ଜଙ୍ଗଲ, ଜୀବିକା ଓ ବନବାସୀ: ଓଡ଼ିଶାରେ ଲଘୁ ବନଜାତ ଦ୍ରବ୍ୟ ନିର୍ଭରଶୀଳତାର ଏକ ଅଧ୍ୟୟନ

ନିବେଦିତା ପଣ୍ଡା

କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହରେ : ପ୍ରଣତି ସାହୁ, ଶୁଭଶ୍ରୀ ମିଶ୍ର, ସସ୍ମିତା ଟୁଡ଼ୁ, ମୌସୁମୀ ପ୍ରଧାନ

ଓଡ଼ିଶାର ବିଭିନ୍ନ ସମୁଦାୟଙ୍କ ଜୀବନରେ ଜଙ୍ଗଲ ଏକ କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ବିଶେଷ କରି ଆଦିବାସୀ ଓ ବନନିବାସୀ  ପାଇଁ ଏହି ପରିବେଶ ସମ୍ବଳର ଗନ୍ତାଘର ହେବା ସହ ସାଂସ୍କୃତିକ ଭୂଖଣ୍ଡ ଓ ଜୀବନଜୀବିକାର ଏକ ମୁଖ୍ୟ ଉତ୍ସ ଭାବେ ଉଭା ହୋଇଆସିଛି। ଏସବୁ ବିଭିନ୍ନ ସମ୍ପର୍କର ମେରୁଦଣ୍ଡ ହେଉଛି ଲଘୁ ବନଜାତ ଦ୍ରବ୍ୟ ଯାହା ଖାଦ୍ୟ, ସ୍ୱାସ୍ଥ୍ୟ ଓ ଆୟର ନିରାପତ୍ତାକୁ ସୁନିଶ୍ଚିତ କରିଥାଏ। ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ, ବୃକ୍ଷରୁ ଜାତ ସମସ୍ତ ଅଣ-କାଷ୍ଠ ଉତ୍ପାଦ ଯେପରି- ବାଉଁଶ, ଝାଟି, କାଠି, ବେତ, ଟସର, ମହୁ, ମହମ, ଔଷଧୀୟ ଗୁଳ୍ମ ଏବଂ ଅନ୍ୟାନ୍ୟ ଉତ୍ପାଦ ହେଉଛି ଲଘୁ ବନଜାତ ଦ୍ରବ୍ୟର ଅନ୍ତର୍ଭୁକ୍ତ। ଏହି ସମସ୍ତ ଉତ୍ପାଦ ହେଉଛି ଜଙ୍ଗଲ ଉପରେ ନିର୍ଭର କରୁଥିବା ପରିବାରମାନଙ୍କର ପ୍ରମୁଖ ଜୀବିକା ଓ ନଗଦ ଆୟର ଉତ୍ସ।

ଏହି ନିର୍ଭରଶୀଳତାର ମାପ ଓ ଗଭୀରତାକୁ ବୁଝିବା ପାଇଁ, ବସୁନ୍ଧରା ସଂଗଠନ ଓଡ଼ିଶାର ପାଞ୍ଚଟି ଜଙ୍ଗଲସମୃଦ୍ଧ ଜିଲ୍ଲା ମୟୂରଭଞ୍ଜ, ଦେବଗଡ଼, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରେ ଲଘୁ ବନଜାତ ଦ୍ରବ୍ୟର ବିବରଣୀଗତ ଅନୁଧ୍ୟାନ କରିଥିଲା। ଏହି ଅଧ୍ୟୟନରେ ମୋଟ ୩,୦୦୦ ଗ୍ରାମକୁ ସର୍ବେକ୍ଷଣ କରିବା ପାଇଁ ଲକ୍ଷ୍ୟ ରହିଛି। ଏଥିରୁ ବର୍ତ୍ତମାନ ୨,୬୨୯ଟି ଗ୍ରାମରେ ସର୍ଭେ ଶେଷ ହୋଇସାରିଛି। ପ୍ରାରମ୍ଭିକ ତଥ୍ୟ ଏହା ଦର୍ଶାଇଛି ଯେ ଳଘୁ ବନଜାତ ଦ୍ରବ୍ୟଗୁଡ଼ିକ ଜୀବିକାକୁ ଦୀର୍ଘସ୍ଥାୟୀ କରିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିଛି।

