ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଜଙ୍ଗଲ ଉପରେ ନିଜର ଅଧିକାର ଦାବି କରିବା ପାଇଁ ଏକାଠି ହୋଇଛନ୍ତି । ଆଇନ୍ ଦ୍ଵାରା ଅନୁମୋଦିତ ଏହି ଅଧିକାର ଅନେକ ସମୟରେ ପ୍ରତ୍ୟାଖ୍ୟାନ କରାଯାଉଛି । ଜଙ୍ଗଲ ଅଧିକାର ଅଧୀନୟମ ଧାରା ୩ (୧) (ଗ ) ଅଧୀନରେ ଜଙ୍ଗଲରେ ବସବାସ କରୁଥିବା ସମ୍ପ୍ରଦାୟଗୁଡ଼ିକୁ ଜଙ୍ଗଲଜାତ ଉତ୍ପାଦର ସଂଗ୍ରହ, ବ୍ୟବହାର ଏବଂ ବିନିଯୋଗ କରିବାର ଅଧିକାର ପ୍ରଦାନ କରିଥାଏ । ଜଙ୍ଗଲ ଅଧିକାର ଆଇନ ସଂଶୋଧନ ନିୟମ, ୨୦୧୨ ଅଧୀନରେ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରୟ, ପ୍ରକ୍ରିୟାକରଣ, ସଂରକ୍ଷଣ, ବ୍ୟବହାର ଏବଂ ପରିବହନ ଆଦି ଅନ୍ତର୍ଭୁକ୍ତ ଅଟେ । ବନବିଭାଗ, ଗ୍ରାମସଭାଗୁଡ଼ିକର ଆଇନଗତ ଅଧିକାରକୁ ପ୍ରତିରୋଧ କରୁଥିବା ସତ୍ତ୍ୱେ, ପରିବହନ ଅନୁମତି (TP) ଦ୍ଵାରା ପ୍ରାଣୀତ ହୋଇଥିବା ନିୟମଗୁଡିକ ବନ ବିଭାଗ ଦ୍ଵାରା ଜାରି ନ କରାଯାଇ ଗ୍ରାମସଭା କିମ୍ବା ସେମାନଙ୍କର ଅଧିକୃତ କମିଟି ଦ୍ୱାରା ଜାରି କରାଯିବା ନିହାତି ଆବଶ୍ୟକ ।
ସମଗ୍ର ଓଡ଼ିଶାରେ କ୍ଷୁଦ୍ର ଜଙ୍ଗଲଜାତ ଉତ୍ପାଦ ଉପରେ ଅଧିକାର ପାଇଁ ବନ ବିଭାଗ ଏବଂ ବନବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଅନ୍ଦୋଳନ ଜାରି ରହିଛି । ପ୍ରାୟତଃ ପ୍ରତିଟି ଗ୍ରାମସଭା ଏହାର ବିରୁଦ୍ଧରେ ପ୍ରତିରୋଧ କରିବା ସହ ଦୃଢ ଭାବେ ନିଜର ଦାବି ଜଣାଉଛନ୍ତି । ଏହି ସଂଘର୍ଷରୁ ବାହାରୁ ଥିବା ନିଷ୍କର୍ଷ ଗ୍ରାମସଭା ଦ୍ୱାରା ପରିଚାଳିତ ଗୋଷ୍ଠୀ ଜଙ୍ଗଲ ପ୍ରଶାସନ ଏବଂ ସ୍ଥାୟୀ ଜଙ୍ଗଲ ପରିଚାଳନା ଏକ ନମୂନା ପ୍ରସ୍ତୁତ କରିଥାନ୍ତି, ଯାହା ଜଙ୍ଗଲରେ ବସବାସ କରୁଥିବା ସମ୍ପ୍ରଦାୟ ଉପଯୋଗ କରିବାଦ୍ଵାରା ତାହା ସେମାନଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଥାଏ ।
ଓଡ଼ିଶାର ବିଭିନ୍ନ ଅଣବିକଶିତ ଅଞ୍ଚଳ ମଧ୍ୟରେ ଆସୁଥିବା କଳାହାଣ୍ଡି ଜିଲ୍ଲାରେ ବିଗତ କିଛି ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାରେ ଦିନେ ଯେଉଁ ଗ୍ରାମସଭାଗୁଡ଼ିକ ନିଷ୍କ୍ରିୟ ସ୍ଥାନୀୟ ସଂସ୍ଥା ଭାବେ ବିବେଚିତ ହେଉଥିଲା, ଆଜି ତାହା ୨୦୦୬ ଐତିହାସିକ ଜଙ୍ଗଲ ଅଧିକାର ଆଇନ (FRA) ଅଧୀନରେ ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
କଳାହାଣ୍ଡି ଗ୍ରାମସଭା ମହାସଂଘ
ଜଙ୍ଗଲ ଅଧିକାର ଆଇନ (FRA), ୨୦୦୬ ଅନୁଯାୟୀ, କଳାହାଣ୍ଡି ଗ୍ରାମସଭା ମହାସଂଘ (KGSM), ଜିଲ୍ଲାର ଛଅଟି ବ୍ଲକରେ ସ୍ଥାୟୀ ଜଙ୍ଗଲଜାତ ଦ୍ରବ୍ୟ ମାଧ୍ୟମରେ ଜୀବିକା ସୃଷ୍ଟି କରି ଆଇନଧାରୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଏକ ଶକ୍ତିଶାଳୀ ସଂଘ ଭାବରେ କାର୍ଯ୍ୟ କରୁଛି । କେନ୍ଦୁପତ୍ର ଏବଂ ବାଉଁଶର ସ୍ଥାୟୀ ଅମଳକୁ ସୁଗମ କରି, ମହାସଂଘ କୋଟି କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିଛି, ଯାହା ସିଧାସଳଖ ଭାବେ ଲୋକଙ୍କ ପାଖରେ ପହଞ୍ଚିପାରିଛି। ଏହି ବ୍ୟବସ୍ଥା ଅଧୀନରେ କେନ୍ଦୁପତ୍ର ଏବଂ ବାଉଁଶର ରାଜସ୍ୱ ପ୍ରଥମେ ତୋଳାଳି ଏବଂ କଟାଳିଙ୍କ ପାଖରେ ପହଞ୍ଚିପାରୁଛି । ଉଦାହରଣ ସ୍ୱରୂପ, ୨୦୨୪ ବର୍ଷରେ ୫୦ ଟି କେନ୍ଦୁପତ୍ର ବିଡ଼ାର (ଦୁଇ କେରି) ମୂଲ୍ୟ ୭ ଟଙ୍କା ଥିଲା । ଯାହା କେନ୍ଦୁପତ୍ର ବିଭାଗ କିମ୍ବା ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ଦିଆଯାଇଥିବା ପରିମାଣର ଦୁଇଗୁଣଠାରୁ ଅଧିକ ଥିଲା । ଏଥିମଧ୍ୟରୁ, ସିଧାସଳଖ ୬ ଟଙ୍କା ତୋଳାଳିଙ୍କୁ ପାରିଶ୍ରମିକ ଭାବେ ପ୍ରଦାନ କରାଯିବା ସହ ବଳକା ୧ ଟଙ୍କା ବିକାଶ ଏବଂ ପରିଚାଳନା ଖର୍ଚ୍ଚ ପାଇଁ ଦିଆଯାଇଥିଲା । ଅଣକାଠ ବନ୍ୟଜାତ ଦ୍ରବ୍ୟ ବିକ୍ରୟ ପରିଚାଳନା ପାଇଁ ଗୋଷ୍ଠୀ ଜଙ୍ଗଲ ଅଧିକାର ପରିଚାଳନା କମିଟି (CFRMC) କୁ ୪୦ ପଇସା, ଜଙ୍ଗଲ ଏବଂ ଗୋଷ୍ଠୀ ବିକାଶ ପାଇଁ ଗ୍ରାମସଭା ବିକାଶ ପାଣ୍ଠିକୁ ୫୦ ପଇସା , ପରିଚାଳନା ଖର୍ଚ୍ଚ ପାଇଁ ବ୍ଲକକୁ ୫ ପଇସା ଏବଂ ଜିଲ୍ଲାସ୍ତରୀୟ ପରିଷଦଗୁଡ଼ିକୁ ୫ ପଇସା ଦିଆ ଯାଇଥିଲା ।
ମହିଳାମାନଙ୍କ ଜୀବନ ଜୀବିକା ସୁରକ୍ଷା ଦିଗରେ ଧ୍ୟାନ ଦେବା ହେଉଛି ଏହି ମହାସଂଘର ଏକ ପ୍ରମୁଖ ଉଦ୍ଦେଶ୍ୟ। ପରିଷଦ ଦ୍ୱାରା ଜାରି କରାଯାଇଥିବା ପରିଚୟ ପତ୍ର ସହିତ ୯୦୦୦ ରୁ ଅଧିକ ମହିଳା ତୋଳାଳିମାନେ ସଂଗ୍ରହ କରିବାର ମାତ୍ର ଗୋଟିଏରୁ ଦୁଇ ସପ୍ତାହ ମଧ୍ୟରେ ହାରାହାରି ୫୦୦୦ ଟଙ୍କା ରୋଜଗାର କରିଛନ୍ତି। ଯାହାଦ୍ଵାରା ମହିଳାମାନଙ୍କର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ହେବା ସହ ସେମାନେ ରୋଜଗାରକ୍ଷମ ହୋଇପାରିଛନ୍ତି ।
୨୦୨୩ ଏବଂ ୨୦୨୪ ମସିହାରେ କେନ୍ଦୁପତ୍ର ବ୍ୟବସାୟ ୧୫ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆଣିଥିଲା। ଯାହାଦ୍ଵାରା ୨୦୨୩ ମସିହାରେ ୭୮ ଟି ଗ୍ରାମର ୭,୦୦୦ ରୁ ଅଧିକ ପରିବାର ଏବଂ ୨୦୨୪ ମସିହାରେ ୭୫ ଟି ଗ୍ରାମର ୭,୦୦୦ ରୁ ଅଧିକ ପରିବାର ବେଶ୍ ଲାଭବାନ୍ ହୋଇପାରିଥିଲେ । କଳାହାଣ୍ଡି ଗ୍ରାମସଭା ମହାସଂଘ (KGSM) ବ୍ୟବସାୟକୁ ବ୍ୟାପକ କରିବା ସହ କ୍ରୟ କ୍ଷମତାକୁ ସୁଦୃଢ଼ କରି ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଦାଦନ ସମସ୍ୟାକୁ ମଧ୍ୟ ହ୍ରାସ କରିଛି। ଲାଞ୍ଜିଗଡ଼, ମଦନପୁର ରାମପୁର ଏବଂ କୋକସରା ବ୍ଲକର ବିଭିନ୍ନ ଗ୍ରାମଗୁଡ଼ିକରେ ଯୁବପିଢୀମାନେ ଏବେ ଘରେ ରହି ପରିବାର ପ୍ରତିପୋଷଣ ଏବଂ ସ୍ଥାୟୀ ଜଙ୍ଗଲ ପରିଚାଳନା କରିବାକୁ ସକ୍ଷମ ହୋଇଛନ୍ତି ଓ ତାହାକୁ ଗୁରୁତ୍ଵ ଦେଉଛନ୍ତି ।
କଳାହାଣ୍ଡି ଗ୍ରାମସଭା ମହାସଂଘର ସଫଳତା
ଓଡିଶାର କଳାହାଣ୍ଡି ଜିଲ୍ଲାରେ ଗୋଷ୍ଠୀ ନେତୃତ୍ୱାଧୀନ ଜଙ୍ଗଲ ପ୍ରଶାସନର ପ୍ରଗତିଶୀଳ ଯାତ୍ରା ବେଶ୍ ପ୍ରଶଂସାନୀୟ ।
୨୦୧୦: ସବ-ଡିଭିଜନାଲ ସ୍ତରୀୟ କମିଟି ଦ୍ୱାରା କଳାହାଣ୍ଡି ଜିଲ୍ଲାର ଗ୍ରାମସଭାକୁ ୧୧୦ ଗୋଷ୍ଠୀ ଜଙ୍ଗଲ ଅଧିକାର (CFR) ସ୍ଵୀକୃତି ପ୍ରଦାନ କରାଯାଇଥିଲା ।
୧୬ ଜୁଲାଇ ୨୦୧୨: ଜାମୁଗୁଡ଼ା ଗ୍ରାମସଭା ଗୋଷ୍ଠୀ ଜଙ୍ଗଲ ଅଧିକାର ଅଧୀନରେ ପ୍ରଥମ ଥର ପାଇଁ ବାଉଁଶ ଅମଳ କରାଯାଇଥିଲା ।
୩ ମାର୍ଚ୍ଚ ୨୦୧୩: ରାଜ୍ୟ ଦ୍ୱାରା ଜାମୁଗୁଡ଼ା ଗ୍ରାମସଭାକୁ ପ୍ରଦାନ କରାଯାଇଥିବା ପରିବହନ ଅନୁମତି (ବନ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା) ମାଧ୍ୟମରେ ପ୍ରଥମ ଥର ପାଇଁ ବାଉଁଶ ବିକ୍ରୟ କରାଯାଇଥିଲା, ଯାହା ଅନ୍ୟ ଗ୍ରାମ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲା।
