କ୍ଷେତ୍ର ସ୍ତରରେ ବର୍ତ୍ତମାନ କାର୍ଯ୍ୟରତ ବସୁନ୍ଧରା କର୍ମୀ ଦୀପେନ୍ ଛତ୍ରିୟାଙ୍କ ଏହି ଆଲେଖ୍ୟ ରେ ବିଶେଷ ସହଯୋଗ ରହିଛି।
ବ୍ୟବସାୟୀଙ୍କ ଆଧିପତ୍ୟ ଏବଂ ଅନୈତିକ ବାଣିଜ୍ୟ ଅଭ୍ୟାସ, ବଜାର ସୂଚନା ପ୍ରବାହରେ ଅପୂର୍ଣ୍ଣତା, ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ସୁବିଧାର ଅଭାବ, ବଜାର ୟାର୍ଡର ଅଭାବ ଇତ୍ୟାଦି ସମସ୍ୟା ସହିତ ଅଣକାଷ୍ଠ ବନଜାତ ଦ୍ରବ୍ୟର ବଜାର ଅତ୍ୟନ୍ତ ଅସ୍ଥିର ରହିଆସିଛି । ପ୍ରାଥମିକ ସଂଗ୍ରହକାରୀମାନେ ବ୍ୟକ୍ତିଗତ ସ୍ତରରେ ବଜାରରେ କମ୍ ପରିମାଣର ଉତ୍ପାଦ ସହିତ କାରବାର କରନ୍ତି ଯାହା ସେମାନଙ୍କୁ ଅସୁବିଧାରେ ପକାଇଥାଏ। ନୀତି ସ୍ତରରେ ଦାରିଦ୍ର୍ୟ ଦୂରୀକରଣ ଏବଂ ଜୀବିକା ନିର୍ବାହରେ ଜଙ୍ଗଲ ଏବଂ ଜଙ୍ଗଲ ଉତ୍ପାଦର ଭୂମିକାକୁ ଅଣଦେଖା କରାଯାଉଛି।
ଅର୍ଥାତ୍, ଜଙ୍ଗଲରୁ ଆସୁଥିବା ଅଣକାଷ୍ଠ ବନଜାତ ଦ୍ରବ୍ୟ (NTFP) ଗୁଡିକ ବିକ୍ରି କରି ଅନେକ ଗରିବ ଓ ଆଦିବାସୀ ପରିବାର ନିଜର ଜୀବିକା ନିର୍ବାହ କରନ୍ତି। କିନ୍ତୁ ଏହି ବଜାରରେ ବହୁତ ସମସ୍ୟା ଅଛି। ସମସ୍ଯା ଗୁଡିକି ହେଉଛି- ବ୍ୟାପାରୀମାନେ ବଜାରକୁ ନିୟନ୍ତ୍ରଣ କରନ୍ତି, ଦର ସମ୍ପର୍କରେ ସହଜ ସୂଚନା ଲୋକଙ୍କ ପାଖରେ ପହଞ୍ଚେ ନାହିଁ, ସଂରକ୍ଷଣ କରିବାର ଘର ବା ଗୋଦାମ ନାହିଁ, ବଜାର ୟାର୍ଡ ବିକଶିତ ହୋଇନାହିଁ, ଓ ପ୍ରାଥମିକ ସଂଗ୍ରହକାରୀମାନେ ଅଳ୍ପ ପରିମାଣରେ ବ୍ୟକ୍ତିଗତ ଭାବରେ ବିକ୍ରି କରୁଥିବାରୁ, ସେମାନେ ବଡ଼ ବଜାରଶକ୍ତିକୁ ପ୍ରଭାବିତ କରିପାରୁନାହାନ୍ତି।
ଲମ୍ବା ସମୟ ପର୍ଯ୍ୟନ୍ତ ଜଙ୍ଗଲ ଓ ଜଙ୍ଗଲ ଉତ୍ପାଦନର ଭୂମିକାକୁ ଦାରିଦ୍ର୍ୟ କମାଇବା କିମ୍ବା ଲୋକମାନଙ୍କର ଜୀବନଧାରା କୁ ସୁଲଭ କରିବାରେ ନୀତି ସ୍ତରରେ ଗୁରୁତ୍ୱ ଦିଆଯାଇନଥିଲା। ୨୦୦୦ ମସିହା ଏବଂ ପରବର୍ତ୍ତୀ ସମୟରେ ଏ ଦିଗରେ ପ୍ରୟାସ ଆରମ୍ଭ ହେଲା ଯଥା: ୨୦୦୦ ରୁ ୨୦୦୨ ମଧ୍ୟରେ କ୍ରମରେ 68ଟି NTFP ପଦାର୍ଥରୁ ସରକାରୀ ନିୟନ୍ତ୍ରଣ ହଟିଗଲା, ୨୦୦୨ରେ “ଓଡ଼ିଶା ସ୍ୱୟଂ ସହାୟକ ସମବାୟ ଆଇନ” ଆସିଲା ଓ ୨୦୦୬ ରେ “ଜଙ୍ଗଲ ଅଧିକାର ଆଇନ୍” (Forest Rights Act) ପ୍ରଣୟନ କରାଗଲା।
କିନ୍ତୁ, ଅଣକାଷ୍ଠ ବନଜାତ ଦ୍ରବ୍ୟ ବଜାରରେ ଅପୂର୍ଣ୍ଣତା ହ୍ରାସ ପାଇଁ ରାଜ୍ୟ ନେତୃତ୍ୱାଧୀନ ହସ୍ତକ୍ଷେପ ପ୍ରକୃତରେ ଗରିବ ଏବଂ ବଞ୍ଚିତଙ୍କ ସ୍ୱାର୍ଥରେ ବଜାରକୁ ନିୟନ୍ତ୍ରଣ କରିବାରେ ବିଫଳ ହେଲା। ଅଣକାଷ୍ଠ ବନଜାତ ଦ୍ରବ୍ୟ ନିର୍ଭରଶୀଳ ଗରିବ ଯେଉଁମାନେ ବ୍ୟକ୍ତିଗତ ସ୍ତରରେ ବଜାର ସହିତ ମୁଖ୍ୟତଃ କାରବାର କରନ୍ତି ସେମାନେ ବର୍ଦ୍ଧିତ ବଜାର ଶକ୍ତିକୁ ପ୍ରଭାବିତ କରିବା ସ୍ଥିତିରେ ନାହାଁନ୍ତି। ତେଣୁ, ସାମୂହିକ ପ୍ରୟାସ ଏକ ଆବଶ୍ୟକତା। ଯେକୌଣସି ସାମୂହିକ ଆର୍ଥିକ ପ୍ରୟାସର ଏହି ଲାଭ ହେବା କଥା, ଯଥା: ସାମୂହିକ ବ୍ୟବସାୟର ଏକ ଅଂଶ ଭାବରେ ସାମଗ୍ରୀ / ଉତ୍ପାଦିତ ପଦାର୍ଥର ପରିମାଣ ବୃଦ୍ଧି ହେତୁ ପରିମାଣ ଆଧାରିତ ଅର୍ଥନୀତିର ଲାଭ ପାଇବା, ମୂଲଚାଲ କରିବାର ଶକ୍ତି ବୃଦ୍ଧି, ବଜାର ଏବଂ ପାରିପାର୍ଶ୍ୱିକ ପରିବେଶ ବିଷୟରେ ବୁଝାମଣା ର ବିକାଶ, ଏକାଠି ହେବା ଏବଂ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାର ସଂକଳ୍ପ ବିକାଶ, ସ୍ଵାଭାବିକ ନେତୃତ୍ୱର ଉଦୟ ଏବଂ ସେମାନଙ୍କ ନେତୃତ୍ୱ ପାଇଁ ସୁଯୋଗ, ଅର୍ଥନୈତିକ ଗଣତନ୍ତ୍ରୀକରଣ ଆଡ଼କୁ ଅଗ୍ରସର ହେଉଥିବା ପ୍ରକ୍ରିୟା ଯେଉଁଠାରେ ଗରିବମାନେ ବଜାର ସହିତ ପ୍ରଭାବଶାଳୀ ଭାବରେ ଜଡିତ ହେବେ ଏବଂ ସେମାନଙ୍କର ସ୍ଥାନୀୟ ଅର୍ଥନୀତି ଉପରେ ଅଧିକ ନିୟନ୍ତ୍ରଣ ସ୍ଥାପନ କରିବେ, ଓ ଜଙ୍ଗଲ ଜାତ ଦ୍ରବ୍ୟଗୁଡିକର ପ୍ରକ୍ରିୟାକରଣ କରି ମୂଲ୍ୟ ବୃଦ୍ଧିକରିବା ଏବଂ ରାଜ୍ୟସ୍ତରରେ ବଜାର ବ୍ୟବସ୍ଥା କରିବା
