ପ୍ରଫେସର ଗୀତଞ୍ଜୟ ସାହୁ
ସଂକଳକ – ନିବେଦିତା ପଣ୍ଡା
ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ ଦ୍ରବ୍ୟଠାରୁ ଆରମ୍ଭ କରି ଚାରଣ ଜମି, ସାଂସ୍କୃତିକ ମହତ୍ୱ ରଖୁଥିବା ସ୍ଥାନ ପର୍ଯ୍ୟନ୍ତ – ଜଙ୍ଗଲ ଲୋକମାନଙ୍କୁ ଜୀବନ ଜୀବିକା, ଆୟ ଓ ପରିଚୟ ଦେଇଥାଏ। ଓଡ଼ିଶା ଓ ମହାରାଷ୍ଟ୍ରରେ ରହିଛି ବିସ୍ତୃତ ଜଙ୍ଗଲ। ଏହା ଉପରେ ନିର୍ଭରଶୀଳ ବନବାସୀ ସମୁଦାୟଙ୍କୁ ସଶକ୍ତ କରିବା ପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧୀନରେ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ଉପରୋକ୍ତ ଦୁଇଟି ରାଜ୍ୟ। ସ୍ଥାନୀୟ ସମୁଦାୟ ନିକଟରେ ବନ ଶାସନକୁ ନ୍ୟସ୍ତ କରିବା ପର୍ଯ୍ୟନ୍ତ ଅନେକ ସଂକଳ୍ପ ଓ ଆହ୍ୱାନକୁ ଭେଟିଛନ୍ତି ଉଭୟ ରାଜ୍ୟ।
ଏକଚାଟିଆ ବ୍ୟବସାୟରୁ ଗୋଷ୍ଠୀ ହାତକୁ କ୍ଷମତା:
ଇତିହାସକୁ ଦେଖିଲେ ଜଣାପଡ଼ିବ ଯେ ଯେଉଁମାନେ ଜଙ୍ଗଲ ଉପରେ ପ୍ରକୃତରେ ନିର୍ଭରଶୀଳ, ସେମାନଙ୍କର ଜଙ୍ଗଲ ଉପରେ କୌଣସି ଅଧିକାର ରହୁନଥିଲା। ଓଡ଼ିଶା କେନ୍ଦୁପତ୍ର (ବ୍ୟବସାୟ ନିୟନ୍ତ୍ରଣ) ଆଇନ ୧୯୬୧ ଏବଂ ଓଡ଼ିଶା କେନ୍ଦୁପତ୍ର (ବ୍ୟବସାୟ ନିୟନ୍ତ୍ରଣ) ଆଇନ ୧୯୬୨ ଜରିଆରେ ଜଙ୍ଗଲ ଉପରେ ନିଜର ନିୟନ୍ତ୍ରଣକୁ ଆହୁରି ସୁଦୃଢ଼ କରିଥିଲେ ଓଡ଼ିଶା ସରକାର। ଏହି ଆଇନ ଦ୍ୱାରା ଓଡ଼ିଶା ସରକାର ମନୋନୀତ ଏଜେଣ୍ଟ ଓ ବ୍ୟବସାୟୀଙ୍କ ଜରିଆରେ କେନ୍ଦୁପତ୍ର ସଂଗ୍ରହ ଓ ବିକ୍ରି କରିପାରୁଥିଲେ । ଓଡ଼ିଶାରୁ ପ୍ରତିବର୍ଷ ପ୍ରାୟ ୪.୫ରୁ ୫ ଲକ୍ଷ କ୍ୱିଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରାଯାଏ, ଯାହା ଦେଶର ମୋଟ ଉତ୍ପାଦନର ପ୍ରାୟ ୨୦ ପ୍ରତିଶତ; କିନ୍ତୁ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରେ ଏହି ଚିତ୍ରରେ ଆସିଥିଲା ଏକ ଉଲ୍ଲେଖନୀୟ ପରିବର୍ତ୍ତନ। ୨୦୧୪-୧୫ରେ, ପଞ୍ଚମ ସୂଚୀଭୁକ୍ତ ଅଞ୍ଚଳ (ଅନୁସୂଚିତ ଜନଜାତିଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଚିହ୍ନିତ ଅଞ୍ଚଳ)ରେ ଲଘୁ ବନଜାତ ଦ୍ରବ୍ୟଗୁଡ଼ିକର ସଂଗ୍ରହ, ବିକ୍ରି ଓ ପରିବହନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଗ୍ରାମସଭାକୁ କ୍ଷମତା ଦେଲେ ମହାରାଷ୍ଟ୍ର ସରକାର। ଏଥିରେ କେନ୍ଦୁପତ୍ର ମଧ୍ୟ ସାମିଲ ଥିଲା। ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ଥିଲା, ଯେଉଁଠି କେନ୍ଦୁପତ୍ର ବ୍ୟବସାୟକୁ ନିୟନ୍ତ୍ରଣମୁକ୍ତ କରାଗଲା ଏବଂ ନିଜ ମୁତାବକ ବିକ୍ରେତାଙ୍କୁ କେନ୍ଦୁପତ୍ର ବିକ୍ରି କରିବା ଲାଗି ଗ୍ରାମସଭାକୁ ଅନୁମତି ଦିଆଗଲା। ୨୦୧୫ ଫେବୃୟାରୀ ମଧ୍ୟରେ ସମସ୍ତ ଗ୍ରାମସଭା ପାଇଁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା। ଏହି ପରିବର୍ତ୍ତନ ଯୋଗୁଁ, ଜଙ୍ଗଲ ଅଧିକାର ଆଇନ (ଏଫ୍ଆର୍ଏ) ଏବଂ ପଞ୍ଚାୟତ (ଅନୁସୂଚିତ ଅଂଚଳ ପାଇଁ ସଂପ୍ରସାରିତ) ଆଇନ (ପେସା) ଜରିଆରେ ଲଘୁ ବନଜାତ ଦ୍ରବ୍ୟ (ଏମ୍ଏଫ୍ପି) ଉପରେ ମାଲିକାନା ଅଧିକାରର ପରିଚାଳନା ଓ ନିୟନ୍ତ୍ରଣ ତୃଣମୂଳସ୍ତରରେ ସମ୍ଭବପର ହୋଇପାରିଲା। ଏହା ଫଳରେ ଜଙ୍ଗଲ ସମ୍ପଦ ଉପରେ ଗୋଷ୍ଠୀ ନିୟନ୍ତ୍ରଣ ବୃଦ୍ଧି ପାଇଲା।
ଗୋଷ୍ଠୀଗତ ଜଙ୍ଗଲ ଅଧିକାର: ଦୁଇଟି ରାଜ୍ୟର କାହାଣୀ
ଜାତୀୟସ୍ତରର ତଥ୍ୟ କହୁଛି, ମେ ୨୦୨୫ ପର୍ଯ୍ୟନ୍ତ ୫୦,୭୫,୦୮୩.୫୧ ଏକର ଜମି ଉପରେ ୨୩,୮୯,୬୭୦ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବିକୁ ମାନ୍ୟତା ଦିଆଯାଇଥିବା ବେଳେ ୧୮,୧୯୮,୮୬୩.୮୯ ଏକର ଉପରେ ୧,୨୧,୭୦୫ଟି ଗୋଷ୍ଠୀଗତ ଜଙ୍ଗଲ ଦାବିକୁ ଅନୁମୋଦନ ମିଳିଥିଲା। ବିଭିନ୍ନ ରାଜ୍ୟଗୁଡ଼ିକ ମଧ୍ୟରୁ, ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳ ବିଶେଷ ଚର୍ଚ୍ଚାକୁ ଆସିଥିଲା। କାରଣ ଏହାର ସମ୍ଭାବ୍ୟ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦାବି ଓ କ୍ଷେତ୍ରର ଏକ ବଡ଼ ଅଂଶ ଜଙ୍ଗଲ ଅଧିକାର ଆଇନ ସ୍ୱୀକୃତ ଗ୍ରାମସଭାର ପାରମ୍ପରିକ ଓ ପ୍ରଚଳିତ ସୀମା ଭିତରେ ଆସୁଥିଲା।
ବନଜାତ ଦ୍ରବ୍ୟ ଉପରେ ଅଧିକାର ସାବ୍ୟସ୍ତ କରିବାରେ ମହାରାଷ୍ଟ୍ରର ଅଗ୍ରଗତି :