୨୦୧୬: ତର୍କବାହାଲି ଗ୍ରାମସଭା ବାଉଁଶ ଅମଳ ଏବଂ ବିକ୍ରୟ କରିବାର ଅଧିକାର ପାଇଁ ଦାବି କରିଥିଲା।
୨୦୧୭: ଲାମେର ଗ୍ରାମସଭା ବାଉଁଶ ଉପରେ ନିଜର ଅଧିକାର ପାଇଁ ଦାବି କରିଥିଲା । ସେହି ବର୍ଷ ଗୋଲାମୁଣ୍ଡା ବ୍ଲକ (ଜାମଝରନ୍, କନକପୁର, ଜାମୁଗୁଡ଼ାବାହାଲି)ରେ ଗ୍ରାମସଭାଗୁଡ଼ିକ କେନ୍ଦୁପତ୍ର ଅମଳ ଏବଂ ବିକ୍ରୟ ଆରମ୍ଭ କରିଥିଲେ।
୨୦୧୮: ପିପାଡି, ବାକ୍ସଣ୍ଡି ଏବଂ ଢୋଲପଡ଼ା ଗ୍ରାମସଭାଗୁଡ଼ିକ ବିଭିନ୍ନ ପ୍ରକାରର ଅଣ-କାଠ ଜଙ୍ଗଲ ଉତ୍ପାଦ (NTFP) ଅମଳ ଏବଂ ବିକ୍ରୟକରି କ୍ଷେତ୍ରକୁ ବୃଦ୍ଧି କରିଥିଲେ। ସେହି ବର୍ଷ ଭବାନୀପାଟଣା, ଜୁନାଗଡ଼, ମଦନପୁର ରାମପୁର ଏବଂ ଗୋଲାମୁଣ୍ଡା ବ୍ଲକରୁ ୩୮ଟି ଗ୍ରାମସଭା ମିଳିତ ଭାବେ କଳାହାଣ୍ଡି ଗ୍ରାମସଭା ମହାସଂଘ ଗଠନ କରିଥିଲେ ।
୨୦୧୯: ମହାସଂଘର ସଦସ୍ୟତା ୫୦ରୁ ଅଧିକ ଗ୍ରାମସଭାକୁ ବୃଦ୍ଧି ପାଇଥିଲା।
୨୦୨୦: ମହାସଂଘ ଜିଲ୍ଲାସ୍ତରରେ କେନ୍ଦୁପତ୍ର ବ୍ୟବସାୟକୁ ସଫଳତାର ସହିତ ପରିଚାଳନା କରିବା ସହ ଉତ୍ତମ ମୂଲ୍ୟ ସୁନିଶ୍ଚିତ କରି ମଧ୍ୟସ୍ଥିଙ୍କ ଭୂମିକାକୁ ହ୍ରାସ କରିଥିଲା।
୨୦୨୨: ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇ ୭୦ଟି ଗ୍ରାମସଭା ହୋଇଥିଲା।
୨୦୨୩: ମହାସଂଘ ଜିଲ୍ଲା ସ୍ତରରେ ବାଉଁଶ ବ୍ୟବସାୟକୁ ଏକତ୍ରିତ କରିଥିଲା, ଯାହାଦ୍ୱାରା କ୍ରୟ କରିବାର କ୍ଷମତା ଏବଂ ରାଜସ୍ୱ ବୃଦ୍ଧି ପାଇଥିଲା।
୨୦୨୪: ଗ୍ରାମସଭାର ୧୦୦ ରୁ ଅଧିକ ସଦସ୍ୟଙ୍କ ମିଳିତ ଉଦ୍ୟମରେ ମହାସଂଘ ଛଅଟି ବ୍ଲକ ଯଥା; କୋକସରା, ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା, ଲାଞ୍ଜିଗଡ଼ ଏବଂ ମଦନପୁର ରାମପୁରକୁ ବିସ୍ତାର କରିଥିଲା। ଜୟପାଟଣାରେ ଗ୍ରାମସଭାଗୁଡ଼ିକ ସଂଗଠିତ ହୋଇ ସେମାନଙ୍କ ଅଧିକାର ପାଇଁ ଦାବି କରିଥିଲେ ।
୨୦୨୫: ୨୦ଟି ଗ୍ରାମସଭା ବାଉଁଶ ଉପରେ ସେମାନଙ୍କର ଅଧିକାର ଦାବି କରିଥିଲା ଏବଂ ୯୫ ଗ୍ରାମସଭା କେନ୍ଦୁପତ୍ର ଉପରେ ସେମାନଙ୍କର ଅଧିକାର ଦାବି କରିଥିଲା। ଯାହା ଏକ ଐତିହାସିକ ବର୍ଷ ଥିଲା ।
ସଫଳତା କାହାଣୀ
ଜାମଗୁଡ଼ା: ଜଙ୍ଗଲ ଅଧିକାର ଦାବିରେ ଓଡ଼ିଶାର ଅଗ୍ରଣୀ ଗ୍ରାମ
କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ବାରବନ୍ଧା ଗ୍ରାମପଞ୍ଚାୟତର ଏକ ଛୋଟିଆ ଗାଁ ଜାମଗୁଡ଼ା । ଏଠାରେ ବସବାସ କରୁଥିବା ୭୦ଟି ଗଣ୍ଡ ଜନଜାତି ଏବଂ ୫ ଟି ଅନୁସୂଚିତ ଜାତି ଓ ଛଅଟି ଭୂମିହୀନ ପରିବାର ଜୀବନ ଜୀବିକା ପାଇଁ ଦୀର୍ଘ ଦିନ ଧରି ଜଙ୍ଗଲଜାତ ଦ୍ରବ୍ୟ ଯଥା ଛତୁ, ଫଳମୂଳ, ମହୁଲ ଫୁଲ, ଶିଆଳି ପତ୍ର, ମହୁ, କନ୍ଦମୂଳ ଏବଂ ବାଉଁଶ ଆଦି ସଂଗ୍ରହ କରିଆସୁଛନ୍ତି। ୧୯୯୦ ମସିହାରେ, ଏହି ଗୋଷ୍ଠୀର ଯୁବପିଢ଼ି ବେଆଇନ ଭାବେ ଗଛ କଟା ବନ୍ଦ କରିବା ପାଇଁ ଏକ କମିଟି ଗଠନ କରିଥିଲେ ଏବଂ ୨୦୦୪ ସୁଦ୍ଧା ମିଳିତ ଜଙ୍ଗଲ ପରିଚାଳନା ଅଧୀନରେ ଏକ ବନ ସୁରକ୍ଷା ସମିତି (VSS) ଗଠନ କରାଯାଇଥିଲା । ଗ୍ରାମବାସୀ ଅନୁଭବ କରିଥିଲେ ଯେ ଏହା ସେମାନଙ୍କର ସ୍ୱାଧିନତାକୁ ସୀମିତ କରିଦେଇଛି। ଜଙ୍ଗଲ ଅଧିକାର ଆଇନ (FRA), ୨୦୦୬ ଅଧୀନରେ ବାଉଁଶକୁ ଏକ କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ (MFP) ଭାବରେ ମାନ୍ୟତା ଦିଆଯାଇଥିଲା । ଯାହାଫଳରେ ଜାମଗୁଡ଼ା ୨୦୦୮ ମସିହାରେ ଗୋଷ୍ଠୀ ଜଙ୍ଗଲ ଅଧିକାର (CFRs) ପାଇଁ ଆବେଦନ କରିବାକୁ ପ୍ରେରଣା ପାଇଥିଲା । ବନ ବିଭାଗର ବିରୋଧ ସତ୍ତ୍ୱେ, ୨୦୧୦ ମସିହାରେ ସେମାନଙ୍କର ଗୋଷ୍ଠୀ ଜଙ୍ଗଲ ଅଧିକାର ଦାବିକୁ ଅନୁମୋଦନ ମିଳିଥିଲା । ଯଦିଓ ୫୦୦ ହେକ୍ଟର ଦାବି ବିରୁଦ୍ଧରେ କେବଳ ୧୨୩.