ଏହି ପରିପ୍ରେକ୍ଷୀରେ, ବସୁନ୍ଧରା ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ପ୍ରମୁଖ ରଣନୀତି ଭାବରେ ପ୍ରାଥମିକ ସଂଗ୍ରହକାରୀମାନଙ୍କର ସଂଗଠନ ବିକାଶ କରିବା ଆରମ୍ଭ କଲା ଏବଂ ପିଜି / ସେମାନଙ୍କର ପରିଷଦ ଆକାରରେ ଏନଟିଏଫପି ସଂଗ୍ରହକାରୀ ସଂଗଠନଗୁଡ଼ିକୁ ସହଯୋଗ ପ୍ରଦାନ କରିଆସୁଛି। ସାଙ୍ଗଠନିକ, ଆର୍ଥିକ ଏବଂ ବ୍ୟବସାୟ ବିକାଶ ଦିଗରେ ମହିଳା ଗୋଷ୍ଠୀମାନେ ଏକ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି।
ଅଣକାଷ୍ଠ ବନ୍ୟଜାତ ଆଧାରିତ ସଂଗଠନ ନିର୍ମାଣ ପ୍ରକ୍ରିୟା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ କେନ୍ଦ୍ରିତ ରହିଛି, ଯେଉଁ ମୁଲକରେ ସେମାନଙ୍କର ନିଜସ୍ୱ ପ୍ରଥା, ପରମ୍ପରା ଏବଂ ଜୀବନଯାପନର ସ୍ୱତନ୍ତ୍ର ରହିଛି। ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସହଯୋଗ ସେମାନଙ୍କ ସଂସ୍କୃତିର ଏକ ଅଂଶ ହୋଇଛି ଯାହାକୁ ସେମାନେ ଭୂମି ବିକାଶ, ଗୃହ ମରାମତି, ବିବାହ ଉତ୍ସବ ଇତ୍ୟାଦି ବିଭିନ୍ନ ପ୍ରକାରର କାର୍ଯ୍ୟକଳାପରେ ଅଭ୍ୟାସ କରନ୍ତି। ଯେଉଁଠାରେ ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି। ଏହାର ବିପରୀତରେ, ଏହି ସଂଗଠନଗୁଡ଼ିକର ବିକାଶ ପ୍ରକ୍ରିୟା ଅତ୍ୟନ୍ତ ମନ୍ଥର ରହିଛି। ସଂଗଠନ ନିର୍ମାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସ୍ଵତଃପ୍ରବୃତ୍ତ ଭାବରେ ହୋଇନାହିଁ, ଯଦିଓ ଲୋକମାନେ ‘ଏକତ୍ରିତ ହେବାର ଆବଶ୍ୟକତା ଅନୁଭବ କରିଛନ୍ତି ଏବଂ ଅନେକ ଆଲୋଚନା ପରେ ଏପରି ସଂଗଠନ ଗଠନ କରିବାକୁ ସମ୍ମତ ହୋଇଛନ୍ତି।