 

ଅଧ୍ୟୟନର କ୍ଷେତ୍ର

ସର୍ବେକ୍ଷଣରେ ଏଯାବତ୍ ୫ଟି ଜିଲ୍ଲାରେ ୪୧ଟି ବ୍ଲକ୍‌, ୨୯୪ଟି ଗ୍ରାମ ପଞ୍ଚାୟତ ଓ ୨,୬୨୯ଟି ଗ୍ରାମକୁ ଅନୁଧ୍ୟାନ କରାଯାଇଛି। ମୋଟ ୨,୮୦,୯୧୭ଟି ପରିବାରର ସର୍ବେକ୍ଷଣ କରାଯାଇଛି। ଏଥିରୁ ୧୮,୬୫୭ଟି ପରିବାରକୁ ବିସ୍ତୃତ ତଥ୍ୟ ସଂଗ୍ରହ ପାଇଁ ଚୟନ କରାଯାଇଛି। ନୀତି ନିର୍ମାଣ କରିବା, ପୂର୍ବ ଧାରଣାଗୁଡ଼ିକୁ ଭାଙ୍ଗିବା ପାଇଁ ଏକ ବିଶ୍ୱସନୀୟ ଜ୍ଞାନ ଓ ଧାରଣାର ଆଧାର ତିଆରି କରିବା ସହ ବିଭିନ୍ନ ଭୂଭାଗରେ ଜଙ୍ଗଲ ଉପରେ ନିର୍ଭରଶୀଳତାର ପରିମାଣକୁ ସାମ୍ନାକୁ ଆଣିବା ପାଇଁ ଏହି ସର୍ବେକ୍ଷଣ କରଯାଉଛି।

ଲଘୁ ବନଜାତ ଦ୍ରବ୍ୟ (ଏମ୍‌ଏଫ୍‌ପି)ର ବିବରଣୀ ସର୍ବେକ୍ଷଣର ଉଦ୍ଦେଶ୍ୟ ହେଉଛି ଏହା ଉପରେ ବ୍ୟାପକ ଗ୍ରାମସ୍ତରୀୟ ତଥ୍ୟଆଧାର ପ୍ରସ୍ତୁତ କରି ଏମ୍‌ଏଫ୍‌ପିର ତଥ୍ୟ ବା ସୂଚନାର ଯେଉଁ ଅଭାବ ରହିଛି, ତାହାକୁ ପୂରଣ କରିବା। ଓଡ଼ିଶାର ଆଦିବାସୀ ସମୁଦାୟ ଲଘୁ ବନଜାତ ଦ୍ରବ୍ୟ ଉପରେ ଅଧିକ ନିର୍ଭରଶୀଳ। କିନ୍ତୁ ତଥ୍ୟ ଓ ସୂଚନାର ଅଭାବ କାରଣରୁ ଜୀବିକା ଓ ଅର୍ଥନୈତିକ ସମୃଦ୍ଧି ସୀମିତ ହୋଇଯିବା ସହ ଏମ୍‌ଏଫ୍‌ପି କ୍ଷେତ୍ରର ବିକାଶ ପାଇଁ ନୀତି ନିର୍ଦ୍ଧାରଣ କରିବା ମଧ୍ୟ ସଠିକ ଭାବେ ହୋଇପାରୁ ନାହିଁ। ଏହି ସର୍ବେକ୍ଷଣରୁ  ଯେଉଁ ବିସ୍ତୃତ ବିବରଣୀ ସଂଗ୍ରହ କରାଯାଇଛି , ତାହା ନିମ୍ନରେ ପ୍ରଦାନ କରାଯାଇଛି