୫ ହେକ୍ଟରକୁ ସ୍ୱୀକୃତି ଦିଆଯାଇଥିଲା, ତାହା ସତ୍ତ୍ୱେ ବାଉଁଶ ଏବଂ କେନ୍ଦୁପତ୍ର ସମେତ କ୍ଷୁଦ୍ର ଜଙ୍ଗଲ ଉତ୍ପାଦ ସଂଗ୍ରହ ଏବଂ ବିକ୍ରୟ କରିବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଥିଲା । ଜୁନ୍ ୨୦୧୨ ରେ, ବଡ଼ ପରିମାଣର ବାଉଁଶ ଫୁଲ ଫୁଟିବା ପରେ, ଗ୍ରାମସଭା ଅମଳ ପାଇଁ ୧୭୦ ଟି ଗୁଚ୍ଛ ଅମଳ କରିଥିଲା ଏବଂ ଜୁନ୍ ୨୩ ରେ ଏକ ବାଉଁଶ ଗୋଦାମ ଉଦଘାଟନ କରିଥିଲା। ତଥାପି, ବନବିଭାଗ ପରିବହନ ପାଇଁ ଅନୁମତି ନ ଦେବାରୁ ସେମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପ ମଧ୍ୟ ଏଥିରେ ବିଫଳ ହୋଇଥିଲା । ଏନେଇ ଜାତୀୟ ସ୍ତରରେ ଖବର ପ୍ରକାଶ ପାଇବା ପରେ ଗ୍ରାମସଭାଗୁଡ଼ିକୁ ପରିବହନ ଅନୁମତି ପାସ୍ ପ୍ରଦାନ କରିବା ପାଇଁ ୨୦୧୨ ମସିହା ସେପ୍ଟେମ୍ବର ମାସରେ ଜଙ୍ଗଲ ଅଧିକାର ଅଧିନିୟମ ସଂଶୋଧନ କରାଯାଇଥିଲା । ଶେଷରେ ୨୦୧୩ ମସିହା ମାର୍ଚ୍ଚ ୩ ତାରିଖରେ, ସାମାଜିକ ସଂଗଠନ ଏବଂ ସ୍ଥାନୀୟ ନେତାଙ୍କ ଚାପ ପରେ, ବନବିଭାଗ ଜାମଗୁଡ଼ାରେ ପ୍ରଥମ ସରକାରୀ ପରିବହନ ଅନୁମତି ବା ଟ୍ରାନଜିଟ୍ ପାସ୍ ଜାରି କରିଥିଲା । ଏହାପରେ ପ୍ରଥମ ବାଉଁଶ ସିଧାସଳଖ ଗ୍ରାମସଭାରୁ ପରିବହନ କରାଯାଇଥିଲା ।
ଜାମଗୁଡ଼ା ଜଙ୍ଗଲ ଅଧିକାର ଅଧିନିୟମ ଅଧୀନରେ ବାଉଁଶ ବିକ୍ରୟ କରିବାରେ ଓଡ଼ିଶାର ପ୍ରଥମ ଏବଂ ଭାରତର ଦ୍ୱିତୀୟ (ମହାରାଷ୍ଟ୍ରର ମେଣ୍ଢାଲେଖା ପରେ) ଗ୍ରାମ ଅଟେ । ୫ ଜଣ ମହିଳା ଏବଂ ୧୦ ଜଣ ପୁରୁଷଙ୍କ ଉଦ୍ୟମରେ ଗଢି ଉଠିଥିବା ଏହି ଗ୍ରାମସଭା କମିଟି, ସଂରକ୍ଷଣ ଏବଂ ସାମୁଦାୟିକ ଉଦ୍ୟୋଗ ତଦାରଖ, ସ୍ଥାୟୀ ଅମଳ, ରାଜସ୍ୱ ବଣ୍ଟନ ଏବଂ ସାମୁଦାୟିକ ଲାଭ ସୁନିଶ୍ଚିତ କରୁଛି। ଜାମଗୁଡ଼ା ପାଇଁ, ବାଉଁଶ କେବଳ ଏକ ସମ୍ପଦ ନୁହେଁ ବରଂ ଏହା ସେମାନଙ୍କର ଜୀବନ ଜୀବିକାର ଏକମାତ୍ର ମାଧ୍ୟମ । ଏନେଇ ଗ୍ରାମବାସୀ ମନହର ମାଝୀ କୁହନ୍ତି “ମୁଁ ମୋର ଜୀବିକା ପାଇଁ ସମ୍ପୂର୍ଣ୍ଣ ଭାବରେ ବାଉଁଶ ଉପରେ ନିର୍ଭର କରେ। ପୂର୍ବରୁ, ବନ ବିଭାଗର କଟକଣା ଯୋଗୁଁ ମୁଁ ଏହାକୁ ବିକ୍ରି କରିପାରିନଥିଲି। କିନ୍ତୁ, ବର୍ତ୍ତମାନ ମୁଁ ଏହାକୁ ମୁକ୍ତ ଭାବରେ ବିକ୍ରି କରି ଉଚିତ୍ ପାରିଶ୍ରମିକ ପାଇପାରୁଛି ।”
ପାଲକି ଗ୍ରାମସଭା
ପଶ୍ଚିମ ଓଡ଼ିଶା କଳାହାଣ୍ଡି ଜିଲ୍ଲାର ପାହାଡ଼ ଉପରେ ଅବସ୍ଥିତ ପାଲକି ହେଉଛି ଛୋଟ ଓ ଏକ ଦୁର୍ଗମ ଗ୍ରାମ । ଯେଉଁଠାରେ ବସବାସ କରୁଥିବା ୫୭ଟି ଆଦିବାସୀ ପରିବାର ପାଇଁ କୌଣସି ଉପଯୁକ୍ତ ରାସ୍ତା କିମ୍ବା ସାଧାରଣ ପରିବହନ ବ୍ୟବସ୍ଥା ଉପଲବ୍ଧ ନାହିଁ । ଯେଉଁଠାରେ ପିଢ଼ି ପରେ ପିଢ଼ି ବହୁ କଷ୍ଟରେ ଜୀବନ ଅତିବାହିତ କରିଥିବା ବେଳେ, ଅନେକ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଦୁଇ ବର୍ଷ ପୂର୍ବେ, ଗ୍ରାମବାସୀମାନେ ମହାରାଷ୍ଟ୍ରର ଜଣେ ବ୍ୟବସାୟୀଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିଥିଲେ । ଯିଏ ବନ ଅଧିକାର ଆଇନ, ୨୦୦୬ ଅନୁଯାୟୀ ବାଉଁଶ ବିକ୍ରୟ ଏବଂ ଜଙ୍ଗଲ ସମ୍ପଦ, ବିଶେଷକରି ବାଉଁଶ ଏବଂ କେନ୍ଦୁପତ୍ର ଉପରେ ଅଧିକାର ମାଧ୍ୟମରେ ୨୬ ଲକ୍ଷ ଟଙ୍କା ରୋଜଗାର କରିପାରିଥିଲେ। ପୂର୍ବରୁ, ସରକାରୀ ମଧ୍ୟସ୍ଥିମାନେ ଜଙ୍ଗଲ ଉତ୍ପାଦକୁ ନିୟନ୍ତ୍ରଣ କରୁଥିଲେ, କିନ୍ତୁ ବର୍ତ୍ତମାନ ସମୟ ବଦଳିବା ସହ ପାଲକି ଗ୍ରାମବାସୀମାନେ ନିଜେ ମୂଲ୍ୟ ଏବଂ ବ୍ୟବସାୟ ପରିଚାଳନା କରି ଆଗକୁ ବଢିପାରିଛନ୍ତି। ଏକ ସ୍ଥାୟୀ ବ୍ୟବସ୍ଥା ମାଧ୍ୟମରେ ବାଉଁଶ ପ୍ରତି ୩୦-୪୦ ଟଙ୍କାରେ ବିକ୍ରୟ କରାଯାଉଛି। ଜଙ୍ଗଲକୁ ଚାରି ଭାଗରେ ବିଭକ୍ତ କରି ପ୍ରତି ବର୍ଷ ଗୋଟିଏ ଭାଗ ଅମଳ କରାଯାଏ ଏବଂ ପୁନଃଉତ୍ପାଦନ ପାଇଁ ଚାରି ବର୍ଷ ପରେ ପୁନର୍ବାର ଚାଷ କରାଯାଏ । ଅମଳ ପରେ ରାଜସ୍ୱ ସଠିକ୍ ଭାବରେ ବଣ୍ଟନ କରାଯାଏ । ଏକ ତୃତୀୟାଂଶ ସ୍ଥାନୀୟ ବାଉଁଶ କଟାଳିଙ୍କୁ ଦିଆଯିବା ସହ ଏହାର ଦୁଇ ତୃତୀୟାଂଶ ଗ୍ରାମ ସଭା ପାଖରେ ରହିଥାଏ। ଜଙ୍ଗଲ ବିକାଶ ପାଇଁ ୫୦%, ଗ୍ରାମ ପାଣ୍ଠି ପାଇଁ ୩୦%, ପରିଚାଳନା ଖର୍ଚ୍ଚ ପାଇଁ ୧୦%, ଏବଂ ପ୍ରତ୍ୟେକ ବ୍ଲକ ଏବଂ ଜିଲ୍ଲା ପରିଷଦକୁ ୫% ଦିଆଯାଇଥାଏ । ୨୦୨୫ ଚଳିତ ବର୍ଷ ବାଉଁଶର ପୁନର୍ବାର ଚାଷ ପାଇଁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଦୈନିକ ୩୦୦ ଟଙ୍କା ରୋଜଗାର କରୁଥିବା ମହିଳାମାନଙ୍କ ପାଇଁ ୪୦୦ ଦିନ କାର୍ଯ୍ୟଦିବସ ଥିଲା। ଯଦିଓ ଓଡ଼ିଶାର ସର୍ବନିମ୍ନ ମଜୁରୀ ୪୬୨ ଟଙ୍କାରୁ କମ୍ ଥିଲା, କିନ୍ତୁ ଏହି ସ୍ଥାନୀୟ ନିଯୁକ୍ତି ଦାଦନ ଖଟଣିରୁ ମୁକ୍ତି ଦେଇଛି।
ଓଡ଼ିଶାର କିଛି ଦୁର୍ଗମ ଅଞ୍ଚଳରେ ଗୋଷ୍ଠୀ ପରିଚାଳିତ ଜଙ୍ଗଲ କିପରି ଆୟ ବୃଦ୍ଧି ଏବଂ ସ୍ଥାୟୀତ୍ୱରେ ପରିବର୍ତ୍ତନ ଆଣିପାରିବ ତାହା ଏହି କାହାଣୀରେ ଦର୍ଶାଯାଇଛି ।
ପିପାଡି: ଏକ ଅଗ୍ରଣୀ ଗ୍ରାମ
ଜଙ୍ଗଲ ଅଧିକାର ଆଇନ (FRA), ୨୦୦୬ ଅନୁଯାୟୀ ଏହାର ଅଧିକାରକୁ ନେଇ ଦାବି କରିବାରେ ଏକ ଅଗ୍ରଣୀ ଗ୍ରାମସଭା ଭାବେ ପିପାଡି ଗ୍ରାମ ସୃଷ୍ଟି କରିଛି ଭିନ୍ନ ଉଦାହରଣ । ଏହି ଗ୍ରାମରେ ୪୫ ଟି ପରିବାର ବସବାସ କରନ୍ତି । ଗ୍ରାମରେ ୪୩୦୦ ଏକରରୁ ଅଧିକ ଜଙ୍ଗଲ ଜମି ରହିଛି । ୨୦୧୦-୧୧ ମସିହାରେ ଗୋଷ୍ଠୀ ଜଙ୍ଗଲ ଅଧିନିୟମ ଅଧୀନରେ ପିପାଡି ଶାସନକୁ ସୁଦୃଢ଼ କରିବା ପାଇଁ ୨୦୧୭ ରେ ଏକ ଗୋଷ୍ଠୀ ଜଙ୍ଗଲ ଅଧିକାର ପରିଚାଳନା କମିଟି (CFRMC) ଗଠନ କରିଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ, ପରେ ଏହି ଗ୍ରାମ ବାର୍ଷିକ ୭-୮ ଲକ୍ଷ ଟଙ୍କାର ବାଉଁଶ ବିକ୍ରି କରି ଲଭାନ୍ଵିତ ହୋଇପାରିଛି । କେବଳ ସ୍ଥାନୀୟ ବଜାରରେ ନୁହେଁ ବରଂ ତେଲେଙ୍ଗାନାକୁ ବାଉଁଶ ଟ୍ରକ୍ ପାଇଁ ପରିବହନ ଅନୁମତି ବା ପାସ୍ ମଧ୍ୟ ପ୍ରଦାନ କରିବା ଆରମ୍ଭ କରିଛି, ଯାହା ତୃଣମୂଳ ସ୍ତରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସାଜିଛି ।
ବନ ବିଭାଗର ବିଭାଗୀୟ ବନ ଅଧିକାରୀ (ଡିଏଫଓ)ଙ୍କ ଦ୍ଵାରା ବାରମ୍ବାର ଟ୍ରାନ୍ସିଟ୍ ପର୍ମିଟ୍ ଦେବାକୁ ଅସ୍ଵୀକାର କରାଯାଇଥିଲା । ମୁଣ୍ଡରେ ଲଦି ଏବଂ ଗାଡ଼ିରେ ବୋହି ପରିବହନ କରିବ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ଏହା ଅଧିନିୟମ ୩(୧) (ଗ) ଏବଂ ୨୦୧୨ ର ଜଙ୍ଗଲ ଅଧିକାର ଅଧିନିୟମ (FRA) ସଂଶୋଧିତ ନିୟମାବଳୀଙ୍କୁ ଉଲ୍ଲଂଘନ କରିବା ସହ ଗ୍ରାମ ସଭାକୁ କ୍ଷୁଦ୍ର ବନ୍ୟଜାତ ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିଥିଲା ।