ଗୋଷ୍ଠୀଗତ ଜଙ୍ଗଲ ଅଧିକାର ମାନ୍ୟତା ଦେବାରେ ବିଦର୍ଭର ବିଶେଷତାର ଅନେକ କାରଣ ରହିଛି। ଏହି ଅଞ୍ଚଳର ୧,୫୦୦ରୁ ଅଧିକ ଗାଁ ମହାରାଷ୍ଟ୍ର ଜଙ୍ଗଲ ବିଭାଗ ଦ୍ୱାରା ଲାଗୁ ହୋଇଥିବା ପାରମ୍ପରିକ ବନଜାତ ଦ୍ରବ୍ୟ ସଂଗ୍ରହ ବ୍ୟବସ୍ଥାରୁ ବାହାରି ଅଣକାଷ୍ଠ ବନଜାତ ଦ୍ରବ୍ୟ ଉପରେ ନିଜର ଅଧିକାରକୁ ଗୁରୁତ୍ୱ ଦେଇଛନ୍ତି। ଜଙ୍ଗଲ ଅଧିକାର ଆଇନର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ହେଉଛି, ଅଣକାଷ୍ଠ ବନଜାତ ଦ୍ରବ୍ୟର ବ୍ୟବହାର ଓ ପରିଚାଳନା ସମ୍ପର୍କିତ କ୍ଷମତା ଜଙ୍ଗଲ ବିଭାଗରୁ ଗ୍ରାମସଭାକୁ ହସ୍ତାନ୍ତରଣ। ଏହି ପରିବର୍ତ୍ତନର ଫଳସ୍ୱରୂପ, ଅଣକାଷ୍ଠ ବନଜାତ ଦ୍ରବ୍ୟ ମଧ୍ୟରୁ କ’ଣ ଓ କେବେ ସଂଗ୍ରହ କରାଯିବ, କେଉଁଠାରୁ ସଂଗ୍ରହ କରାଯିବ ଏବଂ କାହାକୁ ବିକ୍ରି କରାଯିବ, ଏସବୁର ନିଷ୍ପତ୍ତି ନେବା ଲାଗି ବିଶେଷ ଅଧିକାର ହାସଲ କଲା ଗ୍ରାମସଭା। କିନ୍ତୁ ଅନ୍ୟ ସବୁଠି ଜଙ୍ଗଲ ବିଭାଗର ନିୟନ୍ତ୍ରଣ ଅଧୀନରେ ଏହି ପ୍ରକ୍ରିୟା ଜାରି ରହିଲା।
ଭାରତର ଅଧିକାଂଶ ରାଜ୍ୟରେ ଯେତେବେଳେ ଜଙ୍ଗଲ ବିଭାଗ ଗୁଡ଼ିକ ଅଣକାଷ୍ଠ ବନଜାତ ଦ୍ରବ୍ୟର ସଂଗ୍ରହ, ବ୍ୟବହାର ଓ ବିକ୍ରି ଅଧିକାରକୁ ନିୟନ୍ତ୍ରଣ କରୁଛନ୍ତି, ସେହି ସମୟରେ ବିଦର୍ଭର ଗାଁଗୁଡ଼ିକ ସକ୍ରିୟ ଭାବେ ନିଜ ଅଧିକାର ପ୍ରୟୋଗ କରୁଛନ୍ତି, ବିଶେଷକରି କେନ୍ଦୁପତ୍ର ଓ ବାଉଁଶ ଉପରେ। ୨୦୦୯ ଅଗଷ୍ଟରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ବାଉଁଶ ଉପରେ ନିଜର ଅଧିକାର ଜାହିର କରିବାରେ ଗଡଚିରୋଲି ଜିଲ୍ଲାର ଧାନୋରା ତହସିଲର ମେଣ୍ଢାଲେଖା ଥିଲା ଭାରତର ପ୍ରଥମ ଗ୍ରାମ। ଏହି ଯୁଗାନ୍ତକାରୀ ଉଦାହରଣ ଦ୍ୱାରା ପ୍ରୋତ୍ସାହିତ ହୋଇ ବିଦର୍ଭର ୧୫୦୦ ଗ୍ରାମ ଜଙ୍ଗଲ ବିଭାଗର ନିୟନ୍ତ୍ରଣରୁ ବାହାରିଗଲେ। ଠିକାଦାର ଚିହ୍ନଟ ଏବଂ ଅଣକାଠ ବନଜାତ ଦ୍ରବ୍ୟକୁ ଭଲ ଦାମ୍ରେ ବିକିବା ପାଇଁ ଯେଉଁଠି ଆବଶ୍ୟକ ହେଉଥିଲା, ନିଜର ନିଷ୍ପତ୍ତି କ୍ରମେ ସେମାନେ ତୃଣମୂଳସ୍ତରର ସଂସ୍ଥାଗୁଡ଼ିକର ସହାୟତା ନେଉଥିଲେ। ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁଠି ଜିଲ୍ଲା ପ୍ରଶାସନ ଦ୍ୱାରା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦାବିକୁ ମାନ୍ୟତା ଦିଆଯାଇ ନଥିଲା, ସେଠାରେ ମଧ୍ୟ ଅନେକ ଗ୍ରାମସଭା ନିଜର ଅଧିକାର ସାବ୍ୟସ୍ତ କରିବା ଆରମ୍ଭ କଲେ। ଫଳରେ ସ୍ୱୟଂଶାସିତ ଜଙ୍ଗଲ ପରିଚାଳନା ଦିଗକୁ ଏହା ବାଟ କଢ଼ାଇନେଲା।
ଓଡ଼ିଶାର ସ୍ଥିତି :