– ଲଘୁ ବନଜାତ ଦ୍ରବ୍ୟର ପ୍ରକାର ଓ ତାହାର ଋତୁକାଳୀନ ସ୍ଥିତି

– ପାରିବାରିକ ବ୍ୟବହାର ଓ ବିକ୍ରିର ପରିମାଣ

– ଉପଲବ୍ଧ ଥିବା ଆନୁଷ୍ଠାନିକ ସହାୟତା

– ବିଗତ ୫ ବର୍ଷ ଭିତରେ ଲଘୁ ବନଜାତ ଦ୍ରବ୍ୟର ଉପଲବ୍ଧତା ଓ ଗୁଣାତ୍ମକ ମାନରେ ପରିବର୍ତ୍ତନ। ପରିମାଣ ବଢ଼ିଛି ନା କମିଛି, ଗୁଣାତ୍ମକ ମାନ ନିକୃଷ୍ଟ ହେଉଛି, ଉତ୍କୃଷ୍ଟ ହେଉଛି କିମ୍ବା ସମାନ ରହିଛି, ତାହା ମଧ୍ୟ ସର୍ବେକ୍ଷଣ କରାଯାଇଛି।

ଲଘୁ ବନଜାତ ଦ୍ରବ୍ୟର ନିର୍ଭରଶୀଳତା: ପରିସଂଖ୍ୟାନ  ଯାହା କହୁଛି

ଓଡ଼ିଶାର ବହୁଳ ଭାଗରେ ଗ୍ରାମୀଣ  ପରିବାର ଗୁଡିକ  ଜୀବିକା ଓ ଦୈନନ୍ଦିନର ଆବଶ୍ୟକତା ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି। ରାଜ୍ୟରେ ଏହାର ସଠିକ୍ ପ୍ରତିଶତ ଜଣାନଥିଲେ ମଧ୍ୟ କେତେକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ରାଜ୍ୟର ୪୦ ପ୍ରତିଶତ ଆଦିବାସୀ ଓ ଅଣ-ଅଦିବାସୀ ଯେଉଁମାନେ ଜଙ୍ଗଲ ଉପରେ ନିର୍ଭରଶୀଳ, ସେମାନେ ପ୍ରମୁଖ ଭାବେ ଜୀବିକା ଓ ଦୈନନ୍ଦିନ ଆବଶ୍ୟକତା ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି।

ବସୁନ୍ଧରା ଦ୍ୱାରା ହୋଇଥିବା ଏମ୍‌ଏଫ୍‌ପି ସର୍ଭେକ୍ଷଣରୁ ଜଣାପଡ଼ିଛି ଯେ ଅନୁଧ୍ୟାନ ହୋଇଥିବା ଅଞ୍ଚଳର ଏକ ବୃହତ୍ ଭାଗ ପରିବାର ସିଧାସଳଖ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି। ମୋଟ ୨,୮୦,୯୧୭ ପରିବାର ମଧ୍ୟରୁ ୨,୦୮,୦୩୮ଟି ପରିବାର (ପ୍ରାୟ ୭୪%) ପ୍ରତ୍ୟକ୍ଷ ଭାବେ ଅଣ-କାଠଜନିତ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଏଥିରୁ ୧,୫୮,୪୫୩ଟି ହେଉଛନ୍ତି ଅନୁସୂଚିତ ଜନଜାତି ପରିବାର, ଯାହା ଜନଗଣନା ଅନୁଯାୟୀ ମୋଟ ଅନୁସୂଚିତ ଜନଜାତି ପରିବାର (୬,୩୮,୧୬୮)ର ପ୍ରାୟ ୨୫ ପ୍ରତିଶତ।

ଜନସଂଖ୍ୟା ଭିତ୍ତିରେ ୧୧,୬୮,୨୧୮ ଜଣ ଲୋକଙ୍କର ସର୍ବେକ୍ଷଣ କରାଯାଇଥିଲା, ଯେଉଁମାନେ ପ୍ରତ୍ୟକ୍ଷଭାବେ ଅଣକାଠ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଏହି ତଥ୍ୟଗୁଡ଼ିକ ଏହା ଦର୍ଶାଉଛି ଯେ ବନନିବାସୀ  ଏବଂ ବିଶେଷକରି ଜନଜାତି ପରିବାରଗୁଡ଼ିକ ବିଷମତାପୂର୍ଣ୍ଣ ଭାବରେ ଜଙ୍ଗଲଜାତ ଅଣକାଠ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି। ଏହା ସେମାନଙ୍କର ଆର୍ଥିକ ଅସୁରକ୍ଷା ଏବଂ ପରିବେଶଗତ ସହନଶୀଳତାର ପ୍ରତି ଦୃଷ୍ଟି ଆକର୍ଷଣ କରୁଛି।