ଏହା ସତ୍ତ୍ୱେ, ପିପାଡି ଗ୍ରାମର ଦୃଢ଼ ଦାବି ଗୋଷ୍ଠୀ ଆନ୍ଦୋଳନକୁ ବ୍ୟାପକ କରିଥିଲା । ଏନେଇ କଳାହାଣ୍ଡି ଜିଲ୍ଲା ଗ୍ରାମସଭା ମହାସଂଘର ସଚିବ ଏବଂ ପିପାଡି ବାସିନ୍ଦା ବ୍ୟାସଦେବ ମାଝି କହିଛନ୍ତି ଯେ “ଆମେ ସରକାରୀ ବିଭାଗର କଥାକୁ ଅସ୍ୱୀକାର କରୁନାହିଁ, କିନ୍ତୁ ଗ୍ରାମ ସମୁଦାୟ ନିଜେ ତାଙ୍କର ଉତ୍ପାଦନ କେଉଁଠି ଏବଂ କିପରି ବିକ୍ରି ହେବ ତାହାର ନିଷ୍ପତ୍ତି ନେବାର ଅଧିକାର ରଖିବା ଉଚିତ । ଏହାସହ ଯଦି ବଜାରରେ ବ୍ୟବସାୟୀମାନେ ଉତ୍ପାଦର ଅଧିକ ମୂଲ୍ୟ ନେବେ, ତେବେ ସରକାର ସେଥିରେ ହସ୍ତକ୍ଷେପ କରିବା ନିହାତି ଆବଶ୍ୟକ ।”
ଡାକିବନ୍ଦେଲ: ଅଧିକାର ପାଇଁ ଲଢ଼େଇ
ଭବାନୀପାଟଣା ବ୍ଲକର ସଗଡା ଗ୍ରାମ ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ହେଉଛି ଡାକିବନ୍ଦେଲ। ୨୦୧୦ ମସିହାରେ ଜଙ୍ଗଲ ଅଧିକାର ଅଧୀନିୟମ, ୨୦୦୬ ଅନୁଯାୟୀ ଏହା ଗ୍ରାମ ଗୋଷ୍ଠୀ ଜଙ୍ଗଲ ଅଧିନିୟମ ଉପାଧି ପାଇଥିଲା ଏବଂ ୨୦୧୯ ମସିହାରେ ଜଙ୍ଗଲ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଏକ ଗୋଷ୍ଠୀ ଜଙ୍ଗଲ ଅଧିକାର ପରିଚାଳନା କମିଟି (CFRMC) ଗଠନ କରିଥିଲା। ୨୦୨୦ ମସିହାରେ, କଳାହାଣ୍ଡିର ଗ୍ରାମସଭା ବିଭାଗୀୟ ବନ ବିଭାଗ ଅଧିକାରୀ (DFO) ଙ୍କୁ ବାଉଁଶ ବିକ୍ରୟ ନିମନ୍ତେ ଟ୍ରାଞ୍ଜିଟ୍ ପରମିଟ୍ ପାଇଁ ଆବେଦନ କରିଥିଲା, କିନ୍ତୁ ସେମାନଙ୍କ ଅନୁରୋଧକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ଫଳରେ ଗ୍ରାମବାସୀମାନେ ଲଘୁ ଜଙ୍ଗଲଜାତ ଉତ୍ପାଦ (MFP) ଉପରେ ସେମାନଙ୍କର ଆଇନଗତ ଅଧିକାର ବ୍ୟବହାର କରିପାରିନଥିଲେ। ନିରାଶ ହୋଇ ଶେଷରେ ସେମାନେ ଜାତୀୟ ମାନବାଧିକାର କମିଶନ (NHRC) କୁ ଆବେଦନ କରିଥିଲେ । ଏହା ବ୍ୟତୀତ ଜାତୀୟ ଅନୁସୂଚିତ ଜନଜାତି କମିଶନ (NCST) କୁ ଅଭିଯୋଗ ଦାଖଲ କରିବା ସହ ଓଡ଼ିଶାର ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ୧୦୭ ପରିବାର ବାଉଁଶ ଉପରେ ନିର୍ଭରଶୀଳ ଥିବାରୁ, ଏହି ପ୍ରତ୍ୟାଖ୍ୟାନ ସେମାନଙ୍କ ଜୀବନ ଜୀବିକାକୁ ବିପଦରେ ପକାଇଥିଲା।
ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (NCST) ର ହସ୍ତକ୍ଷେପ ପରେ, ୨୦୨୧ ମସିହାରେ ଗ୍ରାମସଭା ସ୍ତରରେ (ଗ୍ରାମ ଅଦାଲତ) ଏକ ଶୁଣାଣି ଆୟୋଜନ କରାଯାଇଥିଲା । ଯାହାଦ୍ଵାରା ଗ୍ରାମସଭାଙ୍କୁ ପରିବହନ ଅନୁମତି ପାସ୍ ପ୍ରଦାନ କରାଯାଇଥିଲା । ଏହି ପାସ୍ ମାଧ୍ୟମରେ ସେମାନେ ଆଇନଗତ ବାଉଁଶ ବିକ୍ରୟକୁ ପରିଚାଳନା କରିଥିଲେ । ସେବେଠାରୁ, ଡାକିବଣ୍ଡେଲର ଗ୍ରାମବାସୀ ବାର୍ଷିକ ୭ ରୁ ୮ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ଯାହା ସେମାନଙ୍କୁ ଆର୍ଥିକ ସ୍ତରରେ ସ୍ଵାବଲମ୍ବୀ କରିବା ସହ ସଶକ୍ତ କରିବା ଦିଗରେ ଏକ ପ୍ରମୁଖ ଭୂମିକା ସାଜିଛି।
ତରକାବାହାଲି ଗ୍ରାମ
କଳାହାଣ୍ଡି ଜିଲ୍ଲାର ପର୍ବତମାଳା ଘେରରେ ଥିବା ଆଉ ଏକ ଗ୍ରାମ ହେଉଛି ତରକାବାହାଲି । ବାଉଁଶ ଉପରେ ଏହି ସମ୍ପ୍ରଦାୟ ଅଧିକାର ଦାବି କରିବା ପାଇଁ ଦୀର୍ଘ ସଂଘର୍ଷର ସମ୍ମୁଖୀନ ହୋଇଛି। ଯଦିଓ ଗ୍ରାମସଭା ଜଙ୍ଗଲ ଅଧିକାର ଅଧୀନିୟମ , ୨୦୦୬ ଅନୁଯାୟୀ ବାଉଁଶ ଅମଳ ଏବଂ ବିକ୍ରୟ କରିବାର ଅଧିକାର ପାଇଥିଲା । କିନ୍ତୁ ବନ ବିଭାଗ ବଜାରକୁ ବାଉଁଶ ପରିବହନ ପାଇଁ ବାରମ୍ବାର କହିବା ସତ୍ତ୍ୱେ ଜରୁରୀ ଟ୍ରାଞ୍ଜିଟ୍ ପରମିଟ୍ ପ୍ରଦାନ କରିବାରେ ବିଳମ୍ବ ହୋଇଥିଲା।
