ଥାଣୁ ପାଲଟି ଯାଇଛି । କାରଣ ଆଜି ପର୍ଯ୍ୟନ୍ତ ହାତ ଗଣତି ମୁଷ୍ଟିମେୟ ଲୋକଙ୍କ କିଛି ସ୍ଵାର୍ଥ ସାଧନ ପାଇଁ ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ସାଧାରଣ ଲୋକମାନଙ୍କୁ ବ୍ୟବହାର କରାଯାଇ ଆସୁଅଛି ଓ ସାଧାରଣ ଲୋକଙ୍କର ସ୍ଥାୟୀ ସମାଧାନ ହୋଇପାରୁ ନହିଁ । ତତ୍ ସହିତ ଆଜି ସ୍ଥାନୀୟ ଅଞ୍ଚଳରେ ସାଧାରଣ ଲୋକଙ୍କ ନିମନ୍ତେ ରହିଥିବା ସଂସ୍ଥା ଗୁଡିକର କାର୍ଯ୍ୟ ଓ ଦାୟିତ୍ଵ ଉପରେ ମଧ୍ୟ ସଚେତନ ନାହାନ୍ତି, ଯେଉଁଥିରେ କି ଲୋକଙ୍କ ମୌଳିକ ସମସ୍ୟାର ସ୍ଵରକୁ ବାରମ୍ବାର ଗଣତନ୍ତ୍ର ପ୍ରକ୍ରିୟାରେ ଶାଣିତ କରି ବ୍ୟବସ୍ଥାର ସକ୍ରିୟତା ନିମନ୍ତେ ସଠିକ ସମୟରେ ଚାପ ସୃଷ୍ଟି କରି ପାରୁଥାନ୍ତେ । ମିଳିତ ଉଦ୍ୟମର ଆବଶ୍ୟକତାକୁ ଭିତ୍ତି କରି ଲୋକମାନଙ୍କ ସ୍ତରରେ ଏକ ବିକଳ୍ପ ସଂଗଠନର ଚିହ୍ନଟ ପାଇଁ ଆଲୋଚନା ହୋଇଥିଲା । ବିଭିନ୍ନ ସରକାରୀ ,ବେସରକାରୀ ,ତଥା ସ୍ଥାନୀୟ ଅଞ୍ଚଳର ଗଢି ଉଠିଥିବା ସଂଗଠନ ଗୁଡିକ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା ଓ ପରିଶେଷରେ ଦେଖାଯାଇଥିଲା ଯେ ପ୍ରତ୍ୟେକ ସଂଗଠନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଭିତିରେ କାର୍ଯ୍ୟକ୍ରମ ସ୍ଥିର କରାଯାଇଥାଏ । ଅଞ୍ଚଳର ସମସ୍ୟା ଗୁଡିକୁ ଭିତ୍ତିକରି ଦେଖାଗଲା ଯେ ବର୍ତ୍ତମାନ ପରିପ୍ରେକ୍ଷିରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କାରୀମାନଙ୍କର ଉତ୍ପାଦକ ଗୋଷ୍ଠୀ ଗଠନ ପାଇଁ ସ୍ଥିର କରାଗଲା ।
ମତ ସଂଗ୍ରହର ପରବର୍ତ୍ତୀ ପନ୍ଥା ଓ ଉତ୍ପାଦକ ସଂଘ ଗଠନ ମାଧ୍ୟମରେ ବ୍ୟବସାୟ
ସହମତି ଅନୁସାରେ ପ୍ରଥମେ ପଡାଗଡ ପଞ୍ଚାୟତର କୁଣ୍ଡାଗଡ ଓ ରାଜପାଳ ଗ୍ରାମରେ ନୂତନ ଭାବେ ମହିଳାମାନଙ୍କୁ ନେଇ ଦୁଇଟି ଉତ୍ପାଦକ ଗୋଷ୍ଠୀ ଯଥା ସନାଗାନ୍ଦୁ ଉତ୍ପାଦକ ସଂଘ ଓ ସଗେନସାକାମ ଉତ୍ପାଦକ ସଂଘ ଗଠନ ହେଲା ଓ ପ୍ରଥମେ ମହୁଲ ସଂଗ୍ରହ ଋତୁରୁ ବ୍ୟବସାୟ ଆରମ୍ଭ କଲେ । ମହୁଲ ବ୍ୟବସାୟକୁ ସଭ୍ୟମାନେ ନିଜର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ସଫଳ ହେଲେ । ପରବର୍ତ୍ତୀ ସମୟରେ ଯାଶିପୁର ବ୍ଲକର ଏକତାଳି ଓ ବାଉଁଶନାଳି ଗ୍ରାମ ପଞ୍ଚାୟତରେ ମଧ୍ୟ ସଂଗ୍ରହକାରୀମାନଙ୍କୁ ନେଇ ଉତ୍ପାଦକ ସଂଘ ଗଠନ ହେଲା ଓ ସଭ୍ୟମାନେ ବ୍ୟବସାୟ ମଧ୍ୟ ନିଜ ନିଜ ଦଳରେ ବ୍ୟବସାୟ ଆରମ୍ଭ କଲେ କିଛି ଦଳରେ କ୍ଷତି ମଧ୍ୟ ହେଲା । କ୍ଷତିର କାରଣ ସମ୍ପର୍କରେ ଦଳ ସ୍ତରରେ ମଧ୍ୟ ସମୀକ୍ଷା କରାଗଲା ଓ କାରଣକୁ ବୁଝି ପୁଣି ଆଗକୁ ପ୍ରୟାସ ମଧ୍ୟ ଜାରି ମଧ୍ୟ ରହିଲା ।
୨୦୨୧ ମସିହା ପର୍ଯ୍ୟନ୍ତ ଦଳମାନେ ନିଜ ନିଜ ସ୍ତରରେ ଦଳୀୟ ବ୍ୟବସାୟ ଗୁଡିକ ଜାରି ରଖି ଆଗକୁ ବଢିବାର ପ୍ରାୟସରେ ଥାନ୍ତି ଓ ସେହି ବର୍ଷ ତେନ୍ତୁଳୀ ବ୍ୟବସାୟ କରିବାର ନିଷ୍ପରି ନେଇଥାନ୍ତି ଓ ଦୁଇସପ୍ତାହ ତେନ୍ତୁଳୀ ସଂଗ୍ରହ ହୋଇଥାଏ ତୃତୀୟ ସପ୍ତାହକୁ ତେନ୍ତୁଳୀର ଦର କି.ଗ୍ରା. ପ୍ରତି ୨୮ ଟଙ୍କାରୁ ୨୪ ଟଙ୍କାକୁ ଖସିଗଲା । ତେନ୍ତୁଳୀ ସଂଗ୍ରହ କରୁଥିବା ଦଳ ଗୁଡିକ ମଧ୍ୟରେ ଏକ କ୍ଷତିର ହେବାର ଭାବନା ସୂତ୍ରପାତ ହେଲା ଓ ସଭ୍ୟମାନେ ମଧ୍ୟ କ୍ଷତି ଭରଣ।କୁ ନେଇ ଚିନ୍ତା ପ୍ରକଟ କଲେ । ଏହାକୁ ନେଇ ମଧ୍ୟ ଦଳ ଗୁଡିକରେ ବୈଠକ ହେଲା କିନ୍ତୁ କ୍ଷତିର ସମ୍ଭାବନାକୁ ନେଇ ଯେଉଁ ଭୟ ସଂଚାର ହୋଇଥିଲା ଅନେକ ଆଲୋଚନା ହେଲା ପରେ ମଧ୍ୟ ସଭ୍ୟମାନଙ୍କ ମଧ୍ୟରୁ ଦୂର ହୋଇ ନ ଥିଲା । ପରବର୍ତ୍ତୀ ସପ୍ତାହ ପାଇଁ ସଂଗ୍ରହ ଦର ହ୍ରାସ କରି ସଂଗ୍ରହ କାର୍ଯ୍ୟ କୁ ସଂଗ୍ରହ ଶେଷ ପର୍ଯ୍ୟନ୍ତ ଜାରି ରହିଲା ଓ ବିକ୍ରୟ ମଧ୍ୟ କଲେ । ପରିଶେଷରେ ବ୍ୟବସାୟର ଫଳସ୍ଵରୂପ କ୍ଷତି ଯଦିଓ ହୋଇନ ଥିଲା ଆଶାନୁରୂପ ଲାଭ ମିଳିନ ଥିଲା । ଦଳମାନଙ୍କର ଆଗକୁ ବଢିବା ପ୍ରକ୍ରିୟାରେ ଏକ ସ୍ଥିରତା ଆସିଲା । ଏକଥାକୁ ଅନୁଭବ କରି ଉକ୍ତ ସମୟ ପର୍ଯ୍ୟନ୍ତ ଗଠିତ ହୋଇଥିବା ୧୬ ଟି ଉତ୍ପାଦକ ସଂଘର ପ୍ରତିନିଧିମାନଙ୍କୁ ନେଇ ୨୯ ଡିସେମ୍ବେର ୨୦୨୧ ରେ ଯାଶିପୁର ଠାରେ ଏକ ବୈଠକ କରାଗଲା ଓ ଏହି ବୈଠକରେ “ମହକ ସଂଧ୍ୟାୟିନୀ ମହାସଂଘ” ର ଜନ୍ମ ନେଲା ଓ ନିମ୍ନ ଲିଖିତ ଦିଗରେ କାମକରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା ।
(୧) ଗଢି ଉଠିଥିବା ଓ ଗଠନ ହେବାକୁ ଥିବା ଉତ୍ପାଦକ ସଂଘ ମାନଙ୍କର ବ୍ୟବସାୟୀକ ଓ ସାଙ୍ଗଠନିକ ସୁଦୃଢୀକରଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିବ
(୨) ଉତ୍ପାଦକ ସଂଘ ଦ୍ଵାରା ନିଆଯାଉଥିବା କାର୍ଯକ୍ରମ ଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ କରିବା