ଅନ୍ୟପକ୍ଷରେ , ଓଡ଼ିଶାର ପରିସ୍ଥିତି ଦର୍ଶାଉଛି ଯେ ଏଠାରେ ଲଘୁ ବନଜାତ୍ର ଦ୍ରବ୍ୟ ଉପରେ ଅଧିକାରକୁ ଆଂଶିକ ଓ ଅସମ ଭାବେ କାର୍ଯ୍ୟକାରୀ କରାଯାଇଛି। ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼ ଓ କଳାହାଣ୍ଡି ଭଳି ଜିଲ୍ଲାରେ କେନ୍ଦୁପତ୍ର ଓ ବାଉଁଶ ଭଳି ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀ ଅଧିକାରର ମାନ୍ୟତା ଦିଆଯାଇଛି ସତ; କିନ୍ତୁ ଏହି ଅଧିକାରର ବାସ୍ତବ ପ୍ରୟୋଗ କେବଳ କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସୀମିତ ରହିଛି। ଏହାର ପ୍ରମୁଖ କାରଣ ହେଉଛି ଆଂଶିକ ଭାବେ ନିୟନ୍ତ୍ରଣମୁକ୍ତ କରିବା ଏବଂ ଆବଶ୍ୟକ ନୀତିଗତ ପଦକ୍ଷେପର ଅଭାବ। ବିଶେଷକରି କୋରାପୁଟ ଓ କଳାହାଣ୍ଡିରେ ଏହା ଦେଖିବାକୁ ମିଳିଥିଲା, ଯେଉଁଠି ଗ୍ରାମସଭା ଲଘୁ ବନଜାତ ଦ୍ରବ୍ୟ ଉପରେ ନିଜର ପୂର୍ଣ୍ଣ ଅଧିକାର ପ୍ରୟୋଗ କରିବାରେ ପ୍ରତିବନ୍ଧକ ଉପୁଜିଛି। ଉଦାହରଣ ସ୍ୱରୂପ, କୋରାପୁଟରେ ଗ୍ରାମସଭାକୁ ପରିବହନ ଅନୁମତି ପ୍ରାୟତଃ ମିଳିପାରିନାହି । ଯାହା ଫଳରେ ୩୬ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ଚାରି ଲକ୍ଷ କେନ୍ଦୁ ପତ୍ର ବିଡ଼ା ନଷ୍ଟ ହେବାର ଆଶଙ୍କା ରହିଛି। ଏହି ସ୍ପଷ୍ଟ ଓ ବିପରୀତ ଚିତ୍ର ଦର୍ଶାଉଛି ଯେ, ଓଡ଼ିଶାରେ ଏମିତି ନୀତିଗତ ଢାଞ୍ଚାର ଅତି ଜରୁରୀ ଆବଶ୍ୟକତା ଅଛି, ଯାହା ଜଙ୍ଗଲ ଅଧିକାର ଆଇନର ସମସ୍ତ ସମ୍ଭାବନାକୁ ସାକାର କରି ଗୋଷ୍ଠୀ ଜଙ୍ଗଲ ପରିଚାଳନାକୁ ସଶକ୍ତ କରିପାରିବ।
କେନ୍ଦୁପତ୍ର ନିୟନ୍ତ୍ରଣମୁକ୍ତ ଓ ଆର୍ଥିକ ଲାଭ
୨୦୧୫ରୁ ମହାରାଷ୍ଟ୍ରରେ କେନ୍ଦୁପତ୍ର ସଂଗ୍ରହ ଉପରେ ନିୟନ୍ତ୍ରଣକୁ ରାଜ୍ୟବ୍ୟାପୀ ମୁକ୍ତ କରାଯିବା ପରେ ଏହା ଲୋକମାନଙ୍କ ଜୀବିକାରେ ଉଲ୍ଲେଖନୀୟ ସୁଧାର ଆଣିପାରିଛି। ରାଜ୍ୟର ଏକଚାଟିଆ ଅଧିକାର ତୁଳନାରେ ଗୋଷ୍ଠୀ ଅଧିକାର ଯୋଗୁଁ ଦୁଇରୁ ତିନିଗୁଣ ଆୟ ବୃଦ୍ଧି ହେବା ସହ ଦାଦନ ସମସ୍ୟାରେ ହ୍ରାସ ଏବଂ ଖାଦ୍ୟ ନିରାପତ୍ତା ସୁଦୃଢ଼ ହୋଇଥିବା ଦେଖିବାକୁ ମିଳିଛି। ଓଡ଼ିଶାର ନବରଙ୍ଗପୁର, ମାଲକାନଗିରି ଓ କଳାହାଣ୍ଡିରେ ହୋଇଥିବା ଆଂଶିକ ନିୟନ୍ତ୍ରଣମୁକ୍ତି ଯୋଗୁଁ ଆଶାନୂରୂପ ଫଳ ମିଳିଛି। ଏବେ ବ୍ୟବସାୟୀମାନେ ସରକାର ତୁଳନାରେ ଅଧିକ ଦରରେ କେନ୍ଦୁପତ୍ର କିଣୁଛନ୍ତି। ବ୍ୟବସ୍ଥାରେ ଏଭଳି ପରିବର୍ତ୍ତନ ଯୋଗୁଁ ମହିଳା କେନ୍ଦୁପତ୍ର ତୋଳାଳିମାନେ ବିଶେଷ ଲାଭବାନ ହୋଇପାରିଛନ୍ତି। ଯଦିଓ ଆନୁଷ୍ଠାନିକ ବିଳମ୍ବ, ଠିକାଦାରଙ୍କ ଶୋଷଣ ଏବଂ ସୀମିତ ପ୍ରଚାର ପ୍ରସାର ଯୋଗୁଁ ଏହି ସମ୍ଭାବନା ସବୁ ଅଧିକ ଲୋକଲୋଚନକୁ ଆସିପାରିନାହିଁ।
ନାଗରିକ ସମାଜ ସଂସ୍ଥା ଓ ତୃଣମୂଳ ସ୍ତରରେ ଆନ୍ଦୋଳନର ଭୂମିକା
ଜଙ୍ଗଲ ଅଧିକାର ସ୍ୱୀକୃତି ଏବଂ ଗୋଷ୍ଠୀ ଆଧାରିତ ପରିଚାଳନାକୁ ସୁବିଧାଜନକ କରିବାରେ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ବିଶେଷ ସହାୟକ ହୋଇଆସୁଛନ୍ତି। ମହାରାଷ୍ଟ୍ରରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦାବିକୁ ଚିହ୍ନଟ କରିବା, ମହାସଂଘ ଗଠନ କରିବା ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା କରିବାରେ ଗୋଷ୍ଠୀମାନଙ୍କୁ ସାହାଯ୍ୟ କରୁଛନ୍ତି ନାଗରିକ ସମାଜ ସଂସ୍ଥା। ଓଡ଼ିଶାରେ ବାଉଁଶ ଓ କେନ୍ଦୁପତ୍ର ଉପରେ ଅଧିକାର ଦାବି କରିବା ନିମନ୍ତେ ଗ୍ରାମସଭାଗୁଡ଼ିକୁ ସହଯୋଗ ଓ ନୀତିଗତ ପରାମର୍ଶ ଦେବା ପାଇଁ ନାଗରିକ ସମାଜ ସଂସ୍ଥାଗୁଡ଼ିକ କାମ କରିଥାନ୍ତି। ଯଦିଓ ପ୍ରଭାବଶାଳୀ ମାନଙ୍କ ନିୟନ୍ତ୍ରଣ ଏବଂ ପ୍ରଶାସନିକ ପ୍ରତିରୋଧ ଭଳି ଆହ୍ୱାନ ରହିଛି, ଏହାସତ୍ତ୍ୱେ ନାଗରିକ ସମାଜ ରାଜ୍ୟର ବିଧିବଦ୍ଧ ପ୍ରକ୍ରିୟା ଓ ବନବାସୀଙ୍କ ଆକାଂକ୍ଷା ଭିତରେ ଥିବା ଦୂରତାକୁ ହ୍ରାସ କରି ସେମାନଙ୍କ ଭିତରେ ସେତୁ ଭଳି କାମ କରିଆସୁଛନ୍ତି ।
ଜୀବିକା, ପରିଚାଳନା ଓ ସ୍ୱାୟୀତ୍ୱ
ପ୍ରଭାବଶାଳୀ ଜଙ୍ଗଲ ପରିଚାଳନାର ଲାଭ ସର୍ବଦା ସ୍ପଷ୍ଟ। ମହାରାଷ୍ଟ୍ରରେ, ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସ୍ୱୀକୃତି ଯୋଗୁଁ ପୁନଃ ଜଙ୍ଗଲ ସୃଷ୍ଟି, ଦାଦନ ସମସ୍ୟା ହ୍ରାସ, ପରିବେଶ ଅନୁକୂଳ ପର୍ଯ୍ୟଟନ ଓ କୃଷି ଆଦି ବିବିଧ ଜୀବିକାରେ ଉନ୍ନତି ଆସିପାରିଛି। ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ନିୟନ୍ତ୍ରଣମୁକ୍ତି ଯୋଗୁଁ କେନ୍ଦୁପତ୍ର ତୋଳାଳୀମାନଙ୍କର ଆୟ ବୃଦ୍ଧି ପାଇଛି ଏବଂ ଉପଭୋଗ ଅଧିକାର ସୁଦୃଢ଼ ହୋଇଛି। କିନ୍ତୁ ସ୍ୱୀକୃତିରେ ବିଳମ୍ବ ଯୋଗୁଁ ଅନେକ ସ୍ଥାନରେ ଗୋଷ୍ଠୀ ସମୂହ ଅବହେଳିତ ହୋଇପଡ଼ିଛନ୍ତି। ପରିବେଶଗତ ଚିନ୍ତା ବଳବତ୍ତର ଥିଲେ ମଧ୍ୟ ମହାରାଷ୍ଟ୍ରର ଅନୁଭବ ଦର୍ଶାଉଛି ଯେ ଗୋଷ୍ଠୀଗତ ଜଙ୍ଗଲ ପରିଚାଳନା ଜୀବିକାର ଆବଶ୍ୟକତା ପୂରଣ କରିବା ସହ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ କରିପାରିବ।
ଶିକ୍ଷା ସହ ଆଗକୁ ବଢ଼ିବାର ମାର୍ଗ
ମହାରାଷ୍ଟ୍ର ଗୋଟିଏ ସୁସ୍ପଷ୍ଟ ଭବିଷ୍ୟତ ପନ୍ଥା ଦେଖାଉଛି, ଯେଉଁଥିରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାରକୁ ସମୟୋଚିତ ସ୍ୱୀକୃତି, ନାଗରିକ ସମାଜ ସଂସ୍ଥାଗୁଡ଼ିକ ଦ୍ୱାରା ବୈଷୟିକ ସହାୟତା ଏବଂ ଅଣକାଠ ବନଜାତ ଦ୍ରବ୍ୟର ପରିଚାଳନା ଲାଗି ଗ୍ରାମସଭାର ନିଯୁକ୍ତି ଓ ସହଯୋଗ ଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶୀଳତା ଅଞ୍ଚଳରେ ଲୋକଙ୍କର ଆୟ ୨୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇପାରିବ। ଏହି ପରୀକ୍ଷାମୂଳକ ସଂସ୍କାର ବା ପରିବର୍ତ୍ତନକୁ ଆଶାଜନକ ବୋଲି ପ୍ରମାଣ କରିଛି ଓଡ଼ିଶା; କିନ୍ତୁ ଏହାର ବ୍ୟାପକ କାର୍ଯ୍ୟକାରିତା, ସମୟୋଚିତ ଅନୁମୋଦନ ଏବଂ ଆନୁଷ୍ଠାନିକ ସହାୟତାର ଆବଶ୍ୟକତାକୁ ଅଣଦେଖା କରିଛି। ଏହି ଦୁଇଟି ରାଜ୍ୟର ଅଭିଜ୍ଞତା ସ୍ପଷ୍ଟ ସୂଚୀତ କରୁଛି ଯେ, ସମ୍ପୂର୍ଣ୍ଣ ରାଜ୍ୟକୈନ୍ଦ୍ରିକ ମନୋବୃତ୍ତିରୁ ବାହାରି, ନିୟାମକ ଦୃଷ୍ଟିକୋଣ ଦ୍ୱାରା ହିଁ ବନବାସୀ ସମୁଦାୟଙ୍କ ଅଧିକାର, କର୍ତ୍ତବ୍ୟ ଏବଂ ନିଷ୍ପତ୍ତି ନେବା ଲାଗି ଶକ୍ତି ପ୍ରଦାନ କରିପାରିବ।
ଏହିସବୁ ଶିକ୍ଷାକୁ ଆଧାର କରି ଜଙ୍ଗଲ ପରିଚାଳନା ଓ ଜୀବନଜୀବିକାକୁ ଆହୁରି ଅଧିକ ସଶକ୍ତ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଅତି ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି।
- ଅଣକାଠ ବନଜାତ ଦ୍ରବ୍ୟର ବ୍ୟବସାୟ ପାଇଁ ବହୁ ବଜାର ବିକଳ୍ପ:
ଅଣକାଠ ବନଜାତ ଦ୍ରବ୍ୟର ବ୍ୟବସାୟ ପାଇଁ ଗ୍ରାମସଭା ଓ ପ୍ରତିନିଧି ମହାସଂଘଗୁଡ଼ିକ ପାଖରେ ବହୁ ବିକଳ୍ପ ରହିବା ଉଚିତ୍। ଯାହା ମାଧ୍ୟମରେ ସେମାନେ କେଉଁଠି ବିକ୍ରି କରିବେ, କାହାକୁ ବିକ୍ରି କରିବେ ଏବଂ କେତେ ଦରରେ ବିକ୍ରି କରିବେ, ତାହା ନିଜେ ନିଷ୍ପତ୍ତି ନେଇପାରିବେ। ନ୍ୟାୟସଙ୍ଗତ ପ୍ରତିଯୋଗିତାକୁ ପ୍ରୋତ୍ସାହନ, ମଧ୍ୟସ୍ଥମାନଙ୍କ ଶୋଷଣ ହ୍ରାସ ଏବଂ ଗୋଷ୍ଠୀ ସମୁଦାୟର ସଦସ୍ୟମାନଙ୍କ ଆୟ ନିରପତ୍ତାରେ ଉନ୍ନତି ପାଇଁ ଏହି ନମନୀୟତା ଗୁଣ ଅତି ଜରୁରୀ।
- ଆଶାନୁରୂପ ସମନ୍ୱୟ ପାଇଁ ଆନୁଷ୍ଠାନିକ ସହାୟତା ଜରୁରୀ:
ଉପରସ୍ତରରୁ ଯେଉଁସବୁ ସମନ୍ୱୟ ନିର୍ଦ୍ଦେଶ ଜାରି ହେଉଛି, ତୃଣମୂଳସ୍ତରରେ ସେଗୁଡ଼ିକର କାର୍ଯ୍ୟକାରିତା ପାଇଁ ଆନୁଷ୍ଠାନିକ ସହାୟତା ନିତାନ୍ତ ଆବଶ୍ୟକ। ପ୍ରଶାସନ ଓ ସହଯୋଗୀ ସଂସ୍ଥାମାନଙ୍କ ପକ୍ଷରୁ ଉତ୍ସର୍ଗୀକୃତ ସହାୟତା ନ ଥିଲେ, ସମନ୍ୱୟର ପ୍ରୟାସଗୁଡ଼ିକ କେବଳ ଔପଚାରିକ ଓ ଫଳହୀନ ରହିଯାଏ। ଏହାଦ୍ୱରା ଗୋଷ୍ଠୀ ସମୁଦାୟକୁ ଉପଯୁକ୍ତ ଫଳାଫଳ ମିଳିପାରେ ନାହିଁ।
- ସ୍ଥାନୀୟ ପ୍ରଶାସନର ବିଶ୍ୱସନୀୟତା:
ଜଙ୍ଗଲ ଅଧିକାର ଆଇନର ପ୍ରାବଧାନ ଏବଂ ଜଙ୍ଗଲ ସମ୍ପର୍କିତ ଅନ୍ୟାନ୍ୟ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାରେ ସ୍ଥାନୀୟ ପ୍ରଶାସନର ଉତ୍ତରଦାୟିତ୍ୱକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ ଓ କାର୍ଯ୍ୟକାରୀ ଯୋଗ୍ୟ ହେବା ଉଚିତ୍। ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଆବେଦନର ଅବଜ୍ଞା, ବିଳମ୍ବ କିମ୍ବା ପ୍ରତ୍ୟାଖ୍ୟାନ, ପରିବହନ ଅନୁମତିର ପ୍ରତ୍ୟାଖ୍ୟାନ, ଗ୍ରାମସଭାକୁ ସେମାନଙ୍କର ଅଧିକାର ପ୍ରୟୋଗରେ ସହାୟତା କରିବାରେ ବିଫଳ ହେବା କ୍ଷେତ୍ରରେ ପ୍ରଶାସନ ଉତ୍ତରଦାୟୀ ରହିବା ଉଚିତ୍।
- ସିଏଫ୍ଆର୍ଏମ୍ସି ସଦସ୍ୟମାନଙ୍କ ସଶକ୍ତିକରଣ:
ସରକାରୀ ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ (ଏନ୍ଜିଓ) ଓ ଶିକ୍ଷାନୁଷ୍ଠାନ ଭଳି ବିଭିନ୍ନ ସଂସ୍ଥା ଦ୍ୱାରା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପରିଚାଳନା କମିଟି (ସିଏଫ୍ଆର୍ଏମ୍ସି)ର ସଦସ୍ୟମାନଙ୍କର ପଦ୍ଧତିଗତ ଭାବେ ଦକ୍ଷତା ବୃଦ୍ଧି କରାଯିବା ଆବଶ୍ୟକ। ଫଳରେ ସେମାନେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଭୂମିକା, କର୍ତ୍ତବ୍ୟ ଏବଂ ଆଇନଗତ ଅଧିକାରକୁ ଜାଣିପାରିବେ। ଏଭଳି ଉପାୟରେ ସଶକ୍ତିକରଣ ସେମାନଙ୍କୁ ସକ୍ରିୟ ନିଷ୍ପତ୍ତିଗତ ନେତୃତ୍ୱ ଓ ଗୋଷ୍ଠୀଗତ ଜଙ୍ଗଲର ଅଧିକାରର ରକ୍ଷକ ଭାବେ କାମ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ।