ବର୍ଷ ବର୍ଷ ଧରି ଚେଷ୍ଟା କଲା ପରେ, ଗ୍ରାମସଭା ଏକ ସ୍ଥାୟୀ ପରିବହନ ଅନୁମତି ପାସ୍ ପାଇଁ ଜାତୀୟ ମାନବାଧିକାର କମିଶନ (NHRC)କୁ ଆବେଦନ କରି ନ୍ୟାୟ ପାଇବା ନେଇ ଚେଷ୍ଠା କରିଥିଲା । ଫଳସ୍ୱରୂପ, ଶେଷରେ ତରକାବାହାଲି ଗ୍ରାମ ୨୦୧୬ ମସିହା ଡିସେମ୍ବର ୨୧ ତାରିଖରେ ବାଉଁଶ ପାଇଁ ପ୍ରଥମ ପରିବହନ ପରମିଟ୍ ପାଇଥିଲା ।
ଲାମେର
୨୦୧୭ ମସିହାରେ ଲାମେର ଗ୍ରାମସଭା ବାଉଁଶ ପାଇଁ ପ୍ରଥମ ପରିବହନ ପରମିଟ୍ ପାଇଥିଲା । ଯାହାଦ୍ଵାରା ଏହି ଗ୍ରାମର ଗ୍ରାମବାସୀଙ୍କୁ ବାଉଁଶ ଅମଳରୁ ଉତ୍ତମ ଆୟ ମିଳିବା ସହ ସେମାନଙ୍କ ପାଇଁ ସ୍ଥାନୀୟ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଥିଲା । ଯାହା ଲୋକମାନଙ୍କ ଦାଦନ ଖଟଣୀରେ ପୂର୍ଣ୍ଣଛେଦ ପକାଇଥିଲା ।
ଗୋଲାମୁଣ୍ଡାର ସଂଘର୍ଷ
କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ବସବାସ କରୁଥିବା ଗୋଣ୍ଡା, କନ୍ଧ ଆଦି ଜନଜାତିର ଲୋକମାନଙ୍କର ଜୀବନ ଜୀବିକା କେନ୍ଦୁପତ୍ର ତୋଳିବା ଉପରେ ନିର୍ଭର ଥିଲା । ୨୦୧୦-୧୧ ମସିହା ମଧ୍ୟରେ ଛଅଟି ଗ୍ରାମ ତଥା ଜାମଝରଣ, ଜାମଗୁଡ଼ାବାହାଲ, ଖାସିଗୁଡ଼ା, କନକପୁର, କସ୍ତୁରପଦର ଏବଂ କାଳିପୁର ଲଘୁ ଜଙ୍ଗଲଜାତ ଉତ୍ପାଦ (MFP) ଉପରେ ଗ୍ରାମସଭାର ଗୋଷ୍ଠୀଜଙ୍ଗଲ ଅଧିକାର ସ୍ଵୀକୃତି ପାଇବା ପରେ ସେ ୨୦୧୨ ମସିହାରେ ଗୋଷ୍ଠୀ ଜଙ୍ଗଲ ଅଧିକାର ପରିଚାଳନା କମିଟି (CFRMC) ଗଠନ କରିଥିଲା। ସରକାରୀସ୍ତରର ବଣ୍ଡଲ ପିଛା ୨.୪୦-୩ ଟଙ୍କା ଦେବାରୁ ଅସନ୍ତୁଷ୍ଟ ହୋଇ, ଗ୍ରାମସଭାଗୁଡ଼ିକ ୨୦୧୭ ଏପ୍ରିଲ ମାସରେ ମହାରାଷ୍ଟ୍ରର ଗୋଣ୍ଡିଆର ଜଣେ ଘରୋଇ ବ୍ୟବସାୟୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ଯିଏ ପ୍ରତି ବଣ୍ଡଲ ପିଚ୍ଛା ୭.୫୦ ଟଙ୍କା ପ୍ରଦାନ କରିଥିଲେ । ୭ ଟଙ୍କା ତୋଳାଳୀଙ୍କୁ ଏବଂ ୦.୫୦ ଟଙ୍କା ଗ୍ରାମସଭା ପାଣ୍ଠିକୁ ପ୍ରଦାନ କରାଯାଇଥିଲା । ବନ ଅଧିକାରୀମାନେ ଦ୍ୱିତୀୟ ପର୍ଯ୍ୟାୟ ପରିବହନ ପୂର୍ବରୁ ପତ୍ର ଜବତ କରିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । କେନ୍ଦୁପତ୍ରକୁ “ଜାତୀୟକରଣ ଉତ୍ପାଦ” ବୋଲି କହି, ପରିବହନ ଅନୁମତି ପ୍ରଦାନ ନକରି ଆଇନଗତ କାର୍ଯ୍ୟାନୁଷ୍ଠାନର ନିଆଯିବା ନେଇ ଧମକ ଦିଆଯାଇଥିଲା । ଗ୍ରାମସଭାଗୁଡ଼ିକ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଆବେଦନ, ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ବିଭାଗର କମିଶନର ତଥା ସଚିବଙ୍କୁ ଚିଠି ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ହସ୍ତକ୍ଷେପ ମାଧ୍ୟମରେ ପ୍ରତିରୋଧ କରିଥିଲେ। ଛଅ ମାସ ପରେ, ୨୦୧୭ ମସିହା ନଭେମ୍ବର ମାସରେ ଓଡ଼ିଶା ସରକାର ଗୋଲାମୁଣ୍ଡାରେ କେନ୍ଦୁପତ୍ରକୁ ନିୟନ୍ତ୍ରଣମୁକ୍ତ କରିଥିଲେ, ଯାହା ସରକାରୀ ଏବଂ ଘରୋଇ କ୍ରୟକୁ ଅନୁମତି ଦେଇଥିଲା। ୨୦୧୭ ମସିହା ନଭେମ୍ବର ୨୨ ତାରିଖରେ, ୧୦୦୦ ରୁ ଅଧିକ ତୋଳାଳୀ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦ୍ଦେଶ ହସ୍ତାନ୍ତର କରିଥିଲେ, ଯାହାଫଳରେ ଆଇନଗତ ବିକ୍ରୟ ସମ୍ଭବ ହୋଇଥିଲା। ଏହି ସଫଳତା ପରେ ୨୦୨୧ ମସିହା ସୁଦ୍ଧା ଏହି ଗ୍ରାମସଭା ଆହୁରି ୧୩ ଟି ଗ୍ରାମକୁ ସଶକ୍ତ କରିଥିଲା ଏବଂ ମୂଲ୍ୟ ନିର୍ଦ୍ଧାରଣ ଓ ବ୍ୟବସାୟୀଙ୍କ ସହିତ ନ୍ୟାୟପୂର୍ଣ୍ଣ ସର୍ତ୍ତାବଳୀରେ ଆଲୋଚନା ପାଇଁ ଏକ ମହାସଂଘ ଗଠନ କରାଯାଇଥିଲା । ଯେଉଁଥିରେ ସିଧାସଳଖ ଶ୍ରମିକ ଦେୟ, ତୁରନ୍ତ ସଂଗ୍ରହ ଦେୟ, ଦୁର୍ଘଟଣା ପାଇଁ ଠିକାଦାର ଦାୟିତ୍ୱ ଏବଂ ସମ୍ପୂର୍ଣ୍ଣ ଦେୟ ସହ ଜାରି କରାଯାଇଥିବା ପରିବହନ ଅନୁମତି ଅନ୍ତର୍ଭୁକ୍ତ ଥିଲା। ଏହି ପରିବର୍ତ୍ତନ ସମ୍ପ୍ରଦାୟକୁ ସଶକ୍ତ କରିବା ସହ ସେମାନଙ୍କର ଆୟ ବୃଦ୍ଧି କରିଥିଲା ।
ନାଗଝରୀ ଗ୍ରାମ
୭୦ ଟି ପରିବାର ବସବାସ କରୁଥିବା ଏହି ଗ୍ରାମ ୨୦୨୦-୨୧ ମସିହାରେ ଗୋଷ୍ଠୀ ଜଙ୍ଗଲ ଅଧିକାର ସ୍ଵୀକୃତି ପାଇଥିଲା । ପରେ ୨୦୨୨ ମସିହାରେ, ଗ୍ରାମ ସ୍ଥାୟୀ ପରିଚାଳନା ତଦାରଖ କରିବା ପାଇଁ ଗୋଷ୍ଠୀଜଙ୍ଗଲ ଅଧିକାର ପରିଚାଳନା କମିଟି (CFRMC) ଗଠନ କରାଯାଇଥିଲା। କଳାହାଣ୍ଡି ଗ୍ରାମସଭା ମହାସଂଘ (KGSM) ସହିତ ସହଭାଗୀତାରେ ନାଗଝରୀ ଏକ ଟ୍ରାନ୍ଜିଟ୍ ପରମିଟ୍ ବା ପରିବହନ ପାଇଁ ଅନୁମତି ପାଇ ସେହି ବର୍ଷ କେନ୍ଦୁପତ୍ର ବିକ୍ରୟ କରିବା ଆରମ୍ଭ କରିଥିଲା। ଏହା ଜଙ୍ଗଲ ଉତ୍ପାଦରୁ ଏକ ସ୍ଥାୟୀ ଜୀବିକା ସୃଷ୍ଟି କରିବା ଦିଗରେ ଗୋଷ୍ଠୀର ଏହା ପ୍ରଥମ ପଦକ୍ଷେପ ଥିଲା ।
କେଲିଆ ଗ୍ରାମ
୨୦୧୦ ମସିହାରେ କେଲିଆ ଗ୍ରାମ ଏହାର ଗୋଷ୍ଠୀ ଜଙ୍ଗଲ ଅଧିକାର ସ୍ଵୀକୃତି ପାଇଥିଲା ଏବଂ ଧୀରେ ଧୀରେ ଜଙ୍ଗଲ ଉତ୍ପାଦର ସାମୂହିକ ବ୍ୟବସାୟ ଆଡକୁ ଗତି କରିଥିଲା। ୨୦୧୯ ମସିହାରେ ଗ୍ରାମ କେନ୍ଦୁପତ୍ର ବିକ୍ରୟ କରିବା ଆରମ୍ଭ କରିଥିଲା, । ଯାହାଦ୍ୱାରା ବାର୍ଷିକ ପ୍ରାୟ ୫ ଲକ୍ଷ ଟଙ୍କା ଆୟ କରିବାରେ ସଫଳ ହୋଇଥିଲା । କଳାହାଣ୍ଡି ଗ୍ରାମସଭା ମହାସଂଘର ସମର୍ଥନରେ ଗ୍ରାମବାସୀମାନେ କେନ୍ଦୁପତ୍ର ତୋଳିବା ପାଇଁ ସରକାରୀ କାର୍ଡ ପାଇଥିଲେ, ଯାହା କେବଳ ସେମାନଙ୍କର ଅଧିକାରକୁ ବ୍ୟାପକ କରିନଥିଲା ବରଂ ତୋଳାଳୀମାନଙ୍କର ଆୟ ବୃଦ୍ଧି କରିଥିଲା । ଏହା ସେମାନଙ୍କ ପରିବାରର ଅର୍ଥନୀତିକୁ ସୁଦୃଢ଼ କରିଥିଲା।
କଳାହାଣ୍ଡିର କାହାଣୀ କେବଳ ଆଇନଗତ ଅଧିକାର ଦାବି କରିବା ସମ୍ପର୍କରେ ନୁହେଁ, ବରଂ ଏହା ଗୋଷ୍ଠୀ, ରାଜ୍ୟ ଏବଂ ଜଙ୍ଗଲ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ଅଟେ । ଜାମଗୁଡ଼ା ଏବଂ ପାଲକିର ବାଉଁଶଠାରୁ ଗୋଲମୁଣ୍ଡା ଏବଂ କେଲିଆର କେନ୍ଦୁପତ୍ର ପର୍ଯ୍ୟନ୍ତ, ଗ୍ରାମସଭାଗୁଡ଼ିକ ଏହା ପ୍ରମାଣ କରିଦେଇଛନ୍ତି ଯେ, ସ୍ଥାୟୀ ଜଙ୍ଗଲର ସଠିକ୍ ପରିଚାଳନା କରି ଆର୍ଥିକ ସ୍ତରରେ ସଶକ୍ତ ହେବା ସମ୍ଭବପର ଅଟେ। ଏଭଳି ଭାବରେ ଜଙ୍ଗଲ ଅଧିକାର ଆଇନ କଳାହାଣ୍ଡି ଜିଲ୍ଲା ପାଇଁ ବରଦାନ ସାଜିବା ସହିତ ଅନ୍ୟ ଅଞ୍ଚଳ ପାଇଁ ଏକ ସଫଳ ଦୃଷ୍ଟାନ୍ତ ହୋଇପାରିଛି। କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ଜୀବିକା ପାଇଁ ବରଦାନ ସାଜିଛି ।
ବିଶେଷ ଦ୍ରଷ୍ଟବ୍ୟ : ଏହି ଅଧ୍ୟୟନଟି କଳାହାଣ୍ଡିସ୍ଥିତ ସେବା ନିକେତନ (seva Niketan) ନାମକ ସ୍ଵେଚ୍ଛାସେବୀ ସଂଗଠନ ର ସହଯୋଗରେ କରାଯାଇଛି ।