(୩) ଉତ୍ପାଦକ ସଂଘମାନଙ୍କର ଆବଶ୍ୟକ ପଡୁଥିବା କାର୍ଯ୍ୟକାରୀ ପୁଞ୍ଜିର ଯୋଗାଡ଼ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବା
(୪) ସଭ୍ୟମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟ କ୍ରମ କରିବା
(୫ ) ଗୋଷ୍ଠୀ ଜଙ୍ଗଲ ସମ୍ବଳର ସୁରକ୍ଷା ଓ ସଂରକ୍ଷଣ ପାଇଁ ଗ୍ରାମସଭାମାନଙ୍କୁ ସହଯୋଗ କରିବା
ବର୍ତ୍ତମାନ ପର୍ଯ୍ୟନ୍ତ ଯଦିଓ ଦଳ ଗୁଡିକ ଏକମୁଖୀ ଓ ଆତ୍ମନିର୍ଭରଶୀଳ ଭାବେ ସବୁ କ୍ଷେତରେ ନିଷ୍ପତି ନେଇ କାର୍ଯ୍ୟ କରିବାର ଦକ୍ଷ ହୋଇ ନାହାଁନ୍ତି ସହଯୋଗୀ ଅନୁଷ୍ଠାନର ସହଯୋଗ ଆବଶ୍ୟକତା ପଡୁଛି କିନ୍ତୁ ପ୍ରୟାସ ଜାରି ରହିଛି ନିଜର ଜୀବିକା ଓ ସମ୍ବଳର ଉନ୍ନତି ପାଇଁ । ୨୦୨୪-୨୫ ଆର୍ଥିକ ବର୍ଷ ର ହିସାବ ଅନୁସାରେ ଗଢି ଉଠିଥିବା ୪୫ ଟି ଉତ୍ପାଦକ ସଂଘର ବାର୍ଷିକ କାରବାର ପରିମାଣ ୧୮୦୭୦୦ ଟଙ୍କା ହୋଇଥିଲା ବେଳେ ଚଳିତ ବର୍ଷ ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ଏହାରି ଭିତରେ ମଧ୍ୟ ଉତ୍ପାଦକ ସଂଘମାନଙ୍କୁ ଅନେକ ପ୍ରତିବନ୍ଧକ ସମୁଖୀନ ହେବାକୁ ପଡୁଛି । ସେଗୁଡିକ ହେଲା (୧) ବ୍ୟବସାୟୀକ ଚରିତ୍ରକୁ ବୁଝିବା ଓ ସଠିକ ତଥ୍ୟ ନିର୍ଦ୍ଧାରଣ କରି ନିଷ୍ପତି ନେବା, (୨) ଏଭଳି ନିଜର ଜୀବିକା ପାଇଁ ପ୍ରୟାସ କରୁଥିବା ସଂଗଠନଗୁଡିକ ପାଇଁ ସରକାରୀ ସ୍ତରର ସହଯୋଗ ଗୁଡିକ ସଂଯୋଗ ହୋଇପାରୁ ନହିଁ ଅର୍ଥାତ ଜଙ୍ଗଲ ଜାତ ଦ୍ରବ୍ୟର “ସର୍ବନିମ୍ନ ସହାୟକ ମୂଲ୍ୟ” ଯୋଜନା, ବନଧନ ଯୋଜନା ଇତ୍ୟାଦି, (୩) ସ୍ଥାନୀୟ ଅଞ୍ଚଳରେ ଦ୍ରବ୍ୟ ଭଣ୍ଡାରଣ କରିବାର ଅସୁବିଧା,(୪) ଆବଶ୍ୟକ ଅନୁସାରେ ନେତୃତ୍ଵର ବିକାଶ (୫) ସମୟାନୁସାରେ ଜଙ୍ଗଲ କ୍ଷେତ୍ର ଉପରେ ପାରିତ ହୋଇଥିବା ସରକାରଙ୍କର ପ୍ରଗତିଶୀଳ ନୀତି ଓ ଯୋଜନା ସୂଚନା ଗୁଡିକର ଅଭାବ ।
ଆଗାମୀ ଦିନରେ ମହାସଂଘ ଓ ସଂଘ ଗୁଡିକର ସୁଦୃଢିକରଣ ପାଇଁ ଉପରୋକ୍ତ ଆହ୍ବାନ ଗୁଡିକ ବିଷୟରେ ସମାଧାନର ପନ୍ଥା ପାଇଁ ସଂଗଠନଗୁଡିକର ମାନ ନିର୍ଦ୍ଧାରଣ କରି ତାଙ୍କ ସ୍ତରରେ ରହିଥିବା ଶକ୍ତି, ଦୁର୍ବଳତା, ଦକ୍ଷତା, ସମସ୍ୟା ଇତ୍ୟାଦି ଗୁଡିକ ଚିହ୍ନଟ କରି ପ୍ରତ୍ୟେକ ଉତ୍ପାଦକ ଗୋଷ୍ଠୀ ପାଇଁ ସ୍ଵତନ୍ତ୍ର ଯୋଜନର ଆବଶ୍ୟକତା ଅଛି ।