ଦକ୍ଷତା, ମାନବ ସମ୍ବଳ ଏବଂ କାର୍ଯ୍ୟର ପ୍ରକାର ସ୍ୱାବଲମ୍ବନର ଚାବିକାଠି। ଉତ୍ପାଦକ ଗୋଷ୍ଠୀ (PG) ଏବଂ ୟୁନିଅନର ସମ୍ପୂର୍ଣ୍ଣ ସ୍ୱାବଲମ୍ବନ ହାସଲରେ ଚୂଡ଼ାନ୍ତ ଚ୍ୟାଲେଞ୍ଜ ରହିଛି।
ଏପର୍ଯ୍ୟନ୍ତ, ୫ଟି ଜିଲ୍ଲାରେ ପ୍ରାୟ ୩୨୨ଟି ଉତ୍ପାଦକ ଗୋଷ୍ଠୀ (PG) ଏବଂ ଏହି ପିଜିଗୁଡ଼ିକର ୬ ଟି ମହାସଂଘ କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ବର୍ଷଗୁଡ଼ିକରେ ଏଭଳି ଅନେକ ସଂଗଠନ ଗଠିତ ହେବ। ଏପରି ସଂଗଠନର ସଂଖ୍ୟା ବୃଦ୍ଧି ସହିତ, ଏହି ଉଦୀୟମାନ ଆଦିବାସୀ ମହିଳା ଅନୁଷ୍ଠାନଗୁଡ଼ିକର କ୍ଷମତା ନିର୍ମାଣ ହେଉଛି ସମୟର ଆବଶ୍ୟକତା। ଯଦିଓ ଏହି ସମୟ ମଧ୍ୟରେ ଅନୁଷ୍ଠାନ ଗୁଡିକ ଏକ ଉତ୍ସାହଜନକ ଦିଗ ଆଡକୁ ଗତି କରିଛନ୍ତି, ଏପର୍ଯ୍ୟନ୍ତ ଅନେକ ଆହ୍ଵାନରୁ ମୁକ୍ତ ହୋଇନାହାନ୍ତି। ଆତ୍ମନିର୍ଭରଶୀଳତାର ପ୍ରଶ୍ନର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ। ଏହା ଦେଖାଯାଇଛି ଯେ ଏହି ପ୍ରତିଷ୍ଠାନଗୁଡ଼ିକ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମାଲିକାନାର ଅଭାବ ଏବଂ ଏକ ସ୍ଥାୟୀ ଆଭ୍ୟନ୍ତରୀଣ ଶାସନ ବ୍ୟବସ୍ଥାର ଅନୁପସ୍ଥିତିରେ ପୀଡିତ। ସ୍ୱାବଲମ୍ବନକୁ ନିମ୍ନଲିଖିତ ଆହ୍ଵାନ ଗୁଡ଼ିକ ପ୍ରଭାବିତ କରୁଛି:
ସାମୁଦାୟିକ ସଂସ୍ଥା ଗଠନରେ ପ୍ରମୁଖ ଆହ୍ଵାନ:
ପ୍ରାଥମିକ ଉତ୍ପାଦକଙ୍କ ପାଇଁ ଉତ୍ପାଦକ ଗୋଷ୍ଠୀ (PG) କିମ୍ବା ଉତ୍ପାଦକ ସଂଗଠନ (PO) ଗଠନ କରିବା, କେବଳ ଏକ “ସାମୂହିକ ପ୍ରୟାସ” ନୁହେଁ-ଏହା ସେମାନଙ୍କର ନିଜର ବ୍ୟବସାୟୀକ ପରିଚୟ ମଧ୍ୟ। ଏଥିରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି-ସଦସ୍ୟମାନେ ନିଜେ ମାଲିକ, ନିଜେ ନିଷ୍ପତ୍ତିକର୍ତ୍ତା, ଓ ନିଜର ପ୍ରୟାସରେ ଉନ୍ନତିକର୍ତ୍ତା।