କ୍ଷେତ୍ରସ୍ତରରୁ ଗୋଷ୍ଠୀ ସମୁଦାୟର ମତ

ଆଦିବାସୀ ସମୁଦାୟ ଜଙ୍ଗଲ ଓ ଲଘୁ ବନଜାତ ଦ୍ରବ୍ୟର ବହୁମୁଖୀ ଦିଗକୁ ଜୋର୍ ଦେଇଛନ୍ତି।

 “ଆମ ପାଇଁ ଜଙ୍ଗଲ ଓ ଜୀବନ ଅଲଗା ନୁହେଁ। ଆମେ ଯେଉଁ ପତ୍ର ତୋଳୁ, ଯେଉଁ ମହୁଲ ଶୁଖାଉ, ଯେଉଁ ଶାଳ ମଞ୍ଜି ବିକୁ, ସେଥିରେ ଆମ ଘର ଚଳେ।” – କନ୍ଧମାଳର ଜଣେ ମହିଳା ଏହା କହିଛନ୍ତି।

 “ପୂର୍ବରୁ ଆମେ ସ୍ୱାଧୀନ ଭାବରେ ସଂଗ୍ରହ କରୁଥିଲୁ। ଏବେ ଜଙ୍ଗଲ ବଦଳିବାରେ ଲାଗିଛି। ଜଙ୍ଗଲ ନିଆଁ, ସରକାରୀ କଟକଣା ଓ ଦଲାଲମାନେ ଆମ ରୋଜଗାରକୁ ପ୍ରଭାବିତ କରୁଛନ୍ତି।” – ମୟୂରଭଞ୍ଜର ଜଣେ ଯୁବକ ଏହା କହିଛନ୍ତି।

“ଜଙ୍ଗଲ ଆମର ଦେବତା। ଆମେ ଏହାର ସଂରକ୍ଷଣ କରୁଛୁ, ଟଙ୍କା ପାଇଁ ନୁହେଁ, ବରଂ ଆମର ପରମ୍ପରା ଓ ସହାବସ୍ଥାନ ପାଇଁ।” ସମ୍ବଲପୁରରେ ବରିଷ୍ଠ ନାଗରିକମାନେ ଜଙ୍ଗଲର ଏଭଳି ସାଂସ୍କୃତିକୁ ଗୁରୁତ୍ୱକୁ ଦର୍ଶାଇଥିଲେ।

ସେମାନଙ୍କର ଏହି କଥା ସବୁ ପ୍ରମାଣ କରୁଛି ଯେ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳତା କେବଳ ଆର୍ଥିକ ଭାବେ ନୁହେଁ, ବରଂ ସାମାଜିକ, ସାଂସ୍କୃତିକ ଓ ପରିବେଶଜନିତ ଭାବେ ମଧ୍ୟ ଏହାର ଗୁରୁତ୍ୱ ରହିଛି।

ଉପୁଜୁଥିବା ଆହ୍ୱାନ

ଦୃଢ଼ ନିର୍ଭରଶୀଳତ ଥିବା ସତ୍ତ୍ୱେ ମଧ୍ୟ ସମୁଦାୟଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି:

୧. ନୀତିଗତ ଫାଙ୍କ: ଜଙ୍ଗଲ ଅଧିକାର ଆଇନ ଯଦିଓ ଲଘୁ ବନଜାତ ଦ୍ରବ୍ୟ ଉପରେ ମାଲିକାନାକୁ ସ୍ୱୀକୃତି ଦେଉଛି; କିନ୍ତୁ କ୍ଷେତ୍ରସ୍ତରରେ ଏହି ଅଧିକାରଗୁଡ଼ିକର ପ୍ରୟୋଗ କଟକଣାଯୁକ୍ତ ରହିଛି। ଲଘୁ ବନଜାତ ଦ୍ରବ୍ୟ ଓ ପରିବହନ ଅନୁମତି ପାଇଁ ଥିବା ନିୟମରେ ଶିଥିଳତାରୁ ଜଣାପଡ଼ୁଛି ଯେ ନୀତିଗତ ଭାବେ ଯଥେଷ୍ଟ ପଦକ୍ଷେପର ଅଭାବ ରହିଛି।