ଅନ୍ତର୍ଭୁକ୍ତ ଓ ଲିଙ୍ଗଗତ ସମ୍ବେଦନଶୀଳ ପରିଚାଳନା:
ଗ୍ରାମସ୍ତରର ପରିଚାଳନା ବ୍ୟବସ୍ଥା ସମସ୍ତଙ୍କୁ ସାମିଲ କରି , ମହିଳାମାନଙ୍କୁ ଉଚିତ୍ ଅଗ୍ରାଧିକାର ଦେଇ ଏବଂ ସହଭାଗିତାମୂଳକ ହେବା ଉଚିତ। ବିଶେଷକରି ଜଙ୍ଗଲ ସମ୍ପଦ ପରିଚାଳନା ଓ ଲାଭ ବଣ୍ଟନ ସମ୍ପର୍କିତ ନିଷ୍ପତ୍ତିଗତ ପ୍ରକ୍ରିୟାରେ ଭୂମିହୀନ ବ୍ୟକ୍ତି ଓ ମହିଳାମାନଙ୍କ ସକ୍ରିୟ ଭାଗୀଦାରୀ ନିଶ୍ଚିତ କରାଯିବା ଉଚିତ। ଏହି ଅନ୍ତର୍ଭୁକ୍ତିକରଣ ପରିଚାଳନାକୁ ଗଣତାନ୍ତ୍ରିକ କରିବା ସହ ଗୋଷ୍ଠୀ ସମୁଦାୟ ମଧ୍ୟରେ ଲାଭ ଓ ଦାୟିତ୍ୱ ଯେପରି ସମାନ ଭାବରେ ବଣ୍ଟାଯାଇପାରିବ, ତାହା ସୁନିଶ୍ଚିତ କରିବାରେ ସହାୟକ ହୁଏ।
ଏହିସବୁ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକର ସମନ୍ୱୟ କରି, ଭାରତ ଜଙ୍ଗଲ ପରିଚାଳନାରେ ଏକ ରୂପାନ୍ତରଣ ଆଣିପାରିବ। ଏହାକୁ ନିୟନ୍ତ୍ରଣର ଏକ ସାମାନ୍ୟ ଉପକରଣରୁ ସଶକ୍ତିକରଣ, ସହନଶୀଳ ଏବଂ ଦୀର୍ଘସ୍ଥାୟୀ ଜୀବିକାର ଏକ ଉତ୍ସ ଭାବେ ତିଆରି କରିପାରିବ।
ସହାୟକ ସୂଚୀ:
ସାହୁ, ଜି. (୨୦୨୩), ‘ଡିରେଗୁଲେସନ ଅଫ୍ କେନ୍ଦୁ ଲିଫ୍ ଇନ୍ କଳାହାଣ୍ଡି ଡିଷ୍ଟ୍ରିକ୍ଟ, ଓଡ଼ିଶା’, ଇଣ୍ଡିଆନ ଜର୍ଣ୍ଣାଲ ଅଫ୍ ସୋସିଆଲ ୱର୍କ, ୮୪(୩), ୨୭୩-୨୮୮
ଲେଲେ, ଏସ୍. ଆଣ୍ଡ୍ ସାହୁ ଜି. (୨୦୨୫), ‘ଡେମୋକ୍ରାଟାଇଜିଂ ଫରେଷ୍ଟ ଗଭର୍ଣ୍ଣାନ୍ସ:ଚ୍ୟାଲେଞ୍ଜେସ୍ ଓଲ୍ଡ ଆଣ୍ଡ୍ ନ୍ୟୁ’, ଇକୋନୋମିକ ଆଣ୍ଡ୍ ପଲିଟିକାଲ ୱିକ୍ଲି, ଏଲ୍ଏକ୍ସ(୨), ୪୦-୪୮
ଡାଉନ୍ ଟୁ ଆର୍ଥ (ମେ’ ୧, ୨୦୧୫), ‘ଓଡ଼ିଶାସ୍ କେନ୍ଦୁଲିଫ୍ ଟ୍ରେଡ୍ ହ୍ୟାଙ୍ଗ୍ସ ଇନ୍ ବାଲାନ୍ସ ଆଜ୍ ଟ୍ରାଇବାଲ କମ୍ୟୁନିଟିଜ୍ ଆୱେଟ୍ ଡିରେଗୁଲେସନ’
ଦ ହିନ୍ଦୁ (ମେ’ ୩୧, ୨୦୨୫), ‘ବାମ୍ବୁ ଆଣ୍ଡ୍ କେନ୍ଦୁ ପାୱାର ଟୁ ଦ ପିପୁଲ’
ଟାଇମ୍ସ ଅଫ୍ ଇଣ୍ଡିଆ (ଏପ୍ରିଲ ୨୭, ୨୦୨୫), ‘କୋରାପୁଟ ଭିଲେଜର୍ସ ସିକ୍ ଗଭର୍ଣ୍ଣମେଣ୍ଟ ନଡ୍ ଟୁ ସେଲ୍ କେନ୍ଦୁଲିଫ୍ ଟୁ ପ୍ରାଇଭେଟ୍ ପାର୍ଟିଜ୍’