କିନ୍ତୁ, ସଂସ୍ଥା ଗଠନ ଓ ପରିଚାଳନାରେ କେତେକ ଆହ୍ଵାନ ଆସିଥାଏ। ଏହାକୁ ଜାଣିଲେ ଓ ପ୍ରସ୍ତୁତ ହେଲେ ସଂଗଠନ ଟିଏ ଦୃଢ଼, ସ୍ଥାୟୀ ଓ ସଫଳ ହୋଇପାରିବ।
ନୂଆ ସଂସ୍ଥା, ନୂଆ ସଂସ୍କୃତି
ଜଙ୍ଗଲ ଜାତ ଦ୍ରବ୍ୟ ଆଧାରିତ ବ୍ୟବସାୟିକ ସଂଗଠନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ନୂତନ ଉଦ୍ୟମ। ସହଯୋଗୀତା ସେମାନଙ୍କ ଜୀବନର ଅଂଶ, କିନ୍ତୁ formal institution-building (ଆଧିକାରିକ ସଂସ୍ଥା) କ୍ରମେ କ୍ରମେ ଗ୍ରହଣ ହେଉଛି।
ସଂସ୍ଥାରେ ପ୍ରଥମେ ଯୋଗଦେବାବେଳେ ଅନେକଙ୍କୁ ଏହା “ନୂଆ” ଲାଗେ। ତେଣୁ ଏଭଳି ସଂଗଠନ ର ସଦସ୍ୟମାନେ ଶାସନ, ନିଷ୍ପତ୍ତି, ଓ ସମ୍ପର୍କ ସମ୍ପର୍କିତ ପ୍ରଶିକ୍ଷଣ ଆବଶ୍ୟକ କରନ୍ତି ତଥା ବାହାର ସହଯୋଗ (ସରକାର/NGO/ବ୍ୟାଙ୍କ) ମଧ୍ୟ ଆବଶ୍ୟକ କରନ୍ତି।
ବର୍ତ୍ତମାନ ସମୟରେ ଗୋଷ୍ଠୀ ଗ୍ରାମରେ କାର୍ଯ୍ୟ କରୁଥିବା ଏହି ସରକାରୀ ସଂସ୍ଥା ଯେପରି (ITDC, TDCC, OLM, ORMAS) ଙ୍କ ସହିତ ମିଳିତ ଭାବରେ କାମ କରାଯାଉଛି ଯେଉଁଥିରେ ସଂଘ ଏବଂ ଗୋଷ୍ଠୀ ର କାର୍ଯ ପନ୍ଥା ଓ ସଂସ୍ଥା ମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା (ମେଶିନ, ପାଣ୍ଠି) ଗୋଷ୍ଠୀ ନିକଟକୁ ଅଣାଯାଉଛି |
୪ ରୁ ୫ ବର୍ଷ ପୂର୍ବେ ସଂଘର ନିର୍ଦ୍ଦେଶିକାମାନେ ପ୍ରତିମାସ ରେ ବୋର୍ଡ ବୈଠକ କରି ସଂଘ ର ପ୍ରତିମାସର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ପରିବର୍ତ୍ତନ ହେତୁ ପ୍ରତିମାସର ବୈଠକ ୩ ମାସକୁ ଥରେ କରିଦିଆଯାଇଛି | କାରଣ ପ୍ରଥମେ ଯୋଉମାନେ ନେତୃତ୍ୱ ନେଇ ସଂଘ କୁ ଆଗକୁ ନେଇଥିଲେ ସେମାନେ ଏବେ ସଂଘ ରେ ନାହାନ୍ତି ଓ ବର୍ତ୍ତମାନ ଯୁଗର ମହିଳାମାନଙ୍କ ଭିତରେ ସଂଘ ପ୍ରତି ଏତେ ଆତ୍ମୀୟତା ନାହିଁ ଯେଉଥିପାଇଁ ସେମାନେ ସଂଘ କୁ କେବଳ ବ୍ୟବସାୟ ଓ ଆର୍ଥିକ ଲାଭ ହିସାବରେ ସଂଘକୁ ଦେଖୁଛନ୍ତି | ସେମାନଙ୍କ ମଧ୍ୟରେ ସଂଗଠନ ପ୍ରତି ଆତ୍ମୀୟତା ଆଣିବା ଆବଶ୍ୟକ। ଏହା କେବଳ ସେମାନଙ୍କ ପାଇଁ ଆର୍ଥିକ ସହଯୋଗର ମାଧ୍ୟମ ନୁହେଁ ବରଂ ସେମାନଙ୍କ ପରିଚୟ।
ସମୟ ଅନୁଯାଇ ୨୦୨୨ ମସିହା ରୁ ଏକ ନୂତନ ସ୍ତର ସୃଷ୍ଟି କରାଯାଇଛି ଯେଉଁଥିରେ ଆଞ୍ଚଳିକ ସ୍ତରରେ ବୈଠକ କରାଯାଉଛି ଯେଉଁଥିରେ କି ସେହି ଅଞ୍ଚଳର ପାଖାପାଖି ଗ୍ରାମର ଗୋଷ୍ଠୀମାନେ ଅଂଶଗ୍ରହଣକାରୀ ନିଷ୍ପତ୍ତି ଗ୍ରହଣ କରିଥାନ୍ତି |
ଗୋଷ୍ଠୀମାନଙ୍କର ମାନ୍ୟତା ଓ ଆର୍ଥିକ ସହଯୋଗ ପାଇବା ପାଇଁ ଗୋଷ୍ଠୀମାନଙ୍କୁ (MSME) ପଞ୍ଜୀକୃତ କରାଯାଉଛି |
ଭୌଗୋଳିକ ବାଧାର ସମାଧାନ
ଉତ୍ପାଦକ ଗୋଷ୍ଠୀ (PG) ଗୁଡିକର ଅବସ୍ଥିତି ପରସ୍ପର ନିକଟବର୍ତ୍ତୀ ହେବା ଜରୁରୀ କାରଣ: ଅଧିକ ସଂଖ୍ୟକ ଉତ୍ପାଦକ ଗୋଷ୍ଠୀ (PG) ଏକାଠି ହୋଇ ଉଚ୍ଚ ସ୍ତରୀୟ ଉତ୍ପାଦକ ସଂଗଠନ ଗଢି ପାରିବେ ଓ ସ୍ଥାନୀୟ ବଜାର ଉପରେ ନିଜର ନିୟନ୍ତ୍ରଣ ଜାହିର୍ କରିପାରିବେ; ଅଳ୍ପ ବା ବିନା ବ୍ୟୟରେ ନିୟମିତ ବୈଠକ ଓ ଜରୁରୀକାଳୀନ ବୈଠକମାନ ହୋଇପାରିବ; ସମନ୍ୱୟ ଖର୍ଚ୍ଚ (coordination cost) କମ ହେବ ଏବଂ ଭବିଷ୍ୟତରେ ସେମାନେ ନିଜ ସଂଗଠନ ଦ୍ୱାରା ବହନ କରିପାରିବେ। ସଂସ୍ଥା ପ୍ରତି ସଠିକ୍ ଧାରଣା ସୃଷ୍ଟି ହେବ ମଧ୍ୟ ଜରୁରୀ- ଏହା “NGO ର କାର୍ଯ୍ୟ” କିମ୍ବା “ସରକାରୀ ସୁବିଧା” ନୁହେଁ, PG/PO ଉତ୍ପାଦକ ସଦସ୍ୟମାନଙ୍କର ନିଜର ବ୍ୟବସାୟୀକ ସଂସ୍ଥା, ଏବଂ NGO/ସରକାରୀ ସହଯୋଗ କେବଳ ସହାୟତା, ମାଲିକାନା ସେମାନଙ୍କର ନୁହେଁ।