୨. ବଜାର ଅସ୍ଥିରତା: ଜଙ୍ଗଲଜାତ ଦ୍ରବ୍ୟର ଦାମ ଅସ୍ଥିର ଓ ଅଧିକାଂଶ ସମୟରେ ଦଲାଲମାନେ ଏହାକୁ ନିୟନ୍ତ୍ରଣ କରନ୍ତି।

୩. ଜଙ୍ଗଲ ହ୍ରାସ: ଜଙ୍ଗଲ ନିଆଁ, ବାହାରୁ ଆସୁଥିବା ବାହ୍ୟ ପ୍ରଜାତିର ବୃକ୍ଷ ରୋପଣ (ଯାହାକୁ ପ୍ରତିରୋଧ କରିବା ସ୍ଥାନୀୟ ଗ୍ରାମବାସୀଙ୍କଦ୍ଵାରା ସମ୍ଭବ ହେଉନାହିଁ  )  ଓ ଜଳବାୟୁ ଚାପ ଯୋଗୁଁ ଜଙ୍ଗଲ ଓ ବନଜାତ ଦ୍ରବ୍ୟର ଉପଳବ୍ଧତା ପ୍ରତି ସଙ୍କଟ ସୃଷ୍ଟି ହୋଇଛି।

୪. ସୀମିତ ମୂଲ୍ୟଯୁକ୍ତ, ପ୍ରକ୍ରିୟାକରଣ ଓ ସଂରକ୍ଷଣ: ଅଧିକାଂଶ ଉତ୍ପାଦ କଞ୍ଚା  ଆକାରରେ ବିକ୍ରି ହୋଇଯାଏ। ଫଳରେ ଏହା ଅଧିକ ଆୟର  ସୁଯୋଗ ହରାଉଛି। ବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣର ସୁଯୋଗ ଏହାକୁ ମୂଲ୍ୟଯୁକ୍ତ କରିପାରନ୍ତା।

୫. ତଥ୍ୟ ଓ କ୍ଷମତାରେ ବ୍ୟବଧାନ: ଉପାନ୍ତ ଗ୍ରାମଗୁଡ଼ିକରେ ସଠିକ୍ ତଥ୍ୟ ସଂଗ୍ରହ କରିବା ଏକ କାଠିକର ପାଠ। ବିଶେଷକରି ଜୀବିକା ଓ ଗୋଷ୍ଠୀ ଉଦ୍ୟୋଗ ବିକାଶ ଦୃଷ୍ଟିରୁ ତଥ୍ୟ ସଂଗ୍ରହ କରିବାରେ ଅନେକ ଆହ୍ୱାନ ରହିଛି।

ନୀତିଗତ ସୁପାରିଶ

. ଲଘୁ ବନଜାତ ଦ୍ରବ୍ୟର ନିୟନ୍ତ୍ରଣମୁକ୍ତି:

ଲଘୁ ବନଜାତ ଦ୍ରବ୍ୟକୁ ନିୟନ୍ତ୍ରଣମୁକ୍ତ କରିବା ପାଇଁ ନୀତି ତ୍ୱରିତ ହେବା ଜରୁରୀ। ଯାହା ଫଳରେ ଜଙ୍ଗଲ ଅଧିକାର ହିତାଧିକାରୀ ଏବଂ ଗ୍ରାମସଭା ହିଁ ଲଘୁ ବନଜାତ ଦ୍ରବ୍ୟର ମାଲିକାନା ଉପରେ ଅଧିକ ପ୍ରଭାବୀ ଭାବରେ କାମ କରିପାରିବେ।

୨. ଗୋଷ୍ଠୀଗତ ଜଙ୍ଗଲ ଅଧିକାର ମାନ୍ୟତା ଓ ପରିଚାଳନାକୁ ସୁଦୃଢ଼ କରିବା:

ଗୋଷ୍ଠୀ ଜଙ୍ଗଲ ଅଧିକାର ଅଧୀନରେ ଯେଉଁ ସମ୍ପ୍ରଦାୟଗୁଡ଼ିକ ଜଙ୍ଗଲ ପରିଚାଳନା କରୁଛନ୍ତି, ସେମାନଙ୍କୁ ବୈଷୟିକ ଓ ଆର୍ଥକ ସହାୟତା ଦିଆଯିବା ଉଚିତ୍‌। ଲଘୁ ବନଜାତ ଦ୍ରବ୍ୟ ଉପରେ ମାଲିକାନାକୁ ଅଧିକ ପ୍ରଭାବଶାଳୀ ଭାବେ ଗ୍ରାମସଭା କାର୍ଯ୍ୟ କରିବା ଆବଶ୍ୟକ।

୩. ଗୋଷ୍ଠୀ ଆଧାରିତ ଉଦ୍ୟୋଗକୁ ପ୍ରୋତ୍ସାହନ:

ଗୋଦାମଘର ପ୍ରକ୍ରିୟାକରଣ ୟୁନିଟ୍‌, ଶୀତଳ ଭଣ୍ଡାର ଏବଂ ଜଙ୍ଗଲଜାତ ଅଣ-କାଠ ଉତ୍ପାଦ (ଶାଳପତ୍ର ଖଲି, ତେନ୍ତୁଳୀ, ମହୁଲ ଫୁଲ, ମହୁ)ର ପ୍ରକ୍ରିୟାକରଣରେ ନିବେଶ କରିବା ଦ୍ୱାରା ରୋଜଗାର ବୃଦ୍ଧି ହେବା ସହ ଦଲାଲଙ୍କ ଶୋଷଣ ମଧ୍ୟ ହ୍ରାସ ପାଇପାରିବ।

୪. ଉପଯୁକ୍ତ ବଜାର ସଂଯୋଗ:

ଲଘୁ ବନଜାତ ଦ୍ରବ୍ୟ ଯୋଜନାରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସହ କ୍ରୟକୁ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ସ୍ଥାନୀୟ ବଜାର ହେବା ଦ୍ୱାରା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କୁ ଏହା ଅଧିକ ଲାଭ ଦେବ।

୫. ଜଳବାୟୁ ସହନଶୀଳ କରିବା:

ଗୋଷ୍ଠୀ ପରିଚାଳିତ ଜଙ୍ଗଲ ନିଆଁକୁ, ପରିବେଶଗତ ପୁନଃସ୍ଥାପନ ଏବଂ ଜଳବାୟୁ ସହନଶୀଳ ଜୀବିକା ଯୋଜନା ଦ୍ୱାରା ଜଙ୍ଗଲଜାତ ଅଣକାଠ ଉତ୍ପାଦ (ଏନ୍‌ଟଏଫ୍‌ପି)ର ଉପଲବ୍ଧତାକୁ  ସୁରକ୍ଷା ଦିଆଯାଇପାରିବ।

୬. ମହିଳାଙ୍କ ନିଯୁକ୍ତିକୁ ଆନୁଷ୍ଠାନିକ କରିବା:

ମହିଳାମାନେ ହିଁ ହେଉଛନ୍ତି ଜଙ୍ଗଲଜାତ ଅଣକାଠ ଉତ୍ପାଦର ପ୍ରମୁଖ ସଂଗ୍ରହକାରୀ । ଜଙ୍ଗଲ ପରିଚାଳନା, ଉଦ୍ୟୋଗ ପରିଚାଳନା ଏବଂ ନିଷ୍ପତ୍ତି ନେବା ଦିଗରେ ସେମାନଙ୍କର ସକ୍ରିୟ ଭାଗୀଦାରୀକୁ ସ୍ୱୀକୃତି ଦିଆଯିବା ଉଚିତ୍‌।

୭. ସମ୍ବଳ ପରିଚାଳନାରେ ଲଘୁ ବନଜାତ ଦ୍ରବ୍ୟର ତଥ୍ୟକୁ ସାମିଲ କରିବା:

ଗ୍ରାମସଭାଗୁଡ଼ିକୁ ଲଘୁ ବନଜାତ ଦ୍ରବ୍ୟର ବିବରଣୀଗତ ତଥ୍ୟ ପ୍ରଦାନ କରିବା, ଗୋଷ୍ଠୀ ଜଙ୍ଗଲ ସମ୍ପଦ ପରିଚାଳନା ଯୋଜନାରେ ଏହାକୁ ଯୋଡ଼ିବା ଦ୍ୱାରା ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସଶକ୍ତ ହେବେ। ସୂଚନା ସହ ବିଧିବଦ୍ଧ ନିଷ୍ପତ୍ତି ନେବାରେ ଏହା ସେମାନଙ୍କୁ ସହାୟକ ହେବା ସହ ସଂରକ୍ଷଣ ଓ ଆର୍ଥିକ ଲାଭକୁ ଏହା ସୁନିଶ୍ଚିତ କରିପାରିବ।

ଜଙ୍ଗଲ ନିର୍ଭରଶୀଳ ଗ୍ରାମବାସୀଙ୍କ ଦ୍ଵାରା ସେମାନଙ୍କର ଗୋଷ୍ଠୀଗତ ଅଧିକାର ପାଇଥିବା ଜଙ୍ଗଲର ସମ୍ବଳ ଆକଳନ ସେମାନଙ୍କୁ ଜଙ୍ଗଲ ସମ୍ପଦ ଉପରେ ଏକ ସଠିକ୍ ବିବରଣୀ ଦେଇପାରିବ। ଏହା ସେମାନଙ୍କର ଆତ୍ମବଳକୁ ସୁଦୃଢ କରିବା ସହିତ ଆର୍ଥିକ ଲାଭର ସମ୍ୟକ୍ ଧାରଣା ଦେଇପାରିବ।

ନ୍ୟାୟସଙ୍ଗତ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ଆଡ଼କୁ ରାସ୍ତା:

ସର୍ବେକ୍ଷଣ ଓ ଲଘୁ ବନଜାତ ଦ୍ରବ୍ୟର ବିବରଣୀ ଅଧ୍ୟୟନ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଜଙ୍ଗଲଜାତ ଅଣକାଠ ଉତ୍ପାଦ ହେଉଛି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନରେଖା। ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ଜଙ୍ଗଲ ଉପରେ କେବଳ ନିର୍ଭରଶୀଳ ନୁହନ୍ତି, ବରଂ ତାହାର ସଂରକ୍ଷଣ ପାଇଁ ମଧ୍ୟ ସେମାନଙ୍କର ଆବଶ୍ୟକତା ରହିଛି। ଅଧିକାର ସୁଦୃଢ଼ ହେବା, ଉତ୍ପାଦର ସଠିକ୍ ମୂଲ୍ୟ ସୁନିଶ୍ଚିତ ହେବା, ଗୋଷ୍ଠୀ ଆଧାରିତ ପରିଚାଳନାକୁ ସମର୍ଥନ ଦେବା ଦ୍ୱାରା ପରିବେଶଗତ ସ୍ଥାୟିତ୍ୱ ଏବଂ ଅର୍ଥନୈତିକ ନ୍ୟାୟ ତ୍ୱରାନ୍ୱିତ ହୋଇପାରିବ। ଏହି କ୍ରମରେ ଦେବଗଡ଼ର ଗୋଟିଏ ସମ୍ପ୍ରଦାୟର ନେତାଙ୍କ ସାରକଥା ହେଉଛି, “ଯଦି ଜଙ୍ଗଲ ବଞ୍ଚି ରହିବ, ତେବେ ଆମେ ମଧ୍ୟ ବଞ୍ଚିରହିବୁ। ଯଦି ଆମେ ବଞ୍ଚିବୁ, ତେବେ ଜଙ୍ଗଲ ମଧ୍ୟ ହସିବ, ବଢ଼ିବ।”

Nivedita Panda
ନିବେଦିତା ପଣ୍ଡା
Team Leader, Research and Documentation Team at  |  + posts

ନିବେଦିତା ପଣ୍ଡା ଜଣେ ଗବେଷିକା। ସେ ବସୁନ୍ଧରାରେ ଜଙ୍ଗଲ ଅଧିକାର, ଜଙ୍ଗଲ ଶାସନ, ଜୈବ ବିବିଧତା ସଂରକ୍ଷଣ, ପରିବେଶଗତ ନ୍ୟାୟ ଏବଂ ସମ୍ପ୍ରଦାୟ-ଭିତ୍ତିକ ପ୍ରାକୃତିକ ସମ୍ପଦ ପରିଚାଳନା ଉପରେ କାର୍ଯ୍ୟ କରନ୍ତି।

ଭଲ ଲାଗି ପାରେ

ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

ଜଙ୍ଗଲର ଅଣ-କୃଷି ଖାଦ୍ୟଦ୍ରବ୍ୟ:ଓଡ଼ିଶାରେ ଆଦିବାସୀଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଭୌମତ୍ୱର ଭଣ୍ଡାର

(ଲିଭିଂ ଫାର୍ମ ଦ୍ୱାରା ହୋଇଥିବା ୨୦୧୪ର ରିପୋର୍ଟ, ଦଶନ୍ଧି ପରେ ପୁନଃ ଅନୁଧ୍ୟାନ) ସଂକଳକ – ନିବେଦିତା ପଣ୍ଡା ଓଡ଼ିଶାରେ ରହିଛି ସବୁଜିମାଭରା...

read more
ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ବନ ଜୀବିକାର ସାଧନ  – ଓଡ଼ିଶା ଓ ମହାରାଷ୍ଟ୍ରରୁ ଶିକ୍ଷା

ପ୍ରଫେସର ଗୀତଞ୍ଜୟ ସାହୁ ସଂକଳକ - ନିବେଦିତା ପଣ୍ଡା ଭାରତର ଲକ୍ଷ ଲକ୍ଷ ବନବାସୀ ସମୁଦାୟଙ୍କ ଜୀବନରେଖା ହେଉଛି ଜଙ୍ଗଲ। ଅଣ-କାଠ ବନଜାତ...

read more
କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

କେନ୍ଦୁପତ୍ର ଏବଂ ଜନଜାତି ଅଧିକାର: କାହିଁକି କେନ୍ଦୁପତ୍ର ଉପରେ ଓଡ଼ିଶାକୁ ନିୟନ୍ତ୍ରଣମୁକ୍ତି ଆବଶ୍ୟକ

ବିସ୍ତୃତ ଜଙ୍ଗଲ ଅଞ୍ଚଳ ଏବଂ ଏକ ପର୍ଯ୍ୟାପ୍ତ ଆଦିବାସୀ ଜନସଂଖ୍ୟା ସହିତ ଜୈବ ବିବିଧତା ଏବଂ ଆଦିବାସୀମାନଙ୍କ ନିଆରା ଜୀବନଜୀବିକା ଅଭ୍ୟାସ...

read more
ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ଜଙ୍ଗଲ ଅଧିକାର ଆଇନ ପରିପ୍ରେକ୍ଷୀରେ ବୈପାରୀଗୁଡାରେ କେନ୍ଦୁପତ୍ର ଉପରେ ଅଧିକାର : ଏକ ଅନୁଶୀଳନ

ମାନବ ସଭ୍ୟତା କାଳରୁ ଆଦିବାସୀମାନେ ଜଙ୍ଗଲର ଶରଣାର୍ଥୀ ହୋଇ ବାସ କରିଆସୁଛନ୍ତି । ଜଙ୍ଗଲକୁ ନିଜର ଛାଇ କରି, ନିଜ ଜୀବନକୁ ପ୍ରାକୃତିକ ଶୋଭାରେ...

read more
କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜୀବନମାନରେ ବିକାଶ

ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି ।...

read more
ଜୀବିକାର ସୁରକ୍ଷାରେ ଗୋଷ୍ଠୀ ସଂଗଠନର ଆବଶ୍ୟକତା ଓ ଭୂମିକା

ଜୀବିକାର ସୁରକ୍ଷାରେ ଗୋଷ୍ଠୀ ସଂଗଠନର ଆବଶ୍ୟକତା ଓ ଭୂମିକା

କ୍ଷେତ୍ର ସ୍ତରରେ ବର୍ତ୍ତମାନ କାର୍ଯ୍ୟରତ ବସୁନ୍ଧରା କର୍ମୀ ଦୀପେନ୍ ଛତ୍ରିୟାଙ୍କ ଏହି ଆଲେଖ୍ୟ ରେ ବିଶେଷ ସହଯୋଗ ରହିଛି।ବ୍ୟବସାୟୀଙ୍କ...

read more