ମାଲିକାନା ବୋଧ ସୃଷ୍ଟି
ସଦସ୍ୟମାନେ ନିଜ PG/Unionକୁ “ଆମର” ଭାବରେ ନେଉନାହାନ୍ତି। “ସଂଘଟା ଆମର” କେବଳ କହିଲେ ହେବନି ଅନ୍ତରର ସହ ବୁଝିବାକୁ ପଡିବ। ଏହା ସେତେବେଳେ ଜଣାପଡିବ ଯେତେବେଳେ ସେମାନେ ଅନୁଭବ କରିବେ ଯେ: “ଏହା ଆମେ ନିଜେ କରିଛୁ”, “ଆମେ PG/Unionର ପ୍ରତ୍ୟେକ କାମ ନିଜେ ବୁଝୁଛୁ”, “ଆମେ ସମସ୍ୟାକୁ ବୁଝି ସିଦ୍ଧାନ୍ତ ନେଉଛୁ”, “ଆମେ ହିସାବ, ଲାଭ-କ୍ଷତି ବୁଝୁଛୁ” ଓ “ଆମର ସମାନ ଆର୍ଥିକ ଭାଗୀଦାରି ଅଛି।” ତଥା ଏଥିପାଇଁ ସଦସ୍ୟମାନେ ନିଷ୍ପତ୍ତି ଗ୍ରହଣରେ ସିଧାସଳଖ ଭାଗୀଦାର ହେବେ, ଅଂଶଧନ ମାଧ୍ୟମରେ ଆର୍ଥିକ ନିବେଶ କରିବା, ଓ “NGO/ସରକାରୀ ସହାୟତା” ଉପରେ ପୁରାପୁରି ନିର୍ଭର ହେବାକୁ ହେବେନାହିଁ।
ବ୍ୟବସାୟୀକ ଦକ୍ଷତା ବିକାଶ
PG/PO ଗୁଡିକ ବ୍ୟବସାୟରେ ଦୃଢ଼ ହେବାକୁ ପଡ଼ିବ, ଯେମିତି କି ବଜାର ସୁଯୋଗ, କ୍ରେତା ଆବଶ୍ୟକତା, ଓ ମୂଲ୍ୟରେ ପ୍ରଶିକ୍ଷଣ, ବ୍ୟବସାୟିକ ବିପଦ ବୁଝିବା, ଓ ସଂଗଠନ ଗଠନ ତଥା ବ୍ୟବସାୟିକ ଜ୍ଞାନ ରଖିଥିବା ବ୍ୟକ୍ତି ବିଶେଷଙ୍କ ସହଯୋଗ ନେବାରେ ମନୋନିବେଶ କରିବେ।
ପୁଞ୍ଜି ସଂଗ୍ରହ
ସଦସ୍ୟଙ୍କ ଅଂଶଧନ ବ୍ୟବସାୟର ମୂଳ ଶକ୍ତି। ଅଂଶଧନକୁ ପ୍ରାଥମିକତା ଦିଆଯିବା ଦରକାର। ସଦସ୍ୟମାନେ ନିଜର ଅର୍ଥ ବ୍ୟବସାୟରେ ନିବେଶ କରିବା ଦରକାର। କାର୍ଯ୍ୟକାରୀ ପୁଞ୍ଜି ପାଇଁ ଋଣ, ଅନୁଦାନ, ସବସିଡ଼ି ସହାୟକ ଭାବେ ବ୍ୟବହାର କରିବା ଆବଶ୍ୟକ।
ଶକ୍ତିଶାଳୀ ଆଭ୍ୟନ୍ତରୀଣ ଶାସନ ବ୍ୟବସ୍ଥା
ଏଯାବତ୍, ଉକ୍ତ ସଂଗଠନ ଗୁଡିକରେ ଦାୟିତ୍ଵ ବଣ୍ଟନ ଓ ସିଦ୍ଧାନ୍ତ ନେବାର ପ୍ରକ୍ରିୟା ସ୍ପଷ୍ଟ ନୁହେଁ। ସାଧାରଣ ପରିଷଦ, ବୋର୍ଡ ତଥା କର୍ମଚାରୀ -ସମସ୍ତଙ୍କର ଭୂମିକା ଓ ଦାୟିତ୍ୱ ସ୍ପଷ୍ଟ ହେବା ଆବଶ୍ୟକ। ଋଣ, ବ୍ୟବସାୟିକ କାରବାର, ଲାଭ/କ୍ଷତି ସବୁ ସଦସ୍ୟଙ୍କୁ ସ୍ପଷ୍ଟ କରିବା ଦରକାର। ଉତ୍ତରଦାୟିତ୍ଵ ବ୍ୟବସ୍ଥା ସୁଦୃଢ଼ କରିବାକୁ ପଡିବ।
ବଜାର ଓ ବ୍ୟବସାୟ ପରିବେଶ ସହିତ ସଂଯୋଗ
PG/PO ଏକାକୀ ଚାଲିପାରିବ ନାହିଁ। ସରକାରୀ ସୁବିଧା (ORMAS, OLM, NABARD schemes) ସହିତ ସମ୍ପର୍କ ବୃଦ୍ଧି ହେବ ଦରକାର। କ୍ରେତା, ବ୍ୟବସାୟୀ, ରପ୍ତାନୀକାରୀ, ପ୍ରକ୍ରିୟାକରଣକାରୀମାନଙ୍କ ସହିତ ସମ୍ପର୍କ / ଯୋଗାଯୋଗ ସ୍ଥାପନ ଜରୁରୀ। ପରିବହନ, ଗଚ୍ଛିତକରଣ, ପ୍ରକ୍ରିୟାକରଣ, ପ୍ୟାକିଂ ଭିତ୍ତିଭୂମିର ବିକାଶ କରିବାକୁ ହେବ।
ଉପରୋକ୍ତ ସଂଗଠନଗୁଡିକର ଦୀର୍ଘକାଳୀନ ସ୍ଥିରତା ପାଇଁ ନିମ୍ନଲିଖିତ ଦିଗରେ ପ୍ରୟାସ କରିବାର ଆବଶ୍ୟକତା ଏବେ ବି ଅନୁଭୂତ ହେଉଛି: ଏକ ପାରଦର୍ଶୀ ଶାସନ ବ୍ୟବସ୍ଥାର ବିକାଶ, ସଦସ୍ୟମାନଙ୍କ ମଧ୍ୟରେ ସ୍ପଷ୍ଟ ଦାୟିତ୍ୱ ବଣ୍ଟନ, ସିଦ୍ଧାନ୍ତ ନେବାରେ ସମସ୍ତଙ୍କର ଭାଗୀଦାରି, ସଂଗଠନର କାମ ସମ୍ପର୍କରେ ସଚେତନତା।
ଉପସଂହାର
ଯେତେବେଳେ ଗୋଷ୍ଠୀ ଗୁଡିକ ନିଜର ସମୟ, ପରିଶ୍ରମ ଓ ଅର୍ଥ PG/POରେ ନିବେଶ କରନ୍ତି, ସେତେବେଳେ ଏହା କେବଳ “ଏକ ଗୋଷ୍ଠୀ” ନୁହେଁ, ବରଂ ନିଜର ଏକ ବ୍ୟବସାୟିକ ସଂସ୍ଥା ହୋଇଯାଏ। ତେଣୁ, ବୁଝିବା ଆଉ ମନେ ରଖିବା ଦରକାର ଯେ PG/PO ହେଉଛି ସଦସ୍ୟମାନଙ୍କର ନିଜସ୍ଵ ବ୍ୟବସାୟ ପ୍ରତିଷ୍ଠାନ, NGO/ସରକାର ହେଉଛନ୍ତି ସହାୟକ/ସହଯୋଗୀ ଅନୁଷ୍ଠାନ, ଏବଂ ସଦସ୍ୟମାନେ ହେଉଛନ୍ତି ମାଲିକ।
ସଠିକ୍ ଧାରଣା, ସଠିକ୍ ପ୍ରଶିକ୍ଷଣ ଓ ସଠିକ୍ ପ୍ରୟାସ ଦ୍ୱାରା, ଭବିଷ୍ୟତରେ PG/PO ଗୁଡିକ ଦୃଢ଼, ସ୍ୱାଧୀନ ଓ ଲାଭଜନକ ସଂଗଠନ ହୋଇପାରିବ।









